Unknown

 

 

 

 

 

 

 

 

 

 

 

ମନ ଅରଣ୍ୟ

ଅଧ୍ୟାପକ ଚନ୍ଦ୍ରଶେଖର ରଥ

 

 

 

 

 

 

 

 

 

 

 

 

କାଳୋଽହ୍ୟୟଂ ନିରବଧି ବିପୁଳା ଚ ପୃଥ୍ଵୀ

ସଗତ୍‌ସ୍ୟନ୍ତେ ମମ କୋଽପି ସମାନ ଧର୍ମା...

 

ମୋ ତରଫରୁ...

 

ଆପଣମାନଙ୍କ ପରିଚିତ କୌଣସି ସଂଜ୍ଞାରେ ସିଧା ସଳଖ ପଡ଼ିପାରୁ ନ ଥିବାରୁ ଏଗୁଡ଼ାକୁ ଆପଣ ଅପାଂକ୍ତେୟ କହିବା ପରିବର୍ତ୍ତେ “ରମ୍ୟ ରଚନା” କହିଥାନ୍ତି । କୌଣସି କାରଣରୁ ଏଗୁଡ଼ିକ ଆପଣଙ୍କ ପାଇଁ ‘ରମ୍ୟ’ ବିବେଚିତ ହେଉ ଥିବାରୁ ଲେଖକ ଆପଣମାନଙ୍କଠାରେ କୃତଜ୍ଞ । କିନ୍ତୁ ତାକୁ ସୁଯୋଗ ଦେଲେ ସେ ଏଗୁଡ଼ିକ କେବଳ ‘ରଚନା’ ହିଁ କହନ୍ତା ।

ରଚନା କରିବା କବୀର ଧର୍ମ । ସେଥିରେ ସେ ଅବାଧ ସୃଷ୍ଟି କରିବାକୁ ଚାହେଁ । ସୃଜନଧର୍ମୀ ରଚନାରେ ଢେର୍‌ ସ୍ଵାଧୀନତା, ବିଭିହ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଅନେକ ଅବକାଶ ! ଇଂରାଜୀରେ Essay କହିଲେ ଯାହା ବୁଝାଏ, ଯେତିକି ପରିମାଣରେ ଲେଖକ ମନର ସାବଲୀଳତା ସ୍ଵୀକାର କରେ, ବିଷୟବସ୍ତୁ ପାଇଁ ଯେମିତି ସେଥିରେ ବାଗ-ଲଗାମ କିଛି ନାହିଁ, “ପିମ୍ପୁଡ଼ି”ଠାରୁ “ଚକ୍ ଖଡ଼ି” ପର୍ଯ୍ୟନ୍ତ, “ଟୋପି ପଛରେ ଧାଇଁବା”ଠାରୁ “ଖାଦ୍ୟ ସମସ୍ୟା” ପର୍ଯ୍ୟନ୍ତ ସୁଚିନ୍ତିତ ରଚନା ପାଇଁ ଏକ ଉଦାର କ୍ଷେତ୍ରରୁ ଯେପରି ବାଡ଼ବନ୍ଧ ଟେକି ନିଆଯାଏ, ସେପରି ଏ ରଚନାଗୁଡ଼ିକ !

ମନ ରଞ୍ଜେଇବା ଏହାର ଉଦ୍ଦେଶ୍ୟ ନୁହେଁ; ଆଉ ମଧ୍ୟ ଉଦ୍ଦେଶ୍ୟ ନୁହେଁ ଭାରି ଗମ୍ଭୀର ମୃଦ୍ରାରେ ନାକ ଆଖି ଚିପି କେବଳ ପ୍ରଣବ ମାଧ୍ୟମରେ ନିଛକ ଜ୍ଞାନ ପିଆଇବା । “ରସେଲ୍”ଙ୍କ ଭଳି ବହୁ ଜ୍ଞାନୀ ଲୋକଙ୍କୁ ଆଖି ମଟକା ମାରି ବେଶ୍ ବଡ଼ ବଡ଼ କଥା କହିବାର ଯେ ଶୁଣିଛି ତା’ର ବଳେ ବିଶ୍ଵାସ ଜମି ଯିବ ଯେ ଜ୍ଞାନ ପାଇଁ ଏତେ ଗମ୍ଭୀର ମୃଦ୍ରାର ପ୍ରୟୋଜନ ନାହିଁ । ଅତଏବ ନିଷ୍ଠାର ସହିତ ଜୀବନର ବିଭିନ୍ନ ବିଭାବକୁ ମିଞ୍ଜେଇ ଅନୁଭବ କଲାବେଳେ ଯଦି କେତେବେଳେ କିଛି ଦିଶିଗଲା ତାକୁ ନିଜ ଭଙ୍ଗୀରେ ଖଣ୍ଡିଏ “ରଚନା” ଆକାରରେ ଗ୍ରାହକ ପାଠକ ପାଖରେ ପହଞ୍ଚେଇ ଦେଲେ କ୍ଷତି କ’ଣ ?

ବ୍ୟାସ, ବାଲ୍ମିକୀ, ଶାରଳା, ଜଗନ୍ନାଥ ଯେଉଁ ସାହିତ୍ୟର ପରମ୍ପରା ସେଥିରେ କ’ଣ ଗୋଟାଏ ସମ୍ପୂର୍ଣ୍ଣ ନୂଆ କଥା କହିଦେବି, ସେ ଧୃଷ୍ଟତା ମୋର ନାହିଁ । କିନ୍ତୁ ମୋର ବିଶ୍ଵାସ ଯେ ଜୀବନ ଜାହ୍ନବୀରେ ଐରାବତ ସ୍ନାନ କରି ଚାଲିଗଲା ପରେ ସ୍ରୋତ ସରିଯାଏ ନାହିଁ ଏବଂ ପିମ୍ପୁଡ଼ିଟିଏ ମଧ୍ୟ ତା’ ଶକ୍ତି ଅନୁସାରେ ସେଥିରେ କିଛି ବାଟ ପହଁରି ଯିବା ପାଇଁ ନୂତନ ସମ୍ଭାବନା ଥାଏ । ବ୍ୟାସେ ଯାହା ଦେଖିଛନ୍ତି ହୁଏତ’ ମଣିଷ ଜନ୍ମରେ କେହି ସେତେ ଦେଖିବ ନାହିଁ । ତଥାପି ପୁରୁଣାକୁ ମଧ୍ୟ ନୂଆ ଭଙ୍ଗୀରେ ଦେଖା ଯାଇପାରେ । ବେଳେ ବେଳେ ଏ ଅନନ୍ତ ଧାରାରେ ସମ୍ପୂର୍ଣ୍ଣ ନୂଆଟାଏ ମଧ୍ୟ ଆସି ନଯିବ ଏପରି ନୁହେଁ । ପାହାଡ଼ ଦେହରେ ଲଟେଇ ଥିବା କୁନ୍ଦ ଲଇ ମୂଳରେ କାଲିର ଫୁଲ ଯାକ ଆଉରି ମଉଳି ନାହିଁ, କିନ୍ତୁ ତା’ର ଚୂଳେ ଚୂଳେ ନୂଆ କଢ଼ ସବୁ ପାଖୁଡ଼ା ମେଲି ଆସୁଛନ୍ତି । ଦେଖିବାକୁ ଅବିକଳ ସେମିତି; କିନ୍ତୁ ଏ ଫୁଲ କ’ଣ ସେଇ ଫୁଲ ? ଫୁଲର ଆଉ ଅନେକ ଗୁଣ ପରି ଗୋଟିଏ ଗୁଣ ହେଲା ଆମ ମନ ଭିତରେ ଫୁଲ ଫୁଟେଇବା । ଚିନ୍ତାର ଗୁଣ ହେଲା ପାଠକର ଚିନ୍ତା କେନ୍ଦ୍ରକୁ ଆଲୋଡ଼ିତ କରିବା । ସମୟ ସମୟରେ ସମ୍ପୂର୍ଣ୍ଣ ମୁହ୍ୟମାନ କରିବାର ଶକ୍ତି ମଧ୍ୟ ତା’ର ଅଛି । ସେଥିପାଇଁ କିନ୍ତୁ ଉପନିଷଦ୍‌ର ‘ଆରଣ୍ୟକ’ ବିପୁଳତାର ପ୍ରୟୋଜନ ! ଗୋଟିଏ କୁନ୍ଦ ଲଇଠାରୁ ସେତକ ଆଶା ନ କଲେ ଚଳନ୍ତା !

ବିଷୟବସ୍ତୁ ଉପରେ ବିଭିହ୍ନ ଚିନ୍ତାର ତୋରଣ ଟେକିବା ଅବଶ୍ୟ ଅନିବାର୍ଯ୍ୟ, କିନ୍ତୁ ତାହା ସମ୍ପୂର୍ଣ୍ଣ ନୈର୍ବୈକ୍ତିକ ହେବା କ’ଣ ସେଭଳି ଅନିବାର୍ଯ୍ୟ ? ନୈର୍ବୈକ୍ତିକ ହେବା ଅନେକଙ୍କ ମତରେ ପ୍ରକୃତ ସତ୍ୟଦ୍ରଷ୍ଟାର କାମ । ସେ ସବୁ କଥା ସ୍ଥିର ଭାବରେ ବୁଝି ଯାଇଥାଏ । ତା’ର ଆଉ ଗୋଳମାଳ କିଛି ନାହିଁ । ଏଣୁ ଅସଂପୃକ୍ତ ଦ୍ରଷ୍ଟା ରୂପେ ସେ ଦୂରରୁ ରହି କଥାଟାକୁ ଦେଖେ ବା କହେ । ଟିକିଏ ବିଚାର କଲେ ଜଣା ଯାଉଛି ସତେ ବା ଏଇଟା ଗୋଟାଏ ଠାଣି ମାତ୍ର । କୌଣସି ପ୍ରକାଶିତ ବା ଭାଷାରେ ରୂପାୟିତ ସତ୍ୟ କ’ଣ କେବେ ନୈର୍ବୈକ୍ତିକ ହୋଇପାରେ ? ନିଜକୁ ବିଷୟ ସହିତ ସଂଶ୍ଳିଷ୍ଟ ନ କଲା ପର୍ଯ୍ୟନ୍ତ, ତା’ ଭିତରେ ନିଜ ପ୍ରାଣର ପ୍ରତିଷ୍ଠା ନ କଲା ପର୍ଯ୍ୟନ୍ତ ସେ କ’ଣ କେବେ ପ୍ରାଣବନ୍ତ ହୁଏ ? ଯେ ସମ୍ପୂର୍ଣ୍ଣ ନୈର୍ବୈକ୍ତିକ, ଅସଂପୃକ୍ତ ଦ୍ରଷ୍ଟା, ସେ ଅବିକ୍ରିୟ; ନିଜକୁ ପ୍ରକାଶ କରିବାର ଜ୍ଵାଳାରୁ ମୁକ୍ତ । ଏଣୁ ସେପରି “ବ୍ରହ୍ମ ହୋଇ ଯାଇଥିବା ବ୍ରହ୍ମବିଦ୍”କୁ ନେଇ ସାହିତ୍ୟ କ’ଣ କରିବ ?

ଆମେ କହୁ ହୋମର, ବାଲ୍ମିକୀ, ସେକ୍‌ସପିଅର ଆଦିଙ୍କର କୃତି ସବୁ ନୈର୍ବୈକ୍ତିକ କାହିଁକି ନା ତାଙ୍କର ବ୍ୟକ୍ତିଗତ କୌଣସି ଗୋଟିକିଆ ମତକୁ ଟିପ ମଡ଼େଇ କୌଣସି ଠାରେ ଧରିହୁଏ ନାହିଁ । ଆମ ଭଳି ସଂକୀର୍ଣ୍ଣ ପରିସର ଭିତରେ ସିନା ଗୋଟିଏ ମାତ୍ର ମତ ପାଇଁ ସ୍ଥାନ ଥାଏ, ସେତିକିରେ ସବୁ ସମ୍ଭାବନା ସରିଯାଏ; କିନ୍ତୁ ଯେ ବିଷୁବୀୟ ମହା ଅରଣ୍ୟ ପରି ନିରନ୍ଧ୍ର, ଦିଗନ୍ତ-ପ୍ରସାରୀ ସେ ନୈର୍ବୈକ୍ତିକପରି ଆମକୁ ଦିଶୁଥିଲେ ମଧ୍ୟ ସେ ତା’ର ବିଶାଳତାରେ ହିଁ ନିଜର ବ୍ୟକ୍ତିତ୍ଵକୁ ପ୍ରକାଶିତ କରିଥାଏ । ‘ଜରତା’, ‘ସୂର୍ପଣଖା’ ରାବଣ, ବଶିଷ୍ଠ, ଦଶରଥ ଏବଂ ରାମଚନ୍ଦ୍ର ଏ ସମସ୍ତଙ୍କୁ ଧାରଣ କଳା ଭଳି କ’ଣ ବାଲ୍ମିକୀଙ୍କ ବ୍ୟକ୍ତିତ୍ଵ ଏତେ ପ୍ରଶସ୍ତ, ଯେଉଁଠି ବିପରୀତ-ବିରୋଧ ମଧ୍ୟ ହଜିଯାଏ ? ଆମକୁ ତାଟକା ଲାଗେ, ଆଫା ଆଫା ଲାଗେ । କିନ୍ତୁ ବିସ୍ତାରର ବିଭିହ୍ନ ପ୍ରଦେଶ ପରି ଗଭୀରତାର ବିଭିହ୍ନ ସ୍ତର ନେଇ ପ୍ରଶାନ୍ତ ମହାସାଗର । ସେଇଠି କୌଣସି ଏକକ ବ୍ୟକ୍ତିତ୍ଵ ମିଳୁନାହିଁ ବୋଲି ତାକୁ ସମ୍ପୂର୍ଣ୍ଣ ନୈର୍ବୈକ୍ତିକ କହିବା ଟିକିଏ ଅବିଚାର ହେଲା ପରି ଜଣା ପଡ଼ୁଛି ।

ଏଣୁ ବ୍ୟକ୍ତି ପରି ବ୍ୟକ୍ତିର ଅଭିମତ ଓ ଅଭିରୁଚି ମଧ୍ୟ ସ୍ଵତନ୍ତ୍ର ମୂଲ୍ୟ ପାଇବା ପାଇଁ ଅଧିକାରୀ । “ରଚନା”ରେ ଏଇ ବ୍ୟକ୍ତିଗତ ସ୍ଵରଟି ଅତି ସ୍ପଷ୍ଟ । ସମୟ ସମୟରେ ନୈର୍ବୈକ୍ତିକ ଠାଣିରେ କଥାଟା କୁହାଯାଏ ଯଥା କୋଣସି ନିରପେକ୍ଷ ସମାଚାର-ସନ୍ଦର୍ଭ ବା କୌଣସି ବୈଜ୍ଞାନିକ-ତଥ୍ୟ ସମ୍ବଳିତ ଲେଖା; ଯେଉଁଥିରେ ବ୍ୟକ୍ତିଗତ ମତ ପାଇଁ ଅବକାଶ ନାହିଁ । ଏଗୁଡ଼ିକର ସାହିତ୍ୟିକ ମୂଲ୍ୟ ନିରୂପଣ କରିବା ପାଇଁ ଅବଶ୍ୟ ବିଶେଷ ଯୁକ୍ତିତର୍କର ଆବଶ୍ୟକତା ନାହିଁ । କିନ୍ତୁ ଖୋଦ୍ ସାହିତ୍ୟର ପରିସୀମା ଭିତରେ ମଧ୍ୟ ଆଲୋଚନାମୂଳକ ପ୍ରବନ୍ଧ ଲେଖା ହୁଏ । ସ୍ଵର୍ଗତ ରତ୍ନାକର ପତି ଏବଂ ଶଶିଭୂଷଣ ରାୟ ମହାଶୟ ଏ ଦିଗରେ ଢେର୍‍ କାର୍ଯ୍ୟ କରିଛନ୍ତି । ଜଣାପଡ଼େ ସତେ ବା ଖୁବ୍‍ ମୋଟା ମୋଟା କାନ୍ଥର ବେଶ୍‍ ମଜବୁତ୍‍ ସାତଶେଣିଆ ଘର ସବୁ ସାହାଲା ସାହାଲା ହୋଇ ପିଟା ହୋଇଛି । “ଲଘୁ ସାହିତ୍ୟ” ବା “କାନବାଟେ କଥା ଚାଲେ” ପ୍ରାୟ ଚାଳିଶ ପୃଷ୍ଠା ପର୍ଯ୍ୟନ୍ତ ଚାଲନ୍ତି ! ଖୁବ୍ ଟାଣୁଆ ଶବ୍ଦ ମଧ୍ୟ ଭାଷାକୁ ବଳ ଯୋଗାଏ । ମଧୁରାଓଙ୍କ “ଜୀବତତ୍ତ୍ଵ” ବା “ପୂର୍ଣ୍ଣଧର୍ମ”, ରାଧାନାଥଙ୍କ “ବିବେକୀ” ଆଦି ଏହାର ଅନ୍ୟ ଉଦାହରଣ । ଭାଷାର ଏପରି ରୂପକୁ ଗୋଟାଏ ପ୍ରକାର ଆଭିଜାତ୍ୟ କୁହାଯାଇ ପାରେ । ଗୋଟାଏ ତିଖ ଉପରେ ଚଢ଼ି ଯାଇ ସତେ ବା ସେ ଆଉ ଓହ୍ଲେଇ ପାରୁ ନାହିଁ । କନ୍ତୁ ପ୍ରହରାଜଙ୍କ “ବାଇ ମହାନ୍ତି ପାଞ୍ଜି”, “ଭାଗବତ ଟୁଙ୍ଗିରେ ସଂଧ୍ୟା” ବା ଗୋବିନ୍ଦ ତ୍ରିପାଠୀଙ୍କ “ବଟୁଆ” ତାଙ୍କ ଯୁଗରେ ଗୋଟାଏ ଲେଖାଁ ବ୍ୟତିକ୍ରମ । ଏଠି ପ୍ରକୃତରେ ‘ରଚନା’ ଲେଖାର ଅୟମାରମ୍ଭ । ବେଶ୍ ସ୍ଵାଭାବିକ ଭଙ୍ଗୀରେ କୌଣସି ଅଟାଟୋପା ନ ଥାଇ ଏଗୁଡ଼ିକ ଖୁବ୍ ପାକଳ ଚିନ୍ତାର ସାବଲୀକ ପରିପ୍ରକାଶ । ଭାଷା, ଭଙ୍ଗୀ ଓ ସ୍ଵରରେ ମୋର ଏ ଲେଖାଗୁଡ଼ିକ ତାହାରି ଆଧୁନିକ ସ୍ମାରକ ପରି ମନେହୁଏ । ମୁଁ ଜାଣି ଶୁଣି ଆପଣଙ୍କୁ କୌଣସି ବିଷୟ ମନେ ପକେଇ ଦେବାର ଧୃଷ୍ଟତା କରି ନାହିଁ । ଲେଖୁ ଲେଖୁ କିଏ କେତେବେଳେ କେମିତି ଆସି ଏହା ଭିତରେ ଉଙ୍କି ମାରିଛନ୍ତି ସେଥିପାଇଁ ମୋର ଆଗରୁ କୌଣସି ସଂକଳ୍ପିତ ଯୋଜନା ବା ଅଭିସନ୍ଧି ମୋଟେ ନାହିଁ ।

ଅନେକ ସମୟରେ କୌଣସି ବିଷୟରେ ମନ ମଜ୍ଜିଗଲେ ସେଇ ସ୍ଵପ୍ନରେ ରହି ସ୍ଵପ୍ନର ଭାଷା କହିବାକୁ ଭାରି ଇଚ୍ଛା ହୁଏ । ସମ୍ପୂର୍ଣ୍ଣ ଜାଗତିଆର ହୋଇ ଲେଖିଲେ ଖାଲି ବ୍ୟାକରଣ ଗୁଡ଼ିଏ ଲେଖି ହୋଇଯାଏ ବୋଲି ଭାରି ରବେଇ ଖବେଇ ଲାଗେ, ଅସନ୍ତୁଷ୍ଟ ଲାଗେ । ଭାଷାରେ ଆଉ କବିତା ଆତ୍ମା ସଞ୍ଚରି ପାରେ ନାହିଁ; କଥାର ପ୍ରାଣ ପ୍ରତିଷ୍ଠା ହୁଏ ନାହିଁ । ଭୂଇଁରୁ କଞ୍ଚା ଡାଳ ପତ୍ର ମେଲି ଉଦ୍ଭିଦ ଉଠି ଆସିଲା ପରି ଗୋଟାଏ ଗହୀରିଆ ପ୍ରତ୍ୟୟ ଭିତରୁ କଞ୍ଚା ଜିଅନ୍ତା ଭାଷାଟାଏ ମୁଣ୍ଡ ଟେକି ଉଠି ଆସିଲେ ଲାଗେ ଯେ ଭାବ ସ୍ଵୟଂ-ପ୍ରକାଶ ହେଲା ! ଏଣିକି ହୁଏତ’ ଏଥିରେ ପାଠକ ଅନୁଭବି ପାରିଲା ଭଳି କିଛି ସ୍ପନ୍ଦନ ରହିବ । ଲେଖକ ଓ ପାଠକର ସବୁ ବାହାରିଆ ନିର୍ମୋକ ଖସିଗଲେ ଗୋଟାଏ ମୌଳିକ ବୁଝାମଣାରୁ ଭାଷା ହୁଏତ’ ଏମିତି ଆପଣେଇ ହେବ । ବେଳେ ବେଳେ ଶବ୍ଦଟାଏ ନୂଆ ତିଆରି ହୋଇଯାଏ, କେତେବେଳେ ବା ପୁରୁଣା ଶବ୍ଦଟାଏ ନୂଆ ସମ୍ପର୍କରେ ନୂଆ ରଙ୍ଗରେ ମୁହଁ ତୋଳି କହେ, ‘ମତେ ଚିହ୍ନିଛୁ ?’ । ମୁଁ ସ୍ଵୀକାର କରେ ଯେ ଏ ଅସରନ୍ତି ଅର୍ଥ-ସଂପଦରେ ଭାଷା ନୂଆ ନୂଆ ବସନ୍ତରେ ପୁଷ୍ପିତ ହୋଇ ଚାଲିଥିବ ଯେତେ ଦିନ ପର୍ଯ୍ୟନ୍ତ ମଣିଷ ବଞ୍ଚିଛି । ମୁଖା ଆଡ଼େଇ ଭାଷାର ସ୍ୱରୂପ ଦେଖିବାକୁ ଅହରହ ଚେଷ୍ଟା ଚାଲେ । କିନ୍ତୁ ବାର ପଣ ହୁଏତ’ ଲୁଚି ରହିଯାଏ; କେବଳ ପାଏ ଚଉଠେ ଭିତରେ ସାହିତ୍ୟର ଯେତେ ସବୁ କାରବାର ।

ବ୍ୟଙ୍ଗ ପରିହାସ ଦେଇ ଆପଣଙ୍କୁ ମନ ରଞ୍ଜେଇ ଆପ୍ୟାୟିତ କରି ପାରିଥିଲେ ନିଜକୁ ଧନ୍ୟ ମଣିଥାନ୍ତି । “ରଚନା”ରେ ମୋର ମନେହୁଏ ଏ ଧରଣର ଅବକାଶ ଖୁବ୍ କମ୍ । ଏ ସବୁ କିନ୍ତୁ ଆଦୌ ନିଷିଦ୍ଧ ନୁହେଁ । ଯେମିତି ଆର ବାଗେ ଖୁବ୍ ଗମ୍ଭୀର ହୋଇ ଅଧାତ୍ମ ଚିନ୍ତା କରିବା ମଧ୍ୟ ନିଷିଦ୍ଧ ନୁହେଁ । ଯେତେବେଳେ ଲେଖକ ବିଚାର ତା’ ଜୀବନର କୌଣସି ଏକ ମୁହୂର୍ତ୍ତର ଶ୍ରେଷ୍ଠ ଚିନ୍ତାଟିକୁ ଯେତେଦୂର ସମ୍ଭବ ଲୋଚା କୋଚା ନ କରି ପ୍ରକାଶ କରିବାକୁ ଆପ୍ରାଣ ଚେଷ୍ଟା କରୁଥାଏ; ଆଉ ମଧ୍ୟ ଚେଷ୍ଟା କରୁଥାଏ କେମିତି ପ୍ରତିଟି ସ୍ଵାଭାବିକ ଶବ୍ଦରେ ମୂଳ ସ୍ଵର ହିଁ ଅନୁରଣିତ ହେଉ, ସେତେବେଳେ ସେମିତି ଖେଳୁଆଡ଼ ହୋଇ ନ ଥିଲେ ଆପଣଙ୍କ ସହିତ ପରିହାସ କରିବା ତା’ ଶକ୍ତିର ବାହାରେ ! ଆପଣଙ୍କୁ ସେ ତା’ର ଗଭୀର ପ୍ରତ୍ୟୟର ଆନ୍ତରିକ ଭାଷାରେ ହୁଏତ’ କେତେବେଳେ କେମିତି ଆତ୍ମୀୟତାରେ ଛୁଇଁଯାଏ ବୋଲି ଆପଣ ତାକୁ ପଢ଼ିବାକୁ ସୁଖ ପାଆନ୍ତି । ସମୟ ସମୟରେ ହୁଏତ’ ଆପଣ ଅନୁଭବ କରନ୍ତି (.....) । ନିଷ୍ଠାର ସହିତ କହି ଯାଉଛି । ଏଣୁ ମଧ୍ୟ ଆପଣ ତାକୁ ସୁଖ ପାଉଥାଇ ପାରନ୍ତି ! ସେପରି କୌଣସି ଏକ ଆଦର୍ଶକୁ ଆଗରେ ରଖି ମୁଁ ମୋର ଯଥାଶକ୍ତି ଚେଷ୍ଟା କରିଛି ଆପଣଙ୍କ ମନକୁ ସ୍ପର୍ଶ କରିବାକୁ !

‘ରଚନା’ରେ କବିତାର ପ୍ରାଣ, ତା’ର ଆଙ୍ଗିକ ଭାଷା ଓ ଭଙ୍ଗୀ, ଗଳ୍ପର ରଞ୍ଜକତା ଓ ଚାତୁରୀ; ପ୍ରବନ୍ଧର ବୌଦ୍ଧିକତା, ଶାଣିତ ଚିନ୍ତାର ଦୀପ୍ତି, ସମୟ ସମୟରେ ନାଟକର ଛଟା ଏବଂ ସଂଳାପ ଥିଲେ ମଧ୍ୟ ଏହା ଏ ସମସ୍ତଠାରୁ ଭିନ୍ନ; ନିଜ ଗୋଡ଼ରେ ନିଜେ ଠିଆ ହେଲା ଭଳି ଏକ ସ୍ଵତନ୍ତ୍ର ସାହିତ୍ୟିକ ଅଭିବ୍ୟକ୍ତ । ଆପଣ କ’ଣ ତଥାପି କହିବେ ଯେ “ରଚନା” ଇଂରାଜୀର Belle’s lettersର ଏକ ଦେଶିଆ ଅନୁକରଣ ମାତ୍ର ? ସେମିତି ପାରିଲା ହାତରେ ପଡ଼ିଲେ “ରଚନା”କି ଅଦ୍ଭୁତି ସାଧନ କରିପାରେ ଇଂରାଜୀ ସାହିତ୍ୟ ତା’ର ଯଥେଷ୍ଟ ପ୍ରମାଣ ଦେଇ ସାରିଛି ।

ଓଡ଼ିଆ ଭାଷାରେ ସେପରି ଏକ ସମୃଦ୍ଧ ଭବିଷ୍ୟତକୁ ସ୍ଵାଗତ ଜଣାଇ ଏ କେତେ ଖଣ୍ଡ ପରୀକ୍ଷାମୂଳକ ଲେଖା ସହୃଦୟ ପାଠକଙ୍କୁ ନିବେଦିତ ହେଲା–

ବାହୁଡ଼ା ଦଶମୀ

୧୯୭୧ ମସିହା

ଲେଖକ

Image

 

ସୂଚୀପତ୍ର

 

୧.

ପ୍ରଥମ ପୁରୁଷ

 

 

ଅପହଁଚ.

 

 

ଏ ମନ ଏହିପରି

 

 

ଦିଗବାଉଳା

 

 

ୟା’କୁ ଚିହ୍ନନ୍ତି

 

 

ମନର ମେଘ

 

 

ଏକାକୀ

୨.

ଦ୍ଵିତୀୟ ପୁରୁଷ

 

 

ଚଷମା ସପକ୍ଷରେ

 

 

କଣ୍ଟାର ମୁକୁଟ

 

 

ଶିଷ୍ଟାଚାର

 

 

ଅଭିଭାବକ

 

 

ଗାଡ଼ି ଛାଡ଼ିଦେଲା

 

 

ପ୍ରତିବେଶୀ

 

 

ଯାନ-ଯାତ୍ରା

୩.

ତୃତୀୟ ପୁରୁଷ

 

 

ଆମ ସାର୍

 

 

ସେଇ ପକ୍ଷୀ ପରି

 

 

ପତ୍ର ଲିଖନ

 

 

ନର କିନ୍ନର

 

 

ପରଜା

 

 

ଛ’ ମାଣ ଆଠ ଗୁଣ୍ଠ

 

 

ସାରଳାଙ୍କ ଭୀମ

Image

 

ଅପହଁଚ

 

ଲୋକଙ୍କ ବିଶ୍ଵାସ ହେଇ ଯାଇଚି ଯେ ମୁଁ ବେତାଳ ସାଧିଛି । ତାଙ୍କ ଭିତରୁ ପଞ୍ଚୋ ଦେଖିଲେଣି ଯେ ମୋ ଭୁରୁ ମଝିରେ ଗୋଟେ କ’ଣ ଜଳୁଛି । ମୋ ଆଖିରେ ପିତୁଳା କୁଆଡ଼େ ରଙ୍ଗ ଟହଟହ କେଶର ଭିତରେ ପେଜୁଆ ଧରି ଗଲେଣି । ଏଣୁ ଥୋକେ ଡରିଲେଣି, କିନ୍ତୁ ଆଉ ଥୋକେ ଛକିଲେଣି ବେଳ ଉଣ୍ଡି ମୋତେ ବାଡ଼େଇବେ । ସେମାନଙ୍କୁ ଦିଶେ ଯେ ମୁଁ ଚାଲିଲାବେଳେ ମୋ ବୁକୁଟା ଉଭାରି ରହେ, ମୋ ବେକ ମୁଣ୍ଡ।ରେ କୁଜ ବାହାରେ ନାହିଁ । ମୁଁ ଚାହିଁଲେ ତାଙ୍କୁ ତରା ଫୁଟିଲା ପରି ଦିଶେ; କଥା କହିଲେ ନିଶ ଠିଆ ଠିଆ ହୋଇଯାଏ । ସେମାନେ ଭାବନ୍ତି ଯେ ମୁଁ ତାଙ୍କର ସର୍ବନାଶ ମନାସି ମଶାଣି ଚଣ୍ଡୀ ପୂଜୁଛି । ଯଦି ମୁଁ ବଞ୍ଚେ ତାଙ୍କୁ କୁଆଡ଼େ ଶୋଷି ଶୋଷି ଚୁଚୁନ୍ଦ୍ରା କରିଦେବି ! ସେମାନେ ତାଙ୍କ କୁନ୍ତ ପଜେଇ ସଳଖି ରଖିଛନ୍ତି ବେଳ ପାଇଲେ ମୋ ପିଠିରେ ଭୁଷିବେ । ମୋ ଅଗୋଚରରେ, ଅଜାଣତରେ ମୁଁ ତାଙ୍କୁ ତତାଏ, ତାଙ୍କୁ କୁଆଡ଼େ ଫୁ’ ମାରି ଶୂନ୍ୟରେ ଉଭାନ୍ କରେ ।

 

ମୁଁ କିନ୍ତୁ ବୁଝେ ନାହିଁ କାହିଁକି ଏମିତି ହୁଏ, ଆଉ ବୁଝେ ନାହିଁ ତା’ର ସେ ନିଃଶବ୍ଦ ହେମାଳିଆ କଥାଗୁଡ଼ାକୁ । ଏକୁଟିଆ ପାଇଲେ ସେ ମୋତେ କ’ଣ ସବୁ କହେ । ବହୁ ବହୁ କଥା ଘଣ୍ଟା ଘଣ୍ଟା ଧରି ସେ କହୁଥାଏ । ମୋ ଦେହସାରା ଶୀତକଣ୍ଟା ମାରେ । ହାତ ଗୋଡ଼ ଅବଶ ହୋଇଯାଏ । ଖପୁରି ଭିତରେ କ’ଣ ଗୋଟାଏ ଦପ୍ ଦପ୍ ହୋଇ ଜଳି ପୁଣି ଲିଭିଯାଏ । ମୋତେ ମନେହୁଏ ଯେ ମୋତେ କିଏ ଗୋଟାଏ ଗ୍ରାସ କରିଛି । ମୁଁ କିନ୍ତୁ ଖୁବ୍ କାନାଏ, ଆଖିପତା ନ ପକାଇ, ନିଶ୍ଵାସକୁ ଜବ୍‍ଦ କରି ଶୁଣେ । ପଦେ ହେଲେ ସମଝା ପଡ଼େ ନାହିଁ । ଖାଲି ଶୁଭେ ଗୋଟାଏ ମଞ୍ଜ ଥରେଇଲା ପରି ଝାଉଁବଣିଆ ସିର୍‍ସିରିଆ ଅବୁଝା ନିଃଶବ୍ଦ କଥା । ଜମା ଜଣା ପଡ଼େ ନାହିଁ କିଏ କହେ, କେଉଁଠୁ କହେ, କ’ଣ ବା କହେ ।

 

ଭୀମଟାଙ୍ଗିର କଇଁଚ ପିଠିଆ ଆବୁ ଉପରେ ସେ ଦିନ ଜହ୍ନ ଅଧରାତିର ଗାର ଟପି ଢଳି ଯାଉଥାଏ । ମୋତେ ଲାଗିଲା ଭୂଇଁଟା ନିଶ୍ଵାସ ମାରୁଛି । ଫୁଲି ଯାଉଛି ବେଲୁନ୍ ପରି । ପୁଣି ଖସି ଆସୁଛି ଶୂନ୍ୟରୁ, ରସାତଳକୁ ଖାଙ୍କେଇ ଯିବ । ନଈ ଢେଉ ଉପରେ ବନ୍‍ସି କଣ୍ଟାର ଶୋଲ ଡାଙ୍ଗ ପରି ମୁଁ ଉଶ୍ଵାସ ହୋଇ ଉଠୁଚି ପଡ଼ୁଚି ! ଚଇତି ଘୋଡ଼ାରେ ଚଢ଼ିଚି ଯେମିତି । ଭିତରେ ଗୋଟାଏ କିଛି ହାବୁକା ମାରୁଚି । ମନ ହେଉଛି, କାଚ ପରି ରାତିର ନିରବତାଟାକୁ ହାତୁଡ଼ିରେ ବାଡ଼େଇ ଚିରୁଡ଼ା, ଚିରୁଡ଼ା କରିଦେବି । ସେଇଟା ଚଡ଼କି ଯିବ ମୋ କୁହାଟରେ ଆକାଶର ଏ ଡାଳରୁ ସେ ଡାଳ ଯାଏଁ । ଏତିକିବେଳେ ମୁଁ ଶୁଣିଥିଲି ପ୍ରଥମ ଥର ପାଇଁ ସେଇ ଅଦ୍ଭୁତ ଶବ୍ଦ । ଭିତରୁ ଯାହା ଉତୁରି ଆସୁଥିଲା ହଠାତ୍‍ ଦବିଗଲା । ଭୂଇଁ ଆଉ ଆଡ଼ଚିରା ନ ମାରି ନିଶ୍ଵାସକୁ ରୋଧିଦେଲା । ସବୁ ଥମିଗଲା ଚାରିଆଡ଼େ । ମୋ ଭିତର କମ୍ପିଲା ଦୁରୁ ଦୁରୁ ହେଇ । ମୁଁ ଅନେଇଲି ଚମକି ଚମକି ଦଶ ଦିଗକୁ । ଦଶ ଦିଗରୁ ଶୁଣିଲି ସେଇ ଫିସ୍ ଫିସ୍ ଶବ୍ଦ । ଭାବିଲି ଯେ କିଳିକିଳା ରାବ କରି ମୁଁ ସେଠୁ ଦୌଡ଼ିଲି । ଭୀମଟାଙ୍ଗିର ଏ ମୁଣ୍ଡରେ ଗୋଟାଏ ଗୋଡ଼ ସେ ମୁଣ୍ଡରେ ଗୋଟାଏ ଗୋଡ଼ ଖାଲି ଫରକଟେଇ ହୋଇଗଲା । ପୁଣି ଦିଗ ବୁଲେଇ ଆଉ ଯୋଡ଼ାଏ ଗୋଡ଼ । ଏମିତି ଟାଙ୍ଗିର ଉପର ଯାକ ବର ଗଛ, ଓସ୍ତ ଗଛ, ଆମ୍ବ, ସାଗୁଆନ୍ ଶାଳ ଗଛ ପରି ପୋତି ହୋଇଗଲେ ମୋର ଅସଂଖ୍ୟ ଗୋଡ଼ । କୋଚିଲା ବଣ ପରି ଗୁନ୍ଥି ହୋଇଗଲେ ପାଦ ଆଉ ଆଙ୍ଗୁଠି । ହାତ ଛାଟିଲି, ପ୍ରତିଟି ଭଙ୍ଗୀ ଲାଖି ରହିଗଲେ ଯୋଡ଼ାଏ ଲେଖା ହାତ ହୋଇ । କାନ୍ଧ ମୂଳରୁ ଅସଂଖ୍ୟ ନାଗ ସାପ ପରି ହାତ । ମୁଣ୍ଡ ଝାଙ୍କିଲି । ଫଳରେ ବିରାଟ ଗୋଟାଏ ପିଆଜ ମୁଦା ପରି ଆକାଶରେ ଝାଳ ସରସର ହୋଇ ଦେଖାଦେଲା ଗୋଟାଏ ମୁଣ୍ଡର ମୁଦା । ମୋର ଚିତ୍କାର ଯାକ ବରଫ ପରି ଜମିଗଲେ ଥାକ ଥାକ ହୋଇ; ଚମକିଲେ ଜହ୍ନ ଆଲୁଅରେ । ଶୁଣିଲି ସେଇ ଅଗୋଚର ଶବ୍ଦ ।

 

ତା’ ଆରଦିନ ଗୁଣିଆକୁ ପଚାରିବାରୁ ସେ କହିଲା ଯେ ମୋତେ ଅର୍ଯମା ଗ୍ରାସିଛି । ସେ ଭୂତ ଛାଡ଼ିବା ସହଜ କଥା ନୁହେଁ । ସେଇ ଦିନଠାରୁ ତା’ର ଫିସ୍ ଫିସ୍ କଥା ମୋର ଦେହସୁହା ହୋଇ ଗଲାଣି । ମୁଁ ଗହଳି ଭିତରେ ପଶି ତାକୁ ଆଡ଼େଇ ଦେଉଥିଲି । ଏଣିକି ମୋତେ ସମସ୍ତେ କରଛଡ଼ା ଦେଲେଣି । ସବୁବେଳେ ଶୁଭିଲାଣି ସେଇ ଅଶରୀରୀ ଭାଷା । ମୋର ମନେ ହେଲାଣି ଯେ ସେ ଦିନେ ମୋ ଆଗରେ ଆସି ଉଭା ହେଇଯିବ । ନ ହେଲେ ସେ ନିଛାଟିଆ ଦେଖି କାହିଁକି ଶୁଖିଲା ପତ୍ରଟାକୁ ଖଡ଼ ଖଡ଼ କରନ୍ତା; ମୋ ଆଗରେ ପଛରେ ଦୁମୁ ଦୁମୁ ହେଇ ଚାଲନ୍ତା; ମେଘ ଅନ୍ଧାରରେ କିର୍ କିର୍ ହେଇ ହସନ୍ତା ।

 

ସେ ଦିନ ମନେହେଲା ଯେ ଅସଂଖ୍ୟ ନୀରବ ଓଟ ଉପରକୁ ଥୋମଣୀଟିମାନ ଟେକି ଉଦାସ ଆଖିରେ ଅନେଇ ରହିଛନ୍ତି ଓ ଉପରୁ ସେମିତି ନୀରବ ଅନେଇ ରହିଛନ୍ତି ଅସଂଖ୍ୟ ତାରା । ସ୍ଵପ୍ନର ଛାଇ ପରି ଗୋଟାଏ କ’ଣ ପହଁରୁଚି ମଝିରେ । ମୋତେ ଶୁଭୁଚି ତା’ର ସେଇ ନିଃଶବ୍ଦ କଥା-। ...ବର୍ଷା ବତାସୀରେ ବାଳ ମୁକୁଳା କରି ଗୋଟାଏ ବିରାଟ ମୁହଁ ଓଦା ଭୂଇଁ ଉପରେ ଗାଲଟି ଥୋଇ ଧକଉଚି । ମୋତେ ଲାଗୁଛି, ସେ ଭାରି ଭାରି ଜଟା ଭିତରୁ ଗୋଟାଏ ଜିଅନ୍ତା ଜହ୍ନ ଜୁଳୁଜୁଳିଆ ପୋକ ପରି ଜଳୁଚି, ଲିଭୁଚି ଓ ସେ ସାଇଁ ସାଇଁ ପବନରେ ଶୁଭୁଚି ଅର୍ଯମାର ଫାସୁ ଫାସୁ ।...ଖରା ଦିନ ଦି’ପହର ବେଳାରେ ସବୁ ଧକ୍ ଧକ୍ ହେଇ ଜଳିଲା ବେଳେ ମନେ ହେଉଛି ଯେମିତି ମଣିଷ ପଶୁ ପକ୍ଷୀ ଗଛ ଲଟା ସବୁ ଗୋଟିଏ ଲେଖା ଝିଲିମିଲି ସାପ । ଗୋଟିଏ ଅଦୃଶ୍ୟ ଲାଞ୍ଜ ଉପରେ ଅସଂଖ୍ୟ ଫଣା ବା ଗୋଟିଏ ଗାତରେ ପଶିଥିବା ମୁଣ୍ଡ ପଛକୁ ଲହ ଲହ ସଂଖ୍ୟାହୀନ ଲାଞ୍ଜ । ଏ କିଲିବିଲି ସାପଗୁଡ଼ାକ ହିସ୍ ହିସ୍ କରନ୍ତି; ମୋତେ ଶୁଭେ ତା’ର ଅଶରୀରୀ କଥା ।...ମୋତେ ବାଉଳା ଧରିଛି । ମୁଁ ସମଝି ପାରୁନାହିଁ ତା’ର ଏ ଅନ୍ତହୀନ ଭାଷା । ଦିନେ ତାକୁ ପଚାରିଲି ପରିଷ୍କାର ଭାବେ, ସେ କାହିଁକି ମୋ ଭାଷାରେ କରୁନାହିଁ ଯଦି ସେ କିଛି ଶୁଣେଇବାକୁ ଚାହେଁ । ସେ ଦିନଠୁ ସମସ୍ତେ କହିଲେ ଯେ ମୁଁ କୁଆଡ଼େ ମୋ ନିଜ ସାଙ୍ଗରେ ବିଡ୍ ବିଡ୍ ହୋଇ କଥା କହେ । ମୁଁ ବେତାଳ ସାଧିଛି, ମୋ ଆଖିର ପିତୁଳା ପେଜୁଆ ।

 

ଶିଉଳି ଲଗା ଭଙ୍ଗା କାନ୍ଥ ବେଢ଼େଇ ହୋଇଥିବା ଗୋଟାଏ ବିକଟାଳ ବଣ ମଝିରେ ପୁରୁଣା ବାମ୍ଫୀଟାଏ ଥାଏ । ତା’ ଚାରିଆଡ଼େ ଗୁଞ୍ଜ ଲଇ । ସେଇ ବାମ୍ଫୀ ପାଖରେ ଫୁଲଟାହିଆ ମାରି ମଙ୍ଗଳବାର ଦିନ ସଞ୍ଜରେ ଚାଲିଯିବାରୁ ମୋ ଭଉଣୀକୁ ଭୂତ ଲାଗିଥିଲା । ସେ ତିନି ଦିନ କାଳ ସେହି ମାଉଲିର ଭାଷା କହିଲା । ଆଖି ତରାଟି ଦାନ୍ତ ଜାବି ରହିଲା । ସେ ନିଜେ ହୋଇ ଆଉ ରହିଲା ନାହିଁ । ବଡ଼ ଆଶାରେ ଭାବିଲି କାଳେ ଏଇ ନାରୀଙ୍କୁ ଆଶ୍ରା କଲେ ଏ ଭୂତକୁ ମିଞ୍ଜେଇ ହେବ । ତା’ ଭାଷା ନିଜ ଭିତରେ ଜୀର୍ଣ୍ଣ କରି ସହଜରେ ବଞ୍ଚିହେବ । ଡାକିଲି ସର୍ବଭୂତରେ ନାରୀ ରୂପା, ଭାର୍ଯ୍ୟା ରୂପା, ମାତୃ ରୂପା ଆଦ୍ୟାଶକ୍ତିଙ୍କୁ । ଅମାବାସ୍ୟା ରାତିରେ ମୁଁ କୁଆଡ଼େ ଚାମଡ଼ାମାନଙ୍କ କୁହାଟ ଭିତରେ ମଶାଣିରେ ମୋ ମା’ର ଶବ ଉପରେ ଆରୂଢ଼ ହୋଇ ଆଭିଚାରିକା ମନ୍ତ୍ରପାଠ କରିଥିଲି । ସେ ଶବ କୁଆଡ଼େ ହୋ ହୋ ହୋଇ ହସି ଉଠିବାରୁ ସାରା ଭୀମଟାଙ୍ଗି ଦୁଲୁକି ଥିଲା । ସମସ୍ତେ ପ୍ରମାଦ ଗଣିଲେ । ମୋତେ କିନ୍ତୁ କିଛି ଜଣା ନାହିଁ । ମୁଁ ଖାଲି ସେ ପବନତୋଳା କଥା ଭିତରେ ମଜିଗଲି । ପଦେ ହେଲେ ସମଝା ଗଲା ନାହିଁ ।

 

ମୁଁ ଅହରହ ଖସୁଛି, ବହୁ ଦୂରରୁ ଗୋଟାଏ କଳା ଝିମ୍‍ଝିମ୍ ଅନନ୍ତ ସମୁଦ୍ର ଭିତରକୁ । ବୁଝୁଛି ଯେ ସେଇ ମୋତେ ଶୋଡ଼କୁଛି ତା’ ଗର୍ଭକୁ । ମୋ ବୁକୁରେ ଗୋଟିଏ ପେହେଁକାଳିଆ ରନ୍ଧ୍ର-। ସେଇଠି ଅହରହ ଶୁଭୁଚି ଏଇ ଅଶରୀରୀ, ନୀରବ, ହେମାଳିଆ କଥା–ଯାହାକୁ ସେ କେଉଁ ଅନନ୍ତ କାଳ ଅବଧି କହି କହି ହାଲିଆ ହେଉନାହିଁ ବା ମୁଁ ଶୁଣି ଶୁଣି ବାଉଳା ହେଉନାହିଁ । ପଦଟିଏ ସମଝି ମଧ୍ୟ ପାରୁନାହିଁ ।

Image

 

ଏ ମନ ଏହିପରି

 

ଏ ମନଟାର ଗୋଟାଏ ବୋଲି ଦିଗ ନାହିଁ କି ବାଗ ନାହିଁ, ମାନେ ନିର୍ଦ୍ଦିଷ୍ଟ ସ୍ରୋତ କିଛି ନାହିଁ କି ଆକାର କିଛି ନାହିଁ । ବେଳେବେଳେ ଶୀତ ଦିନିଆ ନଈ ଧାର ପରି ଖଳଖଳ ହୋଇ ବୋହୁଥାଏ, ଯେଉଁ ଆଡ଼େ ବାଲି ଆଡ଼େଇ ଦେବ ସେଇ ଆଡ଼େ ବୋହିଯିବ । ଆଉ ବେଳେ ବେଳେ କିନ୍ତୁ ଚିକ୍‍କଣ କାଳିଆ ଅକର୍ମ ଶିଳାର ଆବୁଟାଏ ପରି ଆଖି କାନ ରୁନ୍ଧି ଜବ୍‍ଦ ହୋଇ ଯାଇଥାଏ । ତା’ ଉପରେ ଯାହା ପଡ଼ିଲେ ଖସିଯାଏ, ଆଲୁଅ ପଡ଼ିଲେ ବି ଧାର ଧାର ହୋଇ ବୋହିଯାଏ ଚାରିଆଡ଼େ । ସେଥିରୁ ଗୁଡ଼ାଏ ଲେଉଟି ଛିଟିକି ଯାଏ ଆକାଶକୁ । ଭାରି ଅମାନିଆ ନିସନ୍ଧ ହେଇ ଚେକାମାଲି ପକେଇ ହନୁ ଭଳି ହୁଁ କାରୁ ଥାଏ ମନ । ସତେ ଯେମିତି ଗୋଟାଏ ଅମୁହାଁ ଦେଉଳ । ଆଉ ବେଳେ ବିରାଟ ଗୋଟାଏ କଂସା ଘଣ୍ଟା ଭଳି ଟିପ ବାଜିଲେ ଝାଇଁ କରେ ଦିଗ୍‍ବଳୟ ଯାଏଁ, ଟିକିଏ ପବନରେ ଝାଉଁ ବଣ ପରି ମର୍ମରି ଉଠେ । ସବୁଠଉଁ ଭଲ ଲାଗେ ଯେତେବେଳେ ସଜଫୁଟା କଇଁଟାଏ ପରି ସେ ଚନ୍ଦ୍ରଉଦିଆ ଆକାଶ ସାଙ୍ଗରେ ଯୋଡ଼ିଦିଏ । ହାଲୁକା ପବନର ଶୀତଳ ଘୋଡ଼ା ପିଠିରେ ଚଢ଼ି କଅଁଳିଆ ବାସ୍ନାର ଉପନିବେଶ ସବୁ ଏଠି ସେଠି ବିସ୍ତାର କରିନିଏ । ସେତେବେଳେ ସତକୁ ସତ ରଜାଟାଏ ତ’ ! ମୁକୁଟ ଝାଡ଼ି ଟୁମା ଟୁମା ଆଖି ପାଖୁଡ଼ାରେ କହୁଥାଏ ସଂସାରକୁ, ‘ତୁ କି ବର ମାଗୁଛୁ ମାଗ୍‍’ !

 

ବହୁରୂପୀ ମନର ଆଉରି ବହୁ ପୁରୁଣା ବେଶ ପୋଷାକ । କିନ୍ତୁ ତା’ର ସେ ମହଣମୋଡ଼ା ନିଶ ଦି’ପଟା ଲୋଚା କୋଚା ହୋଇ ପଡ଼ିଛି । ଢାଲ ତରବାରୀରୁ ଜରି ଛାଡ଼ି ଭିତରର ଫାସ୍‍କୁଣ୍ଡିଆ କାଠ ଦିଶୁଛି । ତା’ର ଏବେ ସେ ସବୁ ପାଇଁ ସଉକ ନାହିଁ, ଏବେ ବେଶି ବେଳ ବାସି ଶାଗ ପରି ଝାଉଁଳି ପଡ଼ିଥାଏ, ଟିକିଏ ଖରା ତାପ ହେଲେ ମୁରୁଜ ପରି ଗୁଣ୍ଡ ହୋଇଯିବ-। ସେତେବେଳେ ଘୋସାରି ହୋଇ ଯାଇ ତା’ ଉପରେ ସମୁଦ୍ରଟାଏ ଲହରେଇ ନ ଦେଲେ ସେ କାହିଁ କେଉଁ ପାତାଳ ପର୍ଯ୍ୟନ୍ତ ସାଙ୍କୁଡ଼ି ଯିବ । ସେଇଠି ଗୋଟାଏ ବାମ୍ଫୀ ଭିତରର ରାତି ଭଳି ଛାଇ ସାଙ୍ଗରେ ତା’ର ଦୋସ୍ତି । ସେ ଛାଇଟା ତାକୁ କିଛି କହେ ନାହିଁ–ଅଳସ ଭାଙ୍ଗଲା ପରି ଖାଲି ଟିକିଏ ମୋଡ଼ି ଭିଡ଼ି ହୋଇଯାଏ । ସେତିକିରେ ବାଲି ବାଡ଼ ସବୁ ଭୁସ୍ ଭୁସ୍ ହୋଇ ଝଡ଼ି ପଡ଼େ । ଆଲୁଅ ସବୁ ନିଭିଯାଏ । ଅନ୍ଧାର ଘୋଟି ଆସେ ଗୋଟାଏ କଟାସ ଆଖିଆ ଅରଣା ମଇଁଷି ପରି । ଦିନେ ତାକୁ ପଚାରି ଦେଲା, “ହେ ! ତୋ ନାଁ କ’ଣ ମୃତ୍ୟୁ ?” ଉତ୍ତରରେ ଗୋଟାଏ ବିରାଟ ବାଦୁଡ଼ି ଅନ୍ଧାରରେ ତା’ର ନିଃଶବ୍ଦ ଡେଣା ଥରେ କହଲେଇ ଦେଲା । ସେଇ ଦିନଠୁ ମନ ଖାଲି ଲୁହ ସିଙ୍ଗାଣିଆ ହୋଇ ବସିଛି । ଯେତେ ଉସକେଇଲେ ଜମା ଘୁଞ୍ଚୁ ନାହିଁ । ତା’ର ମଞ୍ଜ ଫସକି ଯାଇଛି ଯେମିତି ।

 

ଓଦା ତମ୍ବୁ ପରି ମନ ଏମିତି ନେସେଡ଼ି ଗଲେ ସବୁ ଚିପୁଡ଼ି ହେଲା ପରି ଦିଶେ । ସବୁଠାରୁ ସାର ନିଗିଡ଼ି ଯାଏ । ତାରା ଗୁଡ଼ାକ ଦିଶନ୍ତି ରୋଗିଣା, ଫୁଲ ଦିଶନ୍ତି ମିଛ ଧୁତୁରା ପରି ସୁକୁଟା ! ଶୀତ ଝରଣା ପରି ବୋହିଗଲା ବେଳେ ଯେମିତି ସାରା ସୃଷ୍ଟି ଭରି ଯାଇଥିଲା ଗୋଟାଏ ଛଳଛଳିଆ ଆତ୍ମୀୟତାରେ, ସେଇଟା ଆଉ ଦିଶେ ନାହିଁ । କଇଁଫୁଲ ପରି ସବୁ ଦିଗକୁ ଚହଟି ପଡ଼ିଲା ବେଳେ ସବୁ ଯେମିତି ଚନ୍ଦ୍ର ଉଦିଆରେ ସୁନ୍ଦର ଶୋଭନ ଦିଶୁଥିଲା, ତା’ ସ୍ଵପ୍ନ ପରି ଲାଗେ । ସବୁ ଠକ, ସବୁ ମିଛ ! ଧେତ୍‍ ଏ ସଂସାର, ଫାଲତୁ !! କ’ଣ ବା ୟାର ଅର୍ଥ ? ବାତୁଳ ପରି ଏଠି ଏମିତି ଦୌଡ଼ି ବୁଲିବା ଆମ ଅଭାଗ୍ୟ ! ନହେଲେ ଏପରି ବଞ୍ଚିବାର ବା କ’ଣଟା ଅର୍ଥ ? ଦାୟରେ ପଡ଼ି ବଞ୍ଚିଚେ ଅନ୍ୟ ଉପାୟ ନାହିଁ ବୋଲି...ଇତ୍ୟାଦି...

 

ଏମିତି ଲୁହ ସିଙ୍ଗାଣିଆ ପର୍ଯ୍ୟ।ୟ ଚାଲିଥାଏ । ହଠାତ୍‍ ତା’ପରେ ଦିନେ ଲାଗିଲା ଯେ ଆଉ ସବୁ ବେଶ୍‍ ଭଳି ବହୁରୂପୀ ମନର ଏ ବି ଗୋଟାଏ ବେଶ ହୋଇପାରେ ! ତା’ହେଲେ ତ’ ପୁଣି ନାନା କଥା । ଅସଲ ମନଟା ତା’ହେଲେ କିଏ ? ସେ ଦେଖିବାକୁ କିପରି ?

 

କାହାକୁ ପଚାରିବା ? କିଏ ବା କହିବ ?

 

ମନର ଅଭିମାନୀ ଦେବତା ଚନ୍ଦ୍ରଙ୍କୁ ପଚରା ଯାଉ । ଚନ୍ଦ୍ର ଦେବତା କହିଲେ ଯେ ମନର ବହୁ ବହୁ ରୂପକୁ ଏକାଠି ମିଶେଇ ନେଲେ ପରିଶେଷରେ ତିନୋଟି ରୂପହିଁ ବାହାରିବ !

 

ଗୋଟିକରେ ସେ ସ୍ଥୂଳ ରୂପ ରସରେ ବୁଡ଼େ, ତାକୁ ଖାଏ । ତା’ର ଫୁଲଣା ପାଇଁ ଆମେ ତାକୁ ଡାକୁ ‘ବୈଶ୍ଵାନର’ । ସେତିକିରେ ସେ ଆହୁରି ତେଜି ଯାଏ ।

 

ବେଳେ ବେଳେ କିନ୍ତୁ ଗୁଡ଼ାଏ ଧୂଆଁ ରାଜ୍ୟରେ ସେ ପହଁରେ । ଖାଲି ଧୂଆଁଳିଆ ସ୍ଵପ୍ନ ଖାଇ ବଞ୍ଚେ । ସେଇଟା କୁଆଡ଼େ ତାକୁ ଭାରି ମିଠା । ସେଥିରେ ମଜ୍ଜିଗଲେ ସେ ଆଉ ସହଜରେ ଲେଉଟେ ନାହିଁ । ସ୍ଵପ୍ନର ନିଶାରେ ଟଳୁଥିଲା ବେଳେ ଆମେ ତାକୁ ଗେହ୍ଲାରେ ଡାକୁ ‘ତୈଜସ’ । ସେ ଏ ରାଜ୍ୟରୁ ସେ ରାଜ୍ୟକୁ ଏମିତି ଖାଲି ଡିଆଁମାରି ଖେଳେ ! ଏଇଟାର ବୋଧହୁଏ ଏତିକି !

 

ପୁଣି କିନ୍ତୁ ଦିନେ ଦେଖିଲା ବେଳକୁ ସେ ବେଶ୍ ଅସଲ ଜାଗାରେ ବୁଡ଼ ମାରି ଆସିଛି, ଏକାବେଳେ ସୁଷୁପ୍ତି ରାଜ୍ୟରୁ ଆସି ଆନନ୍ଦ ବିଭୋର । ଭାରି ଖୁସି ହୋଇ ଆମେ ଏଥର ତା’ର ନାମକରଣ କଲୁ ‘ପ୍ରଜ୍ଞା’ ।

‘କିନ୍ତୁ ଏ ସବୁ ତ’ ବାହ୍ୟ । ମନ ନିଜେ କ’ଣ ? ଏ ତିନିଟା ମିଶେଇଲେ କ’ଣ ମନର ନିଜ ରୂପ ହେଲା ?”

“ରୂପ କାହାର ? ମନଟା ପରା ନିଜେ ଗୋଟାଏ ମୁଖା !”

“ହେଁ ! ମନ ଗୋଟାଏ ମୁଖା ?? କାହାର ??”

ଚନ୍ଦ୍ର କହିଲେ–“ଅନ୍ତରୀକ୍ଷର ! ଧର ମୁଁ ଯେମିତି ନିଜେ ଏ ଆକାଶର ମୁଖା । ମୁଁ ଆଉ ମୋର ନେଳିଆ ଡେଣା ଆକାଶକୁ ଘୋଡ଼େଇ ଦେଉ ! ଆକାଶ ରହିଯାଏ ପଛରେ । ତା’ର ରୂପ ରେଖ ନାହିଁ । ସେମିତି ମନ ଅନ୍ତରୀକ୍ଷର ମୁଖା । ବହୁ ବହୁ ରୂପର ସମୁଦ୍ର ଆଖି ବାଟେ ଆସେ, ସେହିପରି ଶବ୍ଦର ସମୁଦ୍ର କାନ ବାଟେ, ଗନ୍ଧର ସମୁଦ୍ର ନାକ ବାଟେ । ଏମିତି ପାଞ୍ଚଟା ସମୁଦ୍ର ଏକାଠି ହୋଇ ଅନ୍ତରୀକ୍ଷରେ ମିଶନ୍ତି । ମନ ସେଇ ଅନ୍ତରୀକ୍ଷଟାକୁ ଘୋଡ଼ାଏ ନାନା ବିଚିତ୍ର ବର୍ଣ୍ଣରେ-।”

ହେଃ ! ଏଗୁଡ଼ା ସବୁ ବାରଚାଉଳିଆ ଗପ !

ଗପ ? କାହିଁ ନୁହେଁ ତ’ ! ବେଶ୍ ଠିକ୍ କଥା !..ତା’ହେଲେ ଏ ଅନ୍ତରୀକ୍ଷଟା କ’ଣ ? ସେ ପୁଣି କାହାର ମୁଖା ? ସେ ଯାହାର ମୁଖା, ସେ ପୁଣି କାହାର ମୁଖା ? ଏମିତି ମୁଖା ଫିଟେଇ ଫିଟେଇ ଏ ଧାରା ଯାଇ କେଉଁଠି ପହଞ୍ଚିବ ନା ନାହିଁ !!

ଏମିତି ଝାଳନାଳ ହୋଇ କେଉଁଠି ନଙ୍ଗର ପକେଇବି ବୋଲି ଧନ୍ଦି ହେଲା ବେଳକୁ ଦେଖିଲେ ଯେ ମନ ମୁଚୁକି ମାରୁଛି !

“ଆରେ, ତୁ’ଟା ଗୋଟେ ମୁଖା ! ଏପରି ତତ୍ତ୍ଵ ଚିନ୍ତାବେଳେ ତୁ ପୁଣି ଏମିତି ଏଠି ଆସି କ’ଣ ଓଳନାଳ ହଉଛୁ ?”

ସେ ଆଉ ଟିକିଏ ହସିଲା ଓ ହସି ବୁଝିଇ ଦେଲା–“ଏ ସମସ୍ତ ‘ମୁଖା’ କଥା ତୋତେ କିଏ କହିଲା ବୋଲି ଭାବୁଛୁ ? ତୁ ପରା ମୋରି ଖେଳ ବର୍ତ୍ତମାନ ସୁଦ୍ଧା ଦେଖୁଥିଲୁ ! ତୁ’ କ’ଣ ଭାବିଛୁ ତୁ ମୋ ଘେର ଭିତରୁ ଆଉ କୁଆଡ଼େ ଗଲୁ ଚାଲି ?”

ଆରେ ହେ ! ସତେ ତ’ !!

ମନ ତା’ର ମହଣମୋଡ଼ା ନିଶ ଯୋଖି ତା’ କାଠ ଖଣ୍ଡାକୁ ଚମକେଇଲା । ପରିଲାପଣିଆ ଦେଖେଇଲାବେଳେ ସେ ତା’ ଜରି ପୋଷାକ ମଧ୍ୟ ପିନ୍ଧି ପକାଏ । ତାକୁ ଏତେବେଳେ ପଚାରିବାକୁ ଇଚ୍ଛା ହେଲା, ତୁ ତ’ ଭାଇ ସବ୍ ଜାନ୍‍ତା । ଟିକିଏ କହନ୍ତୁ ନାଇଁ ମୁଁ କିଏ-? ପଚାରି ଦେଲି ନା କ’ଣ !

ଗୁଡ଼ାଏ ଖଣ୍ଡିଆ ଭୂତ ଏକାଠି ହେଇ ନାନା ଦିଗରେ ବୁଲିଲେ । ଆକାଶରେ ତାରାଗୁଡ଼ା ଉଡ଼ିଲେ ସେ ଭିତରେ ଶୁଖିଲା ପାତ୍ର ପରି । ମନର ଏଇଟା ଅକର୍ମ ଶିଳା ରୂପ । ସେ ପରାସ୍ତ ହୋଇ ଗୁମ୍ ମାରି ବସିଲା–କିଛି କହିବ ନାହିଁ କି କିଛି ଶୁଣିବ ନାହିଁ । ମୁଗୁନି ପଥରର ଗୋଟାଏ ଗୋଟାଳିଆ ଆବୁ ! ଗୋଟାଏ ଅମୁହାଁ ଦେଉଳ ।

Image

 

ଦିଗବାଉଳା

 

ନୂଆ ଜାଗାରେ ଗୋଟିଏ ଦିଗବାଉଳା ପଥିକ ଚାରିଆଡ଼କୁ ଅଚିହ୍ନା ଆଖିରେ ବଲ ବଲ ଚାହିଁ ରହିଥିବା ପରି ସମୟରେ ଆଉ ଜଣେ ଆସି ଅଚାନକ ସେ ଦୋ’ଛକି ଠେଇ ପହଞ୍ଚିଗଲେ । ତାଙ୍କ ଆଖି କିନ୍ତୁ ଛନଛନିଆ ନୁହେଁ ବା ମନ ଦୋ ଦୋ ପାଞ୍ଚ ନୁହେଁ । ସିଧା ସଳଖ ସେ ଗୋଟାଏ ମାର୍ଗ ଧରି ଚାଲି ଯାଉଛନ୍ତି । ଏତିକି ବେଳେ ପ୍ରଥମ ପଥିକଟି ପଚ୍ଛରୁ ଡାକ ପକାଇଲେ–

 

“ଆପଣଙ୍କ ଆଗେଇବାରେ ସାମାନ୍ୟ ବାଧା ଦେଲି ବୋଲି କିଛି ମନେ କରିବେ ନାହିଁ । ଦୟା କରି କହି ପାରିବେ କି ମୋ ପାଇଁ ବାଟ କିଏ ?”

 

“ଆପଣ କେଉଁଠାକୁ ଯିବାକୁ ଚାହାଁନ୍ତି ? ଲକ୍ଷ୍ୟ ସ୍ଥିର ହେଲେ ସିନା ପନ୍ଥା ଦେଖେଇ ହେବ ।”

 

‘‘ମୋର ଅସୁବିଧାଟା ସେଇଠି । ମୋ ପାଇଁ ସବୁ ନୂଆ । ଆପଣ ନିଜେ ସ୍ଥିର କରିଦେଇ ପାରିବେ ?”

 

“ନା ! ଆପଣ ନିଜ ମନକୁ ପଚାରି କହନ୍ତୁ ।”

 

“ସେଥିପାଇଁ ଆପଣ ଟିକିଏ ସାହାଯ୍ୟ କଲେ ହୁଆନ୍ତା ! ଦି’ ଚାରିଟା କଥା ପଚାରିବି ?”

 

“ପଚାରନ୍ତୁ !”

 

“ଏ ଲକ୍ଷ ବୋଇଲେ କ’ଣ ?”

 

“ଯେଉଁଠି ଏ ବାଟ ଯାଇ ପହଞ୍ଚିଛି ତାହାହିଁ ଲକ୍ଷ୍ୟ !”

 

“ତା’ହେଲେ କ’ଣ ପାଦେ ଆଗରେ ଥିବା ଅବସ୍ଥା ମୋର ଏବକାର ଅବସ୍ଥାର ଲକ୍ଷ୍ୟ ନୁହେଁ କି ? ସେଇଠି ତ’ ଏ ବାଟ ପହଞ୍ଚିଛି ।”

 

“ଲକ୍ଷ୍ୟ ହେଉଛି ମାର୍ଗର ଶେଷ ଅବସ୍ଥା ।”

 

“ସେଇଟା ତା’ହେଲେ ମାର୍ଗର ଗୋଟିଏ ଅବସ୍ଥା, ମାର୍ଗଠାରୁ ଭିନ୍ନ କିଛି ନୁହେଁ ?”

 

“ଫୁଲଟା କ’ଣ ଡେମ୍ଫଠାରୁ ଭିନ୍ନ ନୁହେଁ ?”

 

“ତା’ହେଲେ ଉଭୟ କ’ଣ ସମାନ ଉପାଦାନରେ ତିଆରି ? ଆଉ ମଧ୍ୟ ଫୁଲ ପରି ଲକ୍ଷ୍ୟଟି କ’ଣ ମାର୍ଗରୁ ହିଁ ଉତ୍ପନ୍ନ ?”

 

“ନା, ତା’ କେମିତି ହେବ ।”

 

“ଆଚ୍ଛା ମାର୍ଗର ତ’ ଦୁଇଟି ଦିଗ । ଆର ପଟୁ ଦେଖିଲେ ମୁଁ କ’ଣ ଲକ୍ଷ୍ୟ ହୋଇଯାଉ ନାହିଁ କି ?”

 

“ଦେଖନ୍ତୁ ମୋର ସମୟର ଅଭାବ । ବହୁ ଦୂର ଯିବାକୁ ହେବ । ମୋତେ ଜଣା ଯାଉଛି, ବର୍ତ୍ତମାନ ଅବସ୍ଥାରେ ଯୁକ୍ତିଟା ହିଁ ଆପଣଙ୍କର ଲକ୍ଷ୍ୟ । ଆପଣ କେଉଁଆଡ଼େ ହେଲେ ଯିବା ପାଇଁ ମନ ବାନ୍ଧି ନାହାନ୍ତି ।”

 

“କେମିତି, କାହା ଉପରେ ମନ ବାନ୍ଧିବି କହୁ ନାହାନ୍ତି ! ସବୁ ଯଦି ଅଜଣା, ଯିବି କେଉଁଆଡ଼େ ?”

 

“ଅଜଣା ଆପଣଙ୍କ ପାଇଁ । ତାକୁ ଜାଣିବା ଲୋକ ତ’ ପୁଣି ଅଛନ୍ତି !”

 

“ଯଥା ଆପଣ !...ଆପଣ, ଆପଣଙ୍କ ଲକ୍ଷ୍ୟ ଜାଣନ୍ତି ?”

 

“ନିଶ୍ଚୟ !”

 

“ବାଃ ! ଏମିତି କାଣିଚାଏ ହେଲେ ଯଦି ମୋର ପ୍ରତ୍ୟୟ ଥାଆନ୍ତା ! ଆଚ୍ଛା ଆପଣଙ୍କ ଲକ୍ଷ୍ୟ ପର୍ଯ୍ୟନ୍ତ ମୋତେ ନେଇଯିବେ ?”

 

“ସର୍ତ୍ତ ଉପରେ । ଯଦି ଆପଣ ଅନ୍ଧପୋଟଳି ବାନ୍ଧିଥିବା ଲୋକ ପରି ମୋ ହାତ ଧରି ଚାଲନ୍ତୁ । ବାଟଯାକ ବାଜୁରୁ ବାଜୁରୁ ହୋଇ ଦେଢ଼ ଲକ୍ଷ କଥା ନ ପଚାରନ୍ତି !”

 

“ଏ ସର୍ତ୍ତ ମୁଁ ଆଗରୁ ମଧ୍ୟ ଶୁଣିଛି । କିନ୍ତୁ ମୋ ଦେଇ ତା’ ହେଇ ପାରିବ ନାହିଁ । ମୋତେ ଯେ ପାଦ ଦେଇଛି ଚାଲିବାକୁ, ସେ ଆଖି ଦେଇଛି ଦେଖିବାକୁ, ମନ ଦେଇଛି ବାଛିବାକୁ, ତୁଣ୍ଡ ଦେଇଛି କହିବାକୁ । ମୁଁ ବାଟ ଚାଲିବି ବୋଲି ବାକି କିଛି କରିବାକୁ ମନା ! ଏଇଟା ବଡ଼ ଅଡ଼ୁଆ କଥା !”

 

“ବୋଧହୁଏ ଆପଣଙ୍କର ତଡ଼ବଡ଼ି ବେଳ ଆସି ନାହିଁ । ଏଣୁ ଆପଣ ଧୀରେ ସୁସ୍ଥେ ସବୁ ବୁଝି ସୁଝି ଲାଭ କ୍ଷତି ତୁଳିବାକୁ ବେଳ ପାଉଛନ୍ତି । ଏ ଦୋ’ଛକି ଠେଇ ଠିଆହେବା ମନା । ଏଠୁ ପିଆଦା ଆସି ତଡ଼େ । ଯେଉଁ ପିଆଦା ତଡ଼ି ତଡ଼ି ଆପଣଙ୍କୁ ଆଣି ଏଠି ଠିଆ କରେଇଛି ସେ ପଛରୁ ତଡ଼ିଲେ ଆଉ ଉପାୟ ନାହିଁ । ଗୋଟାଏ ଧାରା ବାଛି ନେବାକୁ ପଡ଼ିବ । ନ ହେଲେ ବେଳ ନିଅଣ୍ଟ ହେଇଯିବ ଶେଷକୁ ।”

 

“ମୋ ପଛରୁ ପିଆଦା ତଡ଼ିଲାଣି । ନ ହେଲେ ମୁଁ ଆପଣଙ୍କୁ ଏମିତି ଡାକି କାହିଁକି ହଇରାଣ କରିଥାନ୍ତି । କିନ୍ତୁ ମୁଁ ଏବେ କରେ କ’ଣ ? କିଏ ମୋତେ ବାଟଟିଏ ଦେଖେଇ ଦେବ ?”

 

“ସର୍ତ୍ତ ହେଲା ପରା ମୁଁ ଆପଣଙ୍କୁ ମୋ ବାଟରେ ନେଇଯିବି !”

 

“ସର୍ତ୍ତ ଆଉ କେତେବେଳେ ହେଲା ? ବାଟଟା କିନ୍ତୁ ଆପଣଙ୍କର ହେଲେ ସୁଦ୍ଧା ଆଉ ଜଣେ ଇଚ୍ଛା କଲେ ଯାଇ ପାରିବ ! ଆଚ୍ଛା, ଆପଣ ଭଲା ସେମିତି ଇଚ୍ଛା କରି ଆଉ ଗୋଟାଏ ମାର୍ଗରେ ଯାଇ ପାରିବେ ?”

 

“ସେ କଥା ଉଠୁଛି କାହୁଁ ? ମୋର ପରା ଲକ୍ଷ୍ୟ ଠିକ୍ ହୋଇ ସାରିଛି । ମୁଁ ଆଉ ବାଟ କେମିତି ବଦଳେଇ ପାରିବି ?”

 

“ଆପଣ ତା’ହେଲେ କ’ଣ ଭାବୁଛନ୍ତି ଯେ ଆପଣ ଯେଉଁଠି ପହଞ୍ଚିବାକୁ ଯାଉଛନ୍ତି ସେଇଟା ହିଁ ସବୁଠୁ ଠିକ୍ ?”

 

“ମୁଁ ହୁଏତ’ ସେ କଥା ଅନ୍ୟ କାହାକୁ କହି ପାରିବି ନାହିଁ । କିନ୍ତୁ ମୋ ପାଇଁ ତାହାହିଁ ଠିକ୍-।”

 

“ଆପଣ ଲକ୍ଷ୍ୟରେ ନ ପହଞ୍ଚି ଲକ୍ଷ୍ୟ କଥା ଜାଣିବା ଯେହେତୁ ସମ୍ଭବ ନୁହେଁ, ଆପଣ ବହୁ ଶ୍ରମ କରି ସେଠାରେ ପହଞ୍ଚି ଅପାର ଆନନ୍ଦ ତ’ ପାଇଥିବେ !”

 

“ସେ ଆନନ୍ଦ ଆଉ କଥାରେ କହି ନୁହେଁ । ଲକ୍ଷ୍ୟରେ ପହଞ୍ଚିବା ଲୋକ ହିଁ କେବଳ ବୁଝିପାରିବ ।”

 

“ତା’ହେଲେ ଆପଣ ସେହିପରି ଆନନ୍ଦ ଛାଡ଼ି ପୁଣି କାହିଁକି ମାର୍ଗରେ ଆସି ପହଞ୍ଚିଛନ୍ତି-? ଆପଣଙ୍କର ଲକ୍ଷ୍ୟ କ’ଣ କୌଣସି ପର୍ବତର ଶିଖ ପରି ଯେଉଁଠି ପହଞ୍ଚି ହୁଏ କିନ୍ତୁ ରହି ହୁଏ ନାହିଁ-। ସେଠି ପହଞ୍ଚି ପୁଣି ଫେରିବାର ପ୍ରୟୋଜନ ଅନୁଭବ ହୁଏ ?”

 

“ପ୍ରୟୋଜନ ହୁଏ କି ନ ହୁଏ ବା ହେଲେ କାହା ପାଇଁ ହୁଏ ମୁଁ ଆଉ କହୁ ନାହିଁ । ମୁଁ ଆସିବାରୁ ହେଇ ଆପଣଙ୍କ ଭଳିତ’ ଜଣେ ବାଟ ପାଇଯିବେ ।”

 

“ଆପଣ କ’ଣ ତା’ହେଲେ ସ୍ଵେଚ୍ଛାରେ ମୋର କଲ୍ୟାଣ ପାଇଁ ଆସିଛନ୍ତି ନା, ଆସିବା ଅଣାୟତ୍ତରେ ହୋଇଛି ।”

 

“ବୋଧହୁଏ ମୋତେ ଆସିବାକୁ ହିଁ ପଡ଼ିଛି ।”

 

“ମାତ୍ର ବର୍ତ୍ତମାନ ପାଇଁ ତ’ ଆପଣ ଜଣେ ପଥିକ, ମୁଁ ଜଣେ ପଥିକ, ଆମର ତ’ ଆଉ କିଛି ସମ୍ପର୍କ ନାହିଁ ଯେଉଁଥି ପାଇଁ ଆପଣ ମୋର ଦାୟିତ୍ଵ ନେବେ ।”

 

“ଦାୟିତ୍ଵ ଆପଣ ଦେଉଛନ୍ତି । ମୋର ଖାଲି ‘ହଁ’ ବା ‘ନାହିଁ ‘ କହିବା କଥା ।”

 

“ତା’ ଠିକ୍ ଯେ । ହେଲେ ଏଠି ବାଟ କେତୋଟି ?”

 

“ବାଟୋଇ ଯେତେଟି ବାଟ ସେତେଟି ।”

 

“ତା’ହେଲେ ତ’ ଲକ୍ଷ୍ୟ ମଧ୍ୟ ସେତେଟି ହେବା ଉଚିତ ।”

 

“ପ୍ରାୟ ସେତେଟି !”

 

“ତା’ହେଲେ ଏପରି କ’ଣ ଲକ୍ଷ୍ୟ ସମ୍ଭବ ନୁହେଁ ଯେଉଁଠି ସବୁ ବାଟ ଯାକ ଯାଇ ମିଶିବେ-।”

 

“ମୁଁ ସେ ବିଷୟରେ ଶୁଣିଛି, କିନ୍ତୁ ସନ୍ଧାନ ପାଇ ନାହିଁ ।”

 

“ସନ୍ଧାନ ପାଇଲେ ଆପଣ ତାକୁ ନିଜର ଲକ୍ଷ୍ୟ ରୂପେ ସ୍ଵୀକାର କରନ୍ତେ କି ?”

 

“କହିପାରୁ ନାହିଁ । ଯଦି ସେପରି ସର୍ବ ବ୍ୟାପକ ଲକ୍ଷ୍ୟ ସମ୍ଭବ ତେବେ ବା କ’ଣ ହୁଆନ୍ତା-। ବୃଥାରେ ସେ ଅଜ୍ଞାତ କଥାରେ ଭ୍ରମି ହେବା ବୃଥା ।”

 

“ଯଦି ଆକାଶ ଭଳି ସବୁଠେଇ ପୂରି ରହିଥିବା, ପବନ ଭଳି ସବୁଠେଇ ଅନର୍ଗଳ ପହଁଚି ପାରୁଥିବା ଲକ୍ଷ୍ୟଟାଏ ହୁଅନ୍ତା ବୋଧହୁଏ ସବୁ ସେଥିରେ ସମ୍ଭେଇ ଯାଆନ୍ତା । ଏତେ ଛନ୍ଦାଛନ୍ଦି ବାଟରେ ଧନ୍ଦି ହେବାକୁ ପଡ଼ନ୍ତା ନାହିଁ ।”

 

“ଆପଣ ଯାହା କହୁଛନ୍ତି ତାହା ତତ୍ତ୍ଵତଃ ହୁଏତ ମିଛ ମଧ୍ୟ ନୁହେଁ ।”

 

ପ୍ରାୟ ନ ଶୁଣିଲା ପରି–

 

“ବୌଧହୁଏ ଆଦୌ ଯିବାକୁ ପଡ଼ନ୍ତା ନାହିଁ । ଯଦି ଏଇଠୁ ସବୁ ବାଟ ବାହାରି ଯାଇଛନ୍ତି ଦିଗ ବୁଲେଇ ଦେଖିଲେ ମୋଠେଇ ସବୁ ବାଟ ଆସି ମିଶି ନାହାନ୍ତି କି ? ତା’ହେଲେ ମୁଁ କ’ଣ ସେଇ ଲକ୍ଷ୍ୟ ଯେଉଁଠି ସବୁ ପଥ ଆସି ମିଶିଛି ?”

 

“ମହାଶୟ ! ଆପଣ ବୋଧହୁଏ ଯିବା ଅବସ୍ଥାରେ ନାହାନ୍ତି ମୁଁ ଚାଲିଲି । ବହୁ ବାଟ ଯିବାକୁ ପଡ଼ିବ, ସମୟ ନାହିଁ ।”

 

ମନରେ ଦୋ ଦୋ ପାଞ୍ଚ ନାହିଁ । ବାଟୋଇ ପୂର୍ବ ପରି ଗୋଟିଏ ମାର୍ଗରେ ପାହୁଣ୍ଡ ପକେଇ ଚାଲିଗଲେ ।

 

ଦିଗବାଉଳା ବାଟୋଇଟି କିନ୍ତୁ ସ୍ଵପ୍ନ ଦେଖିଲା ପରି ଦଶ ଦିଗକୁ ଅନେଇ ମନକୁ ମନ କଥା କହୁଥାନ୍ତି–

 

“ତା’ହେଲେ ମୁଁ ହିଁ ଏ ସଚରାଚର ବିଶ୍ଵ ବ୍ରହ୍ମାଣ୍ଡ ବ୍ୟାପୀ ରହିଛି । ଏ ସୂର୍ଯ୍ୟ ଚନ୍ଦ୍ର ତାରକା ସବୁ ମୋର ଜ୍ୟୋତିରେ ଜଳୁଛନ୍ତି ? ପବନ ଚଳୁଛି ମୋର ଆଦେଶରେ ? ଗଛ ପତ୍ର ଜୀବ ଜନ୍ତୁ ସବୁ ମୋର ଶାସନରେ ଚଳୁଛନ୍ତି ? ଏ ସମସ୍ତ ହିଁ ମୋର ବିକାର–ଏ ସମସ୍ତ ହିଁ ମୁଁ ! ତା’ହେଲେ ଯିବି କୁଆଡ଼େ ? ....କାହିଁକି ? .....ଏ ପ୍ରଶ୍ନ ବା କାହିଁକି ?”

 

ବହୁ ବାଟୋଇ ପଞ୍ଝା ପଞ୍ଝା ହୋଇ ବିଭିନ୍ନ ଦିଗରେ ମାଡ଼ି ଚାଲିଛନ୍ତି । ସନ୍ଦେହ ନାହିଁ, ସଂଶୟ ନାହିଁ । ଆଖିକୁ ସାମାନ୍ୟ ସ୍ଵପ୍ନ ମାଡ଼ି ଆସିଲେ ଆଗରେ ପଛରେ ଅନ୍ୟମାନଙ୍କୁ ମଟ ମଟ କରି ଚାହିଁ ପୁଣି ଗୋଡ଼ ଛାଟି ଆଗେଇ ଯାଉଛନ୍ତି ।

 

ଦୋ’ଛକି ଠେଇ ବହୁ ଲୋକ ଦେଖି କହନ୍ତି ଯେ ଗୋଟାଏ ଜଡ଼ ଭରତ ବସିଛି । ଆଉ କେହି କହନ୍ତି ସେଇଟା ଗୋଟାଏ ଅବଧୂତ । ଜଣେ କିଏ କହୁଥିଲା ସେଇଟା ସେ ସବୁ କିଛି ନୁହେଁ–ସେ ଗୋଟାଏ ବ୍ରହ୍ମଭୂତ । ତା’ର ସହସ୍ରେ ଶିର ସହସ୍ରେ ଆଖି ସହସ୍ରେ ପାଦ । ତା’ ଆଖିରେ କୁଆଡ଼େ ବା’ରଟା ଆଦିତ୍ୟ ଜଳୁଛନ୍ତି । ...ଏମିତି କେତେ କଥା ।

 

କିନ୍ତୁ ଦେଖିବା ଲୋକେ ପୁଣି କହୁଛନ୍ତି–ସେଇଠି ପ୍ରକୃତରେ କେହି ନାହିଁ । ସେଇଠି ଖାଲି ଗୋଟେ ହାୱା କେମିତି ଆସି ଭିତରେ ପଶିଯାଏ । ଲାଗେ ସତେ ଯେମିତି ଆମେ ନିଜେ ସେଇ–ଯାହାକୁ ଏତେ କରି କୁହାଯାଉଛି ।

Image

 

ୟାକୁ ଚିହ୍ନନ୍ତି

 

ଗହଳି ଭିତରକୁ ଗଳି ପଶିଗଲା ବେଳେ ଅଚିହ୍ନା ପରି ଲୋକଟାକୁ ସମସ୍ତେ ଦୁର୍ ଦୁର୍ ମାର୍ ମାର୍ କରୁଥାନ୍ତି । ଶୀତ ରାତିରେ ଠୁକୁଠୁକୁ ଥରୁଥିବା କୁକୁଡ଼ା ଛୁଆଟିଏ ଯେମିତି ଉଷୁମ୍ ଟିକିଏ ପାଇଁ କାନ୍ଥ ଆଉଜା ଦେଉଥାଏ, ଏ ଲୋକଟିର ଆଚରଣ ପ୍ରାୟ ସେହିପରି । ଧକ୍‍କା ଖାଇଲେ ମଧ୍ୟ ଆହୁରି ନିଲଠେଇ ହେଇ ପଶି ଯାଉଥାଏ । କିଏ ଲେଡ଼ାରେ ଠେଲି ଦେଉଥାଏ ତ’ କିଏ କହୁଣୀରେ । ଏ ପେଲା ପେଲି ଭିତରେ ସେ ଜାଣିପାରି ନାହିଁ ଯେ ସେ ଗହଳି ଭିତରୁ ଜଣେ ତାକୁ ଅନେଇ ରହିଛି । ଆଉଥରେ ଧକ୍‍କା ଖାଇ ଆଖି ଛଳଛଳ କରି ପଶିଗଲା ବେଳକୁ ଆର ଜଣକ ତାକୁ ପଚାରିଲା–

 

“ହେ, କାହିଁକି ଏତେ ଧକ୍‍କା ଖାଇ ପୁଣି ସେ ଗହଳି ଭିତରେ ପଶିବାକୁ ମନ କରୁଛ ?”

 

ସେ ମୁହଁ ଟେକି ଅନେଇଲା । ତା’ର ହାଲିଆ ଗହରୀଆ ଆଖି ଯୋଡ଼ିକ ଲୁହରେ ପହଁରୁଛି । କପାଳ ଉପରକୁ ନଇଁ ଆସିଛି ବୋଝେ ହେବ ନୁଖୁରା ବାଳ । ଶୁଖି ଯାଇଥିବା ଓଠ ଦିଓଟି ଚାଟି ସେ କହିଲା–

 

“ମୋତେ ଏକୁଟିଆ ରହିଲେ ଡର ମାଡ଼ୁଛି ।”

 

ଅଳ୍ପ ହସି ଆର ଜଣକ କହିଲା, “ଏକୁଟିଆ ତ’ ସମସ୍ତେ । ଏଠି କେହି କାହା ସାଙ୍ଗରେ ନାହାନ୍ତି । ତୁମେ କାହିଁକି ବୃଥାରେ ଏମିତି ଛାନିଆ ହେଇ ପଡ଼ୁଛ ?”

 

“ହେଇ ତ’ ସେ ସମସ୍ତେ ଏକାଠି ଦେହକୁ ଦେହ ଘଷି ହୋଇ ଅଛନ୍ତି । ମୋତେ ସେମିତି ଟିକିଏ ପାଖେଇ ନେଲେ କ’ଣ ତାଙ୍କର ସରି ଯାଆନ୍ତା ?”

ଆର ଜଣକ ମୁହଁରୁ ହି ହି ହୋଇ କିଛି ହସ ଝରିଗଲା ସତେବା ପୁଷମାସିଆ ଶୁଖିଲା ଝୁର୍‍ଝୁରିଆ ପତ୍ର ଗଣ୍ଡେ । କହିଲା–“ଆଚ୍ଛା ସେମାନେ କେମିତି ପରସ୍ପରର ଉଷୁମରେ ଠିଆ ରହିଛନ୍ତି ସେ କଥା ପଛେ ଦେଖିବା । ଧର, ବା ଯଦି ସେ ତାଙ୍କର ଠିଆ ହେଲେ, ତୁମକୁ ପାଖରେ ପୂରେଇଲେ ନାହିଁ ବୋଲି ତୁମର କାହିଁକି ଏତେ ଅଭିମାନ ? ତୁମେ କ’ଣ ସେମାନଙ୍କୁ ଚିହ୍ନ ? ତାଙ୍କ ଉପରେ ତୁମର ଅଧିକାର କ’ଣ?”

ଜଳନ୍ତା ମହମ୍‍ବତୀର ଅଗ ପରି ତା’ ମୁହଁଟା ତରଳି ଗଲା । ବଙ୍କା ଟଙ୍କା ହେଇ ଗୁଡ଼ାଏ ଲୁହ ଡବ୍ ଡବ୍ ବୋହି ଆସିଲା ଆଖିରୁ । କ୍ରୋଧ ଅଭିମାନ ଦୁଃଖ ମିଶେଇ ତା’ର ବାମ୍ଫୁଆ କାନ୍ଦଣାରେ ସେ କହିଲା, “ହୁଃ ! ମୁଁ ୟା’ଙ୍କୁ ଚିହ୍ନି ନାହିଁ ? ଚିହ୍ନି ନ ଥିଲେ ଭଲା ଏମିତି ପେଲି ପଶୁଥାନ୍ତି। ଏମାନେ ପରା ସମସ୍ତେ ମୋର ! ହେଇ ସେ ସବା ଆଗରେ ଯେ ଅଛି, ସେ ମୋ ଦଦେଇ ତା’ ପାଖକୁ ମୋ ଖୁଡ଼ୁତା, ତାଙ୍କୁ ଘେରି ମୋର ଭାଇ, ପୁତୁରା ! ଆର ପଟକୁ ମୋ ଶ୍ଵଶୁର, ଶଳା, ଶାଳୀ ! ସେଇଠି ମୋ ଝିଅ, ଜୁଆଇଁ, ସମ୍ବନ୍ଧୀ, ନାତି, ନାତୁଣୀ !” ...ମନକୁ ମନ ସ୍ଵର ସଂଯତ ହୋଇ ଆସୁଥାଏ । ସେ ସାମାନ୍ୟ ଅଟକି ଯାଇ ଦୀର୍ଘ ନିଶ୍ଵାସଟିଏ ଛାଡ଼ି ପୁଣି କହିଲା ବେଳେ, ଆର ଜଣକ ମୁଚୁକି ମାରୁଥାଏ ।

“ଏଇ ମୋର ବଡ଼ ପୁଅ, ଏ ସାନ ପୁଅ, ଏ ମୋର ପତ୍ନୀ ।” ତା’ର ସ୍ଵର ସେତେବେଳକୁ ଭାରାକ୍ରାନ୍ତ । ଆଖି ଯୋଡ଼ିକ ସ୍ଥିର । ମନକୁ ମନ ବିଡ୍‍ ବିଡ୍‍ ହେଲେ ଲୋକ ଯେମିତି ଲାଖି ଯାଉଥିବା ଓଠକୁ ପାକୁ ପାକୁ କରେ ସେମିତି ! ତାକୁ ଉତ୍ସାହିତ କଲା ପରି ଆର ଜଣକ କହିଲା–

“ତା’ପରେ ? ...ହେଲା, ବା, ଏମାନେ ସମସ୍ତେ ତୁମର । ତୁମେ ଏମାନଙ୍କୁ ସେହି କାରଣରୁ ଖୁବ୍ ଭଲ ଭାବରେ ଚିହ୍ନ ! ତୁମେ କ’ଣ କହିବାକୁ ଚାହଁ ଯେ ସେମାନେ ସେହି ଅନୁପାତରେ ତୁମକୁ ଚିହ୍ନୁ ନାହାନ୍ତି ବା ତୁମେ ତାଙ୍କର ନିକଟତର ହେବାକୁ ଯେତେ ବ୍ୟାକୁଳ ହେଉଛ ସେମାନେ ସେହି ପରିମାଣରେ ତୁମକୁ ନିକଟରେ ପାଇବାକୁ ଆଗ୍ରହୀ ନୁହନ୍ତି । ତୁମେ ଯେତିକି ସେମାନଙ୍କୁ ବିଭିନ୍ନ ସମ୍ପର୍କରେ ସ୍ଵୀକାର କର ସେମାନେ ମଧ୍ୟ ତ’ ସେତିକି ତୁମକୁ ପତି, ପିତା, ସମ୍ବନ୍ଧୀ, ଶ୍ୱଶୁର, ଖୁଡ଼ୁତା, ପୁତୁରା, ମାମୁଁ ବୋଲି ସେହି ସେହି ସମ୍ପର୍କରେ ସ୍ଵୀକାର କରନ୍ତି ! ତେବେ ତୁମର ଅଭିଯୋଗଟା କ’ଣ ଶୁଣେ !”

“ଏଇଟା ଠିକ୍ ଅଭିଯୋଗ ନୁହେଁ । ମୁଁ କିଛି ବୁଝିପାରୁ ନାହିଁ କାହିଁକି ଏପରି ହେଲା ବା ମୋତେ ଏପରି ସବୁ ବିପରୀତ ବୋଧ ହେଉଛି ? ମୁଁ ସେମାନଙ୍କୁ ସ୍ଵୀକାର କରୁଥିଲି ଏବଂ କରୁଛି, ସେମାନେ ମଧ୍ୟ ହୁଏତ’ ମୋତେ ସେମିତି ସ୍ଵୀକାର କରୁଥିଲେ ଏବଂ କରୁଛନ୍ତି । କିନ୍ତୁ ଏ ପ୍ରକାର ଡକାଡକି ହେବାର ଅଭ୍ୟାସଗତ ଶୁଆ ପଢ଼ା ମୋତେ ଫମ୍ପା ଏବଂ ଅର୍ଥହୀନ ବୋଧ ହେଉଛି । ଯେ ଯାହାର ନିଜ ନିଜ ପ୍ରୟୋଜନ ଅନୁସାରେ ସୋରାଏ ଫଡ଼ାଏ ଛେଲି ନେଇ ମୁହଁ ବୁଲେଇ ଦେଉଛନ୍ତି-। କାହାକୁ ମୁଁ ଆଉ ମୋର ନିଜର କରି ରଖିପାରି ନାହିଁ । ଯେତେ ଭିଡ଼ି ହେଇ ତାଙ୍କ ପାଖକୁ ଯାଉଛି ସେତିକି କେବଳ ଧକ୍‍କା ଖାଇବା ମାତ୍ର ସାର ହେଉଛି ।...ମୁଁ ତ’ ଆଦର କରି ଜାଣେ ! ଏମାନେ କାହିଁକି ମୋତେ ଏମିତି ଦୂରକୁ ଠେଲି ଦେଉଛନ୍ତି ? ମୋର ଅଭିଯୋଗ ଯେ ଏ ସବୁ ଏପରି ସବୁବେଳେ ନ ଥିଲା । ମୁଁ ଏମାନଙ୍କୁ ମୋ ଜୀବନର କେନ୍ଦ୍ରରେ ପାଇଥିଲି । ଗୋଟାଏ ଗୋଟାଏ ସମୟରେ ଏମାନେ ମୋର ପ୍ରାଣୋପମ ଥିଲେ । ତାଙ୍କ ବିନା ବଞ୍ଚିବା ଅସମ୍ଭବ ମଣୁଥିଲି-। ଏବେ କାହିଁକି ସେମାନେ ମୋତେ ପାଖ ପୂରେଇ ଦେଉ ନାହାନ୍ତି ।

“ତୁମେ ତାଙ୍କୁ ଛାଡ଼ିଦେଇ ବାହାରି ଆସୁନ ! ଶ୍ରଦ୍ଧା ଯଦି ନାହିଁ ବୋଲି ବୁଝୁଛ ସେଇଠି ଆଉ ଲେସେଡ଼େଇ ହେଇ ପଶିବାର ଅର୍ଥ କ’ଣ?”

‘‘କୁଆଡ଼େ ବାହାରି ଯିବ ? ମୁଁ ଯେ ବାହାରି ଯିବାକୁ ଚେଷ୍ଟା ନ କରିଛି ତା’ ନୁହେଁ । ଖୁବ୍ ଅନ୍ତରଙ୍ଗ ବନ୍ଧୁ ଗହଣରେ ଖୋଜିଛି, ଯଦି କେହି ଜଣେ ସବୁ ଦିନକୁ ପାଖରେ ମିଳିଯାନ୍ତା । କିନ୍ତୁ, କ’ଣ ବା ମିଳିଲା ? ସବୁଠେଇଁ ଦୁଇ ଘଡ଼ିର ଦିଆ ନିଆ । ମୋର କେନ୍ଦ୍ର ଭୂମିରେ କେହି କେହି ହୁଏତ’ ପହଞ୍ଚି ଯାଇଛନ୍ତି । ତାଙ୍କୁ ଧରି ରଖିବାକୁ ହାତ ପସାରି ଦେଲା ବେଳକୁ ଦେଖିଛି ଯେ ମୁଁ ଯାହା ଭାବିଥିଲି ତା’ ସେ ନୁହେଁ । ନିରାଶ ହୋଇ ଶାସ୍ତ୍ରଗୁଡ଼ାଏ ପଢ଼ିଛି । ସେଥିରେ ବି’ ସବୁ ଫାଙ୍କ୍ ଫାଙ୍କ୍ । ବନ୍ଧୁ, କୁଟୁମ୍ବୀ ପରି ଶାସ୍ତ୍ର ସବୁ ମଧ୍ୟ ନିଜ ନିଜ କଥା କହି ଚାଲିଛନ୍ତି । ମୁଁ ନିଜେ ନିଜ ଡେଣା କହଲେଇ ତାଙ୍କ ସାଙ୍ଗେ ମାତିଥିଲା ପର୍ଯ୍ୟନ୍ତ ସେମାନେ ମୋତେ କଥା କହିଛନ୍ତି । ଯେତେ ଥର ମୁଁ ନିଜେ ଜବ୍‍ଦ ହୋଇ ତାଙ୍କୁ କାନେଇଛି ସେ ସବୁ ନୀରବ । କାହାରି କିଛି କହିବାର ନାହିଁ । ମୋ ପାଇଁ କାହାରି କିଛି ଯାଏ ଆସେ ନାହିଁ !”

 

ମୁହଁଟାରେ ତା’ର ସବୁ ହରେଇ ଦେଇଥିବାର ହତାଶା ଖୁବ୍ ଆନମନା । ତା’ର କପାଳର ରେଖାଗୁଡ଼ା ବାଣି ଦଉଡ଼ି ପରି ମୋଟା ମୋଟା ଓହଳି ଆସୁଛି ଯେମିତି ।

 

ଆର ଜଣକ ସେହିପରି ଅଳ୍ପ ମୁଚୁକି ମାରି ଠିଆ ହେଇଚି ଅପେକ୍ଷା କରି ।

 

ପୁଣି ସେମିତି ସେ କହୁଛି, “ଶେଷରେ ଭାବିଲି ଯେ ଜଣେ କେହି ସେମିତି ମିଳିଗଲେ ତାଙ୍କ ପାଖରେ ସବୁ ସମର୍ପି ଦିଅନ୍ତି । ମୋତେ ମୋଟେ ଏ ସବୁ କିଛି ବୁଝା ପଡ଼ୁ ନାହିଁ । ସବୁ ତାଙ୍କୁ କହି ପକାନ୍ତି । ତେଣିକି ବା’ ସେ ମୋର ହୋଇ ରହିଯାନ୍ତେ । ଗୁରୁ ସବୁଠୁ ଅତି ଆପଣାର ବୋଲି ଶାସ୍ତ୍ରେ କହନ୍ତି । ଖୋଜିଲି ପାଇଲି ହରେଇଲି ଯେମିତି ବାକି ସମସ୍ତଙ୍କୁ ପାଇଲି ଏବଂ ହରେଇଲି । କିଛି ପାର୍ଥକ୍ୟ ନାହିଁ । ଗୁରୁ ମଧ୍ୟ ତାଙ୍କ ମାର୍ଗରେ ଚାଲିଛନ୍ତି । କିଛି ବାଟ ଯେ ତାଙ୍କ ପାଖରେ ଏ ନିଛାଟିଆ କୋହଲା ନ କାଟିଛି ତା’ ନୁହେଁ । କିନ୍ତୁ ସେ ବି ଶେଷକୁ କହିଲେ, ‘ଏଣିକି ତୋ’ର ଯାହା ଇଛା ତା’ କର !’ ମୁଁ ପୁଣି ଯେଉଁ ଏକୁଟିଆକୁ ସେଇ ଏକୁଟିଆ ହୋଇଗଲି । ବୁଲିପଡ଼ି ଦେଖିଲି ଏ ଜନଗହଳି–ଯେଉଁମାନେ ମୋ ଠଉଁ କିଛି ଆପଣାର ଭାବ, କିଛି ନିବିଡ଼ ଉଷ୍ମା ପାଇଛନ୍ତି ଓ ଦେଇଛନ୍ତି । ମୁଁ ଭାବିଲି ଦେଖାଯାଉ କେହି ଯଦି ଆଗଭଳି ଆଉଥରେ ପାଖେଇ ଆସେ । ମୋତେ ଭାରି ଏକୁଟିଆ ଲାଗୁଛି, ଆଉ ବ୍ୟର୍ଥ ବୋଧ ହେଉଛି ଏ ସମସ୍ତ ଥାଟ ପଟୁଆର ।”

 

“ଯଦି ଏକୁଟିଆ ରହିବା ହିଁ ଶେଷ କଥା ବୋଲି ତୁମେ ଅନୁଭବ କରୁଛ ତେବେ ଏକୁଟିଆ ରହି ଶିଖିଲେ ମନ୍ଦ କ’ଣ ?”

 

“ହୁ ! ଶିଖିବି କ’ଣ ? ଯେତେବେଳ ଆକାଶରେ ସୂର୍ଯ୍ୟ ସମେତ ସମସ୍ତେ ଲିଭିଯିବେ, ଚାରିଆଡ଼େ ନିର୍ଜନ ଅନ୍ଧାର ଆଉ ବରଫ ବେଢ଼ିଯିବ, ସେତେବେଳେ କିଛି କ’ଣ ଶିଖା ଯାଇପାରେ-? ନ ଶିଖିବାର ସ୍ଵାଧୀନତା ଥିଲେ ସିନା ଶିଖିବାର ଅର୍ଥ ହୁଏ ।”

 

“ତା’ହେଲେ ତୁମର ଆଉ କିଛି ଅଭିଳାଷ ନାହିଁ । ମନ ଭିତରେ କିଛି ବୋଲି ଶୋଷ ନାହିଁ ?”

 

“ଥିଲେ କ’ଣ ହେବ ? ତା’ର ଅର୍ଥ କିଛି ନାହିଁ । ସେଇଟା ଏ ବାହାରର ଗୋଟାଏ ଛାଇ, ବାହାରଟା ତା’ର ଗୋଟାଏ ଛାଇ । ଗୋଟାଏ ଗୋଟାକୁ ତେଜି ଦିଏ, ଜାଳେ ଏବଂ ଦୁହେଁ ମିଶି ଗୋଟାଏ ଷଡ଼ଯନ୍ତ୍ର କରି ମୋତେ ମଝିରେ ଅହରହ ପୋଡ଼ନ୍ତି ।”

 

“ପୋଡ଼ିବାର ଯାତନା, ଏକୁଟିଆ ଜଳିବାର ଅସହାୟତାଟା କେମିତି ବୁଝ ? ତୁମ ଭିତରର ସେହି ଆତ୍ମା ପୁରୁଷ କ’ଣ ଏସବୁ ବୁଝେ?”

 

ପ୍ରଶ୍ନ ବେଳେ ମଧ୍ୟ ସେମିତି ମୁଚୁକି ମାରୁଥାଏ ସେ ।

 

ଟିକିଏ ଚଢ଼ା ଗଳାରେ ସେ କହିଲା, “ରଖିଥାଅ ତୁମର ସେ ଆତ୍ମା ପରମାତ୍ମା ଶବ୍ଦ-ସମ୍ଭାର ! ମନକୁ ମନ ସେଥିରୁ ଗୁଡ଼ାଏ ଶବ୍ଦ ତିଆରି କରି ସେଥିରେ ଧନ୍ଦି ହେବାର ଅର୍ଥ କିଛି ନାହିଁ-। ଏଇଠି ଖାଇ ପିନ୍ଧି ରହିବାକୁ ଇଚ୍ଛା କରୁଥିବା ଲୋକଟିକୁ ଯଦି କୁହାଯାଏ ଏ ସମସ୍ତ ଦିନେ ସରିଯିବ, ସେ ଖାଲି ସେଇ ବଞ୍ଚିବାର ମୋହଟାକୁ ଏଡ଼ି ନ ପାରି ସେଥିରୁ ଗୁଡ଼ାଏ ଆତ୍ମା ପରମାତ୍ମା କଥା ଗପେ । ସେଗୁଡ଼ା ସବୁ ପିଲାଙ୍କ ଗଣିତ ବହିର ଧନ୍ଦା । ସତକୁ ସତ ସତୁଟା ଘୋଡ଼ା ବିକି ତେଇଶିଟା ଛେଳି କିଣାଯାଏ ନାହିଁ । ସେଥିରେ ଗୁଡ଼ାଏ ସେମିତି ମିଛି ମିଛିକା କାରବାର କରାଯାଏ-। ସେଥିରୁ ମନରେ ଦମ୍ଭ ଆସେ । ଏ ଦେହରେ ଏଠି ନ ହେଲା ନାହିଁ, ଆଉ ଗୋଟାଏ ସୂକ୍ଷ୍ମ ଶରୀରରେ ଆଉ ଗୋଟାଏ ଲୋକରେ ଯାଇ କେତେ କ’ଣ ଭୋଗ କରି ପକେଇବ । ଏ ସବୁ କେହି ଠିକ୍ କରି କହି ନାହାନ୍ତି । କେହି ଦେଖି ଫେରି ଆସି ନାହିଁ । ଅଛି ନା ନାହିଁ, ଏତେ ଦିନର ଟାଣୁଆ ବିଶ୍ଵାସ ସତ୍ତ୍ୱେ ଠିକ୍ ଜଣା ପଡ଼ୁ ନାହିଁ । ଏ ସବୁ ବୋଧହୁଏ ଗୋଟାଏ କୁହୁଡ଼ି ପହଁରା । ଦେବଲୋକ ଏକ ମଜା ଗପର ରାଜ୍ୟ ଯେଉଁଠି ଘୋଡ଼ାଟାକୁ ପକ୍ଷୀରାଜ କରି କଳ୍ପନା କରିହୁଏ । ମୁଁ ଖୁବ୍ ଶୁଣିଛି ଏମିତି ଆଶାରେ ଲୋଭ ଉପୁଜେଇଲା ପରି ସହସ୍ର ବର୍ଣ୍ଣନା । ଆଉ ନୁହେଁ !! ମୋତେ ଜଳ ଜଳ ଦିଶୁଛି ଏମାନେ ଯାଇ ଯାଇ ଯେଉଁ ଅତଡ଼ାରୁ ଖସିବେ ଗୋଟି ଗୋଟି ହୋଇ । କେଉଁଠି ପଡ଼ିବେ, ପଡ଼ିବେ ବା ନାହିଁ, କେହି ଜାଣନ୍ତି ନାହିଁ ! ଖସିବା ବିଷୟରେ ତ’ କିଛି ଅନ୍ତତଃ ସନ୍ଦେହ ନାହିଁ । ତେଣିକି କେବଳ ନୀରବ ଅନ୍ଧାର, ନିଝୁମ ନିର୍ଜନତାର ଅରଣ୍ୟ !! ...ସେଇଟା ବୋଧହୁଏ ଏ ଗହଳି ଭିତରେ ଥାକ ଥାକ ହୋଇ ଅଦୃଶ୍ୟ ଭାବରେ ପହଁରୁଚି । ଫଳରେ କେହି କାହା ପାଖ ପଶିପାରୁ ନାହାନ୍ତି । ସେଇ କଳା ଝିମ୍‍ଝିମ୍‍ ସମୁଦ୍ର ଉପରେ ଲକ୍ଷ ଲକ୍ଷ ଫୋଟକା ପରି ଏ ସବୁ ମଣିଷ, ଏ ଗଛ ଲଟା, ପଶୁ ପକ୍ଷୀ ଏବଂ ଏ ଗ୍ରହ ତାରା ଆଉ ସୂର୍ଯ୍ୟ ସବୁ । ଥରେ ସେ ଅଜଣା ଉଜାଣି ଭିତରେ ଲିଭିଗଲେ ତେଣିକି କେବଳ ନୀରବତା,…କେବଳ ନିରବତା ଓ ନୀରବତା’... !!!”

 

ସତକୁ ସତ ଟୋପାଏ ନିରନ୍ଧ ଘନ ନୀରବତା ସେଇଠି ଜମାଟ ବାନ୍ଧିଗଲା । ଜନ ଗହଳିରୁ ଗୋଟାଏ କାନ୍ଦଣା ସୁର୍ ଶୁଭିଲା “ସେ କାହିଁ ? ସେ ‘ବାପ’ ‘ଭାଇ’ ‘ବନ୍ଧୁ’ ‘ଖୁଡ଼ୁତା’ ‘ପୁତୁରା’ ବୋଲି ଆମେ ଯାହାକୁ ଡାକୁଥିଲେ ସେ କାହିଁ ?”

 

ସେଇ ଟୋପାକ ନୀରବତା ଗୋଟିଏ ସମୁଦ୍ର ଭଉଁରୀପରି ଅଥଳ ଗହୀରରୁ ତାଙ୍କୁ ସତେବା ଡୋଳା ନ ଥିବା ଗୋଟାଏ ଆଖିରେ ଅନେଇ ରହିଥିଲା । ଶବ୍ଦରେ ସବୁ କଥା ବୁଝି ଯାଉଥିବା ଲୋକେ କହିଲେ ସେଇଟା କୁଆଡ଼େ ‘ମୃତ୍ୟୁ’ !!

Image

 

ମନର ମେଘ

 

ଖ୍ରୀଷ୍ଟିୟାନ୍‍ମାନଙ୍କ ଭିତରେ ଗୋଟିଏ ପ୍ରବାଦ ପ୍ରଚିଳିତ ଅଛି ଯେ ଈଶ୍ଵର ଯେତେବେଳେ ମନୁଷ୍ୟକୁ ନିଜର ଅନୁରୂପ କରି ସୃଷ୍ଟ କଲେ ଏବଂ ତା’ ଭିତରେ ପ୍ରାଣର ସଞ୍ଚାର କଲେ ତାଙ୍କର ଇଚ୍ଛା ହେଲା ଯେ ସେ ତାଙ୍କୁ କିଛି ଆଶୀର୍ବାଦ ଦେବେ । ଗୋଟିଏ ପିଆଲାରୁ ଝରି ଆସି ବିଭୁ କୃପା ମଣିଷକୁ ଅଭିଷିକ୍ତ କଲା । ଧନ, ମାନ, ଯଶ, ପଦ ମର୍ଯ୍ୟାଦା, ବୁଦ୍ଧି, ବିବେକ ଆଦି ଅତୁଳନୀୟ ଐଶ୍ଵର୍ଯ୍ୟ ଝରି ଆସିବା ପରେ ପିଆଲାରେ କେବଳ ଆଉ ବିନ୍ଦୁଏ ଲାଖି ରହିଥାଏ । ସେଇଟା ଆଉ ମଣିଷ ଭାଗ୍ୟକୁ ଯୁଟିଲା ନାହିଁ । ଅହରହ କେବଳ ମଣିଷକୁ ଆକୃଷ୍ଟ କଲା, ସନ୍ତାପିତ କଲା, ଅପୂର୍ଣ୍ଣତାର ଖଣ୍ଡିତ ଅଭାବବୋଧରେ ତାକୁ ସର୍ବଦା ବିବ୍ରତ କଲା । ସେଇ ଶେଷ ବିନ୍ଦୁଟି ହେଲା ସନ୍ତୋଷ । ଖୋଦ ଈଶ୍ୱରଙ୍କ ଦରବାରରେ ବିଚାର ହୋଇ ମଣିଷକୁ ସେଥିରୁ ଚିରକାଳ ବଞ୍ଚିତ କରାହେଲା ।

 

ଯେ କୌଣସି ପରିସ୍ଥିତିରେ, ଯେ କୌଣସି ସମୟରେ ହେଉ ନା କାହିଁକି, ମଣିଷ ଗୋଟାଏ ହାଉ ଅନୁଭବ କରେ, ଯେଉଁଟା ତାକୁ ଅହରହ ତଡ଼େ । ହାବେଳୀ ପଛରେ ନିଆଁ ଲାଗିଲା ପରି ଏ ଗୋଟାଏ ଦୁର୍ଜୟ ଜାଳା । ଯା’ର ହାବୁକା ମଧ୍ୟ ଠିକ୍‍ ସେହିପରି ଅସମ୍ଭାଳ । ଏଇଟା ନ ଥିଲେ ହୁଏତ’ ମଣିଷ ଶୋଇ ଯାଆନ୍ତା । ତା’ ଭିତରୁ ଶୁଖି ଯାଆନ୍ତା ବଞ୍ଚିବାର ସମସ୍ତ ବାସନା । ସେ ଘାଲେଇ ଯାଆନ୍ତା । କିନ୍ତୁ ଏ ଯେଉଁ ପ୍ରକାର ଅନବରତ ପ୍ରଚୋଦନା ସେଥିରେ ମୁହୂର୍ତ୍ତେ ମଧ୍ୟ ବିଶ୍ରାମ କରିବାର ଅବକାଶ ନାହିଁ । ପ୍ରଣାବାୟୁ ଗତାଗତ ହେଉଥିବା ପର୍ଯ୍ୟନ୍ତ ମୋଡ଼ି ହୋଇ ଭିଡ଼ି ହୋଇ ଚାଲିବାକୁ ହେବ । ଏହା ଏକ ଦୁର୍ନିବାର ଶକ୍ତି ଯାହା ମଣିଷକୁ ଅଥୟ କରେ, ତା’ ଭିତରେ ଆବେଗ ସମ୍ବେଗର ପ୍ରବାହ ସୃଷ୍ଟି କରେ, ତାକୁ ଆକୁଳ କରେ । ଭାଗୀରଥପରି ଭୂମିର କ୍ରମନିମ୍ନତା ଯେମିତି ନାନା ବାଟରେ ନଦୀକୁ ବହଲେଇ ନେଇଯାଏ ସାଗର ପାଖକୁ ସେମିତି ଏ ଅଭାବବୋଧ ମନର ଗୋଟିଏ ଗଡ଼ାଣି । ନିଜର ଓଜନ ଥିବା ପର୍ଯ୍ୟନ୍ତ ତାକୁ ରୋଧି ହେବ ନାହିଁ । ପ୍ରବାହରେ ଅବଶ୍ୟ ଭାସି ଯିବାକୁ ହେବ ।

 

ଗଛଟିଏ ଗଜେଇଲା ବେଳେ ସେ ଚେରରେ ସାର ଭିଡ଼େ, ପତ୍ରର ଜାଲ ଭିତରୁ ପବନ ଶୋଷେ, ଆଲୁଅ ଟାଣେ । ଗୁଡ଼ାଏ ଶାଖା, ପ୍ରଶାଖା ଛାଟି ନେଇଯାଏ ଆକାଶକୁ । ଗଛଟି ବଞ୍ଚିଥିବା ପର୍ଯ୍ୟନ୍ତ ଏ ଧାରା ଅବିଚ୍ଛିନ୍ନ ଭାବେ ଚାଲିବାକୁ ପଡ଼ିବ । ନ ଚାଲିବା ହିଁ ମୃତ୍ୟୁ ! ସେହିପରି, ମଣିଷ ବା ଆଉ ଅନ୍ୟାନ୍ୟ ପ୍ରାଣୀ ଭିତରେ କେବଳ ବଞ୍ଚିବା ପାଇଁ ଗୋଟାଏ ଚେଷ୍ଟା ତାକୁ ଅହରହ ଚଞ୍ଚଳ କରେ । କିନ୍ତୁ ଗୋଟିଏ କଥା । ବାଘକୁ ଭୋକ କଲେ ନିର୍ବିଚାରରେ ସେ ହରିଣଟାଏ ବା ସମ୍ବରଟାଏ ମାଡ଼ିବସି ଖାଇଯାଏ । କିନ୍ତୁ ହାତୀ ଭାଙ୍ଗେ ବରଡାଳ ବା ଶୋଡ଼କି ନିଏ ଧାନ କିଆରୀଟାକୁ ଶୁଣ୍ଢରେ । ଏଇଠି ତାଙ୍କ ଭିତରେ ଗୋଟିଏ ବାଛ ବିଚାର ଆସି ପହଞ୍ଚିଯାଏ । ମୂଳ ପ୍ରବାହ ପଛରେ ସେ ଆଉ ଗୋଟିଏ ଧାରା ଯାହା ବାଘକୁ ହିଂସ୍ର କରେ ଆମିଷ ଖୁଆଏ, କିନ୍ତୁ ହରିଣକୁ ଡାଳ, ପତ୍ର, ଦୁବ ଉପରେ ବଞ୍ଚିବାକୁ ପ୍ରଚୋଦିତ କରେ । ସମସ୍ତଙ୍କୁ ବଞ୍ଚାଏ କିନ୍ତୁ ଅଲଗା ଅଲଗା ଧାରା ଧରେଇ ଦିଏ । ଏଣୁ କିଏ କାହାକୁ ଖାଇ ବଞ୍ଚିବ ପ୍ରାୟ ନିର୍ଦ୍ଧାରିତ ହୋଇଯାଏ । କିନ୍ତୁ ମଣିଷଠି ପହଞ୍ଚିଗଲେ କଥାଟା ଆଉ ସେତେ ସରଳ ନ ହୋଇ ଟିକିଏ ଅଡ଼ୁଆ ଧରିଯାଏ । ଏଇ ବଞ୍ଚିବା ପ୍ରବୃତ୍ତିଟି ତା’ଭିତରେ ଏତେ ସହସ୍ର ଶାଖା ମେଲିଯାଏ ଯେ ତା’ର ବହୁଗୁଣିତ ଜଟିଳ ଅଭାବବୋଧକୁ କଳିବା ଏକ ଦୁରୂହ ସମସ୍ୟା ହୋଇ ଠିଆ ହୁଏ ।

 

ତା’ର ଏମିତି ବିଚ୍ଛୁରିତ ମନକୁ ସୁହାଇଲା ଭଳି ନାନା କଥା ସେ ସୃଷ୍ଟି କରେ । ପଚାରିଲେ ହୁଏତ’ କହେ ଯେ ଯାହା ଏମିତି ଗଛରେ ଫଳିଲା ପରି ଓହଳେ ନାହିଁ ବା ନଈର ସୁଅ ପରି ଏମିତି ଗୋଟାଏ ଦିଗରୁ ଆଉ ଗୋଟାଏ ଦିଗକୁ ବହି ଯାଏ ନାହିଁ, ସେପରି କୌଣସି ମନର ଫଳ ପଛରେ ସେ ଅହରହ ଧାଉଁଛି । ଧର ସେଥିରୁ ଗୋଟିଏ ଫଳ ହେଲା ସୁଖ । ସେ ତ’ ଗୋଟିଏ ଭାବରାଜ୍ୟରେ କଥା । ମଣିଷ ମନର ଗୋଟିଏ ଗୋଟିଏ ପ୍ରକାର ଅବସ୍ଥା ଏବଂ ସେଇଟା ବୁଝିହୁଏ କେବଳ ଏଇ ଅପୂର୍ଣ୍ଣତା ମାଧ୍ୟମରେ । ଅଭାବ-ବୋଧର ନିଆଁଟା ପଛରୁ ଯେମିତି ତଡ଼େ, ଏଇ ସୁଖ ବୋଲାଉଥିବା ଧୂଆଁଟା ଆଗରୁ ସେମିତି ଟାଣେ । ଆକାଶର ନେଳି ଭଳି ଏହା ଆକୃଷ୍ଟ କରେ, ବିମୋହିତ କରେ, ପାଟିରୁ ନାଳ ଗଡ଼େଇ ଦିଏ, ଭିତରର ଭୋକଟାକୁ ଆହୁରି ତେଜି ଦିଏ , କିନ୍ତୁ ହାତରେ ପଡ଼େ ନାହିଁ । ଏମିତି ଖାଲି ଟିକିଏ ପବନରେ ସୁଅପରି ଛୁଇଁ ଦେଇ ଅପସରି ଯାଏ, ଅଛି ବୋଲି ବିଶ୍ଵାସ ଜନ୍ମେଇ ଦିଏ ; ଆଖିର ପରଳ ଉପରେ କାଉଁରୀ ଛୁଆଁଇ ନାନା ଜାତିର ନାଲି ନେଳି ସ୍ଵପ୍ନ ଗଜେଇ ଆଣେ । ମନ ଉତଲା ଧରେ । ଜୀବନର ପାଲ ଭିତରେ ପବନ ଟୋଲେଇ ଆସେ । ଗୋଟାଏ ପ୍ରକାର ଗତି ଅନୁଭୂତ ହୁଏ, ଜୀବନରେ ସଙ୍ଗତି ଥିଲା ପରି ମଧ୍ୟ ଲାଗେ । ତା’ପରେ ହଠାତ୍ କେବଳ ସେଇ ଖାଲି ଖାଲି ଭାବ ସବୁଆଡ଼େ ବୁଣି ହୋଇଯାଏ । ପୁଣି ସୁଖ ଦୂରେଇ ଯାଏ ଓ ସେଇ ଦୂରରେ ରହି ଟାଣେ । ନିଆଁଟାଏ ଘର ଭିତରେ ଜାଳି ଦେଲେ ତା’ର ଛାଇ ଯେମିତି କାନ୍ଥରେ ପଡ଼ି ନାଚେ, ବୋଧହୁଏ ମଣିଷ ଭିତରେ କ୍ଷୁଧାର ଛାଇ ସେମିତି ସୁଖ ରୂପରେ ବାହାରକୁ ଦେଖାଦିଏ । ଘରଟାଏ, ପୋଷାକଟାଏ, ସୁଆଦିଆ ଖାଦ୍ୟ ପୁଳାଏ ତାକୁ ଆଡ଼ କରିଦେଲେ ହୁଏତ’ ଗୋଟିଏ କନ୍ଥରୁ କିଛି ସମୟ ପାଇଁ ସେଇ ଛାଇ ନାଚ ଅପସରି ଯିବ ଏବଂ ମନହେବ ଯେ ସେ ନାଚରୁ ମୁଠାଏ ହାତ ଭିତରେ ରହିଗଲା ନା କ’ଣ ! କିନ୍ତୁ ପର ମୁହୂର୍ତ୍ତରେ ନିଆଁ ଏ ଆଢ଼ୁଆଳ ଗୁଡ଼ିକୁ ଖାଇ ପୁଣି ଚହଟି ଉଠେ । କନ୍ଥରୁ କାନ୍ଥକୁ ମାଡ଼ିଯାଏ ସେଇ ପୁରୁଣା ମତାଣିଆ ଛାଇ ନାଚ । ଅନବରତ ଏମିତି ଆଢ଼ୁଆଳ ଦିଆ ଚାଲିଥାଏ, ଭିତରର ଏ କ୍ଷୁଧାକୁ ତୃପ୍ତ କରିବାକୁ ନାନା ଜାତିର ଖାଦ୍ୟ କେବଳ ଯୋଗେଇ ଦେବା ଚାଲିଥାଏ । ଶେଷକୁ ଆଧାରଟି ସେଇ ନିଆଁରେ ତାତି ତାତି ପାଉଁଶ ହୋଇ ଭୁଷୁଡ଼ି ପଡ଼େ । ନିଆଁଟା ମଧ୍ୟ ତା’ ସାଙ୍ଗରେ ନିଭିଯାଏ ବୋଧହୁଏ ।

 

ଜୀବନଟା ଏପରି ଏକ ଜଳଘଟ ଯାହାର ଚକି ଛାଡ଼ି ଯାଇଛି । ଏହାର ଭିତରେ ଆମେ ଅହରହ ଅଜାଡ଼ି ଲାଗିଥାଉ ଆମର ସମଗ୍ର ଜୀବନରେ ଶକ୍ତି ଧାର । ପରିଶେଷରେ ଘଟଟି ଯେଉଁ ଖାଲିକୁ ସେଇ ଖାଲି । ଏବେ ସୁଦ୍ଧା ମଣିଷ ଭଲ ଅସାର ଯାହା କଲାଣି ସବୁ ଏଇ ଚକି ନ ଥିବା ଘଟଟି ଉପରେ ଅଜାଡ଼ି ଯାଇଛି । ଏମିତି ଅଜାଡ଼ି ଚାଲିଥିବା ହେଲା ଗୋଟିଏ ଅନନ୍ତ ପ୍ରକ୍ରିୟା; ଭାରି ସ୍ଵାଭାବିକ ଓ ସହଜ ମଧ୍ୟ । ଏତେ ସହଜ ଯେ ଆଦୌ ଜଣାପଡ଼େ ନାହିଁ ଏମିତି ଗୋଟାଏ କିଛି ଅହରହ ଚାଲିଛି ବୋଲି । ସେଥିରେ ଗୋଟାଏ ପର୍ଯ୍ୟାୟରେ ଜମି ଚଷା ହୁଏ, ଧାନ ବୁଣା ହୁଏ, କଳ ଚଲାଯାଏ, ଲୁଗା ବୁଣା ହୁଏ । ଆଉ ଗୋଟିଏ ପର୍ଯ୍ୟାୟରେ ଉହା ଭିତରେ ଲୁହା ତାତେ, କାତି, କଟୁରୀ ଗଢ଼ା ହୁଏ, ବନ୍ଧୁକ, କମାଣ ତିଆରି ହୁଏ । ପୁଣି ଆଉ ଏକ ପର୍ଯ୍ୟାୟରେ ସଂଗୀତ ବଜାଯାଏ, ସାହିତ୍ୟ ଲେଖାଯାଏ, ଚିତ୍ର ଅଙ୍କାଯାଏ । ଯାହା କିଛି ପ୍ରକ୍ରିୟା ପ୍ରଚେଷ୍ଟା ଦିଶୁଛି ସବୁ ଏଇ ଅତଳ ଘଟକୁ ଉଛୁଳେଇବାର ବିଫଳ ଚେଷ୍ଟା–ଏକ ମୂଢ଼ ଆବିଷ୍ଟ ଅବସ୍ଥାରେ ଏକ ପ୍ରକାର ଚଷୁକୁଟା କଥା ।

 

ଏଇଟା ଯେ ଚଷୁକୁଟା ତା’ ଜଣାପଡ଼େ କେମିତି ? ସେ ଆଉ ଏକ କଥା । ଯେତେବେଳେ ଆମେ ସେଇ ଧାର ସାଙ୍ଗରେ ମିଶି ଏଇ ଘଟ ଭିତରେ କୁଢ଼େଇ ହୋଇପଡ଼ୁ ଆମେ ଆଦୌ କିଛି ଜାଣିପାରୁ ନା ! କିନ୍ତୁ ବେଳେ ବେଳେ ମନେହୁଏ ଯେ ନା’ ଆମେ ସେଇ ଘଟ, ନା’ ତା’ ଭିତରେ ଅଜାଡ଼ି ହେଉଥିବା ପାଣି ଧାର ! ଆମେ ଆଉ ଏକ ତୃତୀୟ ସତ୍ତା ଯେ ଉଭୟକୁ ଦେଖେ କିନ୍ତୁ କିଛି କରିପାରେ ନାହିଁ । ସେଇ ତୃତୀୟ ସତ୍ତା ବୁଝିଯାଏ ଯେ ଏ ସମସ୍ତ ଗୋଟିଏ ବାୟା ଘର, ସବୁ ନିଷ୍ଫଳ, ନିରର୍ଥକ ବାତୁଳିଆ । କୌଣସି କଥାର କିଛି ଅର୍ଥ ନାହିଁ । ଗୋଟାଏ ଏକବାଗିଆ ପୁରୁଣା ଅଭ୍ୟାସକୁ ଏମିତି ଅନ୍ଧାରରେ ବାଉଳା ହୋଇ ଦରଣ୍ଡିଲା ପରି ଜୀବନ ବିତିଗଲା ପରି ବୋଧହୁଏ, ଭାରି ଆଶ୍ଵସ୍ତିକର ଏ ଅନୁଭୂତି । ସବୁ ପତ୍ର ଝଡ଼ିଗଲେ କାକର ‘ହୁ ହୁ’ ପବନ ଯେତେବେଳେ ଗଛର ମଞ୍ଜକୁ ଚାଉଁ ଚାଉଁ ଛୁଇଁ ଯାଏ, ସେ ବୋଧହୁଏ ସେମିତି କିଛି ଅନୁଭବ କରୁଥିବ । ଭାରି ନିଛାଟିଆ ଲାଗେ । ପରିବାର ପତ୍ନୀ ପୁତ୍ରଠାରୁ ଆରମ୍ଭ କରି ଦେଉଳର ଦେବ ବିଗ୍ରହ ପର୍ଯ୍ୟନ୍ତ କେମିତି ଅସମ୍ପର୍କିତ ପରି ଦୂରେଇ ହୋଇ ଠିଆ ହୋଇ ଯାଆନ୍ତି । ଯେତେ ଗୁଡ଼ିଏ ଅବଲମ୍ବ ଦେହରେ ଡଙ୍କ ମଡ଼େଇ ଜୀବନ ଗୋଟାଏ ଯାଥାର୍ଥ୍ୟର ଆକାର ପାଇଥିଲା ହଠାତ୍ ସେ ସବୁ ବରଫ ଡାଙ୍ଗ ପରି ମିଳେଇ ପଡ଼ିବାରୁ ଲଇ ଗୋଟାଯାକ ଖସି ପଡ଼େ ଭୁସ୍ ଭୁସ୍ ହୋଇ ଗୋଟାଏ ବ୍ୟର୍ଥତାର କୁଢ଼ ପରି । ଧର୍ମ, ରାଜନୀତି, ଦର୍ଶନ, ସାହିତ୍ୟ, କଳା, କୃଷ୍ଟି ସବୁ ସେ କୁଢ଼ ଭିତରେ ମୋଡ଼ିମାଡ଼ି ହୋଇ ପଡ଼ିଥିବା ଗୋଟିଏ ଗୋଟିଏ ଅସହାୟ ଡଙ୍କ ମାତ୍ର । ଧନ, ମାନ, ଐଶ୍ଵର୍ଯ୍ୟ ଆଧିପତ୍ୟ ସେ ଡଙ୍କଗୁଡ଼ିକରୁ ଓହଳି ଥିବା ଫୁଲ, କଢ଼ ଓ ଫଳ ।

 

କିନ୍ତୁ, ଏ ତୃତୟ ସତ୍ତା ସବୁବେଳେ ଜାରି ରହେ ନାହିଁ । ରହିଗଲେ ବୋଧହୁଏ ବଞ୍ଚିବା ସମ୍ଭବ ହେବ ନାହିଁ । ଗୋଟିଏ ଦୀର୍ଘ ଶ୍ଵାସରେ ଝରିଯିବ ଜୀବନ ଓ ତା’ର ସମଗ୍ର ସାର୍ଥକତା । ! ଆଚ୍ଛା ଏ ଅଥଳ ଅବସ୍ଥାରେ ଭରସା ଖଟେଇବାକୁ କିଛି ଗୋଟାଏ ଆଶ୍ରା କରିନେଲେ କ’ଣ ଚଳନ୍ତା ନାହିଁ ? ଯଥା–ଗୁରୁ, ଦେବତା, ନୀତି ବା ସେମିତି ଗୋଟାଏ ଭାବି ହେଉ ନ ଥିବା, ଚିନ୍ତା କରି ହେଉ ନ ଥିବା, କିଛି ? ସେ ସବୁ ବାୟା କଥା । ସେ ସବୁ ଯେ ଆଉ ଗୋଟିଏ ଅଭାବବୋଧର ରୂପ ଏହା କ’ଣ ମନ ଭିତରେ ଉଠୁ ନାହିଁ ? ଖାଲି ଭୟ ଲାଗେ ବୋଲି ଅନ୍ୟମାନଙ୍କ ଆଗରେ ତାହା ମୁହଁ ଫିଟେଇ କହି ହୁଏ ନାହିଁ ସିନା ! ସବୁ ଖାଲି ଗୁଞ୍ଜା ରୁଅ । ବେଳେ ବେଳେ ଲାଗେ ଯେ ସେ ତୃତୀୟ ସତ୍ତାଟି ମଧ୍ୟ ସେମିତି ଗୋଟାଏ ଭାବନା କେବଳ, ଗୋଟାଏ ଅଭାବବୋଧ ମେଣ୍ଟେଇବାକୁ ଧୂଆଁରେ ତିଆରି ଗୋଟାଏ ଫଳ । ପଣ୍ଡିତେ କହି ପାରନ୍ତି ଯେ ସେଇଟା ଆମ ସାକ୍ଷୀ ପୁରୁଷ ଏବଂ ସେଇଠୁ ଈଶ୍ଵରତ୍ଵ ଆଉ ମାତ୍ର ପାହାଚେ । ଏପରି ଯାହା ମନକୁ ସୁହାଇଲା ସେପରି ଅନେକ କଥା କୁହାଯାଇ ପାରେ, ଆଉ କୁହାଯାଇ ପାରେ ଯେ ଯଦି ତାହା ଅଭାବବୋଧ ତାହା ସାଧାରଣ ଅଭାବବୋଧ ନୁହେଁ, ତାହା ଅଭିପ୍‍ସା, ଏକ ଆଧ୍ୟାତ୍ମିକ ଆସ୍ପୃହା । ସେଗୁଡ଼ାକ ସବୁ ପ୍ରବର୍ତ୍ତାଣ ।

 

ମୂଳତଃ ଜଣାପଡ଼େ ଯେ ଏଇ ଅଭାବବୋଧ ବା କ୍ଷୁଧାଟି ଅଛି ଓ ଆମେ ଅଛୁ । ଏ ତତ୍‍ଭିନ୍ନ ଆଉ କିଛି ନାହିଁ ବା ଉଭୟେ ମିଶି ମାତ୍ର ଗୋଟିଏ ସତ୍ୟ–ଘୋର ଅସହାୟ, ନିରାଲମ୍ବ ଶୂନ୍ୟତାର ସତ୍ୟ । ସେ କ୍ଷୁଧା ହିଁ ସ୍ଵୟଂ ଆମେ । ଏପରି ନିବିଡ଼ ଅନ୍ଧାର ଭିତରେ ମେଘୁଆ ମନକୁ ବୋଧହୁଏ ଅସୂର୍ଯ୍ୟ ଲୋକ ବୋଲି ଉପନିଷଦ କହିଛନ୍ତି, କିନ୍ତୁ ତାଙ୍କର ବର୍ଣ୍ଣିତ ଚିର ଭାସ୍ଵର ସତ୍ତା, ତାମସର ପର ପାରରେ ସେଇ ଆଦିତ୍ୟ ବର୍ଣ୍ଣ ନ ଦେଖିବା ଯାଏଁ, ଏ ମେଘଟା ହିଁ ତ’ ସତ୍ୟ !

Image

 

ଏକାକୀ

 

ସାଧାରଣ ଅର୍ଥରେ ବୁଝିଲେ ମୋର ଦାର୍ଶନିକ ବନ୍ଧୁଟି ଗୋଟିଏ ଘୋର ଅସାମାଜିକ ଜୀବ । ସେ ଗହଳି ଭିତରେ ଜମା ଚଳି ପାରନ୍ତି ନାହିଁ । ସଭା, ସମିତି, ବକ୍ତୃତା ତ’ ନହି ନହି । ଗୁଡ଼ାଏ ଘୁଁ, ଘାଁ ହୋଇଗଲେ ତାଙ୍କୁ ଅଣନିଶ୍ଵାସୀ ଲାଗେ । ତାଙ୍କ ଭିତରର ଗୁଡ଼ାଏ ସୂକ୍ଷ୍ମ ତନ୍ତୁ ଏ ସଂଘାତରେ ଛିଣ୍ଡି ଯାଆନ୍ତି । ସମୁଦ୍ର ବେଳାରେ ଛିଟିକି ପଡ଼ିଥିବା ମାଛଟାଏ ଭଳି ସେ ଛଟପଟ ହୋଇ ଉଠନ୍ତି । କିନ୍ତୁ ଅନିବାର୍ଯ୍ୟ ସମାଜ ଭିତରେ ଯାକିଯୁକି ହୋଇ ତାଙ୍କର ସ୍ଵାଧୀନ ପକ୍ଷ ବିସ୍ତାରକୁ ସଙ୍କୁଚିତ କରି ବଞ୍ଚିବାକୁ ବାଧ୍ୟ ହୁଅନ୍ତି ବୋଲି ନିଜ ଉପରେ ପ୍ରାୟ ସବୁବେଳେ ଗରଗର ହେଉଥିବା ମଧ୍ୟ ମୁଁ ଲକ୍ଷ୍ୟ କରିଛି । ତାଙ୍କର ମୂଳ ଇଚ୍ଛା ଯେ ସବୁବେଳେ ସେ ଏକୁଟିଆ ରହନ୍ତେ । କିଛି ଜଞ୍ଜାଳ ନ ଥାନ୍ତା । ସଂସାର ଚାବି ଦିଆ ଚକ ପରି ନିଶବ୍ଦରେ ଗଡ଼ି ଯାଉଥାନ୍ତା । ସେ ତାଙ୍କର ମେଳାରେ ବସି ଶାସ୍ତ୍ର ଚର୍ଯ୍ୟା କରୁଥାନ୍ତେ । ତା’ କ’ଣ ସମ୍ଭବ ? ସଂସାର ତ’ ଜଗି ବସିଛି କାତି ଧରି, ତା’ ସୋରାକ ସେ କେମିତି ହେଲେ ମଧ୍ୟ ଛେଲି ନେବ ହିଁ ନେବ । ଏପରି ଚୋଟ ଖାଇ କଲବଲ ହେଉଥିଲା ବେଳେ ବନ୍ଧୁଟି ପ୍ରାୟ ମୂକ ହୋଇ ଯାଆନ୍ତି କିଛି ସମୟ ପାଇଁ, କିନ୍ତୁ ଥରେ ଥରେ ଖୁବ୍‍ ଉତ୍ୟକ୍ତ ହୋଇ ଗୁଡ଼ାଏ କ୍ଷୋଭ ପ୍ରକାଶ କରନ୍ତି । ସେହିପରି ଗୋଟିଏ ଦିନର ଘଟଣା ।

 

“ଏ ସଂସାରରେ ଚଳିବା ଆଉ ସମ୍ଭବ ହେଲା ନାହିଁ । ସେଥିପାଇଁ ଆଉ ଏକ ପ୍ରକାର ଯୋଗ୍ୟତାର ପ୍ରୟୋଜନ ରହିଛି । ନଖ ଦାନ୍ତ ଲାହୁଡ଼ର ଗୋଟାଏ ହିଂସ୍ର ସାଞ୍ଜୁ ମଡ଼େଇ ଏ ବଣ ଭିତରେ ଟାପୁ ଖୁରା ଚମକେଇ ନ ଧାଇଁଲେ କେହି ତୁମକୁ ସ୍ଵୀକାର କରିବେ ନାହିଁ । ମାଡ଼ି, ଦଳି, ଚକଟି ତୁମ ଉପରେ ସବୁ ଚାଲିଯିବେ । ଚାଲି ଯାଉଛନ୍ତି । ଯାହାକୁ ଅତି ନିଜର, ଅତି ଆପଣାର ବୋଲି କୁଣ୍ଢେଇ କାଖେଇ ନିଜର ଉଷୁମ ଦିଅ, ସେଇମାନେ ନିଜ ନିଜ କଥାରେ ବାଉଳା । ଏଠି କେହି କାହାକୁ ଆଡ଼ ଆଖିରେ ସୁଦ୍ଧା ଚାହେଁ ନାହିଁ । ନିଜର ପ୍ରୟୋଜନ ନ ଥିଲେ ବା ନିଜର ସ୍ଵାର୍ଥ ସିଦ୍ଧିରେ ସହାୟକ ନ ହେଲେ କେହି କେବେ ମୁହଁ ଦେଖାନ୍ତା ନାହିଁ । ସଂସାରର ନିଜ ରୂପ ଥରେ ଦେଖିଦେଲେ କ’ଣ ଆଉ ଏଠି ସମ୍ଭାଳି ବସି ହେବ ନା, ଦେଖି ନ ଦେଖିଲା ପରି ଜଳ ଜଳ ଦିଶୁଥିଲେ ମଧ୍ୟ ଜଳକା ପରି କିଛି ଦିଶୁନାହିଁ ବୋଲି ଭାବି କରି ନିଜକୁ ନିଜେ ଧୋକା ନ ଦେଲେ ଏ ନିଛାଟିଆ ରାଜ୍ୟରେ ଚଳି ହେବ ? ଯେତେ ପ୍ରସ୍ତ ପାରୁଛ ଆଖିରେ ଅଞ୍ଜନ ଲଗେଇ ଯାଅ; ପୁର ପୁର କରି ଜାଲ ବିଛେଇ ଯାଅ, ଯେତେବେଳ ଯାଏଁ ତୁମ ଭିତରେ ବାହାରେ ସେଇ ଜାଲଟାକୁ ହିଁ କେବଳ ଅନୁଭବ ନ କରିଛି । ବିଭିନ୍ନ ପ୍ରକାର ମୂଲ୍ୟବୋଧ ଯୋଖି ଯଥାସମ୍ଭବ ଗୋଟାଏ ଛନ୍ଦାଛନ୍ଦି ସମ୍ପର୍କ ସୃଷ୍ଟି ନ କଲେ ଏ ମହାଶୂନ୍ୟରେ ସତେ ଯେମିତି ନିରାଲମ୍ବ ଝୁଲି ରହିବା ସମ୍ଭବ ନୁହେଁ । ଅମୁକର ପୁଅ, ଅମୁକର ବାପ, ଅମୁକର ମାମୁଁ, ଭଣଞ୍ଜା, ପୁତୁରା, ଅମୁକ ଅନୁଷ୍ଠାନର ସଭ୍ୟ ବା ଅମୁକ ଦେଉଳର ଭକ୍ତ ବୋଲି ନ କହିଲେ ନିଜର ଅସ୍ତିତ୍ଵ ବିଷୟରେ ସତେ ଯେମିତି ଗୋଟାଏ ଘୋର ସନ୍ଦେହ ଉପୁଜି ଯାଏ । ଯଦିବା କୌଣସି ମୁହୂର୍ତ୍ତରେ ବୁଝା ପଡ଼ିଥାଏ ଯେ ଏଗୁଡ଼ିକ କେବଳ ଖୋଳ, ତଥାପି ପିଆଜ ଚୋପା ଭଳି ବ୍ୟକ୍ତି ହୋଇଯାଏ ଗୁଡ଼ିଏ ଖୋଳର ସମଷ୍ଟି ମାତ୍ର । ପୁର ପୁର କରି ଫଟେଇ ଗଲେ ପରିଶେଷରେ ଭିତରେ କିଛି ନାହିଁ । ବିଜ୍ଞାନରେ ଏବେ ସେମିତି ଫିଟେଇ ଫିଟେଇ ଦେଖିଲେଣି ଯେ ଅଣୁଗୁଡ଼ିକ କେବଳ ଫମ୍ଫା । ତା’ ଭିତରେ ଶୂନ୍ୟ ପୂରି ରହିଛି । ଏ ଶୂନ୍ୟର ଶୂନ୍ୟତା ନେଇ ମଧ୍ୟ ଗାଣିତିକ ଗବେଷଣା ଚାଲିଲାଣି । ସେମାନେ କେଉଁଠି ଯାଇ ହାବୁଡ଼ିବେ ଠିକ୍ କରି କହି ହେଉ ନାହିଁ । କିନ୍ତୁ ବେଶ୍‍ ବୋଧ ହେଉଛି ଯେ ତାଙ୍କ ଧାରାଟା ହିଁ ଠିକ୍ । ହୁଏତ’ ସେନାନେ ପହଞ୍ଚିବେ ଗୋଟାଏ ଚରମ ସଂଶୟରେ ଯେଉଁଟା ଆମର ଏଇ ମୁଣ୍ଡଲଡ଼ା ଜ୍ଞାନ ଅପେକ୍ଷା ଢେର ଉପାଦେୟ ।

 

ସମୟ ସମୟରେ ଜୀବନରେ ଏପରି ଏକ ମୁହୂର୍ତ୍ତ ଆସେ ଯେତେବେଳେ ଏ ସମସ୍ତ ନାନାବିଧ ସମ୍ପର୍କ କୋହଳ ଧରିଯାଏ । ସେ ମୁହୂର୍ତ୍ତଟି ଏକ ଅଦ୍ଭୁତ ଧରଣର ସ୍ଵାଧୀନତା ଦିଏ ସତ, କିନ୍ତୁ ତା’ ସାଙ୍ଗେ ସାଙ୍ଗେ ଏପରି ଏକ ଅସହାୟତା ଓ ଅସ୍ୱସ୍ତି ବୋଧ ଆଣିଦିଏ ଯେ ତାକୁ ସ୍ଵାଧୀନତା ବୋଲି ଆଉ ଗ୍ରହଣ କରି ହୁଏ ନାହିଁ; ବରଂ ଲାଗେ ଯେ ୟା ଅପେକ୍ଷା ବନ୍ଧନ ସହସ୍ରେ ଗୁଣ ଭଲ ଥିଲା । ଏତେ ଅସହାୟତା, ଏତେ ଆଶାହୀନତା, ଏତେ ଅସମ୍ପର୍କ ସହି ହୁଏ ନାହିଁ । ତଥାପି ନିଜ ଭିତରର କେଉଁ ଏକ କୋଣରେ ବେଶ୍ ଭଲ ମଧ୍ୟ ଲାଗେ ଏ ଅବସ୍ଥାଟା । ସେଇଠି ମଜିଗଲେ ଆସ୍ତେ ଅନୁଭବ ହୁଏ ଯେ ଗୁଡ଼ାଏ ବିସ୍ତୃତ ହୋଇଗଲେ, ସାଗର ଭଳି ଖୁବ୍ ଉଦାର ହୋଇଗଲେ ବୋଧହୁଏ ଏକୁଟିଆ ରହିବାକୁ ଏତେ କଷ୍ଟ ବୋଧହେବ ନାହିଁ । ବହୁ ସହସ୍ର ବେଳାରେ ବହୁ ସହସ୍ର ଲହରୀ ମେଲି ଦେଇ ଛୁଇଁ ନ ଛୁଇଁଲା ପରି ବେଶ୍‍ ଏକୁଟିଆ ନିଜକୁ ନିଜେ ସାଙ୍ଗ କରି ବଞ୍ଚି ହେବ । ଏ ଧାରାର ଶେଷ ପାହାଚଟା ଏଇଠୁ ଆଉମାତ୍ର ଧାପେ । ସେଇଟା ହେଲା ଆକାଶର ନିଃସଙ୍ଗତା !!

 

ଗୋଟାଏ ଅନ୍ତହୀନ ଦୀର୍ଘଶ୍ଵାସ ଯେମିତି ଜମି ଯାଇ ନିସ୍ତରଙ୍ଗ ହୋଇ ଯାଉଛି । ଅକଳନ୍ତି ଯୁଗ ତା’ ପିଠି ଉପର ଦେଇ ଗଡ଼ି ଯାଆନ୍ତି, କୌଣସି ପ୍ରବାହ ତା’ ଭିତରେ କମ୍ପନ ସୃଷ୍ଟି କରେ ନାହିଁ । ସମ୍ପୂର୍ଣ୍ଣ ରୂପେ ଅସଂପୃକ୍ତ ରହେ ନିର୍ବିକାର ଉଦାସୀନ ଆକାଶ । ବହୁ ସନ୍ଧ୍ୟା, ବହୁ ସକାଳ ତା’ର ପୃଷ୍ଠଭୂମିରେ ଫୁଲ ଝରିଲା ପରି ଝରି ଯାଅନ୍ତି ।

 

ଏମିତି ଆକାଶ-ଭାବରେ ମିଜ୍ଜିଥିଲା ବେଳେ ଅବଶ ଧୂଆଁ ରେଖାଏ ଭଳି ପ୍ରଶ୍ନ ଉଠେ; “ଆଚ୍ଛା ଏ ଭଳି ସ୍ଥିତି କ’ଣ ସମ୍ଭବ ଏବଂ ଯଦି ସମ୍ଭବ ତାହା କ’ଣ ସ୍ଥିତି ନା ଅସ୍ଥିତି, ଉଭୟ ନା ଅନୁଭୟ ବା ଏ ଚତୁଷ୍କୋଟି ବିନିର୍ମୁକ୍ତ କୌଣସି ଏକ ଅଚିନ୍ତ୍ୟ ଅବସ୍ଥା । ନିଛାଟିଆ ରାତିର ଗୋଟିଏ ଲମ୍ବା ଲହରିଆ ଡାକ ପରି ଆପେ ଆପେ ବିହ୍ୱଳ ହୋଇ ପ୍ରଶ୍ନଟି ମିଳେଇ ଯାଏ; ତା’ର ଉତ୍ତର କିଛି ମିଳେ ନାହିଁ, ମିଳିପାରେ ନାହିଁ ବା ଉତ୍ତର ପାଇଁ ବୋଧହୁଏ ଏ ଆଡ଼ୁ ଆଗ୍ରହ ନ ଥାଏ ବା ଉତ୍ତର ପାଇବାକୁ ନିଜେ ପ୍ରଶ୍ନ କର୍ତ୍ତା ହୁଏତ’ ଅନିଚ୍ଛୁକ । ଏହା ସତେ ଯେମିତି ଏକ ସ୍ଵୟଂ ସମ୍ପୂର୍ଣ୍ଣ ପ୍ରଶ୍ନ ।”

 

ମୁଁ ସଜ ଉଣ୍ଡି ଏଇ ସାମାନ୍ୟ ବିରତି ପାଖରେ ପଚାରି ଦେଲି–“କ’ଣ କଥା ? ଆଜି କ’ଣ କିଛି ହେଲା କି ?”

 

ଗୋଟାଏ ଅଜ୍ଞାତ ଶୂନ୍ୟରେ ତାଙ୍କର ଦୃଷ୍ଟ ଯାହା ହଜି ଯାଇଥିଲା କ୍ରମଶଃ ସେଥିରେ ଜ୍ୟୋତିର ତରଙ୍ଗ ଦେଖାଦେଲା । ବନ୍ଧୁ ଅଳ୍ପ ଉଦାସିଆ ହସ ହସି ସ୍ଵରରେ ସାମାନ୍ୟ କଡ଼ ବଦଳେଇ କହିଲେ–

 

“ହବ ଆଉ କ’ଣ ? ...କ’ଣ ବା କେତେବେଳେ ହୁଏ ? ହୁଏ, ହୁଏ, ବୋଲି ସିନା ତୁଚ୍ଛାଟାରେ ଆମେ ହୁରି କରୁ । ...କଳ କଣ୍ଟା ଭିତରେ ଚାବି ମୋଡ଼ି ତାକୁ ଛାଡ଼ିଦେଲେ ସେଇ ଭିତରର ପ୍ରବେଗକୁ ଖର୍ଚ୍ଚ କରିବା ପାଇଁ ଗୁଡ଼ାଏ ଚକ କଣ୍ଟା କାଠି ସବୁ ବୁଲନ୍ତି, ବୁଝନ୍ତି, ନାହିଁ କାହିଁକି ଏମିତି ବୁଲିବାକୁ ପଡ଼ୁଛି ଘେରା ଘେରା ହେଇ । ସେମିତି ଦମ୍ ଦିଆ ତଳ ଭଳି ଆମେ ଅସହାୟ ଭାବରେ କେତେ ବର୍ଷ ଏଠି ନାନା ଚକ, କଣ୍ଟା ବୁଲେଇ ନିଜର ସ୍ଵତନ୍ତ୍ର ଅସ୍ତିତ୍ଵ ଜାହିର୍‍ କରି ଚାଲିଚେ-। ସେଥିରେ ପୁଣି କେତେ ସମ୍ପର୍କ, କେତେ ବିରୋଧ, କେତେ ଜ୍ଵାଳା, କେତେ ପୀଡ଼ା ! ଆହୋ, ମୋଟ ଉପରେ ସମ୍ପର୍କଟା କାହିଁ ଯେ ସେଥିପାଇଁ ଏତେ ହଟଚପଟ ଚାଲିଛି ?...କାହା ସହିତ କାହାରି ସମ୍ପର୍କ ନାହିଁ, ବୋଧହୁଏ ସମ୍ପର୍କ ସମ୍ଭବ ନୁହେଁ । ଟିକିଏ ସ୍ଥିର ମନରେ ବିଚାର କରି ଦେଖ ଯେ ଏ ସମ୍ପର୍କ ଧାରଣାଟି ଆଉ ଅସଂଖ୍ୟ ଧାରଣା ଭଳି ଆମେ ନିଜେ ଆମ ମୁଣ୍ଡ ଭିତରେ ପୁରେଇଛୁ । ଯଦି ଥରେ ଗ୍ରହଣ କରିନେଲୁ ଯେ ସମ୍ପର୍କ ଅଛି ବା ରହିବା ଉଚିତ, ତେଣିକି ସବୁଠାରେ ସମ୍ପର୍କ ଯୋଖିବା ହୋଇଯିବ ଏକ ପରମ କର୍ତ୍ତବ୍ୟ । ଏଇ ବିଶ୍ୱାସ ଉପରେ ସମସ୍ତ ସମ୍ପର୍କ ଗଢ଼ି ଉଠିଛି, ପରିବାର, ସମାଜ, ରାଷ୍ଟ୍ର, ଜାତି, ଧର୍ମ ଏବଂ ଗୋଷ୍ଠୀ । ଏପରି କି କାର୍ଯ୍ୟ କାରଣ ସମ୍ପର୍କ ମଧ୍ୟ ଏଇ ମୌଳିକ ବିଶ୍ଵାସ ଉପରେ ହିଁ ଆଉଜି ରହିଛି ।”

ଏମିତି ସମ୍ପର୍କ ଗୁଡ଼ାଏ ମାନିନେଲେ ମଧ୍ୟ ସଂସାରଟା ବେଶ୍ ଚାଲେ । ମୋଟ ଉପରେ ଆମେ ହିଁ ଚାଲି ସଂସାରଟାକୁ ଚଳାଇ ଥାଉଁ । ମଝିରେ ମଝିରେ ଏମିତି ଫାଙ୍କା ଦିଶିଗଲେ ତେଣିକି ଯେତକ ଅସୁବିଧା । ନଈ ସୁଅ ଗଡ଼ି ଚାଲିଥିଲା ବେଳେ ତା’ ଉପରେ ନାଆ ଖଣ୍ଡେ ମେଲିଦେଇ ବସାଯାଇ ପାରେ । କିନ୍ତୁ ଯଦି ଜଣାଗଲା ଯେ ତାହା ଗୋଟିଏ ସୁଅ ନୁହେଁ, ତାହା ଅସଂଖ୍ୟ ଅସମ୍ପର୍କିତ ପରମାଣୁର ନାନା ଜଟିଳ ଗତିର ସମାହାର ମାତ୍ର ଏବଂ ସେଇ ପରମାଣୁ ଗୁଡ଼ିକର ବାହାରେ ଓ ଭିତରେ କେବଳ ଶୂନ୍ୟହିଁ ବିଦ୍ୟମାନ୍‍ ଟିକିଏ ଛନକା ଧରିଯିବ । ନାଆକୁ ଚାହିଁଲେ ସେ ଦିଶିବ ଝାପ୍‍ସା କୁହୁଡ଼ି ସୋରାଏ ପରି । ନିଜର ଦେହ ଖଣ୍ଡିକ ମଧ୍ୟ ଦିଶିବ ହୁଏତ’ ପବନରେ ଅଦୃଶ୍ୟ ଛାଇଟିଏ ଭଳି । ତେଣିକି ମନ ଭିତରେ ଚାରି କାନ୍ଥ ଧସେଇ ଶୂନ୍ୟ ପଶିଯିବ। ତାକୁ ସମ୍ଭାଳିବ କିଏ ? ସେତେବେଳେ ଆଉ କୌଣସି ମୂଲ୍ୟବୋଧ ବା ଆଉ କୌଣସି ଧାରଣା ମନରେ ସ୍ଥାନ ପାଇବା ସମ୍ଭବ ନୁହେଁ । ସବୁ ଦିଶିବ କେବଳ ଶୂନ୍ୟାଶ୍ରୟୀ । ଆରମ୍ଭରେ ହୁଏତ ଶୂନ୍ୟ ଏବଂ ଶେଷରେ ଶୂନ୍ୟ, ମଝିରେ କେବଳ କେତେଗୁଡ଼ିଏ ପ୍ରବାହ । ଯାହା ବସ୍ତୁ ବା ବ୍ୟକ୍ତି ପରି ଦିଶନ୍ତି ସେଗୁଡ଼ିକ କେବଳ ଗୋଟିଏ ଗୋଟିଏ ଏଇ ପ୍ରବାହ । ପ୍ରତିଟି ମୁହୂର୍ତ୍ତ ଅନ୍ୟ ମୁହୂର୍ତ୍ତଠାରୁ ଭିନ୍ନ । ପ୍ରତିଟି ପରମାଣୁ ଅନ୍ୟ ପରମାଣୁ ସହିତ ଅସଂପୃକ୍ତ । ମଣିଷ ଯାହାକୁ ଜୀବନ ବୋଲି ବିଶ୍ୱାସ କରେ ତାହା ହୁଏତ’ ଏମିତିଆ ଗୋଟାଏ ଅଦ୍ଭୁତ ପ୍ରବାହ, ଗୋଟାଏ କିମ୍ଭୂତ ଧାରା ଯାହା ବୁଝି ହେବ ନାହିଁ । ମଣିଷ ତ’ ଏପରି ଏକ ଜୀବନରେ ନିଜେ ନିଜ ସହିତ ଅସଂପୃକ୍ତ ଅନ୍ୟ ସମ୍ପର୍କ କଥା ବା କ’ଣ କହିବା । ଯେତେବେଳ ଯାଏ ସେ ନିଜକୁ ଜଗତର ଆଉ ବାକି ସବୁଠାରୁ ଭିନ୍ନ ଅଥଚ ସମ୍ପର୍କିତ ବୋଲି ବୁଝି ପାରୁଥିଲା; ସେତେବେଳ ଯାଏଁ କଥାଟା ପ୍ରାୟ ଠିକ୍‍ ଚାଲୁଥିଲା । ନିଜକୁ ସେ ଅତି ଅସହାୟ ବୋଲି ଦୟା କଲେ ମଧ୍ୟ ଅନ୍ତତଃ ସବୁ ବୁଝିବାର ଅଧିକାର ଟିକକ ତ’ ଥିଲା । ଶୂନ୍ୟରେ କିନ୍ତୁ କିଛି କହିବାର, ଦେଖିବାର ବା ବୁଝିବାର ପ୍ରଶ୍ନ ଉଠୁ ନାହିଁ । କିଏ କହିବ, ଦେଖିବ ବା ବୁଝିବ ? ଏ ପ୍ରବାହ ମଧ୍ୟ ଅନୁମାନ ମାତ୍ର । ତଥାପି ସବୁ ଶୂନ୍‍ ହୋଇଗଲେ ଆଉ ସେତେ ନିଛାଟିଆ ଲାଗେ ନାହିଁ । ସବୁ ତ’ ଅଲଗା, ସବୁଠି ଏଇ ଶୂନ୍ୟ ହିଁ ପୂରି ରହିଛି ତେବେ ଆଉ ସନ୍ତାପର କାରଣ କାହିଁ ? କାରଣ କ’ଣ, ତାପ ବା କ’ଣ, ଯେପରି ପଚରା ଯାଇପାରେ ସମ୍ପର୍କ ବା କି ଜିନିଷ ?

ବନ୍ଧୁଙ୍କ କଥାରେ ଆଉ ସେତେ ହତାଶାର ଝାଞ୍ଜି ନାହିଁ । ସବୁ ଯେମିତ ସୁ’ ସୁ’ ହୋଇ ଫାଟି ପଡ଼ୁଥିଲା, ସବୁ ମୂଲ୍ୟ, ସବୁ ଟାଣ ପଣ ଯେମିତି ଧସି ପଡ଼ୁଥିଲା, ସାରା ପୃଥିବୀଟା ଉଭେଇ ଯାଉଥିଲା ସାବୁନ୍‍ ଫେଣ ପରି ଭୁର୍‍ ଭୁର୍‍ ହୋଇ, ଟିକିଏ ଅଟକି ଗଲା ପରି ବୋଧ ହେଲା । ଝାଞ୍ଜି ତା’ ନିଜ ସୁଅ ଭିତରେ କୁଣ୍ଡଳୀ କାଟି ଗୋଟାଏ ବାଗ ଧରିବାକୁ ଆରମ୍ଭ କଲା । ମୁଁ ଆଗ୍ରହରେ କୌଣସି ବାଧା ନ ଦେଇ ଶୁଣିଲ—‘‘ଏ ପ୍ରବାହଟି କ’ଣ ତା’ହେଲେ ସତ୍ୟ ? ନା କେବଳ ଅନୁମାନ ମାତ୍ର ? ମୋଟ ଉପରେ କିଛି କ’ଣ ଚାଲିଛି କି ? କାରଣ ଚାଲୁଥିଲେ ତ’ ପୁଣି ଆସିଲା କେଉଁଠୁ, ଅଛି କେଉଁଠି, ଯିବ କେଉଁଠାକୁ, ଏ ସବୁ ପ୍ରଶ୍ନ ଉଠିବ । ଏଣୁ ବୋଧହୁଏ ଚାଲୁନାହିଁ । ସେମିତି ଲାଗୁଛି ବା ଦିଶୁଛି କେବଳ ! ତା’ହେଲେ ସେହିପରି ବସ୍ତୁ ବା ବ୍ୟକ୍ତିର ବିଭିନ୍ନତା କ’ଣ ନାହିଁ ? ସେମିତି ଖାଲି ଲାଗେ ? ଧରାଯାଉ ଗୋଟିଏ ଜିନିଷ ଆଉ ଗୋଟିଏ ଜିନିଷଠାରୁ ତତ୍ତ୍ୱତଃ ଭିନ୍ନ ନୁହେଁ, ତା’ହେଲେ ତ’ ସମ୍ପର୍କ ମଧ୍ୟ ଏକ ଅକାରଣ ପ୍ରଶ୍ନ । ଯଦି ସବୁ ଏକ–ସେ ଏକ ଯାହା ହେଉ ନା କାହିଁକି–କାହା ସହିତ କିଏ ସମ୍ପର୍କିତ ହେବ ? ଗତି ବା ସମ୍ଭବ କିପରି ? –ଦୁଇଟି ଭିନ୍ନ ସ୍ଥାନ ଥିଲେ ସିନା । ଶୂନ୍ୟରେ ଯେପରି ସମ୍ପର୍କ ନାହିଁ । ଏହି ଏକ ଏବଂ ଅଦ୍ୱିତୀୟ ସତ୍ତା ଭିତରେ ମଧ୍ୟ ସମ୍ପର୍କ ସମ୍ଭବ ନୁହେଁ । ସମ୍ପର୍କ ପାଇଁ ଅନ୍ତତଃ ଦୁଇଟି ସତ୍ତାର ତ’ ପ୍ରୟୋଜନ। ଏଇଟା ବେଶ୍‍ ଗୋଟାଏ ଦୃଷ୍ଟି ଭଙ୍ଗୀ-। ଏକୁଟିଆ ଯଦି ଲାଗେ, ଏମିତିଆ ଏକୁଟିଆ ଲାଗିଲେ କ୍ଷତି କ’ଣ ?

ଏଥିରେ ଆଉ ଗୋଟିଏ କଥା ମଧ୍ୟ ଅଛି । ଦେଖି ଜାଣିଲେ ତମେ ଯେଉଁଠି ଥିଲ ସେଇଠି ଅଛ ଏବଂ ରହିବ । ଗତି ମୋଟ ଉପରେ ନାହିଁ । କାଳ ମଧ୍ୟ ହଲଚଲ ହେଉ ନାହିଁ, ଥିଲ, ଅଛ ଏବଂ ରହିବ, ଏହା କେବଳ ଗୋଟିଏ କାଳହୀନ ସ୍ଥିତିର ବ୍ୟଖ୍ୟା । କାଳ ମଧ୍ୟ ହଲଚଲ ହେଉ ନାହିଁ । ବେଶ୍‍ ବଢ଼ିଆ !! ଏଇଠି ଏମିତି ସବୁ ଦିଗକୁ ଆବୋରି ରହିଗଲେ ମନ୍ଦ କ’ଣ ? ସେଇ ‘ଏକୋ ଦେବଃ ସର୍ବ ଭୂତେଷୁ ଗୂଢ଼ଃ’ ସତ ନା ମିଛ ବୋଲି ପଚାରିବା ମଧ୍ୟ ପ୍ରୟୋଜନ ନାହିଁ । ଆମର କ’ଣ ସତ ମିଛ ବିଷୟରେ ସେମିତି ଗୋଟାଏ ଦୃଢ଼ ଧାରଣା ହେଲାଣି କି? ଦେଖି ବୁଝି କ’ଣ ସତ୍ୟବୋଧ ହୁଏ ? ଅବଶ୍ୟ ତୁମେ କହିପାର ଯେ ଏ ତଥ୍ୟ ମୋତେ ବର୍ତ୍ତମାନ ସୁହାଉଛି ବୋଲି ବା ମୋର ବର୍ତ୍ତମାନ ଅବସ୍ଥା ପାଇଁ ଅନ୍ୟ କୌଣସି ତଥ୍ୟ ଅପେକ୍ଷା ବେଶି ସୁବିଧାଜନକ ବୋଲି ମୁଁ ୟାକୁ ଗୋଟାଏ ଅବଲମ୍ବ ପରି ଗ୍ରହଣ କରୁଛି । ହୋଇପାରେ ତୁମ କହିବା କଥା ହିଁ ଠିକ୍‍-!’

ଆହୁରି ହାବୁକାଏ ମେଘ ଘୋଡ଼େଇ ହୋଇ ଆସିବା ଲକ୍ଷ୍ୟ କରି ମୁଁ ଉଠିଲି । ଅସମ୍ପର୍କ ଉପରେ ଭାଷଣ ଦେଇସାରି ମୋର ବୃଦ୍ଧ ବନ୍ଧୁଟି ହଠାତ୍‍ ସାମାଜିକ ଶିଷ୍ଟାଚାର ରଖିବାକୁ ଉଠି ଠିଆ ହେଲେ । ବେଶ୍‍ କିଛି ବାଟ ବଳେଇ ଦେଇ ଗଲେ ମଧ୍ୟ । ମୁଁ ଆଉ ପଛକୁ ଫେରି ଚାହିଁ ନାହିଁ । ବନ୍ଧୁ ବୋଧହୁଏ ସେତେଟା ଏକୁଟିଆ ଆଉ ବୋଧ କରି ନ ଥିବେ ।

Image

 

ଚଷମା ସପକ୍ଷରେ

 

ଚାଳିଶା ନ ଲାଗିବା ଯାଏଁ ଦମ୍ଭ ଥାଏ । ତା’ପରେ ହଠାତ୍ ଦିନେ ସବୁ ଜାଲ୍‍ଜାଲୁଆ ଦେଖାଯାଏ । ଗୋଟାଏ ବସ୍ତୁ ଯୋଡ଼ାଏ ପରି ଦିଶେ, ପୁଣି ବହୁ ବସ୍ତୁ ଏକାଠି ମିଶି ମେଞ୍ଚାଟାଏ ହୋଇ ଦେଖାଯା’ନ୍ତି । ସାରା ସୃଷ୍ଟିର ଯେମିତି ଆଉ ଆଗ ଭଳି ଟାଣପଣା ନାହିଁ । ସେଥିପାଇଁ ଏମିତି ପାଣିଚିଆ ଦିଶୁଚି; ସବୁ ଦିଶୁଚି ଲେସି ହେଲା ପରି ଏକାକାର, ଅବାଗିଆ । ଆକାର-ପ୍ରକାର-ହୀନ ଖାଲି ଧୂଆଁ ରୂପ ଯେମିତି ଏ ସବୁ । ଭାରି ଅଡ଼ୁଆ ଅଡ଼ୁଆ ଲାଗେ । ପରିଚିତ ବସ୍ତୁ ଓ ବ୍ୟକ୍ତି ଅପରିଚିତ ହୋଇ, ଦୋ ଦୋ’ ଚିହ୍ନା ହୋଇ ଠିଆ ହେଲେ ଯେମିତି ଲାଗନ୍ତା । ସଂସାର କ’ଣ ଏଡ଼େ ଚଞ୍ଚଳ ବଦଳି ଗଲା ? ଏତ’ ସେଇୟା ନୁହେଁ ଯାହାକୁ ଗତ ଚାଳିଶ ବର୍ଷ ଧରି ମୁଁ ବା ମୋ’ ଭଳି ଅନେକ ଜାଣିଥିଲେ ! ଏତ’ କ’ଣ ତା’ ଠାରୁ ଢେର୍ ଭିନ୍ନ ! ଏତେ କାହିଁକି ବଦଳି ଗଲା ସବୁ ? ତା’ ନୁହେଁ ଯେ ସଂସାର ଯେମିତି ଚାଲିବା କଥା ଠିକ୍ ଚାଲିଛି ତା’ର ଧର୍ମ ରକ୍ଷା କରି । ସବୁ ରହିଛି ଯେମିତି ସେମିତି ।...କେବକ ମୁଁ ଘୁଞ୍ଚି ଯାଇଛି ଧାପେ ! ଏ ନୂଆ ମୋଡ଼ରୁ ଦେଖିଲା ବେଳକୁ ସବୁ ଦିଶୁଛି ନୂଆ । ‘ନୂଆ’ ମାନେ ଏତେ ପୁରୁଣା, ଏତେ ଘସିଆ, ଏତେ ଝାପ୍‍ସା ଯେ ତା’ର ମୂଳ ରୂପର ସତେ ଯେମିତି ଏଇଟା ଗୋଟାଏ ପ୍ରେତ । ସବୁ ଜିନିଷ ତଳେ ଏଇଠି ନୂଆ ଦର କସାଯିବ । କାହାର ଦାମ୍ ଅଧେ ତ’ କା’ର ଚଉଠେ । ସବୁଠି ଗୋଟାଏ ମୂଲ୍ୟହାନି । ମୂଲ୍ୟରେ ଯେମିତି ନିର୍ମମ ଛଟେଇ ଚାଲିଛି ।

 

ନିଜ ସଂସାରର ମୂଲ୍ୟ କମିଗଲେ ନିଜେ ମଧ୍ୟ ଶସ୍ତା ହୋଇ ଯିବାକୁ ବାଧ୍ୟ । ଏଣୁ ସହି ହୁଏ ନାହିଁ । ଚେଷ୍ଟା ଚାଲେ କେମିତି ଆଗଭଳି ସବୁ ଦିଶନ୍ତା । ସବୁଗୁଡ଼ାକରେ ପୁରୁଣା ମୂଲ୍ୟ ବଜାୟ ରହନ୍ତା । ବନ୍ଧୁ, କୁଟୁମ୍ବୀ, ଡାକ୍ତର ସମସ୍ତେ ମିଶି କହନ୍ତି–‘ଚଷମା ଲଗାଅ’ । ଅଗତ୍ୟା ଲଗାଇବାକୁ ପଡ଼େ । କିନ୍ତୁ ଚଷମା ଉପରେ ଯେତେ ଜୋର୍ ନାହିଁ, ଜୋର୍ କେମିତି ଫ୍ରେମରେ ବନ୍ଧେଇ ହେବ । ମୋଟା ମୋଟା ଶିଙ୍ଗରେ ନା ସରୁ ସୂତା ପରି ସୁନାରେ ନା ନାକ ପାଖରେ ଚିପି ଧରୁଥିବା ଜମା ଫ୍ରେମ୍ ନ ଥିବା ହଳେ କାଚରେ ? ତା’ ଅର୍ଥ ପରିଷ୍କାର ଜଣେଇ ଦେବାକୁ ହେବ ଚଷମା ପିନ୍ଧିଛି ବୋଲି ନା ତା’କୁ ସନ୍ତର୍ପଣରେ କାହାକୁ ନ ଦିଶିଲା ପରି ବ୍ୟବହାର କରିବାକୁ ହେବ-? ଦେଖିବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିଚାର ହେଲେ ମଧ୍ୟ ଦେଖେଇବା ଏକ ସାମାଜିକ ଆଚରଣ-। ଚଷମା ଉଭୟ ପର୍ଯ୍ୟାୟରେ ପଡ଼ି ତା’ର ରୂପରେଖ ଭିତରେ ଚଷମା ପିନ୍ଧାଳିର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵକୁ ପ୍ରକାଶ କରିଦିଏ ।

 

ଚଷମା ପିନ୍ଧା ହୁଏ ଆଜି । କାଲି ଭିତରେ ବୟସରେ ମିଶିଯାଏ ଆଉ ଦଶ ବର୍ଷ । ଚେହେରା ଦିଶେ ବେଶ୍ ପୋଖତ, ଏଣୁ ସମ୍ମାନନୀୟ । ଅନେକେ ଭାବନ୍ତି ବହୁ ଗ୍ରନ୍ଥ ପଢ଼ି ପଢ଼ି ଆଖିରେ କେବଳ ଜ୍ଞାନ ଦିଶିଲା ଏଣୁ ବସ୍ତୁ ଦିଶିବାକୁ ଏ ଚଷମା । ଏଣୁ ଚଷମା ପିନ୍ଧାଳି କ୍ୱଚିତ୍ ଅଜ୍ଞାନୀ ବୋଲି ପରିଗଣିତ ହୁଅନ୍ତି, ଯେମିତି କ୍ଵଚିତ୍ କୁଦନ୍ତୀ ଅପଣ୍ଡିତାଃ । କିନ୍ତୁ ଚଷମା ପିନ୍ଧାଳି ବିଶେଷ କିଛି ଦେଖେ ନାହିଁ । ଯାହା ସେ ଦେଖି ଦେଖି ଅଭ୍ୟସ୍ତ ତାହା ହିଁ ଦେଖେ, ଅନ୍ୟ କିଛି ଦେଖିବାକୁ ସାହସ ବା ଇଛା ନ ଥିବାରୁ ।

 

ଚଷମା ପିନ୍ଧାଳିକୁ ପ୍ରଶ୍ନ କଲେ ସେ ସାଧାରଣତଃ କହିଥାଏ ଯେ ଆଖି ଖରାପ ହେବାରୁ ସେ ପିନ୍ଧିବାକୁ ବାଧ୍ୟ ହୋଇଛି । ଖରାପ ହେବା ଅର୍ଥ ଦୃଷ୍ଟି ଶକ୍ତି କମିବା ଅଥବା ଯାହା ଦିଶୁଥିଲା ତାହା ନ ଦିଶିବା । ଅଳ୍ପ କଥାରେ ପ୍ରଚଳିତ ରୁଢ଼ିରେ ସେ କହେ ଯେ ତାକୁ ଚାଳିଶା ଧରିଛି । ଚାଳିଶା ଧରିଛି ବୋଲି ସେ କୌଣସି ପ୍ରକାରେ ତା’ର ପ୍ରତିକାର କରିବାକୁ ସଂସାର ଛାଡ଼ିଛି । ଛାଣି ଛାଣି ପାଇଛି ହଳେ ଚଷମା । ତା’ର ଆଖିର ଯେଉଁ ବକ୍ରତା ପାଇଁ ଦେଖିପାରୁ ନାହିଁ ବୋଲି ସେ ଭାବେ, ଠିକ୍ ତା’ର ବିପରୀତ ବକ୍ରତା ଥିବା କାଚ ଭିତରୁ ସେ ପୁରୁଣା ଜଗତକୁ ପୁରୁଣା ରୀତିରେ ଓ ପୁରୁଣା ରୂପରେ ଦେଖିବାକୁ ପାଇ ଆଶ୍ଵସ୍ତ ହୁଏ ।

 

ଚାଳିଶି ବର୍ଷକୁ ଯେମିତି ରୋକି ହୁଏ ନାହିଁ ଚାଳିଶାକୁ ସେମିତି ରୋକି ହୁଏ ନାହିଁ । ସେ ଆସେ ଅତି ସ୍ଵାଭାବିକ ଓ ଅତି ସହଜ ଭାବରେ; ଠିକ୍ ଯେମିତି ‘ପଚିଶା’ ଆସିଥିଲା । ସେତେବେଳେ କିନ୍ତୁ ଏତେ ବହକିଆ ରଙ୍ଗ ପିନ୍ଧିଥିଲା ଯେ ଦୃଷ୍ଟିର ଅଦଳ ବଦଳକୁ କେହି ଖାତିର୍ କଲା ନାହିଁ । ଯଦି ତା’ ଆଗରୁ ଗୁଡ଼ି ଆଉ କାଗଜ ଡଙ୍ଗାର ସରଳ ନିର୍ମଳ ସଂସାର ହଠାତ୍ କୁଆଡ଼େ ଲୁଚିଗଲା ତ’ ଗଲା, ସେଥିପାଇଁ ଭାବିବାକୁ ଆଉ ସମୟ କାହିଁ ! ‘ପଚିଶା’ର ଉଜାଣି ନଦୀ ଟାଣି ନେଇଗଲା ପନ୍ଦର ବର୍ଷର ସୁଅ ଭିତରେ । ମୁଣ୍ଡ ଟେକି ଚାରିଆଡ଼େ ଅନେଇଲା ବେଳକୁ ଚାଳିଶା ମାଡ଼ି ଗଲାଣି । ମାର୍ଗଶୀର ମାସ ସକାଳର ସ୍ଥିର ପାତଳ କୁହୁଡ଼ି ପରି ନଇଁ ଆସିଲାଣି ଚାଳିଶା । ‘ପଚିଶା’ର ରଙ୍ଗ କାଟିବାକୁ ଚଷାମାର ପ୍ରୟୋଜନ ହୁଏ ନାହିଁ; କିନ୍ତୁ ଚାଳିଶାର କୁହୁଡ଼ି କାଟିବାକୁ ଚଷମା ହଳେ ନ ପିନ୍ଧିଲେ ବଞ୍ଚିବା ଦୁଷ୍କର ।

 

ଋତୁ ଜାଣି କୁହୁଡ଼ି ଆସିଲା ପରି ତା’ ବେଳରେ ତ’ ଚାଳିଶା ଆସେ, ତାକୁ ଏତେ ଭୟ କାହିଁକି ? ତାକୁ କ’ଣ ଗୋଟାଏ ରୋଗ ବୋଲି ମଣିଷ ଭୁଲ୍ ବୁଝେ, ଆଉ ଏମିତି ଛାନିଆ ହୋଇଯାଏ; ନା ତାକୁ ଖୁବ୍ ବୁଝେ, ଅତି ନିର୍ଭୁଲ୍ ଭାବରେ ବୁଝେ ବୋଲି ସେମିତି ହୁଏ ? ସେ ବୁଝେ ଯେ ରେଳ ଯାତ୍ରାର ଏଇ ଖୋର୍ଦ୍ଧା ଷ୍ଟେସନ । ଆଉ ଖଣ୍ଡେ ବାଟ ଗଲେ ପୁରୀ ଠେଇଁ ପଇ ସରିଯିବ । ରେଳର ସାଉଁ ସାଉଁ ନୀରବ ହୋଇଯିବ । ସେଇଠି ଯାତ୍ରା ଶେଷ । ଏଇ କଥାଟା ତୁହାଇ ତୁହାଇ ମନେ ପକାଇ ଦିଏ ବୋଲି ଚାଳିଶାଟାକୁ ଏତେ ଡର । ଏଇଠି ପାଖ ଜିନିଷ ଦିଶେ ବାମ୍ଫରେ ତିଆରି ହେଲା ପରି ଅନିଶ୍ଚିତ, କିନ୍ତୁ ଦୂର ଦିଶେ ଭାରି ପରିଷ୍କାର, ନିର୍ମଳ । ପଚିଶା ବେଳେ ‘ଦୂର’ ହୁଏତ’ ଦିଶନ୍ତା, କିନ୍ତୁ ତା’ର ପ୍ରୟୋଜନ ନ ଥାଏ । ଦେହ ଆଖିକୁ ଲାଗି ଏତେ ରୂପ, ରସ, ଗନ୍ଧର କୁଢ଼ କୁଢ଼ ଇନ୍ଦ୍ରଧନୁ ଝଟକୁ ଥାନ୍ତି ଯେ ସେମାନଙ୍କର ଉଲୁସି ଉଠୁଥିବା ବିମ୍ବ ରେଖାରେ ଆକାଶ ସୀମା ବୁଡ଼ିଯାଏ । ମୋଟ କଥା ହେଲା ଯେ ଯେତେବେଳେ ଯାହା ଦିଶେ ତାହା ସେ ସମୟ ପାଇଁ ସତ୍ୟ । ‘ପଚିଶା’ର ରଙ୍ଗ ପରି ଚାଳିଶାର ଧୂଆଁ ମଧ୍ୟ ସତ୍ୟ । କିନ୍ତୁ ଯାହା ଦିଶେ ବା ଯେ ଦେଖେ ସେ ଦୁହେଁ ନିର୍ଲିପ୍ତ । ମଝିରେ ମଝିରେ କେବଳ ଚଷମା ବଦଳର ବିକ୍ରିୟା ।

 

ପାଣିର ନିଜର ରଙ୍ଗ ନ ଥାଏ କିନ୍ତୁ ଯେ କୌଣସି ରଙ୍ଗ ଆପଣେଇ ନେବାର ସାମର୍ଥ୍ୟ ଥାଏ । ସଂସାରଟାକୁ ସେମିତି ତା’ର ନିଜ ରୂପରେ ଦେଖିବା ସମ୍ଭବ ନ ହେଲେ ମଧ୍ୟ ବହୁ ବର୍ଣ୍ଣର ଚଷାମାରେ ତା’ର ବିଭିନ୍ନ ସମ୍ଭାବନାକୁ ଦେଖି ହୁଏ । ଆଖିର ସ୍ଵାଭାବିକ ସୀମାକୁ ସ୍ଵୀକାର ନ କରି ଗୋଟାଏ ପ୍ରକାର କାଚ ପଛରୁ ଦେଖିଲେ ମହାକାଶର ଦୁରନ୍ତ ତାରକା ପାଖେଇ ଆସେ । ଆଉ ଗୋଟାଏ କାଚ ପଛରୁ ଦେଖିଲେ ସୂକ୍ଷ୍ମାତିସୂକ୍ଷ୍ମ ଗୋଟାଏ ଜଗତ୍ ଦୃଷ୍ଟି ଭିତରକୁ ପହରି ଆସେ । ବସ୍ତୁର ଦୂରତା ବା ଆକାରକୁ ଆୟତ୍ତ କରିବାକୁ ଏ ପ୍ରକାର ଚଷମା ଭାରି ଉପଯୋଗୀ ।

 

ଆଖିର ଚଷମା ପରି ମନରେ ମଧ୍ୟ ବହୁ ପ୍ରକାର ଚଷମା ଲଗେଇ ହୁଏ । ଆମ ଦେଶୀ ଚଷମାକୁ ବିଶ୍ଵାସର ନାକଦଣ୍ଡା ଉପରେ ଜମେଇ ବୁଦ୍ଧିର କାନ ମୂଳେ ଖୋସିଦେଲେ ସବୁ ଦିଶିବ ଶୂନ୍ୟମୟ, ଏଡ଼େ ବଡ଼ ବିଶ୍ଵ ବ୍ରାହ୍ମାଣ୍ଡ ପାଣି ଫୋଟକା ପରି ବା କେବଳ ସ୍ଵପ୍ନବସ୍ତୁ । ପୁଣି ଆଉ ହଳେ ବିଦେଶୀ ଚଷମା ଲଗେଇ ନେଲେ ସବୁ ଠିକ୍ । ପୃଥିବୀ ପୁଣି ତା’ ମେରୁଦଣ୍ଡରେ ବୁଲୁଛି । ସୂର୍ଯ୍ୟ ମଧ୍ୟ ତା’ ପରିବାର ଧରି ଆଉ ଗୋଟାଏ ବିନ୍ଦୁକୁ କେନ୍ଦ୍ର କରି ବିହରଣ କରୁଛି ।

 

ଏହି ପ୍ରକାର ଅଜସ୍ର ଚଷମା, ଅଜସ୍ର ଦୃଶ୍ୟ । ମଝିରେ ମଝିରେ ଏ ସବୁ ଲଗେଇ ନ ଦେଖିଲେ କେମିତି ଗୋଟାଏ ଅପୂର୍ଣ୍ଣତା ରହିଯିବ । କିନ୍ତୁ ସବୁ ବେଳକୁ କେବଳ ଗୋଟିଏ ଚଷମା ନିଜର କରି ରଖିବାକୁ ପଡ଼େ । ତାକୁ ବଦଳେଇଲେ ମୁଣ୍ଡ ବିନ୍ଧେ ନ ପିନ୍ଧିଲେ ମୁଣ୍ଡ ବିନ୍ଧେ । ନିଜ ଦୃଷ୍ଟି ଯେତିକି ବଙ୍କା ଧରିଥାଏ ତାକୁ ଖାପିଲା ପରି ଏ ଚଷମା କାଚର ବକ୍ରତା । ଏତ’ ଚଷମା ନୁହେଁ, ପ୍ରତିଚକ୍ଷୁ ମଧ୍ୟ ନୁହେଁ । ଏହାକୁ ହିଁ ଚକ୍ଷୁ କହିଲେ କ୍ଷତି କ’ଣ ? ବା ଆମେ ଯେଉଁ ଯୋଡ଼ିକୁ ଆଖି ବୋଲି ବୁଝୁ ସେ ଯୋଡ଼ିକ ହୁଏତ’ ହଳେ ଚଷମା । ଆଖି କ’ଣ ନିଜେ ଦେଖେ ନା ଆଉ କାହାକୁ ସାହାଯ୍ୟ କରେ ଦେଖିବାରେ ?

Image

 

କଣ୍ଟାର ମୁକୁଟ

 

ନ୍ୟାୟାଧୀଶ ପାଇଲେଟଙ୍କୁ ଅଦ୍ୟାବଧି କାଠ ଘଡ଼ାରେ ପୂରେଇ ସହସ୍ର ଥର ଫାଶି ଖୁଣ୍ଟରେ ଝୁଲାଇ ସାରିଥିଲେ ମଧ୍ୟ ତାଙ୍କ ଉପରେ ଆମ ବିଚାର ଅପୂର୍ଣ୍ଣ ରହିଯାଉଛି, କାରଣ ସେ ଫାଶ ଭିତରୁ ଗମ୍ଭୀର ମୁଦ୍ରାରେ ପ୍ରତ୍ୟେକ ଥର ପଚାରୁଛନ୍ତି, “ସତ୍ୟ କ’ଣ ?” ବାରମ୍ବାର ତାଙ୍କୁ କବରତଳୁ ଉଠିବାକୁ ପଡ଼ୁନାହିଁ; କାରଣ ମୋଟ ଉପରେ ସେ ମଲେ ସିନା ତାଙ୍କୁ କବର ଦିଆଯା’ନ୍ତା-! ସେ ମାନବ ଜାତିର ଅମର ଘାତକ । ତାଙ୍କର ମୃତ୍ୟୁ ନାହିଁ । ସେ ଅହରହ ଯିଶୁଙ୍କୁ କ୍ରୁଶବିଦ୍ଧ କରିବାକୁ ତାଙ୍କ ଆଦେଶନାମାରେ ସ୍ୱାକ୍ଷର କରନ୍ତି । ଅହରହ ତାଙ୍କ ଇଜ୍‍ଲାସରେ ନ୍ୟାୟ ନାମରେ ପ୍ରେମର ହତ୍ୟା ହୁଏ । ଆମେ ଏଇ ‘ପାଇଲେଟ୍’ଙ୍କୁ କାଠ ଘଡ଼ାରେ ପୂରେଇ ବିଚାର କରୁ । ବିଚାର କିନ୍ତୁ ଅସମ୍ପୂର୍ଣ୍ଣ ରହିଯାଏ । କାରଣ ଆମେ ନିଜେ ସେଇ ପାଇଲେଟ୍ । ବାରମ୍ବାର ଯିଶୁଙ୍କୁ କ୍ରୁଶରେ ଚଢ଼େଇବା ଆମ ଅଭ୍ୟାସ । ଯିଶୁର ରକ୍ତ ଆମର ଚିରନ୍ତନ ଫସଲ । ଏଥେନ୍‍ସର ନାଗରିକ ହୋଇ ଆମେ ସକ୍ରେଟିସ୍‍କୁ ବିଷ ଦେଇଚୁ । ଜାରା ରୂପରେ କୃଷ୍ଣଙ୍କର ପାଦକୁ ଶର ଫଳାରେ ଏ ପାଖ ସେ ପାଖ ଫୁଟେଇ ଦେଇଚୁ । ବନ୍ଧୁକର ଗୁଳି ଚୋଟରେ ବାପୁଜୀର ଅନ୍ତ ଉଲାରି ଦେଇଚୁ । ଏଇଟା ଆମର କୁଳାଚାର । ୟାର ତାଲିକା ଦେଇ କହି ବସିଲେ ସରିବ ନାହିଁ । କିନ୍ତୁ ବିସ୍ମୟର କଥା ଯେ, ଆମର ବିଚାର ହେଉନାହିଁ ! ହୋଇପାରୁ ନାହିଁ...କାରଣ ଆମେ ସବୁବେଳେ କେବଳ ‘ନ୍ୟାୟ’ହିଁ କରିଥାଉ । ଏ ‘ନ୍ୟାୟ’ର ବିଚାର ଏଠି ସମ୍ଭବ ନୁହେଁ । ପାଇଲେଟ୍‍ର ବିଚାର ପାଇଲେଟ୍‍ କରି ପାରେନା । ସେ କେବେ ଯିଶୁକୁ ବିଚାର କରି ଦଣ୍ଡାଦେଶ ଦେଇ ଜାଣେ ! ଅହରହ ଯିଶୁର କ୍ଷତ ରକ୍ତ ଝରେଇ ଚାଲିଚି । ପାଇଲେଟ୍‍ ପଚାରି ଚାଲିଚି, “ସତ୍ୟ କ’ଣ”? ମଝିରେ ମଝିରେ କହୁଛି, ‘‘ମୁଁ କ୍ଷମା ବୋଧହୁଏ ଚାହେଁନା, କରୁଣା ଚାହେଁନା, କାରଣ ମୁଁ ବୁଝିପାରୁ ନାହିଁ ମୋର ଅପରାଧ କ’ଣ, ତାହା କାହିଁକି କ୍ଷମଣୀୟ, ଅତଏବ ହେ ଯିଶୁ ! ମୋତେ କ୍ଷମା କରିବାକୁ ତୁମେ ତୁମ ପିତାକୁ ପ୍ରାର୍ଥନା କର ନାହିଁ । କାରଣ ମୁଁ ତାକୁ ଜାଣେନା । ମୋତେ ବିଶ୍ଵାସ କର । ମୁଁ ମୋ ପରିଧି ଭିତରେ ହୁଏତ ଆଦୌ ମିଛ କହେନା ! ସତ କହିବାକୁ, ସତ ଜାଣିବାକୁ ଚେଷ୍ଟା କରି ମିଛ କହେନା ! କିନ୍ତୁ ମୋତେ କହି ପାରିବ, ‘ସତ୍ୟ କ’ଣ’ ?” ପାଇଲେଟ୍‍ ବିଳାପ କରେ, ଯିଶୁ ପାଇଁ ନୁହେଁ ସତ୍ୟ ପାଇଁ । ତା’ର ହଜାର ହଜାର ବର୍ଷ ବ୍ୟାପୀ ଜୀବନରେ ସେ ଅନୁତାପ କରି ପାରେନାହିଁ । ନିଜେ ସେଇ ଅନ୍ଧାର ରାତିର ବତାସି ଠେଲି ଦରାଣ୍ଡି ଦରାଣ୍ଡି ଯିଶୁଙ୍କୁ କ୍ରୁଶ ଉପରେ ଠାବ କରେ । କଣ୍ଟା ଆଉ ହାତୁଡ଼ିର ପ୍ରତିଧ୍ଵନୀରେ ତରାଗୁଡ଼ା ମିଚ୍ ମିଚ୍ ହୁଅନ୍ତି । ଯିଶୁର ଶରୀରରେ ନୂତନ କ୍ଷତ ହୋଇ ରକ୍ତ ଝରେ । ପାଇଲେଟ୍‍ ଅପେକ୍ଷା କରେ ସତ୍ୟର ସନ୍ଦେଶକୁ । ଭାବେ ଏପରି କରିବା ତା’ର କର୍ତ୍ତବ୍ୟ !

 

ଯଦି ଅଜ୍ଞାନ ଏକ ଅଭିଶାପ, ତା’ ବିଷୟରେ ସଚେତନ ନ ହେବା ତା’ଠାରୁ ଶହେ ଗୁଣ ବଳି ଅଭିଶାପ । ଆମେ କେତେଗୁଡ଼ିଏ କାଠର ଖୋପ ଧରି ବସିଥାଉଁ । ଯେ ତା’ ଭିତର ଦେଇ ଗଳି ଚାଲିଗଲା ସେ ଆମ ଗୋଷ୍ଠୀର । ଯେ ଯାଇ ପାରିଲା ନାହିଁ ଏବଂ ତାକୁ ଠେଲି ଆଡ଼େଇ ଦେବାକୁ ଚେଷ୍ଟା କଲା, ଆମେ ଜବରଦସ୍ତି ତା’ ଉପରେ ସେଇ କାଠ ଖୋପ ମଡ଼େଇ ବସୁ । ତା’ର ଯାହା ବଳକା ଅଂଶ ଉଭାରି ରହେ ତାକୁ କଟୁରି ଧରି ହାଣି ଫିଙ୍ଗି ଦେଉ । ଯିଶୁ ଯଦି କାଠ କ୍ରୁଶକୁ ନ ଯିବେ ତେବେ ଆମ କାଠ ଖୋପ ଭିତରେ ଗଳି ଯାଆନ୍ତୁ । ଆମେ ଯାହା କରୁଛୁ ସେ ଠିକ୍ ତାହା କରନ୍ତୁ । ସେ ଯଦି ତାହା ନ ପାରିବେ, ଆମେ ଅବଶ୍ୟ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧେଇ ତାଙ୍କ କାନ୍ଧରେ କ୍ରୁଶ ବୁହାଇବୁ । ତାଙ୍କୁ କଣ୍ଟା ମାରି କ୍ରୁଶ ଦେହରେ ଲଗେଇ ଦେବୁ । ଆମ ପାଇଁ ଯିଶୁ ବଡ଼ ନୁହେଁ, ଆମ କାଠ ଖୋପ ହିଁ ବଡ଼ । ଏ ଖୋପଟି ଭୁଲ୍ ବୋଲି ଆମକୁ କୁହା ହେଉଚି । ବାରମ୍ବାର କୁହା ହେଉଚି, ଏହା ଆମର ଅଜ୍ଞାନର ରୂପ । କିନ୍ତୁ ଆମେ ତାହା ଅନୁଭବ କରିପାରୁ ନାହୁଁ । ଏହି ତଥାକଥିତ ଅଜ୍ଞାନ ବିଷୟରେ ସଚେତନ ହୋଇପାରୁ ନାହୁଁ ।

 

ଏ ଖୋପଟି ପ୍ରକୃତରେ କ’ଣ ? ସେଇଟା ଆମ ନ୍ୟାୟ ବିଚାର ଆମ ନୀତି ନିୟମ, ଆମ ପରମ୍ପରା, ଆମର ସର୍ବସ୍ଵ । ଆମେ ତାକୁ ଜନ୍ମ ଦେଉ ସତ, କିନ୍ତୁ ତାକୁ ଆମର ସମ୍ମାନ, ବିଶ୍ଵାସ ମଧ୍ୟ ସବୁ ଦେଉ ଏବଂ ତାହାର ଆଢ଼ୁଆଳରେ ବଞ୍ଚୁ । ଏ ଖୋପ ଆମକୁ ଚାରିଆଡ଼ୁ ଘେରି ରଖେ । ଆମକୁ ଆମର ସୀମା ବନ୍ଧ ଭିତରେ ସନ୍ତୁଷ୍ଟ ରହିବାକୁ ମଧ୍ୟ ଶିଖାଏ । ତାହାରି ଭିତରେ ଆମେ ଜୀବନକୁ ବୁଝୁ, ତାକୁ ଘଷି ମାଜି ଉଜ୍ଜ୍ୱଳ ରୁଚିବନ୍ତ କରିବାକୁ ଚେଷ୍ଟା କରୁ । ମୃତ୍ୟୁକୁ ମଧ୍ୟ ବୁଝୁ, ତାକୁ ସ୍ଵୀକାର କରୁ, ତାକୁ ସମ୍ମାନ ଦେଉ । ସୃଷ୍ଟିକୁ ବୁଝୁ, ସ୍ରଷ୍ଟାକୁ ମଧ୍ୟ ଅନୁମାନ କରି ବୁଝୁ । ଏ ସମସ୍ତେ ଆମ କାଠ ଖୋପ ଭିତରେ ଗଳିବାକୁ ବାଧ୍ୟ ।

 

ଆମ ନିୟମ କହେ ଯେ ଏ ସ୍ରଷ୍ଟା ମହାନ୍, ଏଣୁ ଆମେ ତାକୁ ସମ୍ମାନ ଦେଉ । କିନ୍ତୁ ଯଦି ଆମ ଖୋପ ବାହାରୁ କେହି କେବେ ମୁଣ୍ଡ ଟେକି କହେ ଯେ, ସେ ଆଉ କିଛି, ଆମେ ତାକୁ ଗୁଳି କରି ମାରିଦେଉ । ଆମ ନିୟମ ଆମେ ସମସ୍ତଙ୍କ ଉପରେ ଚପେଇ ଦେଇପାରୁ; ସେଥିପାଇଁ ଆମର ଗୋଳା କମାଣ ଅଛି, ବୋମା ବାରୁଦ୍ ଅଛି । କେହି ଅବାଧ୍ୟ ହେଲେ ଆମେ ତାକୁ ବିଚାର କରି ଦଣ୍ଡ ଦେଉ, ‘ନ୍ୟାୟ’ ନିଶାପ ନ କରି ଦଣ୍ଡ ଦେବା ଆମେ ସହି ପାରୁନା । ଏ ବିଚାରରେ ଯିଶୁ ଯଦି କ୍ରୁଶବିଦ୍ଧ ହୋଇଯାନ୍ତି ଆମର ଅନୁତାପ କରିବାର ଅବକାଶ କାହିଁ । ସାମାନ୍ୟ ପିମ୍ପୁଡ଼ିଟିଏ ମରିଗଲେ ଆମେ ଶୋକ ପ୍ରକାଶ କରି ଜାଣୁ । ଏଣୁ ମଣିଷ ମରିଗଲେ ଶୋକ ହେବା ସ୍ଵାଭାବିକ୍, କାରଣ ଆମ ନିୟମ କହେ ଯେ, ମଣିଷ ପିମ୍ପୁଡ଼ିଠାରୁ ଶ୍ରେୟସ୍କର । ଯିଶୁଙ୍କ ମୃତ୍ୟୁରେ ଆମେ ଶୋକ କରୁ; କିନ୍ତୁ ନ୍ୟାୟ ପାଇଁ ଆମେ ବାଧ୍ୟ ହୋଇ ତାଙ୍କୁ ସଂହାର କରୁ । ଏଇ ନ୍ୟାୟ ହିଁ ଆମେ ଯୁଦ୍ଧ ପଡ଼ିଆରେ ଥାପନା କରି ଅକୁଣ୍ଠିତ ଚିତ୍ତରେ ଅଗଣିତ ‘ଅନ୍ୟାୟ-ସେବୀ’ଙ୍କୁ ସଂହାର କରୁ । “ଆମକୁ କେହି ବିଚାର କରିପାରିବେ ନାହିଁ, ଆମେ ହିଁ ସମସ୍ତଙ୍କୁ ବିଚାର କରୁ । କିନ୍ତୁ ଆମେ ଆମକୁ ବିଚାର କରି ପାରିବୁ ନାହିଁ, କାରଣ ନିଜକୁ ନିଜେ ବିଚାର କରିବାର ନିୟମ ଆମ କାଠ ଖୋପ ଭିତରେ ନାହିଁ ।”

 

ମନେ ପଡ଼ୁଛି, ଏଇ ନିୟମ କଥା ଯିଶୁ ବୋଧହୁଏ କହୁଥିଲେ । ସେଇ କଥା ସକ୍ରେଟିସ୍ କହୁଥିଲେ, ବୁଦ୍ଧ କହୁଥିଲେ, ଆଉ ବହୁ ବହୁ ବ୍ୟକ୍ତି କହୁଥିଲେ । ସେ ସବୁ ଆମକୁ ବୁଝା ପଡ଼ୁନାହିଁ । ଆମକୁ କେବକ ବୋଧ ହେଉଛି ଯେ ସେମାନେ ସବୁ ଆମକୁ ବହକେଇ ଦେବାକୁ କେବଳ ଚେଷ୍ଟା କରନ୍ତି । ଆମର କାଠ ଖୋପ ଭଳି ତାଙ୍କର ମଧ୍ୟ ଗୋଟାଏ ଲେଖା କାଠ ଖୋପ ଅଛି । ଆମେ ତାକୁ ଚପେଇଲା ଭଳି ସେମାନେ ମଧ୍ୟ ଆମ ଉପରେ ତାଙ୍କ ଖୋପ ପକେଇବାକୁ ଚେଷ୍ଟା କରନ୍ତି । ତାଙ୍କ ଖୋପ ଭିତରୁ ଯେ ବହୁତ ବ୍ୟକ୍ତି ନ ଯାଆନ୍ତି ତା’ ନୁହେଁ । ସେଠୁ ଯେ ପୁଣି ଆମ ଗୋଷ୍ଠୀକୁ ଫିଟି ନ ଆସନ୍ତି ତା’ ନୁହେଁ । ସେମାନେ ସବୁବେଳେ କହନ୍ତି ଯେ, ଆମେ ଅବିଦ୍ୟାଗ୍ରସ୍ତ, ସେମାନେ ଆଲୋକର ଦ୍ରଷ୍ଟା, ସତ୍ୟର ଦ୍ରଷ୍ଟା । ତାକୁ ଆମେ ଧୈର୍ଯ୍ୟର ସହିତ ଶୁଣୁ, କିନ୍ତୁ ଆମର ସେଇ ଗୋଟିଏ ପ୍ରଶ୍ନ, “ସତ୍ୟ କ’ଣ” ? ବହୁ ପ୍ରକାର ଉତ୍ତର ଆସେ । ଆମେ ବୁଝୁ ଯେ କୌଣସିଟି ଠିକ୍ ଉତ୍ତର ନୁହେଁ । ଠିକ୍ ଭୁଲ୍ ବୁଝିବାର ଅଧିକାର ଆମର ଅଛି । ଆମର ସେଥିପାଇଁ ନିୟମ ମଧ୍ୟ ଅଛି-

 

ଆମେ ଯିଶୁକୁ କଣ୍ଟାର ମୁକୁଟ ପିନ୍ଧାଇବାରେ ଆପତ୍ତି କରୁନାହିଁ, କାରଣ ଆମେ ତାକୁ କ୍ରୁଶବିଦ୍ଧ କରିବାକୁ ହୁକୁମନାମା ସ୍ଵାକ୍ଷର କରୁ । କିନ୍ତୁ ବହୁକାଳ ପରେ ଆମେ ଦେଖୁ ଯେ, ଆମ କାଠ ଖୋପର ନିୟମ ଭିତରେ ଯିଶୁ, କନଫୁସିଅସ୍, ସକ୍ରେଟିସ୍ ସମସ୍ତେ ବନ୍ଧା ପଡ଼ିଛନ୍ତି । ତାଙ୍କର ଉପଦେଶ ସବୁକୁ ୟା ଭିତରେ ସ୍ଵୀକୃତି ମିଳି ଗଲାଣି । ତାରି ଜରିଆରେ ଏବେ ପୁଣି ବିଷ ଦେବା ବା କ୍ରୁଶବିଦ୍ଧ କରିବା ଆହୁରି ନ୍ୟାୟସଙ୍ଗତ ବୋଧ ହେଉଛି । ଅନ୍ୟକୁ ଆହୁରି ନିଠେଇ ବିଚାର କରିବାକୁ ସୁବିଧା ମିଳୁଛି । ସେଇ ନିୟମରେ ନିଜେ ନିଜକୁ ବିଚାର କରୁ ନାହାନ୍ତି ବୋଲି ଅନ୍ୟଙ୍କୁ ଦଣ୍ଡ ଦିଆ ହେଉଛି, ଅପମାନ ଦିଆ ହେଉଛି । ଏଇ ଦଣ୍ଡ ଦେବା ପାଇଁ ଯେତେବେଳେ ଯେଉଁ ନିୟମ ସୁହେଇଲା ତାକୁ ଦ୍ୱାହିଦେଇ ଆଦେଶନାମା ସ୍ଵାକ୍ଷର ହେଉଛି । ଫଳରେ ସେଇ ପୁରୁଣା କଥା । ପାଇଲେଟ୍ ଅହରହ ଯିଶୁକୁ କ୍ରୁଶବିଦ୍ଧ କରି ଚାଲିଛି । ଆମେ ଯିଶୁର ରକ୍ତରେ ଫସଲ ଉଠେଇ ଚାଲିଚେ ।

 

ଏବେ ମଧ୍ୟ ଯିଶୁକୁ ପାଇଲେଟ୍ ହତ୍ୟା କରିବ । ସେଥିରେ ତାର ସଂକୋଚ ନାହିଁ । ଯେତେବେଳ ଯାଏଁ ଯିଶୁର ରକ୍ତରେ ସମଗ୍ର କାଠ ଖୋପ ଭରପୂର ହୋଇ ଉଛୁଳି ନ ଯାଇଛି, ସେ ପର୍ଯ୍ୟନ୍ତ ଏ ନିୟମ ବୋଧହୁଏ ଚାଲିଥିବ ! ପାଇଲେଟ୍ ପ୍ରଥମେ ଜାରା ସ୍ତରକୁ ଉଠି ଆସିଲେ, ଅନୁତାପ କରିବା ଶିଖି ପାରନ୍ତା । ଯେ ତାକୁ ପ୍ରେମ ଦେଇଛି, ତାକୁ ଥରେ ଚିହ୍ନିଲେ ତା’ ଉପରେ ଶର ପ୍ରହାର କରି ପାରନ୍ତା ନାହିଁ । ନିଜର ଦୁଷ୍କର୍ମକୁ ଦୁଷ୍କର୍ମ ବୋଲି ବୁଝି ପାରନ୍ତା । ଫଳରେ ନିଜେ ହାଣିଥିବା କ୍ଷତ ଉପରେ ଲୁହ ଢାଳି କ୍ଷମା ପ୍ରାର୍ଥନା କରି ଶିଖନ୍ତା । କୃତଜ୍ଞତା ଶିଖନ୍ତା ।

 

ତା’ପରେ ହୁଏତ ପାଇଲେଟ୍ ଇଛା କରନ୍ତା ନିଜେ କାଠ ଘଡ଼ା ଭିତରେ ଠିଆ ହୋଇ କଣ୍ଟାର ମୁକୁଟ ପିନ୍ଧିବାକୁ । ନିଜେ ନିଜର କ୍ରୁଶ ବହନ କରି ତା’ ଉପରେ ବିଦ୍ଧ ହେବାକୁ । ପ୍ରତ୍ୟେକ କଣ୍ଟାର ଆଘାତରେ ସେ ଅନୁଭବ କରନ୍ତା, ସାମୁହିକ ପ୍ରାଣୀ ଜଗତର ଅନନ୍ତ ଯାତନା । ଅନ୍ୟର ପାପ ପାଇଁ ନିଜେ ପ୍ରାୟଶ୍ଚିତ ଲୋଡ଼ି ନିଅନ୍ତା । ସେଇ ବୋଧହୁଏ ତା’ର ଚରମ ମୁହୂର୍ତ୍ତ, ଯେତେବେଳେ ଚକ୍ଷୁ ତୋଳି ଦେଖି ପାରନ୍ତା ତା’ର ପିତାକୁ, ଯାହାକୁ ସେ ଯିଶୁଙ୍କ ପିତା ବୋଲି ସ୍ଵୀକାର କରୁ ନ ଥିଲା, ଜାଣି ମଧ୍ୟ ପାରୁ ନ ଥିଲା । କିନ୍ତୁ ପାଇଲେଟ୍ ଉପରେ ବିଚାରର ଅଧିକାର କିଏ ନେବ ? ଯିଶୁ କ’ଣ ଏଥିପାଇଁ ରାଜି ହେବେ ?? ତାଙ୍କ ଅଗାଧ ପ୍ରେମର ନିଦର୍ଶନ ସ୍ୱରୂପ, ସେ କ’ଣ ପାଇଲେଟ୍‍କୁ ଏ କଣ୍ଟାର ମୁକୁଟ ପିନ୍ଧେଇ ସମ୍ରାଟ କରିପାରିବେ ? କ୍ରୁଶ ଉପରେ ଲାଖିରହି ଜଗତର ଯାତନା ମାଧ୍ୟମରେ ଅନନ୍ତ ପ୍ରେମର ଆସ୍ଵାଦନ ସୌଭାଗ୍ୟ ଦେଇ ପାରିବେ ? ହେ ଯିଶୁ ! ସେ ପର୍ଯ୍ୟନ୍ତ ତୁମେ ଅହରହ କ୍ରୁଶବିଦ୍ଧ ହିଁ ହେଉଥିବ । ଅନନ୍ତ କାଳ ଅବଧି ଝରୁଥିବ ତୁମର ରକ୍ତ !

Image

 

ଶିଷ୍ଟାଚାର

 

କେତେକ ପର୍ଯ୍ୟ।ୟର ଅଭଦ୍ର ବ୍ୟବହାର ସଭ୍ୟ ସମୟରେ ଦଣ୍ଡନୀୟ ଅପରାଧ ରୂପେ ବିବେଚିତ ହୁଏ । ଯଦି କୌଣସି ଅଶିକ୍ଷିତ ମଦ୍ୟପ (ଶିକ୍ଷିତ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ ) ଭାଷା ଏବଂ ପରିଚ୍ଛଦରେ ଅସମାଜିକ ଅସଂଯମ ପ୍ରକାଶ କରେ ତାକୁ ତତ୍‍କ୍ଷଣାତ୍ କଏଦି କରିବା ନିୟମାନୁମୋଦିତ । ଏହା ଅତି ସ୍ଥୂଳ ଏବଂ ପ୍ରକାଶ୍ୟ ଭାବରେ ରୁଚିଭଙ୍ଗ କରେ; ଏଣୁ ଏହାର ଅମାର୍ଜନୀୟ ଦଣ୍ଡନୀୟତା ବିଷୟରେ ବୋଧହୁଏ ମତାନ୍ତରର ଅବକାଶ ନାହିଁ । କିନ୍ତୁ ସାମାଜିକ ଜୀବନରେ ଦୈନନ୍ଦିନ କ୍ରିୟା କଳାପରେ ଅସଂଖ୍ୟ ତ୍ରୁଟି ରହିଯାଏ, ଯାହା ଅଶିଷ୍ଟ, ଅଭଦ୍ର ଏବଂ କୁରୁଚି ବ୍ୟଞ୍ଜକ । ସେଥିରୁ ଅଧିକାଂଶ ହୁଏତ ଦଣ୍ଡନୀୟ ହେଲେ ଚଳିବା ଦୁଷ୍କର ହେବ; କିନ୍ତୁ ଦଣ୍ଡ ଦେଲେ ବେଶ୍ ଫଳପ୍ରଦ ହୁଅନ୍ତା ନା କ’ଣ । ଅବଶ୍ୟ କେତେ ଜଣ ଅତି ଅସ୍ଵାଭାବିକ ଭାବରେ ରୁଚି ନିୟମର ପକ୍ଷପାତି ଏବଂ ତାକୁ ମାନି ଚଳିଲେ ସାମାଜିକ ଜୀବନ ଅସ୍ପୃହଣୀୟ ଏବଂ ଦୁର୍ବହ ହୋଇଯିବ । ସେମାନେ ଏ ଦିଗର ଚରମପନ୍ଥୀ । ଏଣୁ ସର୍ବଦା ବର୍ଜନୀୟ । ଶିଷ୍ଟାଚାରର ବ୍ୟାଜରେ ଅତ୍ୟାଚାର ବାଞ୍ଚ୍ଥନୀୟ ନୁହେଁ ଏବଂ ଜୀବନକୁ ସହଜ ସୁନ୍ଦର ନ କରି ଅସ୍ଵାଭାବିକ ଓ ପଙ୍ଗୁ କରି ସ୍ଵାଧୀନତାର ପକ୍ଷଚ୍ଛେଦ କରିବାର କୌଣସି ତାତ୍ପର୍ଯ୍ୟ ମଧ୍ୟ ନାହିଁ । ଏକପକ୍ଷେ ଅଶୋଭନୀୟ ଅଭଦ୍ରତାରୁ ବଞ୍ଚିବାକୁ ହେବ ଏବଂ ଅନ୍ୟପକ୍ଷେ ଚରମ ଶିଷ୍ଟାଚାରର ବିକୃତିରୁ ରକ୍ଷା ପାଇବାକୁ ହେବ । ଜୀବନର ଅନ୍ୟାନ୍ୟ ଅନେକ କ୍ଷେତ୍ର ପରି ଏ କ୍ଷେତ୍ରରେ ମଧ୍ୟ ‘ମୁରାରେଃ ତୃତୀୟ ପନ୍ଥା’ ସର୍ବାପେକ୍ଷା ଶ୍ରେୟସ୍କର !

 

ଶିଷ୍ଟାଚାର ସ୍ଵସ୍ଥ ସାମାଜିକ ଜୀବନର ଅଙ୍ଗ । ଯୁଗ ଅନୁସାରେ ସମାନ ରୁଚି ମଧ୍ୟ ବଦଳି ଯାଏ ଏବଂ ଶିଷ୍ଟତାର ମାନଦଣ୍ଡ ମଧ୍ୟ ତଦନୁସାରେ ପରିବର୍ତ୍ତିତ ହୋଇଯାଏ । ଯଥା ବନ୍ଧୁ ସମ୍ଭାଷଣରେ ପୂର୍ବେ କୁହାଯାଉ ଥିଲା, ‘ଅହୋ ଭାଗ୍ୟ ମହାଶୟେ; ଆସିବା ହେଉନ୍ତୁ ! ବସିବା ହେଉନ୍ତୁ ! ଆଉ ଆପଣଙ୍କର ସବୁ କୁଶଳ ତ ?’ ବର୍ତ୍ତମାନ ହୁଏତ’ କୁହାଯିବ–“ଆରେ, ଆପଣ ଯେ-! କେବେ ଆସିଲେ ? ଆପଣଙ୍କର ତ’ ଆଜିକାଲି ଦେଖା ନାହିଁ । ଯାହାହେଉ ଆପଣଙ୍କ ସଙ୍ଗେ ଅନେକ ଦିନ ପରେ ଦେଖାହେଲା ! ଆଉ ସବୁ ଭଲ ତ’ !” ଏପରି କିଛି । ପ୍ରଥମଟିରେ ହୁଏତ ବହୁ ହାର୍ଦିକତା ଏବଂ କୃତକୃତ୍ୟତା ପ୍ରକାଶ ପାଉଛି, କିନ୍ତୁ ଦ୍ଵିତୀୟଟିରେ, ଏକ ବିସ୍ମୟଭାବ, ହୁଏତ ସାମାନ୍ୟ କିଛି ଭଲ ପାଇବା ଏବଂ ତଦ୍‍ଜନିତ ଆନନ୍ଦ ମିଶି ରହିଛି । ଏଠି ସ୍ମରଣ ରଖିବା ଆବଶ୍ୟକ ଯେ, ଅନ୍ତରଙ୍ଗ ମହଲରେ ବହୁ ଅଭଦ୍ରତା ଯେ କ୍ଷମା କରାଯାଏ, ତା’ ନୁହେଁ ବରଂ ଭଦ୍ର ଏବଂ ଶିଷ୍ଟ ବ୍ୟବହାରରେ ବନ୍ଧୁତା କ୍ଷୁଣ୍ଣ ହୁଏ । ଘନିଷ୍ଠ ବନ୍ଧୁତା ଶିଷ୍ଟାଚାରର ରେଖାଙ୍କିତ ଚତୁଃସୀମାର ବହିର୍ଭୂତ । ତା’ର ନିୟମ କାନୁନ୍ ଅଲଗା । ହୁଏତ ନିକଟରେ ସମ୍ପର୍କ ପାଇଁ ଆପେକ୍ଷିକ ନଗ୍ନତା ପ୍ରୟୋଜନ ଅଛି । ସେଥିରେ ପରସ୍ପର ପ୍ରତି ସଂକୋଚ ନ ଥାଏ, ଥାଏ ଏକ ସ୍ପଷ୍ଟ ପ୍ରାଞ୍ଜଳ ଅଭିବ୍ୟକ୍ତି; କିନ୍ତୁ ଶିଷ୍ଟାଚାର ଅଭିଜାତ ସମାଜର ଖୁବ୍ ଖଳି ଲଗା ଶାଣ ଦିଆ ସୁଦୃଶ୍ୟ ପରିଚ୍ଛଦ । ତାହା ପରସ୍ପର ପ୍ରତି ଆକର୍ଷଣ ଏବଂ ସହନଶୀଳତା ଉତ୍ସାହିତ କରେ ।

 

କିନ୍ତୁ ସେହି ଅନୁପାତରେ ବ୍ୟବଧାନ ଏବଂ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରେ । ଯେପରି ରଙ୍ଗମଞ୍ଚରେ ଜଣେ ଆଉ ଜଣକୁ ଏକ ଭିନ୍ନ ଅସ୍ଵାଭାବିକ ଭୂମିକାରେ ଦେଖିବାକୁ ପାଏ । ଶିଷ୍ଟାଚାର ଏକ ପ୍ରକାର ଅଭିନୟ, କିନ୍ତୁ ସାମାଜିକ ଜୀବନ ପାଇଁ ଏକ ଅତ୍ୟାବଶ୍ୟକ ଅପରିହାର୍ଯ୍ୟ ଅଭିନୟ ।

 

ସମାଜରେ ବିଭିନ୍ନ ଧରଣର ଏବଂ ପର୍ଯ୍ୟାୟର ସାମାଜିକ ସମ୍ପର୍କ ଥାଏ । ଘନିଷ୍ଠ ବନ୍ଧୁ ପରି ସର୍ବାଦୌ ଅପରିଚିତ ବ୍ୟକ୍ତି ସହିତ ମଧ୍ୟ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଆଚରଣର ନିୟମ ବନ୍ଧନ ନାହିଁ । ସ୍ୱଳ୍ପ ପରିଚୟ ବା ପ୍ରଥମ ପରିଚୟ ହିଁ ଶିଷ୍ଟାଚାରର ଉତ୍ତମ କ୍ଷେତ୍ର । ପ୍ରଥମ ପ୍ରକାର ସମ୍ପର୍କରେ କିଞ୍ଚିତ ପ୍ରଗ୍‍ଳଭତା, କିଞ୍ଚିତ ସ୍ଵାଭାବିକତା ଏପରିକି ଉଚ୍ଛୃଙ୍ଖଳତା ଏବଂ ଦ୍ଵିତୀୟ କ୍ଷେତ୍ରରେ ଘନ ଶୀତଳ ନିର୍ବିକାର ନିସ୍ପୃହ ନୀରବତା ହିଁ ପରିଲକ୍ଷିତ ହୁଏ । କିନ୍ତୁ ତୃତୀୟ ପ୍ରକାର ସମ୍ପର୍କରେ ସମସ୍ତ ପ୍ରକାର ଶାଳୀନତା, ଭଦ୍ରତା, ଭାଷା ଏବଂ ସମ୍ଭାଷଣର ପରିମାର୍ଜିତ ଅଭିବ୍ୟକ୍ତିର ବିଶେଷ ପ୍ରୟୋଜନ । ଗୋଟିଏ କଳ୍ପିତ ଉଦାହରଣ ନିଆଯାଉ । କୌଣସି ଗୋଟିଏ ଉତ୍ତର ଭାରତୀୟ ନଗରୀରେ ଶୀତାର୍ତ୍ତ ସନ୍ଧ୍ୟା । ବତୀଖୁଣ୍ଟ ଚାରିପାଖେ ଥଣ୍ଡା ପବନଟାଇ ଜମାଟ ବାନ୍ଧି ଆସୁଛି । ସାମାନ୍ୟ ଅନ୍ଧକାରରେ ଦୁଇଜଣ ବ୍ୟକ୍ତି ଆଳାପ କରୁଛନ୍ତି । ଶୀତୋପଯୋଗୀ ପରିଚ୍ଛଦରେ ଉଭୟେ ଆବୃତ–ଅନ୍ୟ ଦିଗରୁ ତୃତୀୟ ବ୍ୟକ୍ତି ଜଣକ ଆସୁଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ତାଙ୍କର ପରିଚିତ ଏବଂ ଅନ୍ୟ ଜଣକୁ ପରିଚୟ କରେଇ ଦେବା କର୍ତ୍ତବ୍ୟ ମନେ କରନ୍ତି । ପ୍ରଥମତଃ ଶୀତଳ ନୀରବତା ଏବଂ ପରେ ସାମାନ୍ୟ ହସ, କର ମର୍ଦ୍ଦନ, ତା’ପରେ ବିସ୍ମୟ; “ଆପଣ ପାଣିଗ୍ରାହୀ ତା’ହେଲେ ଓଡ଼ିଶାର !”

 

“ଆଜ୍ଞା ଆମ ଘର ଭଦ୍ରଖରେ ।”

 

“ଭଦ୍ରଖରେ ! କାହା ଘର?”

 

‘‘ଆଜ୍ଞା ବିଶ୍ୱନାଥ ପାଣିଗ୍ରାହୀ ମୋର ବଡ଼ ଭାଇ ।’’

 

“କ’ଣ ହେଲା !! ତୁ ଟୁନା କିରେ !”

 

“କିଏ ? –ବାବୁଆ !!”

 

ତା’ପରେ ମଧ୍ୟସ୍ଥ ବନ୍ଧୁଙ୍କ ସାକ୍ଷାତରେ ଭାଙ୍ଗିଯାଏ ଶ୍ଳୀଳତା ଏବଂ ଭଦ୍ର ଆଚରଣର ପ୍ରାଚୀର । ଦୁହେଁ ସାଧାରଣ ଦୃଷ୍ଟିରେ ଅତି ଅଭଦ୍ର ଭାବରେ ପରସ୍ପରକୁ କୁଣ୍ଢେଇ ରାସ୍ତାରେ ଗୁଡ଼ାଏ ହେଁ ହେଁ ହୁଅନ୍ତି । ଏଥିରେ ଲକ୍ଷ୍ୟ କରିବା କଥା, କିପରି ତ୍ରିବିଧ ସମ୍ପର୍କରେ ତ୍ରିବିଧ ବ୍ୟବହାର ଉପର୍ଯୁ ପରି ଆସି ପହଞ୍ଚି ଯାଇଛି । ଅତଏବ ବାକ୍ ଶାଳିନ୍ୟ ଓ ଶିଷ୍ଟାଚାର କେବଳ ଅର୍ଧ ପରିଚିତ ମଧ୍ୟମ ଧରଣର ସମ୍ପର୍କ ପର୍ଯ।ୟରେ ହିଁ ସୀମାବଦ୍ଧ ।

 

ଅବଶ୍ୟ ପାରିବାରିକ ଜୀବନରେ ମଧ୍ୟ କିଞ୍ଚିତ୍ ଶାଳୀନତା ରକ୍ଷା କରିବା ଅପରିହାର୍ଯ୍ୟ । କାରଣ ପାରିବାରିକ ଜୀବନ ଏକ ପ୍ରକାର ଘନିଷ୍ଠତର ସାମାଜିକ ଜୀବନ । ତାହା ବନ୍ଧୁତା ପର୍ଯ୍ୟାୟରେ ନୁହେଁ । ଯଦି ସାମାଜିକ ଜୀବନରେ ରୁଚି ଭଙ୍ଗ ଭୟରେ ଶିଷ୍ଟାଚାର ପାଳନୀୟ ପରିବାରରେ ନୀତି ଭଙ୍ଗ ପାଇଁ ସୌଜନ୍ୟ ଅବଶ୍ୟ କର୍ତ୍ତବ୍ୟ । ଗୁରୁଜନଙ୍କ ସମ୍ମୁଖରେ ଯଥେଷ୍ଟ ସଂଯମ ଆବଶ୍ୟକ–ବାକ୍ୟରେ ଓ ଚାଲି ଚଳନରେ । ଏଥିରେ ବିଶିଷ୍ଟ ପାର୍ଥକ୍ୟ ଅବଶ୍ୟ ଆନ୍ତରିକତାରେ ଅଛି । ଶିଷ୍ଟାଚାରରେ ହୁଏତ ସଚେତନ ବ୍ୟକ୍ତି ଅନୁଭବ କରେ ଯେ, ସେ ଟିକିଏ ଅଭିନୟ କରୁଛି । କିନ୍ତୁ ପରିବାରରେ ସେ ଅଭିନୟ କରେ ନାହିଁ, ତଦ୍‍ଗତ ପ୍ରାଣରେ ଏପରି ଅଭିନୟ କରେ ଯେ ଭୂମିକା ସହିତ ଏକାତ୍ମବୋଧ ଆସିଯାଏ ।

 

ତିରିଶ ବର୍ଷ ପୂର୍ବରୁ ହୁଏତ ବାପ, କକା ଆଗରେ ସଳଖି ଠିଆହେବା ଅଶିଷ୍ଟ ଆଚରଣର ଅନ୍ତର୍ଭୁକ୍ତ ଥିଲା, ଉତ୍ତର ଦେବା ଥିଲା ଅବାଧ୍ୟତା, ଅଭଦ୍ରତାର ଲକ୍ଷଣ । କିନ୍ତୁ ଅଧୁନା ଚଳଚିତ୍ର ଯୁଗରେ ଉଭୟ ପିତା ପୁତ୍ର ଜୀବନର ଅତି ଗୋପନୀୟ ଏବଂ ଘନିଷ୍ଠ ପରିସ୍ଥିତିର ଚିତ୍ର ଏକତ୍ର ଦେଖିବା ଦ୍ଵାରା, ତାଙ୍କର ପାରସ୍ପରିକ ସମ୍ପର୍କ ଏବଂ ଦୃଷ୍ଟି ଭଙ୍ଗୀରେ ଅନେକ ପାର୍ଥକ୍ୟ ଆସି ଯାଇଛି । ବୟଃପ୍ରାପ୍ତ ପୁତ୍ର ଏବଂ ପିତା ବର୍ତ୍ତମାନ ପ୍ରାୟ ବନ୍ଧୁ ଶ୍ରେଣୀଭୁକ୍ତ । ଶିଷ୍ଟାଚାର ଜନିତ ସଂକୋଚର ଅଭାବ ହିଁ ବିଶେଷ ପରିଲକ୍ଷିତ ହୁଏ ।

 

ଯୁଗରୁଚି ଅନୁଯାୟୀ ସମାଜରେ ଏକ ପ୍ରକାର ବ୍ୟବହାର ପ୍ରଣାଳୀ ଗଢ଼ି ଉଠେ । ନୀତି ନିୟନ ମଧ୍ୟ ତା’ ସାଙ୍ଗରେ ସଂଯୋଜିତ ହୁଏ, ଏବଂ ଏହି ପ୍ରଭାବରେ ବ୍ୟକ୍ତି ଜୀବନ ହୁଏ ଶୃଙ୍ଖଳିତ । ସମାଜ ତ ଅବିମିଶ୍ର ଏକ ଗୁଣବାଚୀ ଅନୁଷ୍ଠାନ ନୁହେଁ । ସେଥିରେ ବହୁ ଗୋଷ୍ଠୀ ଏବଂ କୋହଳ ଅର୍ଥରେ କହିଲେ ବହୁ କ୍ଷୁଦ୍ର ସମାଜ ରହିଛନ୍ତି । ଏହି କ୍ଷୁଦ୍ର ସମାଜଗୁଡ଼ିକର ପ୍ରତ୍ୟେକଟିରେ କିଛି ବିଶିଷ୍ଟ ନୀତି ନିୟମ ରହିଛି, ପାରସ୍ପରିକ ବ୍ୟବହାରକୁ ନିୟମିତ କରିବା ସକାଶେ । ମନେହୁଏ ଅର୍ଥନୈତିକ ଏବଂ ସାଂସ୍କୃତିକ ସୋପାନ ଉପରେ ଶିଷ୍ଟାଚାରର ବିପୁଳତା ନିର୍ଭର କରେ । ସରଳ ନିରାଡ଼ମ୍ବର ଜୀବନରେ ଆଚରଣ ମଧ୍ୟ ଅତି ସହଜ ଏବଂ ସ୍ଵାଭାବିକ । ସେଥିରେ ଶିଷ୍ଟାଚାରର ନିୟମ ମଧ୍ୟ ଖୁବ୍ କୋହଳ । କିନ୍ତୁ ଯେ କୌଣସି ଅଭିଜାତ୍ୟର ଅପରିହାର୍ଯ୍ୟ ଗୁଣ ହେଲା ଏକ ବିଶଦ୍ ଲମ୍ବା ଚୌଡ଼ା ଶିଷ୍ଟାଚାରର ଫର୍ଦ । ଊନବିଂଶ ଶତାବ୍ଦିର ଇଂରାଜ ଅଭିଜାତ ଶ୍ରେଣୀରେ ଚଳିବା ଅତି ଦୁଷ୍କର ହୋଇ ଉଠିଥିଲା । କୋଟର ଲମ୍ବାଇ, ଟୋପିର ଗୋଲେଇ, ନିଶ, ହସ କାଶ, ସମସ୍ତର ନିର୍ଦ୍ଧିଷ୍ଟ ଦୈର୍ଘ୍ୟ, ଭାଷାର ଟଣା ଓଟରା ଅସ୍ୱାଭାବିକତା ସବୁ ନିୟମାବଦ୍ଧ । ଭୋଜିରେ ଖାଇବା ବିଷୟ ଉତ୍‍ଥାପନ କରିବା ଅତି ଭୟଙ୍କର ଅଶିଷ୍ଟାଚାର । ଖାଇବାରେ ଶବ୍ଦ ହେବା, ଦାନ୍ତ ଦିଶିଯିବା, ଖାଇବା ବେଳେ କଥା କହିନପାରିବା, ମହିଳା ଥିବା ସ୍ଥଳେ ଏଉଡ଼ି ମାରିଦେବା, ଛେପ, ଖଙ୍କାର ଆଦି ଶବ୍ଦ ଉଚ୍ଚାରଣ କରିଦେବା–ଘୋର ବ୍ୟତିକ୍ରମ ରୂପେ ପରିଗଣିତ ହେଉଥିଲା ଏବଂ ଭଦ୍ର ସମାଜରେ ଏପରି କୁରୁଚିପୂର୍ଣ୍ଣ ବ୍ୟକ୍ତିଙ୍କର ସ୍ଥାନ ନ ଥିଲା । ଲୁହା ଖୋଳରେ ପଶି ଚିନା ମହିଳାଙ୍କର ପାଦ ଯୋଡ଼ିକ ସୁନ୍ଦର ହେବା ପୂର୍ବରୁ ଯେପରି ଖଳିତ ହୋଇ ଅକର୍ମଣ୍ୟ ହୋଇଯାଏ ସେପରି ଅସ୍ୱାଭାବିକ ସୌଜନ୍ୟ ରକ୍ଷାକରି ବ୍ୟକ୍ତି ଜୀବନ ହୋଇଯାଏ କ୍ଳୀବ । ଆମ ଓଡ଼ିଶାରେ ଏକଦା ଗୋଟିଏ ଗ୍ରାମର ପ୍ରତିପତ୍ତି–ପରିବାର ‘ନୂଆ ମହତ’ ଶିଖିବାର କିମ୍ବଦନ୍ତୀ ଅଛି । ସେଥିରେ ‘ବାପ ଆପଣ’ ‘ପୁଅ ଆଜ୍ଞା’ କହିବା ବିଧି ଥିଲା–ଅନେକ ଅତିଥିଙ୍କର ସମ୍ମୁଖରେ ଏବଂ ବି ବାକ୍ୟ ଶୁଣିବାକୁ ମିଳିଲା । “ବାପା ଆପଣ ! କେଉଁ ଦିଗକୁ ଯିବାର ହେଉଛନ୍ତି ।” “ପୁଅ ଆଜ୍ଞା ! ଦକ୍ଷିଣକୁ କାଟି ପୂର୍ବରୁ ଅଧେ ଯିବାର ବିଚାର ଅଛି ।”

 

ଏପରି ଆହୁରି ଅନେକ ହାସ୍ୟାସ୍ପଦ ପରିସ୍ଥିତିରେ ଅତି ଶିଷ୍ଟାଚାରର ବର୍ଜନୀୟ ରୂପ ଦେଖିବାକୁ ମିଳେ । ମୋଗଲ ବାଦ୍‍ଶାହ ଦରବାରରେ ଏ ଶିଷ୍ଟାଚାର ବହୁ ଜଟୀଳ ଏବଂ ଅସମ୍ଭାଳ ଆଡ଼ମ୍ବର ନେଇ ଗଢ଼ି ଉଠିଥିଲା । କେବଳ ଗୋଟିଏ ଉଦାହରଣ ଦିଆଯାଉ–“ନିଜ କଥା ଯେତେ ନ୍ୟୂନ କରି କୁହାଯାଇପାରେ ସେତିକି ଶିଷ୍ଟାଚରଣ ହେଉଥିଲା ।” ଜଣେ ଅମିର ତାଙ୍କର ଜଣେ ଆପେକ୍ଷିକ ଗରିବ ବନ୍ଧୁକୁ ନିମନ୍ତ୍ରଣ ଦେଲେ । ବିରାଟ ଉଆସ, ବିହୁଡ଼ି ଲଗା ଦରବାଜା–ଦ୍ୱାରେ ଦ୍ୱାରେ ସନ୍ତ୍ରୀ । ଖାଇବାକୁ ପଲାଉ ଖୁର୍ମା–ରାଜପୁତ୍ର ପରି ଦୁଇ ପୁଅ–ଏ ସମସ୍ତକୁ ସେ ବିନୟର ସହିତ କହିଲେ–“(ତସରିଫ୍ ଲାଇଏ, ହମାରେ ଗରିବ ଖାନେ ମେ–ଔର ଏ ଶୁଖି ରୁଖି ଯୋ ହେ ତକଲିଫ୍ ଉଠାଇୟେ–)” “ଆପଣ ମୋର ଗରିବ କୁଟୀରକୁ ଆସିବା ହେଉନ୍ତୁ, ଆଉ ଯାହା କିଛି ଶୁଖା ରୁଖା ଅଛି କଷ୍ଟ ସ୍ଵୀକାର କରି ଭୋଜନ କରନ୍ତୁ ।” ଇତ୍ୟାଦି । ଆର ଜଣକୁ ପଡ଼ିଗଲା ଅସୁବିଧା । ଶିଷ୍ଟାଚାର ପାଇଁ, ସେ ଆହୁରି ଗୋଟିଏ ସୋପାନ ତଳକୁ ଯିବା ବିଧେୟ, କାରଣ ତାଙ୍କର ଘର ଦ୍ଵାର ଏବଂ ଖାଇବା ପିଇବା ଏତେ ଉଚ୍ଚ କୋଟୀର ନିଶ୍ଚୟ ନ ଥିଲା–ଅତଏବ ସେ ନିମନ୍ତ୍ରଣ କଲେ, “(–ଆପ ହମାରେ ପା’ ଖାନେମେ ତସରିଫ୍ ଲାଇୟେ, ଔର ଜୋ କୁଛ ଗୁହ ଗୋବର ହେ ଉସେ ତକଲିଫ୍ ଉଠାଇୟେ)” “ଆପଣ ମୋର ପାଇଖାନାକୁ (ଅର୍ଥାତ ଆପଣଙ୍କ ତୁଳନାରେ ପାଇଖାନା ସୂରୂପ ବସଭାବନକୁ) ଆସିବା ହେଉନ୍ତୁ ଏବଂ ଯାହା କିଛି ଗୁହ ଗୋବର ଅଛି, ତାହା ସେବନ କରନ୍ତୁ ।” –ଅତି ଚରମପନ୍ଥୀ ଶିଷ୍ଟାଚାରୀ ଦଳ ଏହିପରି ହାସ୍ୟାସ୍ପଦ ହୋଇଥାନ୍ତି ।

 

କିନ୍ତୁ ସାଧାରଣ ବ୍ୟବହାରରେ ତ୍ରୁଟି ଆସେ ଅସଂଯମରୁ । ଯଥା–ଜଣକର ପ୍ରଥମ ପରିଚୟ ସମ୍ଭାଷଣ–“ଓ, ତା’ହେଲେ ଆପଣ କେବେ ଯାଉଛନ୍ତି ?” ହଠାତ୍ ଜଣକୁ ଅବାଞ୍ଛନୀୟ ବ୍ୟାଧିତୁଲ୍ୟ ଦେହରୁ ଝାଡ଼ିଦେବାଠାରୁ ବଳି ବୋଧହୁଏ ଆଉ ମର୍ମନ୍ତୁଦ ଅଶିଷ୍ଟାଚାର ନାହିଁ–ତା’ପରେ ହେଲା ନୂଆ ପରିଚିତକୁ ଚମକେଇବା । ଯଥା–“ଆପଣ କୃଷି ବିଭାଗରେ କାମ କରନ୍ତି ? ଓଃ ଆପଣଙ୍କର ଡାଇରେକ୍ଟର ଶ୍ୟାମ ବାବୁ ମୋର ବନ୍ଧୁ । ଡେପୁଟି ଡାଇରେକ୍ଟର ଯେତେକ ସବୁ ମୋ ଶଳାର ସାଙ୍ଗମାନେ । ଧରନ୍ତୁ ଶଳା–ଆପଣଙ୍କର ଏଠାରେ ଅଫିସର୍ ? ଓ ଧନେଇ, ଧନେଶ୍ଵର ସେ ପରା ଦୈନିକ ତିନିଥର ଗାଡ଼ି ଧରି ଆସେ ତା’ ଫାର୍ମ ଦେଖି ଯିବାକୁ । ମୋତେ କ’ଣ ବେଳ ଅଛି ! ହେଇ କାଲି କଲେକ୍ଟର ଚା’ ଖାଇବାକୁ ଆସିଥିଲେ...ଆରେ ଦେଖିଲ, ସେ ଦୋକାନ ବାଲାର ଫଳ ସାଲାଦ୍ ବାବଦକୁ ଟ୬୦ ବାକି ଦିଆଯିବା କଥା’’ ଇତ୍ୟାଦି । ଏ ସମସ୍ତ ଡିଣ୍ଡିମନାଦ ପ୍ରାୟ ଶହେରେ ଅଶିଏ ମିଥ୍ୟା । ଧରାଯାଉ ଯଦି ସତ ତଥାପି କହିବା ଭଙ୍ଗୀରେ ଏବଂ ଉଦ୍ଦେଶ୍ୟରେ ଏହା ଘୋର କୁରୁଚି ବ୍ୟଞ୍ଜକ । ଆଉ ଏକ ପରିସ୍ଥିତି ନିଆଯାଉ, ପ୍ରତି କ୍ଷେତ୍ରରେ ଧରି ନେବାକୁ ହେବ ଯେ ପରିଚୟ ଶିଷ୍ଟାଚାର ସାପେକ୍ଷ୍ୟ–ଆପଣ ଏବଂ ଆଉ ଦୁଇ ତିନି ଜଣ ଠିଆ ହୋଇଛନ୍ତି । ହଠାତ୍ ନୂଆ ପରିଚିତ ଜଣେ ଆପଣଙ୍କର ପରିଧେୟକୁ ଚୁମୁଟି ଖୁବ୍ ବ୍ୟବସାୟୀ ଗଳାରେ ପଚାରୁଛନ୍ତି, “ଏଇଟା କ’ଣ ଟେରିଲିନ୍–ୟା ଗଜ କେତେ ?” ଦୋକାନରେ ବହୁ ନମୁନାର କପଡ଼ା ଚୁମୁଟି ଚୁମୁଟି ଯେମିତି ଦୋକାନୀକୁ ନ ଚାହିଁ ତାକୁ କୌଣସି ଗୋଟିକର ଦାମ୍ ପଚରାଯାଏ ଏ ବ୍ୟବହାର ପ୍ରାୟ ସେହିପରି । ମୂଳତଃ କାହାରି ପରିଧେୟ ଉପରେ ମତାମତ ପ୍ରକାଶ କରିବା ଅସୌଜନ୍ୟ । ଯଦି କହିବା ଅପରିହାର୍ଯ୍ୟ ମନେହୁଏ, ତେବେ ତା’ର ଢଙ୍ଗ ଏପରି ହେବା ଉଚିତ ଯେ, ଭଦ୍ରଲୋକ ମନେ କରିବେନାହିଁ ଯେ ସେ ଜଣେ ସର୍କସର ଫଣ୍ଟୁସ, ଯାହା ଉପରେ ଯଥେଚ୍ଛା କୁହାଯାଇ ପାରେ କିମ୍ବା ଆଧୁନିକ ପରିଚ୍ଛଦ ଦୋକାନର ଦଲାଲ, ଯେ ମାଗଣା ପରିଚ୍ଛଦ ସାଜି ହୋଇ ଦୋକାନର ନାମ କୀର୍ତ୍ତନ କରେ । ଯଦି ଖୁବ୍ ପସନ୍ଦ ହେଉଛି, ଦୟାକରି କେବଳ ଥରେ ମାତ୍ର କୁହନ୍ତୁ ‘ବାଃ, ଆପଣଙ୍କୁ ବେଶ୍ ମାନୁଛି ।’ କିନ୍ତୁ ଯଦି କହି ଦିଅନ୍ତି, “ଭଲ ଶିଲେଇଛି ତ’, କୋଉ ଦରଜିକୁ ଦେଇଥିଲେ ?” ଏହା ପ୍ରାୟ କନାର ଦର ପଚାରିବା ପରି ହୋଇଯିବ । ଅନ୍ୟକୁ ସମ୍ମାନ ଦେଇ ଶିଖିଲେ, ଆପଣ ଯେତିକି ସମ୍ମାନ ତାଙ୍କଠାରୁ ଆଶା କରନ୍ତି–ଏ ପ୍ରକାର ତ୍ରୁଟି ବୋଧହୁଏ ହେବ ନାହିଁ ନା କ’ଣ ! ଆଉ ଗୋଟିଏ ଉଦାହରଣ ନିଆଯାଉ, ଆପଣଙ୍କର ବହୁ କନିଷ୍ଠ ଏବଂ ପାରିବାରିକ କ୍ଷେତ୍ରରେ ସୁପରିଚିତ ଜଣେ ତରୁଣ ଖୁବ୍ ଜଣେ ପଦସ୍ଥ କର୍ମଚାରୀ ରୂପେ ଆସିଛନ୍ତି–ତାଙ୍କ ଚାରିପାଖେ ବହୁ ଅମଲା ଅଫିସର । ଆପଣ ହୁଏତ ଥଳି ଧରି ବଜାର ଯାଉଛନ୍ତି–ହଠାତ୍ ତାଙ୍କୁ ଦେଖି ସ୍ନେହ ପ୍ରକାଶ କରିବାକୁ ଆପଣଙ୍କର ଇଚ୍ଛା ହୋଇଗଲା । ତାଙ୍କୁ ପିଠିରେ ଥାପୁଡ଼େଇ ଆଉଁସି ସାଉଁଳି ଆପଣ ଆପଣଙ୍କର ଜ୍ୟେଷ୍ଠତ୍ଵ ପ୍ରମାଣ କଲେ; ହୁଏତ’ ଆପଣଙ୍କ ଉପର ଅଫିସର ସେଇଠି ଥିବାରୁ ତାଙ୍କୁ ଦେଖାଇବାକୁ ଆହୁରି ଟିକେ ଉତ୍ସାହିତ ହେଲେ । ତା’ପରେ ଆପଣ ଆବିଷ୍କାର କରିବେ ଯେ, ସେ ଜଣକ ଆପଣଙ୍କୁ କିଛି ନ କହି ଗମ୍ଭୀର ହୋଇ ଠିଆ ହୋଇଛନ୍ତି, ତାଙ୍କ ଗହଣରେ ଅନ୍ୟାନ୍ୟ ସମସ୍ତେ ମଧ୍ୟ ତଦୃପ ଗମ୍ଭୀର । ଆପଣ ବଜାର ଯିବାକୁ ବାଧ୍ୟ ହେବେ । ଅଫିସର ଜଣକ ତାଙ୍କ କୋଟରେ ଆପଣଙ୍କ ହାତ ଲାଗିଥିବା ସ୍ଥାନରୁ ଧୂଳିଝାଡ଼ି ଅନ୍ୟ କାମରେ ମନ ଦେବେ । କିନ୍ତୁ ଆପଣ ବାରମ୍ବାର ଏପରି ବ୍ୟବହାର କଲେ, ଆପଣଙ୍କ ନିରାପତ୍ତା ପାଇଁ ହୁଏତ’ କେହି ଦାୟୀ ହେବେ ନାହିଁ । ସାମାଜିକ ମୂଲ୍ୟବୋଧ ବିଷୟରେ ସଚେତନ ନ ହେଲେ, ଉପଯୁକ୍ତ ସମ୍ମାନ ଦେଇ କିମ୍ବା ନେଇ ହୁଏନା ।

 

କଥା ନ କହି ମଧ୍ୟ ଅନ୍ୟ ଜଣକୁ ଖୁବ୍ ଆଘାତ କରାଯାଇପାରେ । ଜଣେ ପତ୍ରିକା ପଢ଼ୁଛନ୍ତି ସକାଳେ ଖରାରେ ଠିଆହୋଇ । ଆଉ ଜଣେ ଆସି ତାଙ୍କ ପଛଆଡ଼ୁ ହାମ୍ବୁଡ଼େଇ ପଢ଼ିବାକୁ ଚେଷ୍ଟା କଲେ କିମ୍ବା ପାଖକୁ ଯାଇ ଲଇଁପଡ଼ି ତଳ ପତ୍ରଟା ପଢ଼ିଦେବାକୁ ପ୍ରୟାସ କଲେ କିମ୍ବା ନୀରବରେ ତାଙ୍କ ହାତରୁ ଗୋଟାଏ ପତ୍ର ଭିଡ଼ିବାର ପ୍ରଯତ୍ନ କଲେ । ଏହାଠାରୁ ବଳି ବିରକ୍ତକର ଅଶିଷ୍ଟାଚାର ବୋଧହୁଏ ବିରଳ । କିମ୍ବା ଜଣେ ଆପଣଙ୍କ ସହିତ ଆଳାପ କରୁଛନ୍ତି, ଆପଣ ଖଙ୍କାରିବା ଆରମ୍ଭ କରିଦେଲେ । ଖଙ୍କାର, ଛେପ ପ୍ରତି ଅଧ ମିନିଟରେ ଯଦି ଉଦ୍‍ଗାର କରାଯାଏ ଭୀଷଣ ଶବ୍ଦରେ, ସେ ଜଣକ ନମସ୍କାର ଜଣାଇ ଚାଲିଯିବା ଉଚିତ । ପ୍ରଥମ ପରିଚୟ ପରେ ଦୁଇ ଜଣଙ୍କର ରାସ୍ତାରେ ଦେଖା ହୋଇଛି । ଜଣେ ହୁଏତ ପରିଚୟ ବଜାୟ ରଖିବାକୁ ଚାହିଁ ଅଳ୍ପ ହସିଛନ୍ତି, କିନ୍ତୁ ଆର ଜଣକ ସମ୍ପୂର୍ଣ୍ଣ ଅପରିଚିତ ପରି ମୁହଁ ଫେରେଇ ଚାଲି ଯାଇଛନ୍ତି । ଆଉ ଥରକୁ ଏ ଜଣକ ଯେତେ ଚେଷ୍ଟା କଲେ ବି ଅପର ବ୍ୟକ୍ତି ପ୍ରତିଶୋଧ ନେବେ ହିଁ ନେବେ ।

 

ଅନ୍ୟ ଉପରେ ନିଜର ସମସ୍ୟା ଅଯାଚିତ ଭାବରେ ଲଦି ଦେଲେ ଅନେକ ସମୟରେ ଅସୌଜନ୍ୟ ପ୍ରକାଶ ପାଏ । ଅଶିଷ୍ଟାଚାର ସର୍ବଦା ଅଜ୍ଞାତରେ ହିଁ ହୋଇଥାଏ । ଜ୍ଞାତସାରରେ ଅଭଦ୍ର ଆଚରଣ କରିବା ଦୁଷ୍ଟ ପ୍ରକୃତିର ମଣିଷଙ୍କ କାମ । ସାଧାରଣତଃ ରୁଚିଭଙ୍ଗ କରୁଥିବା ବ୍ୟକ୍ତି ଜାଣେନା ଯେ ସେ ରୁଚିଭଙ୍ଗ କରୁଛି । ଜାଣିଲେ ହୁଏତ, ସେ ସତର୍କ ହୋଇ ଯାଆନ୍ତା । ଜଣେ ହୁଏତ ଅଫିସକୁ ବ୍ୟସ୍ତ ହୋଇ ଚାଲି ଯାଉଛନ୍ତି, ଆଉ ଜଣେ ତାଙ୍କୁ ଅଟକେଇ ଆରମ୍ଭ କରୁଛନ୍ତି ଯେ, ତାଙ୍କ ସାନ ଝିଅର କେମିତି ତିନି ମାସ ହେଲା କାଛୁ ଭଲ ହେଉନାହିଁ । କାଛୁ ହେବା ଏବଂ ଭଲ ନ ହେବା ହୁଏତ ତାଙ୍କ ପ୍ରତି ଗୋଟାଏ ସମସ୍ୟା ହୋଇ ଉଠିଛି, କିନ୍ତୁ ସେ ଅନ୍ୟର ସୁବିଧା ଅସୁବିଧା ବିଷୟରେ ସଚେତନ ନ ଥିବାରୁ ଦେଶକାଳ ବିବେଚନା କରିପାରି ନାହାନ୍ତି । ଫଳତଃ ବ୍ୟବହାରରେ ଶାଳୀନତାର ଅଭାବ ଦେଖା ଦେଇଛି । ନ ପଚାରିଲେ ନିଜ କଥା କହିବା ହୁଏତ ନିଷ୍ପ୍ରୟୋଜନ; କିନ୍ତୁ ସହାନୁଭୂତି କାଙ୍ଗାଳ ହେଇ ଦୟା ଭିକ୍ଷା କରିବା ଯେପରି ମଣିଷର ଗୋଟାଏ ଅତି ଗଭୀର ଏବଂ ଗର୍ହିତ ଗୁଣ ।

 

ଶିଷ୍ଟାଚାର ଯେତେ ନିର୍ଭର କରେ ସାମାଜିକ ଶିକ୍ଷା ଉପରେ, ବୋଧହୁଏ ସେତେ କିମ୍ବା ତତୋଧିକ ନିର୍ଭର କରେ ବ୍ୟକ୍ତିର ସ୍ଵଭାବ ଉପରେ । ପାରିବାରିକ ବାତାବରଣ, ବାଲ୍ୟବନ୍ଧୁର ପ୍ରଭାବ, ପ୍ରାରମ୍ଭିକ ଶିକ୍ଷା ଇତ୍ୟାଦି ବ୍ୟକ୍ତିର ସ୍ଵଭାବକୁ ଭଦ୍ର ଏବଂ ନମନୀୟ କରିବାରେ ସାହାଯ୍ୟ କରନ୍ତି । ଅନ୍ୟର ମନରେ କୌଣସି ଅବସ୍ଥାରେ ପ୍ରତ୍ୟକ୍ଷ ବା ପରୋକ୍ଷରେ କଷ୍ଟ ନ ଦେବା ସୁଜନର ଲକ୍ଷଣ । ପ୍ରିୟଭାଷୀ, ସହନଶୀଳ, ଅନହଂକାରୀ ବ୍ୟକ୍ତି ହିଁ ସୌଜନ୍ୟକୁ ନିଜର ସହନ ସ୍ୱଭାବରେ ପରିଣତ କରେ । ସେଥିପାଇଁ ତାକୁ ନୀତି, ନିୟନ ମୁଖସ୍ଥ କରିବାକୁ ପଡ଼େ ନାହିଁ କିମ୍ବା ପ୍ରୟାସ କରିବାକୁ ପଡ଼େ ନାହିଁ । ତା’ର ଅନାୟାସ ବ୍ୟବହାର ହିଁ ଶିଷ୍ଟାଚାର । ମାନସିକ ଦୃଷ୍ଟି ଭଙ୍ଗୀରେ ଆନ୍ତର ଛନ୍ଦ ଓ ସ୍ୱଭାବରେ ଏକ ଭାରସାମ୍ୟ, ଏକ ପ୍ରକାର ସ୍ଥିତି–ସ୍ଥାପକତା ନ ଆସିବା ଯାଏ ଶିଷ୍ଟାଚାର ହେବ ଏକ ଅସ୍ଵାଭାବିକ ବଳତ୍କାର ଆରୋପ । ସୌଜନ୍ୟ ପାଇଁ ବ୍ୟକ୍ତି ନିଜେ ସୁଜନ ହେବ ବାଞ୍ଛନୀୟ । ଦୁଷ୍ଟ ପ୍ରକୃତିର ଆଚରଣ ସ୍ୱରୂପ ବାହ୍ୟ ଶିଷ୍ଟାଚରଣ ଅସମ୍ଭବ ନୁହେଁ, କିନ୍ତୁ ତା’ କେବଳ ବ୍ୟଭିଚାରୀ ଭାବ ପରି ଅସ୍ଥାୟୀ–ଶିଷ୍ଟାଚାରକୁ ସ୍ଥାୟୀ ସ୍ୱଭାବରେ ପରିଣତ କରିବା ପ୍ରତି ସଭ୍ୟ ସମାଜର ଲକ୍ଷ୍ୟ; ବିଶେଷତଃ ପ୍ରତି ସଭ୍ୟ ବ୍ୟକ୍ତିର କର୍ତ୍ତବ୍ୟ ।

Image

 

Unknown

ଅଭିଭାବକ

 

ଗଛ ଛାଇରେ ଗଛ ଯେମିତି ଉଧାଏ ନାହିଁ, ମଣିଷ ଛାଇରେ ମଣିଷର ବ୍ୟକ୍ତିତ୍ଵ ସେମିତି ଅଧେ ବଢ଼େ ଅଧେ ଛିଡ଼େ । ସମାନ ବିପୁଳତାରେ ଗଜେଇ ପାରେନା । କିନ୍ତୁ ନୂଆ ବଢ଼ିବ ବୋଲି ପୁରୁଣାକୁ ତ କାଟି ଫିଙ୍ଗିଦେଇ ହୁଏନାହିଁ । ଅଭିଭାବକକୁ ମଧ୍ୟ ଠିକ୍ ସେମିତି ସହି ଯିବାକୁ ହୁଏ । ତା’ ବୋଲି ଯେ ସେ ସମ୍ପୂର୍ଣ୍ଣ ଅନାବଶ୍ୟକ ଏହା ମଧ୍ୟ କହିହେବ ନାହିଁ । ଚାରା ନୂଆ ହୋଇ ଚେର ଲଟେଇଲା ବେଳେ ପତର ଠୁଙ୍ଗା ଯେମିତି ବା ସୂର୍ଯ୍ୟ ତାପରେ ଜଟାୟୁ ଜଳିଯିବ ବୋଲି ତା’ ଉପରେ ଡେଣା ମେଲେଇ ପଙ୍ଗୁ ହୋଇ ଖସିପଡ଼ିବା ସମ୍ପାତି ଯେମିତି, ଏ ଅଭିଭାବକ ବିଚାରା ବି ସେମିତି । ଗୋଟାଏ ସମୟରେ ତାକୁ ବାଦଦେଇ ବଞ୍ଚି ହୁଏନା । ଅବଶ୍ୟ ଏମାନଙ୍କ କଥା ଏଠି ପଡ଼ିନାହିଁ । ଜନ୍ମ ଦେଇ ପାଳିବା ପୋଷିବା ଦାୟିତ୍ଵକୁ ମମତା ସ୍ନିଗ୍‍ଧ କରି ସନ୍ତାନକୁ ଏଡ଼େଟିରୁ ଏଡ଼େଟିଏ କରୁଥିବା ବାପ ମା’ଙ୍କ କଥା ପଡ଼ିନାହିଁ; ପଡ଼ିଛି ସେଇମାନଙ୍କ କଥା, ଯେଉଁମାନେ ବର୍ଧିଷ୍ଣୁ ଜୀବନର ସହଜ ପନ୍ଥା ଉପରେ ବିଶ୍ଵାସ ରଖନ୍ତି ନାହିଁ, ଯେଉଁମାନେ ଭାବନ୍ତି ସେମାନେ ନ ଥିଲେ ସୃଷ୍ଟି ଅଚଳ ହୋଇଯିବ, ନୀତି ନିୟମର ଧ୍ଵଜାଧାରୀ, ସେହି ଅତ୍ୟାଚାରୀ ଅପଶାସକଙ୍କ କଥା ଏଠି ପଡ଼ିଛି । ମୋଟ ଉପରେ କୌଣସି ନିର୍ଦ୍ଧିଷ୍ଟ ଅଭିଭାବକ ନୁହେଁ, ମାତ୍ର ସେହି ତଥାକଥିତ ଅଭିଭାବକତ୍ଵ ହିଁ ବିଚାର୍ଯ୍ୟ ।

 

ପ୍ରଥମତଃ ଅଭିଭାବକ ମହାଶୟ ଭାବିଥାନ୍ତି ଯେ, ତାଙ୍କ ଅଧିନସ୍ଥ ନାବାଳକଟି ତାଙ୍କ ଆଜ୍ଞାକାରୀ ଭୃତ୍ୟ । ସେ ଯାହା କହିବେ ତାକୁ ନିର୍ବିରୋଧ ମାନିଯିବା ତା’ର କର୍ତ୍ତବ୍ୟ, ଏଣୁ ସଦ୍‍ଗୁଣ ମଧ୍ୟ । ଯେ ଟିକିଏ ନିଜ ସ୍ଵାଧୀନ ଇଚ୍ଛା ଉପରେ କାମ କରିବାକୁ ଚେଷ୍ଟା କରିଦେଲା, ତା’ ଉପରେ ତ ଯାହା ଶାସନର ପିଙ୍ଗଳ କୋଡ୍ ଅନୁଯାୟୀ ଦଣ୍ଡ ବିଧାନ ହେବ, ସେ କଥା ଛାଡ଼ । ତାକୁ ସ୍ଵାଧୀନ ବୋଲି ସ୍ଵୀକାର ନକରି କେବଳ ଅବାଧ୍ୟ ଆଖ୍ୟାରେ ମଧ୍ୟ ଅପମାନିତ କରାଯାଏ । ବିଧା, ଗୋଇଠା, ଚାପୁଡ଼ା, ବେତ, ବାଡ଼ି ପ୍ରହାରର ଉପାଦେୟତା ପାଇଁ ନିୟମ ଅଛି । ଏଇଠି ମନେ ରଖିବା ଉଚିତ ଯେ, ଅଭିଭାବକଙ୍କର ମଧ୍ୟ ଆହୁରି ଜୋର୍‍ଦାର୍ ଅଭିଭାବକ ଅଛନ୍ତି । ସେଗୁଡ଼ିକ କିନ୍ତୁ ଅଶରୀରୀ ଭୂତ ଯଥା–ଚକ୍ଷୁ, ଲଜ୍ଜା, ଭୟ; ଲୋକେ କ’ଣ କହିବେ ଭୟ, ଅନ୍ୟାୟ କଲେ ଧର୍ମ ସହିବ ନାହିଁ ଭୟ, ଇତ୍ୟାଦି । ନାନା ପ୍ରକାର ଆଇନାନୁମୋଦିତ ଦଣ୍ଡ ଦେବାର ମୂଳ ଉଦ୍ଦେଶ୍ୟ ହେଲା, ସେଇ କୋମଳ ନାବାଳକ ପ୍ରାଣରେ ଏକ ଆତଙ୍କ ସୃଷ୍ଟି କରିଦେବା–ମାଙ୍କୁଡ଼ିଆ ଯେମିତି ତା’ ପୋଷା ମାଙ୍କଡ଼ ପିଲାକୁ ନାନା ପ୍ରକାର ବିକଟ ଭଙ୍ଗୀରେ ନଚାଏ ଏବଂ ବାହାଦୁରି ନିଏ, ଅଭିଭାବକଙ୍କ କାମ ହେଲା ସେଇ ପ୍ରକାର ଗୋଟାଏ ବାହାଦୁରି ନେବା । ତା’ ଭିତରୁ କେତେ ଜଣ ନୀତି କରି ଦେଇଛନ୍ତି ଯେ, ନାବାଳକ ଯାହା ଚାହିଁବ, ଠିକ୍ ତା’ର ଓଲଟା ପାଇଁ ତାକୁ ବାଧ୍ୟ କରିବା-। ଏହା କୁଆଡ଼େ ତାକୁ ମଣିଷ କରିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ–ଯଦି ସେ କହିଛି, କୋଟରେ ଗୋଟିଏ କିମ୍ବା ଦୁଇଟି ବୋତାମ ରହୁ ଯେପରି ରଖିଛନ୍ତି ରାମଚନ୍ଦ୍ର, ଶ୍ୟାମସୁନ୍ଦର କିମ୍ବା ଦାମୋଦର । ତତ୍‍କ୍ଷଣାତ୍ ଅଭିଭାବକ ସେହି ତିନୋଟି ଭଦ୍ର ଲୋକଙ୍କୁ ରାମା, ଶାମା, ଦାମାରେ ପରିଣତ କରି କହିବେ ଯେ ସାତୋଟି କିମ୍ବା ତଦୁର୍ଧ୍ୱ ବୋତାମ୍ କୋଟରେ ରହିବା ବିଧେୟ । ଯଦି ନିହାତି ଚାହଁ ବେକ ପାଖକୁ ଚକେ ଲେଖା ପ୍ରଜାପତିଆ କଲର ରଖିପାର-। ଛୁଟିଦିନ ଦୁଇ ପହର ବେଳା ଯଦି ଇଚ୍ଛା ହେଲା ଚକା ବରଗଛରେ ଡାଳ ମାଙ୍କୁଡ଼ି ଖେଳିବା ବା ନଈକୂଳରେ ଫିରିକ୍ ଧରିବା; ଓଃ ସେ ମହା ଭୟାନକ କଥା, ତା’ କି କେବେ ସମ୍ଭବ । ଦ୍ଵିପହରଟା ଖର ବେଳା, ଶୋଇଯାଅ । ଖରାରେ ବୁଲିଲେ ଝୋଲା ମାରିଦେବ । ସେତେବେଳେ ଇଚ୍ଛା ହୁଏ କହିବାକୁ, ତୁମକୁ ହେଲେ ଝୋଲା ମାରି ଦିଅନ୍ତା କି ପ୍ରଭୁ ! ଏକାଥରେ ମଣିଷ ନିଷ୍କୃତି ପାଇଯାନ୍ତା ! ହୁଏତ ଅଭିଭାବକ ବୁଝନ୍ତି; ଟୋକା ଯାହା କହୁଛି ଠିକ୍ ଏବଂ ସେ ଯାହା କହୁଛନ୍ତି ଭୁଲ୍, କିନ୍ତୁ ତାକୁ ସେଇୟା କହିଦେଲେ ତା’ ମୁହଁ ବଢ଼ିଯିବ ନାହିଁ ? ତାକୁ ବାଧ୍ୟ କରିବା ତ ହେଲା ତାଙ୍କ ଏକମାତ୍ର କର୍ତ୍ତବ୍ୟ । ସେଥିପାଇଁ ମାଡ଼ଖାଇ ସେ ବାଢ଼ୁଆ, ଗୟଁ। ହୋଇଯାଉ, ବରଂ ତା’ ହିଁ ଶ୍ରେୟସ୍କର । କିନ୍ତୁ ଲାପରବାୟ ହେଇଯିବ ସେ ଥାଉ ଥାଉ,ଏ କଥା ଅସହ୍ୟ, ତା’ କେବେ ହୋଇ ପାରେନା !

 

ଦ୍ଵିତୀୟତଃ ସେ ଭାବନ୍ତି ନାବାଳକଟି ଅନ୍ଧ । ତାକୁ ଏ ଘୋର ସଂସାରରେ କିଛି ବାଟ ନାକରେ ଖଣ୍ଡେ ଦଉଡ଼ି ଲଗେଇ ଟାଣି ନେଇଗଲେ ହୁଏ । ଜୋର୍ କରି କିଛି ନୀତି ନିୟମର ପାନେ–ଯାହାକୁ ସେ ନିଜେ ଏ ପର୍ଯ୍ୟନ୍ତ ଏଡ଼ିପାରି ନାହାନ୍ତି; ତା’ର ପାଟିରେ ଭର୍ତ୍ତି କରିଦେବ ତାଙ୍କର କର୍ତ୍ତବ୍ୟ । ଏଥିରେ ଦୁଃଖ ରହିଯାଏ ଗୋଟିଏ କଥା ନେଇ । ତା’ ହେଉଚି ଯେ ଅଭିଭାବକ ଅନବରତ ଚିନ୍ତା କରନ୍ତି ଏବଂ ବିଶ୍ଵାସ କରନ୍ତି ଯେ ସେ ନାବାଳକର ଶୁଭଚିନ୍ତକ । ତାଙ୍କୁ ଯାହା ଭଲ ଦିଶେ, ବା ଠିକ୍ କହିବାକୁ ଗଲେ ଯାହାକୁ ସେ ଭଲ ବୋଲି ଦେଖି ଶିଖିଛନ୍ତି, ତାକୁ ସେ ସମସ୍ତଙ୍କ ପାଇଁ ଏବଂ ସବୁ କାଳରେ ଭଲ ବୋଲି ମାନି ନିଅନ୍ତି । ତା’ର ବିଷମୟ ଫଳ ଭୋଗେ ନାବାଳକ ବିଚାରା । ଅଭିଭାବକ କଥା କଥାକେ ଉଦାହରଣ ଦିଅନ୍ତି ନିଜର । ସେ କିପରି ଆରୁଣିତୁଲ୍ୟ ଗୁରୁଜନ ବାକ୍ୟ ଅଲଙ୍ଘ୍ୟ ମଣି, ନାନା କଷ୍ଟ ସହି ଆଜି ମଣିଷ ହୋଇଛନ୍ତି । ତା’ ସାଙ୍ଗକୁ ଆଜି କାଲିକା ପିଲାଙ୍କ ଭବିଷ୍ୟତ ନେଇ ଘୋର ନୈରାଶ୍ୟ ପ୍ରକାଶ । ଏମିତି ଦୋମୁନିଆ ଯନ୍ତ୍ର ଲଗାଇ ସେ ହତବମ୍ବ ନାବାଳକଟି ଉପରେ ପ୍ରଭାବ ପକାନ୍ତି । ସେ ବି କିଛି ବିଚାର ନକରି ବାପ ଦାଦିଙ୍କର ପୁରୁଣା କାଦୁଅ ପୁଣି ଚକଟେ । ନୂଆ ରାସ୍ତା ନେବା ମନା । ଅଭିଭାବକ ତାକୁ ଲଉଡ଼ି ଧରେଇ ଦେଇଥାନ୍ତି । ସେ ତାକୁ ଯେଉଁଆଡ଼େ କଢ଼େଇଲା ତାହାହିଁ ରାଜପଥ । ଟିକିଏ ସଚେତନ ଓ ବିଚାରବନ୍ତ ଅଭିଭାବକଙ୍କୁ ଯଦି ପଚାରି ଦିଆଯାଆନ୍ତା, “ଆଜ୍ଞା, ଏ ରସ୍ତା କ’ଣ ଠିକ୍ ବୋଲି ଆପଣ ନିଜେ ଜାଣନ୍ତି ?” –ସେ ଟିକିଏ ଚମକି ଯାଆନ୍ତେ । ଭାବନ୍ତେ “ଆରେ ସତେତ, ପନ୍ଥା ତ ମୁଁ ଦେଖି ନାହିଁ, ମୋତେ ଦେଖେଇ ଦିଆ ହୋଇଛି । ମୁଁ ପଥିକ ମାତ୍ର । ଇଚ୍ଛା ବିରୁଦ୍ଧରେ ଏଥିରେ ପେଲି ହୋଇ ପଶି ଆସିଛି ଏବଂ ସେହିପରି ଭିଡ଼ ଭିତରେ ଏହାକୁ ମଧ୍ୟ ଟାଣି ନେଉଛି । ସେ କ’ଣ ସତେ ଏ ଗଳିରେ ଯିବାକୁ ବାଧ୍ୟ ?” –କିନ୍ତୁ ହତୋସ୍ମି ! ଏପରି ଅଭିଭାବକ କୋଟିକେ ଗୋଟିଏ ମିଳିବା କଷ୍ଟ ।

 

ଏଥିରୁ ଜଣାଗଲା ଯେ, ଏ ଅଭିଭାବକ ମହୋଦୟ ଯେତେ ..... ଅପଶାସକ ହୁଅନ୍ତୁ ପଛକେ କଲେଜ ପରେ ଅନ୍ତତଃ ତାଙ୍କର ଆଉ ଦେଖା ମିଳିବ ନାହିଁ । ମହାମତି ଚାଣକ୍ୟ କହିଛନ୍ତି–ସେଥିପାଇଁ ତାଙ୍କର ଜୟ ହେଉ !–ଯେ ଷୋଳ ବର୍ଷ ପୁରିଗଲେ ସେ କୁଆଡ଼େ ମିତ୍ରାଚରଣ କରନ୍ତି । ଏବେ ଅବଶ୍ୟ ଆଉ ପାଞ୍ଚ ବର୍ଷ ଦରକାର ସାବାଳକ ହେବା ପାଇଁ । କିନ୍ତୁ ଏହା ବିଡ଼ମ୍ବନା ମାତ୍ର । ଆମେ ମୋଟ ଉପରେ କେବେ ସାବାଳକ ହେଉନା ଏବଂ କସ୍ମିନ୍ କାଳେ ଏ ଅଭିଭାବକତ୍ଵର ଛାୟାରୁ ମୁକ୍ତ ହୋଇ ପାରୁନା । ସମ୍ବିଧାନ ଅନୁସାରେ ସାବାଳକ ହୋଇଗଲେ ଅଭିଭାବକ ଆଉ ବ୍ୟକ୍ତି ହୋଇ ରହେନାହିଁ ସତ, କିନ୍ତୁ ହୋଇଯାଏ ଏକ ଅଶରୀରୀ ଆତ୍ମା । ଏକ ଅନତିକ୍ରମ ଦୃଷ୍ଟ ପରମ୍ପରା । ଏଣୁ ବ୍ୟକ୍ତିଠାରୁ ସେ ହୋଇଯାଏ ଆହୁରି ବ୍ୟାପକ, ଆହୁରି ଅମାନିଆ ଏବଂ ଅତ୍ୟାଚାରୀ । ଗୋଷ୍ଠୀ ହୋଇଯାଏ ଅଭିଭାବକ । ଗୋଷ୍ଠୀର ପ୍ରତିନିଧି ଆସି କହେ, “ତମେ ବାବୁ ଆମ ସାହିରେ ଅଛ । ଆମେ ତୁମର ଦେଖରେଖ୍ କରିବା, ଆଉ ସାହି ବାଲାଙ୍କଠୁ ତୁମକୁ ରକ୍ଷା କରିବା । ବର୍ତ୍ତମାନ ସାହିର ଅମୁକ ଅନୁଷ୍ଠାନକୁ କିଛି ଚାନ୍ଦା ଦେଇ ପକାଅ ।” –ନ କହି କୁହାଯାଏ, ଭଙ୍ଗୀରେ ଏବଂ ଇଙ୍ଗିତରେ, ‘ନ ହେଲେ ସମ୍ଭାଳ ।’ –ମନେ ପଡ଼ିଯାଏ ପିଲା ଦିନର ବିଧା, ଗୋଇଠା, ବେତ ଏବଂ ବାଡ଼ି ଏବଂ ତତ୍‍ଜନିତ ଆତଙ୍କ .... ଚାନ୍ଦା ଦେବାରେ ଡେରି ହୁଏ ନାହିଁ । ଶ୍ରମିକ ଗୋଷ୍ଠୀ ଆସି କହେ, ‘ତୁମେ ଆମ ଅନ୍ତର୍ଭୁକ୍ତ, ଚାରଣିଆ ସଭ୍ୟ ହୋଇଯାଅ ବା ଯଦି ଚାହଁ ପାଞ୍ଚ ଟଙ୍କିଆ ଆଜୀବନ ସଭ୍ୟ ହୋଇପାର, ଆମେ କାରଖାନା ମାଲିକ, ଖଣି ମାଲିକ ପାଖରେ ଲଢ଼ି ତୁମକୁ ରକ୍ଷା କରିବା ।’ ପାଞ୍ଚୋଟି ଟଙ୍କା ଖସିଯାଏ ଏବଂ ଖସିଯାଏ ସେହି ଅନୁପାତରେ ନିଜ ଉପରୁ ଆସ୍ଥା । ଏପରି ବିବିଧ ଅନୁଷ୍ଠାନ, ଅସଂଖ୍ୟ ସଂପ୍ରଦାୟ–ଲକ୍ଷାଧିକ ଭୟ ଆତଙ୍କ, ଯୁକ୍ତି ଓ ପୃଷ୍ଠପୋଷକତା ଆସି ବ୍ୟକ୍ତିର ସମସ୍ତ ସମ୍ଭାବନାର ପଥରୋଧ କରି ଠିଆ ହୁଅନ୍ତି । ତା’ର ସାମୂହିକ ବ୍ୟକ୍ତିତ୍ଵ ଯେଉଁ ସବୁ ବିଭିନ୍ନ ପନ୍ଥାରେ ବିକଶିତ ହୋଇଥାନ୍ତା । ସେ ସମସ୍ତର ଦ୍ୱାର ଦେଶରେ ଗୋଟିଏ ଗୋଟିଏ ଅଭିଭାବକ । ସେ ଅଣନିଶ୍ଵାସୀ ହୋଇ ଚିତ୍କାର କରେ, “ମୋତେ ଛାଡ଼ିଦିଅ, ମୁଁ ସ୍ଵାଧୀନ ହେବାକୁ ଚାହେଁ, ମୁଁ ବରଗଛରେ ଡାଳ ମାଙ୍କୁଡ଼ି ଖେଳିବି, କୋଟରେ ଗୋଟିଏ ବୋତାମ୍ ଲଗେଇବି, ସେଥିରେ ଯାହା ବିପଦ ଥାଉ ସେଥିକି ମୋର ଭ୍ରୂକ୍ଷେପ ନାହିଁ । ମୋତେ ତୁମେ ଚାରିଆଡ଼ୁ ଘେରି ମାରିଦିଅ ନାହିଁ ।” –ଉତ୍ତର ଆସେ, “ଆମେ କ’ଣ ଏଠି ଚଷୁ କୁଟୁଛୁ । ଆମେ ପରା ସେଇଆ ଚାହୁଁ । ତୁମେ ଆଉ ସ୍ଵାଧୀନ କ’ଣ ହେଲ !” ସ୍ଥିର ହୋଇ ବୁଝ, ସ୍ଵାଧୀନତାର ଅର୍ଥ କ’ଣ ? ତୁମେ ସ୍ଵାଧୀନ ହେବାକୁ ହେଲେ କ’ଣ କରିବାକୁ ହେବ, କିପରି କେଉଁ ପନ୍ଥା ଅବଲମ୍ବନ କରିବାକୁ ହେବ । ଫରାସୀ ଆନ୍ଦୋଳନ ଦିନଠାରୁ ଖୋଲାଖୋଲି ଆମେ ସେଇଆ ଆମର ନୀତି କରି ଆସିଛୁ । ତୁମେ ଅଗ୍ରସର ହୁଅ । ଆମେ କେବଳ ତୁମ ପଛରେ ଠିଆ ହୋଇଥିବୁ । କାଳେ ଥାଏ ତ’ କେତେବେଳେ ଏକୁଟିଆ ଦେଖି କିଏ ଝାମ୍ଫ ମାରିଦେବ, ସେତେବେଳେ ଘଣ୍ଟ ଘୋଡ଼େଇ ଚକ୍ର ଆଢ଼ୁଆଳ କରିବା ଆମର କାମ । ୟା ପରେ ଚୁପ୍ । କଥାଟା ମୋଟ ଉପରେ ସତ ନୁହେଁ କି-? ସଂସାରର ରୂପ ଯାହା ହେଲାଣି ଏକୁଟିଆ ଲୋକଟିକୁ କିଏ ପଚାରେ ? ସତ୍ୟ ନ୍ୟାୟ ବିଷୟରେ ମଧ୍ୟ ସଂସ୍ଥା ସଂପ୍ରଦାୟ ସବୁ ରହିଛି । ସବୁ ତା’ ମାଧ୍ୟମରେ ହେବା ଉଚିତ !” ଆଉ ବିରୋଧ ରହେ ନାହିଁ । ବ୍ୟକ୍ତି ତା’ର ଚିର ନାବାଳକତ୍ଵ ସ୍ଵୀକାର କରିନିଏ । କିନ୍ତୁ ଏଇଠି ଲକ୍ଷ୍ୟ କଲେ ସେ ଦେଖନ୍ତା ଯେ ସେ କେତେବେଳୁଁ ତା’ର ଅଜ୍ଞାତରେ ନିଜେ ଗୋଟିଏ ଅଭିଭାବକ ସାଜି ସାରିଲାଣି । ଏଣୁ ବିରୋଧ ନ ରହିବା ସ୍ଵାଭାବିକ୍ । ଅଭିଭାବକ ନିଜେ ଅଭିଭାବକତ୍ଵରୁ ମୁକ୍ତ ନୁହେଁ, ସେ ତା’ର ପୋଷାକ ଓ ପୋଷିତ ।

 

ନାବାଳକତ୍ଵ ମଣିଷ ପ୍ରକୃତିର ଏକ ମୌଳିକ ଦୁର୍ବଳତା । ଯେଉଁ ଦିନଠାରୁ ସେ ତା’ର ଶାରୀରିକ ଦୁର୍ବଳତାକୁ ଘୋଡ଼େଇବାକୁ ଯାଇ ଗୋଷ୍ଠୀବଦ୍ଧ ହୋଇ ବଳବତ୍ତର ଜନ୍ତୁ ଆକ୍ରମଣରୁ ନିଜକୁ ରକ୍ଷା କଲାଣି, ଅଣାୟତ୍ତରେ ସେ ଏହି ଦୁର୍ବଳତାକୁ ସ୍ୱୀକାର କରି ନେଲାଣି ।ଏ ଦୁର୍ବଳତା ଯେ କେବଳ ଶାରୀରିକ ତା’ ନୁହେଁ, ଏହା କ୍ରମଶଃ ସଞ୍ଚରି ଯାଇ ମନ ରାଜ୍ୟ ଏବଂ ଭାବ ରାଜ୍ୟରେ ମଧ୍ୟ ତାକୁ ପରାୟତ୍ତ କରି ଦେଇଛି–ମଣିଷ ଆଉ ଏକୁଟିଆ ଚିନ୍ତା କରି ଶିଖିଲା ନାହିଁ । ସକ୍ରେଟିସ୍ ଅମଳରୁ ଗୋଟିଏ ଦ୍ଵିତୀୟ ବ୍ୟକ୍ତି ଆବଶ୍ୟକ । ହୋଇପାରେ ସେ କେବଳ ନିମିତ୍ତ ମାତ୍ର, ହୋଇପାରେ ମଧ୍ୟ ଯେ, ସେ ଗୋଟାଏ ମୂର୍ଖ । କିନ୍ତୁ ତା’ର ମୂର୍ଖତାକୁ ହିଁ ଲକ୍ଷ୍ୟରେ ରଖି ସକ୍ରେଟିସ୍ ତାଙ୍କ ତଥ୍ୟ ବୟାନ କରିବାକୁ ବାଧ୍ୟ । ଜଣକ ଉପରେ ଭରା ନ ଦେଇ କିଛି କହିହେବ ନାହିଁ । ସମାଜ ମଧ୍ୟ ଏପରି ରୂପ ନେଇ ସାରିଛି ଯେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଅପର ଉପରେ ନିର୍ଭର କରିବ । ଏଣୁ ବ୍ୟକ୍ତି ମାତ୍ରକେ କେତେକାଂଶ ନାବାଳକ ଏବଂ ଅନ୍ୟ କେତେକାଂଶ ଅଭିଭାବକ । ଡରେଇ, ଚମକେଇ ଅନ୍ୟକୁ ନିଜର ଆଜ୍ଞାବହ କରିବାକୁ ସମସ୍ତେ ଆଗ୍ରହୀ । ଖାଲି କ୍ଷେତ୍ର ବିଶେଷରେ କାହାକୁ ସୁଯୋଗ ମିଳିଯାଏ । ନିଛାଟିଆ ରାତିରେ ନୂଆ ଯାତ୍ରୀ ହାବୁଡ଼ରେ ପଡ଼ିଗଲେ ଟାକ୍‍ସି ଚାଳକ ମଧ୍ୟ ବେଶ୍ ତା’ର ଅଭିଭାବକ ପଣିଆ ଦେଖେଇ ଦିଏ ଏବଂ ଦୁଇ ପଇସା ଚାନ୍ଦା ମଧ୍ୟ ଆଦାୟ କରିଦିଏ ସଂସ୍ଥା ପାଇଁ । କୌଣସି ବଡ଼ ଧରଣର ଅଫିସରେ ଜଣେ ନୂଆଲୋକ ପଶିଗଲେ ତାଙ୍କ କାଗଜ ଖଣ୍ଡ କେଉଁ ପର୍ବତରେ ଠାବ କରିବାକୁ ଚାହିଁଗଲେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ସବୁ ମୁହଁ ନୂଆ, ଅପରିଚିତ । ଜଣକ ପାଖକୁ ଚାଲିଗଲେ ଏବଂ ବୟାନ କଲେ ନିଜ କାହାଣୀ, ସେ ଚଷମା ତଳୁ ସବୁ ଶୁଣିସାରି ପକେଇ ଦେଲେ ଗୋଲକ ଧନ୍ଦାରେ ବାଟୁଳି । “ଆପଣ ମୋତେ ସବୁ ଛାଡ଼ି ଦିଅନ୍ତୁ । ମୁଁ ତା’ର ସବୁ ବନ୍ଦୋବସ୍ତ କରିଦେବି । ଆପଣ ନିଶ୍ଚିନ୍ତ ହୋଇଯାଅନ୍ତୁ ।” କହିଲେ ମୁରବୀ । ସବୁ ମୁରବୀ ଏମିତି କହିଥାନ୍ତି । ଥରେ ତାକୁ ଛାଡ଼ିଦେଲେ ତେଣିକି ତ କେଳା ନଳରେ ଚଢ଼ି ରହିଥିବା କଥା । ନା ଖସି ହୁଏ, ନା ରହି ହୁଏ ! ଘୋଡ଼ା ଦୌଡ଼ ପାଖରେ ମୁରବୀ । ମନ୍ଦିର ଭିତରେ ପଣ୍ଡା ମୁରବୀ । ଏମାନଙ୍କଠାରୁ ରକ୍ଷା ନାହିଁ କି ରକ୍ଷା ନାହିଁ ନିଜର ଅସହାୟ ନାବାଳକତ୍ଵରୁ । ନବଦମ୍ପତି ବିବାହ ପରେ କିଛି ଦିନ ଏକୁଟିଆ ରହିବାକୁ ଚାହାଁନ୍ତି । କିନ୍ତୁ ପହଞ୍ଚି ଗଲେ ମୁରବୀ, ପିଲାକୁ ନୂଆ କରି ସଂସାର ଚଳେଇବା ସେ ଶିଖେଇବେ–ଗୁଡ଼ିଏ ଅଦ୍ଭୁତ ଏବଂ ଅମୂଲ୍ୟ ସମ୍ଭାବନା ହଠାତ୍‍ ସେଇଠି ସଂକୁଚିତ ହୋଇ ମରିଯିବେ–ତଥାପି ଏ ଅଭିଭାବକତ୍ଵକୁ ସହିବାକୁ ପଡ଼େ ।

 

ତା’ର ପ୍ରଧାନ କାରଣ ହେଲା ଯେ ଏହି ଅଭିଭାବକତ୍ଵର ମୂଳ ମଞ୍ଜି ରହିଲା ମା’ ବାପାଙ୍କ ପାଖରେ ଏବଂ ଜୀବନର ଏପରି ଏକ ଅସହାୟ ମୁହୂର୍ତ୍ତରେ ସେମାନେ ଆବିର୍ଭୂତ ହୁଅନ୍ତି ଯେତେବେଳେ ନିର୍ବିଚାର ତାକୁ ଗ୍ରହଣ କରିବାକୁ ପଡ଼େ । ବେଶ୍ ପାଞ୍ଚ ବର୍ଷ କଟିଯାଏ । ତା’ପରେ ଲାଳନ ପର୍ଯ୍ୟନ୍ତ ସରିଗଲେ ତାଡ଼ନ ଆସିଯାଏ ଏବଂ ତା’ ସାଥିରେ ଆସିଯାନ୍ତି ଅଭିଭାବକ । ସଂରକ୍ଷକ ହୋଇଯାନ୍ତି ଗୌଣ; ପ୍ରାଧାନ୍ୟ ଲାଭ କରନ୍ତି ଶାସକ । ତାଙ୍କର ଯାହା ନୀତି ନିୟମ, ବିଚାର ସବୁ ବଳପୂର୍ବକ ଲଦି ଦିଆହୁଏ, ବାଧ୍ୟ ନାବାଳକଟି ଉପରେ । ଏ ସୁଯୋଗରେ ଆସନ୍ତି ବଡ଼ ଭାଇ, କକେଇ, ଦଦେଇ, ମାମୁଁ, ଶିକ୍ଷକ, ସାଇ ପଡ଼ିଶା, ହେଡ୍‍ମାଷ୍ଟ୍ରଙ୍କ ପିଅନ ଇତ୍ୟାଦି ଇତ୍ୟାଦି–ତା’ର ଆଉ ଇୟତ୍ତା ନାହିଁ । ଘୋର ଅପଶାସନ ଚାଲେ ଏବଂ ଚାଲେ ସେହି ପରିମାଣରେ ଅତ୍ୟାଚାର ।

 

ଯେଉଁ ବ୍ୟକ୍ତିତ୍ଵଟି ଏଥିରୁ ବାହାରେ ଖଣ୍ଡିଆ ଖାବରା ଏବଂ ବହୁ ଅଭିଭାବକ ବକ୍ରତା ନେଇ ବାହାରେ । ସେ ହୋଇଯାଏ ସାଧାରଣ ସାମାଜିକ ଗୋଟିଏ ଜୀବ । କିନ୍ତୁ ଯେ ବିଦ୍ରୋହ କରି ଭିତରେ ଏ ଅଭିଭାବକକୁ ହତ୍ୟା କରି ପାରିଛି, ସେ ହୁଏ ଗୋଟିଏ ବ୍ୟତିକ୍ରମ–ଅସାଧାରଣ ପ୍ରତିଭା । ଏହି ଆନ୍ତର ବିଦ୍ରୋହର ସଫଳତା ଉପରେ ନିର୍ଭର କରେ ମଣିଷର ମୌଳିକ ପ୍ରତିଭା ।

 

ଅଭିଭାବକ ରହିବେ, ରହିଛନ୍ତି ଏବଂ ରହିବା ଉଚିତ । କିନ୍ତୁ ତାଙ୍କ ସୀମା ବିଷୟରେ ସେ ସଚେତନ ହୋଇଯିବା ଦରକାର । ସେ କେବଳ ସୁରକ୍ଷା କରିବେ । ଶାସନ କରିବା ତାଙ୍କର କର୍ତ୍ତବ୍ୟ ନୁହେଁ । ନାବାଳକତ୍ଵକକୁ ମୂଳତଃ ଆରୋପ ନ କରି ବରଂ ପ୍ରତ୍ୟେକ ବ୍ୟକ୍ତି ଏକ ଦାୟିତ୍ଵବାନ୍ ସାବାଳକ ବୋଲି ଗ୍ରହଣ କରିବା ବାଞ୍ଛନୀୟ । ତଦ୍ୱାରା ପରସ୍ପର ସମ୍ମାନବୋଧ ବଢ଼ିବ ଏବଂ ତା’ ସାଙ୍ଗେ ସାଙ୍ଗେ ଗଢ଼ି ଉଠିବ ଏକ ସୁସ୍ଥ ବଳିଷ୍ଠ ଆତ୍ମନିର୍ଭରଶୀଳ ବ୍ୟକ୍ତିତ୍ଵ ।

Image

 

ଗାଡ଼ି ଛାଡ଼ିଦେଲା

 

ସମୟ ସମୟରେ ଦେଖିବାକୁ ମିଳେ ଯେ ଷ୍ଟେସନ୍‍ ଦାଢ଼ରେ ଖୁବ୍ ହଲିଆ ଓ ଝାଳ ସର ସର ହୋଇ ଜଣେ କେହି ଦୂରେଇ ଯାଉଥିବା ରେଳ ଗାଡ଼ିଟି ଆଡ଼କୁ ବିକଳରେ ଚାହିଁ ରହିଛି । ଦୂର ମୋଡ଼ରେ ଗାଡ଼ିଟି ବଙ୍କେଇ ଯାଇ ଅଦୃଶ୍ୟ ନ ହେବାଯାଏଁ ତାଙ୍କୁ ଅପଲକ ଆଖିରେ ସେଇ ଦିଗକୁ ଚାହିଁ ଠିଆ ରହିଥିବାର ଦେଖାଯାଏ । ତା’ପରେ ପରାସ୍ତ ଓ ବିଡ଼ମ୍ବିତ ଲୋକଟି ଗୋଟିଏ ମାତ୍ର ଦୀର୍ଘ ନିଶ୍ଵାସରେ ସତେ ଯେମିତି ପାଣି ଫୋଟକା ପରି ଉଭେଇ ଯିବ ! ସେ କିନ୍ତୁ ଉଭାଏ ନାହିଁ । ଖୁବ୍ ସାଙ୍କୁଡ଼ି ଯାଏ ଓ ଖୁବ୍ ଅସହାୟ ଦେଖାଯାଏ । ଅହରହ ଛୁଟି ଚାଲିଥିବା ସଂସାର ସହିତ ସେ ତାଳ ଦେଇପାରି ନାହିଁ । ତା’ର ଯୋଗାଯୋଗ ଫିଟି ଯାଇଛି । ଫଳତଃ ତା’ ଜୀବନର ସମଗ୍ର ସମ୍ଭାବନା ସାମୂହିକ ଭାବରେ କିଞ୍ଚିତ ଘୁଞ୍ଚି ଯାଉଛି । ତେଣିକି ଏହି ଏକମୁହାଁ ଧାଉଁଥିବା ଜଗତ୍‍ଟାକୁ ନା ରୋକି ହୁଏ ନା ଟପି ହୁଏ । ସେ ପଛେଇ ଯାଏ । ତା’ର ଜୀବନର ଧାଡ଼ି ବଦଳେଇବାକୁ ସେ ବାଧ୍ୟ ହୁଏ । ନୂଆ ରାସ୍ତାରେ ବହୁବାର ସେ ଏଇ ଦୁର୍ଯ୍ୟୋଗକୁ ମନେ ପକାଏ, ବାହୁନି ହୁଏ ଏବଂ ଗୋଟାଏ ହତାଶାର ସୁର୍ ତୋଳି କହେ ଯେ ତା’ର ଗାଡ଼ି ଫିଟିଗଲା । ତାକୁ ଫଳରେ ବଡ଼ ଅସହାୟ ଲାଗେ । ସେ ଜୀବନ ସାରା ଛି ଛା ହୁଏ ଏବଂ ଅନୁଭବ କରେ ଯେ ସେ ଯେଉଁ ଏମିତି କି ସେମିତି ହୋଇ ପାରିଥାନ୍ତା ତା’ ଆଉ ସମ୍ଭବ ହୋଇ ପାରିଲା ନାହିଁ ।

 

ଅଳ୍ପ ବହୁତ ଆମେ ସମସ୍ତେ ଏ ଦୁର୍ଦ୍ଦଶା ଭୋଗିଛୁ । କିଏ ଆଇ.ଏ.ଏସ୍.ରେ ଠିକ୍ ବେଳେ ଦରଖାସ୍ତ ଦେଇପାରି ନାହିଁ ତ କିଏ ବେଳ ଉଣ୍ଡି ନିଲାମ୍ ହାଙ୍କି ପାରି ନାହିଁ । ସମସ୍ତଙ୍କର ଗାଡ଼ି ଛାଡ଼ି ଦେଇଛି ଏବଂ ଫଳ ହୋଇଛି ଆମରଣ ମନସ୍ତାପ ଏବଂ ଅସନ୍ତୋଷ । ସାଧାରଣ ଭାଷାରେ ଆମେ ତାକୁ ସୁଯୋଗ ବୋଲି କହିଥାଉ ଏବଂ ସେଇଟା କୁଆଡ଼େ ଜୀବନରେ ଥରେ ମାତ୍ର ଆସେ । ତାକୁ ହରେଇଲେ ପଶା ଖେଳରେ ହାର ହେଇଗଲା । ଫଳରେ ଅଜ୍ଞାତବାସ ଭୋଗିବାକୁ ପଡ଼ିପାରେ, ଘୋର ବିପର୍ଯୟ ସହିବାକୁ ପଡ଼ିପାରେ । ଏଣୁ ଏ ସବୁ ଜାଣି ଶୁଣି କେହି କେବେ ସୁଯୋଗ ହରାଏ ନାହିଁ । ହରାଏ କେବଳ ଅଣାୟତ୍ତ ହୋଇ, ପରିସ୍ଥିତିର ଚକ୍ରାନ୍ତରେ, ଘୋର ଅନିଚ୍ଛାସତ୍ତ୍ୱେ ଏବଂ ସମୟ ସମୟରେ ଅହରହ ଆପ୍ରାଣ ଚେଷ୍ଟାସତ୍ତ୍ୱେ ମଧ୍ୟ । ଏପରି ଅନିବାର୍ଯ୍ୟ ପରାଜୟ ହେଲେ ମନ ପିତା ଧରିଯାଏ ଏବଂ ନିରୁପାୟ ହୋଇ ଭାଗ୍ୟ ନିନ୍ଦା କରିବା ଛଡ଼ା ଅନ୍ୟ ପନ୍ଥା ନ ଥାଏ । କିନ୍ତୁ ଟେକ୍‍ସିରେ ଚଢ଼ିଲା ବେଳକୁ ହାତ ମୁଣାଟା ନେବାକୁ ପାଶୋର ହୋଇ ନ ଥାନ୍ତା, ବା ବକ୍‍ସି ବଜାର ଛକଠି ସେଇ ପୁରୁଣା ସାଙ୍ଗଟା ହଠାତ୍ ହାବୁଡ଼ି ନ ଥାନ୍ତା ବା ଧରାଯାଉ ସବୁଦିନ ଦେଢ଼ ଘଣ୍ଟା ଡେରିରେ ଆସୁଥିବା ଏକ୍‍ସପ୍ରେସ୍‍ ଏକାବେଳେ ଠିକ୍ ସମୟରେ ନ ଆସି ମାତ୍ର ଦଶ ମିନିଟ ଡେରିରେ ଆସିଥାନ୍ତା ତେବେ କଲିକତାରେ ଇଣ୍ଟରଭ୍ୟୁ ହରେଇବାର ଆଶଙ୍କା ନ ଥିଲା । କିନ୍ତୁ ଯୋଗ ତ’ ନାହିଁ । ଏ ବାଜିକ ଅବଶ୍ୟ ହାରିବାକୁ ହେବ ଯୁଧିଷ୍ଠିର ପରି, ନିଜ ଦୋଷରୁ ନୁହେଁ, ଗୋଟାଏ ଦୁର୍ଜୟ ଶକ୍ତିର ଅଭିସନ୍ଧ ଫଳରେ ।

 

କାର୍ଯ୍ୟଟିଏ ଥିଲେ ତା’ର ଅବଶ୍ୟ କାରଣଟିଏ ଅଛି । ଦୃଶ୍ୟ ହେଉ, ଅଦୃଶ୍ୟ ହେଉ ଏ କାରଣ ବ୍ୟତିରେକ କାର୍ଯ୍ୟର ଅସ୍ତିର ନାହିଁ । ଏପରି ବୁଝିବା ତାର୍କିକ ଲୋକେ କାରଣର କାରଣ ଖୋଜି ଖୋଜି ହଳିଆ ହୋଇଗଲେ ଗୋଟିଏ ଅକାରଣ କାରଣ ବା ପରମ କାରଣରେ ପହଞ୍ଚି ତୁନିପଡ଼ି ବସି ଯାଆନ୍ତି । ଯାହାର ଗାଡ଼ି ଛାଡ଼ି ଦେଇଥାଏ ସେ ବିଚାରା ମଧ୍ୟ ଖୋଜି ଖୋଜି ବେଳେ ବେଳେ ଏଇ ମୂଳରେ ଆସି ପହଞ୍ଚିଯାଏ ଯୁକ୍ତି ବଳରେ ଏବଂ ସେଇଠି ପହଞ୍ଚି ଗଲେ ପରାଜୟଟା ଆଉ ବାଧେ ନାହିଁ । ଯଦି ଅମୁହାଁ ବଣ ଭିତରେ ହେଣ୍ଟାଳୁ ଥିବା ସିଂହ ଯେ କି ଅକ୍ଳେଶରେ ଆମକୁ ଗୋଟିକ ଯାକ ଢୋକି ଦେଇପାରେ ଆସି ଅବଲୀଳା କ୍ରମେ ଖାଲି ଟିକିଏ ପେଲି ଦିଏ ସେଥିରେ ଆଉ ପରାଜୟର ତୀବ୍ରତା ନ ଆସି ବରଂ କୃତଜ୍ଞତା ଆସିବା ଉଚିତ ନୁହେଁ କି ? କଣ୍ଟା ବୁଦାରେ ଛିଟିକି ପଡ଼ି କିଛି ରକ୍ତସ୍ରାବ ହେଲେ ମଧ୍ୟ ମନକୁ ବୋଧେଇବାକୁ ବହୁ ଯୁକ୍ତି ଆସି ଯୁଟିଯାଏ । ସେହିପରି ଗାଡ଼ିଟା ସିନା ଛାଡ଼ିଦେଲା । ସେଥିରେ ଯାଇଥିଲେ ହୁଏତ’ ପ୍ରାଣ ଯାଇଥାନ୍ତା ବୋଲି କିଏ କହିବ ? ଅତଏବ ଯାହା ଘଟିଛି ତାହା ଘଟିବା ଉଚିତ୍ । ବିକଳ୍ପ ଚିନ୍ତା କରି ବୃଥାରେ କେବଳ ମନରେ ଅଶାନ୍ତି ଲୋଡ଼ି ଅଣାଯାଏ । ଏ ଯୁକ୍ତିରେ କ’ଣ ଭଲା କୁହାଯାଏ ? କୁହାଯାଏ ଯେ ମନିଷଟି ଗୋଟିଏ କିଞ୍ଚିନ୍ନାତ୍ର ଜୀବ । ତା’ର ଜ୍ଞାନ ବୋଲି କିଛି ନାହିଁ । ଏଣୁ ନିର୍ବୋଧଟି କେବଳ କିଛି ଦେଖି ବୁଝି ନ ପାରି ଏମିତି ବିକଳ ହେଇଥାଏ । ଏହି ପରମ କାରଣ କିନ୍ତୁ ସବୁ ଜାଣେ, ସବୁ ଦେଖେ ଏବଂ ଯାହା କରେ ତାହା ମଙ୍ଗଳ ପାଇଁ କରେ । ଏ ଦିଗରେ ଚିନ୍ତା କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଟା ସୁଦ୍ଧା ଅମୃତ ସୋପାନ । ସେମାନେ ଆଉ ଗାଡ଼ିଟାଏ ଫିଟିଯିବା ଉପରେ କାହିଁକି ବା ଦୃଷ୍ଟିପାତ କରିବେ । ବରଂ କୃତଜ୍ଞତାରେ କରଯୋଡ଼ ହୋଇ ଲୁହ ଗଡ଼େଇବେ । ଏମାନଙ୍କ ଦୃଷ୍ଟିଭଙ୍ଗୀ ଅସାଧାରଣ । ତାଙ୍କ ସହିତ ସାଧାରଣ ମଣିଷର ମେଳ ଖୁବ୍ କମ୍ । ଏଣୁ ସାଧାରଣ ଦୃଷ୍ଟିରେ ଏମାନେ ଦିଶନ୍ତି ସତେ ବା’ ଯେମିତି ଗୁଡ଼ାଏ ଖଣ୍ଡିଆ ଖାବରାକୁ ମୋଟା ପଲସ୍ତରାଟାଏ ଦେଇ ଘୋଡ଼େଇ ଦେଉଛନ୍ତି । ବିଲୁଆର ଲାଙ୍ଗୁଡ଼ ଛିଡ଼ିଗଲେ ତାକୁ ଉଶ୍ଵାସ ଲାଗେ ବୋଲି କହନ୍ତି । ସେ ଯାଉହେଉ ପଛକେ ଏ ମଙ୍ଗଳବାଦୀ ଗଣ୍ଡାକ ଗୁଡ଼ାଏ ଡହଳ ବିକଳରୁ ଅନ୍ତତଃ ନିଷ୍କୃତି ପାଇ ଯାଆନ୍ତି । ତାଙ୍କର ଦୃଷ୍ଟି ଭଙ୍ଗୀ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଉପରେ ନୂଆ ରଙ୍ଗ ମଡ଼େଇ ଗ୍ରହଣ କରିନିଏ । ସେଥିରେ ହତାଶା ବା ନିରାଶାକୁ ସ୍ଥାନ ଦିଆଯାଏ ନାହିଁ । ଯଦି ଅସହାୟ ଭାବରେ ନିହାତି ଦୁର୍ଦ୍ଦିନ ସହିବାକୁ ପଡ଼େ, ବିରୋଧ କରି ତାକୁ ଜିଣିଲା ଭଳି ବାହାରେ ବଳ ନ ଥାଏ ତେବେ ତାକୁ ଏମିତି ଆପଣେଇ ନେଲେ କ୍ଷତି କ’ଣ ? ସେଥିରେ ତା’ର ଦାଢ଼ଟା ତ’ ଅନ୍ତତଃ ମରିଯିବ ।

 

ଜୀବନରେ ଯେଉଁମାନଙ୍କର ଗାଡ଼ି ଛାଡ଼ି ଦେଇଛି ସେମାନଙ୍କୁ ଏ ପ୍ରକାର ଅଦୃଷ୍ଟ-ଦର୍ଶନ ବେଶ୍ ମାନେ । ସେମାନେ ନିଜକୁ ବେଶ୍ ମନ୍ତ୍ରମୁଗ୍‍ଧ କରି, ବରଫ ବେଢ଼ା ଭିତରେ ରୁନ୍ଧି କାଲୁଆ କରି ଗୁଡ଼ାଏ ଅନୁତାପ ଜ୍ଵାଳାରୁ ବଞ୍ଚି ଯାଆନ୍ତି । ନିଶାଖୋର୍ ଲୋକ ଯେମିତି ଟିକିଏ ନିଜକୁ ଭୁଲିଯିବା ପାଇଁ ଗୁଡ଼ାଏ ତାତିଲା ବିଷ ପିଇଯାଏ, ସେମିତି ଦର୍ଶନରୁ ଟେଳାଏ ପକେଇ ଆଖି ମିଟିମିଟି କରି ଅନେଇଲେ ସବୁ ନୂଆ ନୂଆ ଲାଗେ । ଏଇଟା ବି ଗୋଟାଏ ସେମିତି ମନ ଭୁଲାଣ ନୁହେଁ କି ? ରୋଗୀ ଅଣାୟତ୍ତରେ ଔଷଧ ଗିଳିଲା ପରି ବଡ଼ଭାଗ ନିରାଶ ଲୋକ ଏହାର ଆଶ୍ରା ଲୋଡ଼ି ନିଅନ୍ତି ।

 

ସେମାନଙ୍କୁ ଏମିତି ଦି’କଡ଼ାର ବୋଲି ମଣୁଥିବା ଲୋକେ କିନ୍ତୁ ମାନନ୍ତି ଯେ ତାଙ୍କ ଭିତରୁ କେତେ ଜଣ ବେଶ୍ ଗହୀର ପାଣିର ଜୀବ । ସେଗୁଡ଼ିକ ମୋଟ ଉପରେ ଜୀବନ ପ୍ରତି ଉଦାସୀନ । ମାଟି ପାଣି ସଂସାରର ସୁଖ ଦୁଃଖ ତାଙ୍କୁ ବିଚଳିତ କରି ପାରେ ନାହିଁ । ତାଙ୍କ ମନରେ ଉଚ୍ଚାଟର ଉଜାଣି ଧରେ ନାହିଁ । ଏଣୁ ସେମାନେ ସେପରି କୌଣସି ସୁଯୋଗ ଆସିବା ବା ତାକୁ ହରେଇ ଦେବା କଥା ଜାଣି ପାରନ୍ତି ନାହିଁ । ସେମାନଙ୍କ ଜୀବନଟା ଭିତର ମୁହାଁ । ବାହାରର ପ୍ରତିଯୋଗିତା, ଦ୍ଵନ୍ଦ୍ୱ, ଜୟ, ପରାଜୟ ସେ ଭିତରେ ପଶିପାରେ ନାହିଁ । ସେଗୁଡ଼ିକ ଆତ୍ମାରାମ ଜଡ଼ ଭରତ ଶ୍ରେଣୀର ଲୋକ । ସଂସାରର ଶୋଭା ଯାତ୍ରାକୁ ଦୂରରୁ ନିର୍ଲିପ୍ତ ହୋଇ ଦେଖିବା ହିଁ କେବଳ ତାଙ୍କର ଧର୍ମ । ସେମାନଙ୍କୁ ଭିଡ଼ି ଓଟାରି ଆଣି ପାଲିଙ୍କି ବୁହାଇଲେ ସେମାନେ ତାଳ ରକ୍ଷା କରି ପାରିବେ ନାହିଁ । ଜୀବନରେ ଅଭିଳାଷ ବା କାମନା ଯାହାର ନାହିଁ ବା ଆଉ ପ୍ରକାରେ କହିଲେ ହାତ ପାଇଲା ଭଳି ଛୋଟ ବଡ଼ ଲକ୍ଷ୍ୟ ଯାହାର ନାହିଁ ତା’ ପାଇଁ ସୁଯୋଗର ମଧ୍ୟ ଅର୍ଥ କିଛି ନାହିଁ । ଯଦି ଜଣେ ଯାତ୍ରା କରିବାକୁ ପ୍ରସ୍ତୁତ ନୁହେଁ ତା’ ପାଇଁ ପଚାଶଟା ଗାଡ଼ି ଆସିଲେ କେତେ ବା ଛାଡ଼ିଦେଲେ କେତେ ! ଧର ସେମାନେ ସେଇ ଷ୍ଟେସନ ମାଷ୍ଟର ଭଳି ଗାଡ଼ି ଯିବା ଆସିବା କେବଳ ଠିଆ ହେଇ ଦେଖନ୍ତି । ମୋଟ ଉପରେ ଗୋଟାଏ ଚଳାଚଳ ବିଷୟରେ ସେମାନେ ହୁଏତ’ ସଚେତନ କିନ୍ତୁ କୌଣସି ଗୋଟାଏ ଗୋଟିଏ ଗାଡ଼ି ଛାଡ଼ି ଦେବାର ବିଶେଷ ତାତ୍ପର୍ଯ୍ୟ ତାଙ୍କ ମନକୁ ଛୁଇଁ ପାରେ ନାହିଁ । ନ ଛୁଇଁବା କଥା ।

 

ଦୁଇଟି ଅଲଗା ଅଲଗା ସୁଅରେ ଯୋଡ଼ିଏ ବିନ୍ଦୁ ପରସ୍ପର ଆଡ଼କୁ ପାଖେଇ ଆସୁଛନ୍ତି । ସମୟର କୌଣସି ଗୋଟିଏ ମୁହୂର୍ତ୍ତରେ ହୁଏତ’ ମିଶିଯାନ୍ତେ, କିନ୍ତୁ ତା’ ହେଉନାହିଁ କାରଣ ସମୟ ଆଉ ଏକ ସୁଅ । ଆମ ଭିତରେ ବାହାରେ ଏତେ ପ୍ରକାର ପ୍ରବାହ ଯେ ତାକୁ ବୁଝି ବସିଲେ ବୁଦ୍ଧି ହଟିଯାଏ । କୌଣସି ବସ୍ତୁତ ସ୍ଥିର ନୁହେଁ । ଅଣୁ ପରମାଣୁଠାରୁ ଆରମ୍ଭ କରି ଆକାଶରେ ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ଯେମିତି କିଏ ତଡ଼ି ନେଇ ଚାଲିଛି । ଏ ପ୍ରକାର ଧାଁ ଦଉଡ଼ ଭିତରେ ଯଦି ଯୋଜନା ଅନୁସାରେ କିଛି ଘଟିଗଲା ତାହାହିଁ ସବୁଠାରୁ ବେଶି ବିସ୍ମୟ କର । ଏଇ ଧରନ୍ତୁ ସେ ରେଳ ଛାଡ଼ିଦେବା କଥା । କେଉଁ ଅପନ୍ତରା ଭିତରୁ ଗାଡ଼ି, ମଟର ଧରି ଆସି ଷ୍ଟେସନରେ ରେଳ ଚଢ଼ିବା କେତେ ପ୍ରକାର ପ୍ରବାହର ମିଶା ଗୋଳିଆ କଥା–ଏ ଜଟିଳ ଛନ୍ଦ ଭିତରେ ଗାଡ଼ି ଛାଡ଼ିଦେବା ବରଂ ଖୁବ୍ ସ୍ଵାଭାବିକ ! ସବୁ ଯୋଗାଯୋଗ ହୋଇ ଗାଡ଼ି ଚଢ଼ିବା ଏକ ଅଦ୍ଭୁତ ବ୍ୟାପାର ।

 

ଅନେକ ଅଛନ୍ତି ଯେଉଁମାନଙ୍କୁ ଏ ସବୁ ଗତି ଦିଶେ । ତାଙ୍କୁ ଦିଶେ ସବୁ ଘୂରୁଛି; ସବୁ ଦୂରେଇ ଯାଉଛି । ଯାହା ଅଚଳ ପରି ଦିଶୁଛି ତା’ କେବଳ ସେମିତି ଦିଶୁଛି ମାତ୍ର । ତା’ ଭିତରେ ଅହରହ ଅଣୁ ପରମାଣୁର ଘୂର୍ଣ୍ଣନ ଚାଲିଛି । ଟିକିଏ ତଳେଇ ଦେଖିଲେ ପ୍ରକୃତରେ ଅନନ୍ତ କାଳର ସୁଅରେ ଏ ଅନନ୍ତ ଧାଁ ଦଉଡ଼କୁ ନେଇ ହିଁ ଏ ଜଗତ୍‍ଟା । ଆମ ଭିତରେ ରକ୍ତର ଧାର ବୁଲେ, ତା’ ଭିତରେ କଣିକା ବୁଲନ୍ତି । ଆବେଗର ତାଡ଼ନାରେ ଆମେ ଘୂରି ବୁଲୁ । ଏ ପୃଥିବୀ ଘୂରେ । ସୂର୍ଯ୍ୟ ଘୂରେ । ଗ୍ରହ ନକ୍ଷତ୍ର ଘୂରନ୍ତି । ଗୋଟେ ବାରୁଦ ହାଣ୍ଡି ଫୁଟିଲା ବେଳେ ତା’ ଧୂଆଁ ଭିତରେ ରହିଗଲେ ଯେମିତି ସବୁ ଚାରିଆଡ଼େ ଛିଞ୍ଚାଡ଼ି ହୋଇ ପଡ଼ିବାର ଅନୁଭୂତି ଆସନ୍ତା, ଏ ପ୍ରାୟ ସେହିପରି । ଏ ଦୁର୍ବାର ଗତି କାହିଁକି । ଏ ଏମିତି ତଡ଼ି ନେଇ ନେଇ କେଉଁଠି ପହୁଞ୍ଚେଇବ ନା ଖାଲି ଏମିତି ରାଇଁ ରାଇଁ ବୁଲିବା ହିଁ ଏ ସୃଷ୍ଟିଟାର ଲକ୍ଷ୍ୟ ? ୟା’ର ଉତ୍ତର ଦେବା ଭାରି କଷ୍ଟ । କିନ୍ତୁ ଏ ଗତିଟା ଜଣାପଡ଼େ କେମିତି ? ସ୍ଥିତ ନ ଥିଲେ ତ’ ଗତି ଜଣା ପଡ଼ିବ ନାହିଁ । ନିଜେ କୌଣସି ସ୍ଥିର ବିନ୍ଦୁରେ ରହିଲେ ସିନା ତେଣିକି ସବୁ ଘୂର୍ଣ୍ଣନ ଦିଶିବ । ସେପରି ସ୍ଥିର ବିନ୍ଦୁଟିଏ ତ ଏ ସଂସାରରେ କୁତ୍ରାପି ନାହିଁ । ଯଦି କୌଣସି ଠାରେ କସ୍ମିନ୍ କାଳେ ସେପରି ସ୍ଥିର ବିନ୍ଦୁଟିଏ ଆସିଯାଏ, ତେବେ ସମଗ୍ର ବିଶ୍ଵ ହଠାତ୍ ଧ୍ଵଂସ ହୋଇଯିବ । କାଳ ନିସ୍ତରଙ୍ଗ ହୋଇଯିବ । ତେଣିକି କ’ଣ ହେବ ନ ହେବ କହି ହେଉ ନାହିଁ । ମୋଟ ଉପରେ ତାହା ଏକ ଅସମ୍ଭବ ଅବସ୍ଥା । ତେବେ ଆମେ ଗତ ବିଷୟ ଜାଣୁ କିପରି ? ତା’ କେବଳ ଆପେକ୍ଷକ ଦୃଷ୍ଟିରୁ । ଗୋଟିଏ ଆପେକ୍ଷିକ ସ୍ଥିତିରୁ ଆପେକ୍ଷିକ ଗତିକୁ ବୁଝିବା କଥା । ସେ ମଧ୍ୟ କେବଳ ପ୍ରତୀତି ହୋଇପାରେ । ଆମ ଭିତରେ ଯେଉଁ ଯନ୍ତ୍ରଟା ଜାଣେ ବା ଜାଣିବା କାର୍ଯ୍ୟରେ ବ୍ୟବହୃତ ହୁଏ ସେଇଟା ମଧ୍ୟ ଗୋଟାଏ ଅସ୍ଥିର ତରଙ୍ଗ ଭଳିଆ ଜିନିଷ । ଆମକୁ ଦିଶେ ସୂର୍ଯ୍ୟ ଚାଲୁଛି । ଆମେ ଯୁକ୍ତିରେ ବୁଝୁ ଯେ ପୃଥିବୀ ଚାଲୁଛି । ଆଉ ତଳକୁ ଦେଖିଲେ ଉଭୟେ ଚାଲିଛନ୍ତି । ଏମିତି ବୁଝୁ ବୁଝୁ ହଠାତ୍ ପ୍ରଶ୍ନ ଉଠେ, ‘ଚାଲିଛନ୍ତି କି ?’

 

ୟା ଉପରେ ଆଉ ଖେନ୍ଦାଏ ପୋଥି । ପ୍ରକୃତରେ କିଛି ଚାଲି ନାହିଁ, ସବୁ ସେମିତି କେବଳ ଲାଗୁଛି । ଏ ଜଗତ୍‍ଟା ଗୋଟାଏ ପ୍ରତୀତି, ଗୋଟାଏ ପ୍ରହେଳିକା–ଯାହା ଦିଶୁଛି ସେ ସବୁ ମିଥ୍ୟା । କେବଳ ଅବିଦ୍ୟା ବୋଲି ଗୋଟାଏ କୁହୁକରୁ ଉତ୍ପନ୍ନ । ନିଦରେ ବୁଡ଼ିଥିଲେ ଯେମିତି ବହୁ ବହୁ କଥା ଦିଶେ ମାତ୍ର ଆଖି ଫିଟେଇ ଦେଲେ ସବୁ କୁଆଡ଼େ ଉଭେଇ ଯାଏ ସେପରି ଏ ସୃଷ୍ଟି । କେବଳ ଗୋଟାଏ ଭ୍ରମ । ଦଉଡ଼ିଟାକୁ ସାପ ବୋଲି ବିଚାରିବା ଯାହା, ପ୍ରାୟ ସେହିପରି । ଆମେ ଆମର ମୂଳ ସତ୍ୟରେ ସବୁବେଳେ ଅଛୁ ।

 

ସେଇଟା ହିଁ ଏକମାତ୍ର ସତ୍ୟ । ସେଥିରେ ଆମେ ସବୁବେଳେ ଥିଲୁ, ଅଛୁ ଏବଂ ରହିବୁ । ଏ ସମୟଟା ମଧ୍ୟ ଭ୍ରମ । କାଳ-ଗତିର ଏ ପରଳ ଆଡ଼େଇ ଦେଲେ ଆମେ ହିଁ ସେହି । ଏଣୁ ସ୍ଥିତି ସତ୍ୟ, ଗତି ମିଥ୍ୟା । ଏ ପ୍ରକାର ମଧ୍ୟ କେତେଜଣ ବୁଝିଛନ୍ତି । ସେମାନେ ଜୀବନକୁ ଗୋଟାଏ ସ୍ଵପ୍ନ ପରି ଦେଖୁଥାନ୍ତି । ତେମନ୍ତ ଦ୍ରଷ୍ଟାଙ୍କ ପାଇଁ ଗାଡ଼ିଟାଏ ଛାଡ଼ିଦେବା କି ବା ଛାର କଥା ।

 

ଆମେ କିନ୍ତୁ ସାଧାରଣ ମଣିଷ ଭାବରେ ଗୁଡ଼ିଏ ଯୋଜନାକୁ ନେଇ ବଞ୍ଚୁ । ସେଇ ଯୋଜନା ପଛରେ ଧାଇଁବା ହେଲା ଆମ ଜୀବନର ଅର୍ଥ । ଏଥିରୁ କୌଣସି ଯୋଜନା ଯଦି ଗୋଟିଏ ସୁଯୋଗ ହରେଇବା ଦ୍ଵାରା ଭଣ୍ଡୁର ହୋଇଗଲା ତେବେ ଆମକୁ ଧକ୍‍କା ଲାଗିବା କଥା । ସେ ଯୋଜନଟା ସହିତ ଗୋଟାଏ ପ୍ରକାର ଏକାତ୍ମ ଭାବ ହୋଇଯାଇ ଥିବାରୁ ତାକୁ ଜୀବନରୁ କାଢ଼ି ନେଇଗଲେ ଅଙ୍ଗହାନୀ ହେଲାପରି ଲାଗିବା କଥା । ସୁଯୋଗ ହରାଇ ତାକୁ ଝୁରି ଝୁରି ଜୀବନ ସାରା ମନସ୍ତାପ କରିବା କଥା । ଅନେକ ସମୟରେ ସୁଯୋଗ ଆସେ ଏବଂ ଯାଏ ଆମ ଅଜାଣତରେ । ବହୁ ପରେ ଆମେ ବୁଝୁ ଯେ ସେ ଆସିଥିଲା । ସେଥିରେ ମଧ୍ୟ ଗୁଡ଼ାଏ ହା ହତାଶ ହେବାକୁ ହୁଏ । ଏ ସବୁ ମୂଳରେ ସେଇ ଯୋଜନା ସର୍ବସ୍ଵ ଜୀବନ । ଖାଇବା, ପିନ୍ଧିବା, କୋଠାବାଡ଼ି କରିବା, ଧନ ଦୌଲତ କରିବା, ନିଜେ ଓ ନିଜର ସମସ୍ତଙ୍କୁ ଆମେ ଯାହା ସୁଖ ବୋଲି ବୁଝୁ ସେଥିରେ ବୁଡ଼େଇ ରଖିବା ହେଲା କେତେଗୁଡ଼ିଏ ମୂଳ ଯୋଜନା । ଏମାନେ ଜୀବନରେ ଗୋଟାଏ ଆଭିମୁଖ୍ୟ ସଜାଡ଼ି ଧରନ୍ତି ଓ ଆମକୁ ପଛରୁ ତଡ଼ନ୍ତି । ଏ ଫାନ୍ଦରେ ନ ପଡ଼ିବ ଏମିତି ପୁଅ କେହି ନାହିଁ । ତେବେ ଏ ଅସଂଖ୍ୟ ଯୋଜନା ଭିତରେ କିଏ କେଉଁଟାକୁ କେତେବେଳେ ଗୁରୁତ୍ଵ ଦେଇଥାଏ-। ସେ ଅନୁସାରେ ସେ ତା’ ପଛରେ ଗୋଡ଼ାଏ ।

 

ବହୁ ଶ୍ରମ ବହୁ ଅଶାନ୍ତି ବହୁ ପରାଜୟ ସାଙ୍ଗକୁ ଅନେକ ସଫଳତା ଓ ଆନନ୍ଦ ମଧ୍ୟ ଆସି ପହଞ୍ଚେ । ପ୍ରତିମୁହୂର୍ତ୍ତରେ ପ୍ରସ୍ତ ପ୍ରସ୍ତ ହୋଇ ଆଲୁଅ ଅନ୍ଧାର ତାକୁ ଘୋଡ଼େଇ ଚାଲିଥାନ୍ତି । ମନେହୁଏ ଯେ ଏ ସବୁ ଯୋଜନା ଉପରେ ତା’ର କୌଣସି ମାଲିକପଣିଆ ନାହିଁ । ବରଂ ସେଗୁଡ଼ିକ ଗୋଟିଏ ଗୋଟିଏ ଅଦୃଶ୍ୟ ପ୍ରବାହ । ସେଥିରୁ କେଉଁଟା କେତେବେଳେ ଆସି ମଣିଷର ମନ ପ୍ରାଣକୁ ବୁଡ଼େଇ ଦିଏ, ତଡ଼ି ନେଇଯାଏ । ବହୁ ଅସହାୟ ଅବସ୍ଥାରେ କେବଳ ଗୋଟାଏ ଅନେକ ସୁଅର ମଥିତ ଆନ୍ଦୋଳନ ଉପରେ ସେ ଭାସୁଥାଏ । ଯେଉଁ ସୁଅ ଯେତେବେଳେ ଟାଣ ପଡ଼ିଗଲା ସେ ମୁହଁରେ ସେ ସବୁବେଳେ ତଡ଼ି ହୋଇ ଚାଲିଥାଏ । ତା’ର ସେଥିରେ ଆୟତ୍ତ ବା କ’ଣ ? ସ୍ରୋତର ହାବୁକାରେ ଉଚ୍ଚାଟ ଓ ଆବେଗ ତେଜି ଉଠେ । ସେଥିରେ ସେ ମଜ୍ଜିଯାଏ । ଏଇ ପୁଅ ମୁହଁରେ ତଡ଼ି ହେଇ ଗଲାବେଳେ ତାକୁ ସଂସାରର ବାକି ସବୁ କିଏ ପ୍ରତିକୂଳତ କିଏ ଅନୁକୂଳ ପରି ବୋଧ ହୁଅନ୍ତି । ଅନୁକୂଳକୁ କେନ୍ଦ୍ର କରି ମନରେ ସ୍ଵପ୍ନ ଗଜେଇ ଉଠେ । ସେ ଆଉ ଏକ ପ୍ରବାହର ପ୍ରଥମ ପ୍ରକାଶ । ଫଳରେ ଗାଡ଼ି ଛାଡ଼ିଦେଲେ ତା’ର ସ୍ଵପ୍ନରେ ଆଘାତ ଲାଗେ । ସେ ବିକଳ ହୋଇ ଉଠେ, ଆଉ ଗୋଟାଏ ସୁଅ ତାକୁ ତଡ଼ି ନ ନେବା ପର୍ଯ୍ୟନ୍ତ । ଯଦି ଆଉ ଥରେ ପୁରୁଣା ସୁଅ ମୁହଁରେ ସେ ପୁଣି କେବେ ପଡ଼ିଯାଏ, ତେବେ ନଷ୍ଟ ସୁଯୋଗ ପୁଣି ଅନୁତାପ ସୃଷ୍ଟି କରେ ।

 

କଲିକତାକୁ ପରୀକ୍ଷା ଦେଇ ଯାଉଥିବା ଜଣକ ଗାଡ଼ି ଧରି ପାରେ ନାହିଁ । ଫଳତଃ ସେ ହୁଏତ ରେଳୱାଇରେ ଯେଉଁ ଉଚ୍ଚ ପାହିଆ କାମ ପାଇଥାନ୍ତା ତାହା ନ ପାଇ ଫେରିଆସେ । ପରିସ୍ଥିତି ତାକୁ ନେଇ ହାଇସ୍କୁଲ ଶିକ୍ଷକ କରି ଥୋଇଦିଏ । ସାଧାରଣ ମୂଲ୍ୟବୋଧ ତାକୁ ସେଇ ପୁରୁଣା ସ୍ରୋତ ଆଡ଼କୁ ଖୋଲି ଧରେ ।

 

ସେ ସେଥିରେ ପଡ଼ି ପୁରୁଣା ସ୍ଵପ୍ନରେ ଘାରି ହୁଏ; ଏବଂ ମନ ଭିତରେ ଖାଲି ଭାବୁଥାଏ ସେହି ଗାଡ଼ି ଛାଡ଼ିଦେବା କଥା–“ଇସ୍, ଯଦି ଛାଡ଼ିଥାନ୍ତା ତେବେ କାହିଁରେ କ’ଣ ହୋଇ ସାରନ୍ତାଣି ।”

 

ଜୀବନରେ ବହୁ ଜ୍ଵାଳା । ଯେ ଯାହାର ବେଳ ଜାଣି ଆସି ପ୍ରସ୍ତେ ପୋଡ଼ି ଦେଇଯାନ୍ତି । ଗାଡ଼ି ଧରି ନ ପାରିବା ମଧ୍ୟ ଗୋଟିଏ ଅଦ୍ଭୁତ ଜ୍ଵାଳା । ତା’ ବୋଧହୁଏ କେବଳ ଥରେ ମାତ୍ର ଘଟିଥାଏ । କିନ୍ତୁ ବହୁ ସହସ୍ର ଥର ସେ ଲାହୁଡ଼ ମାରି ଜୀବନକୁ ବିଷ ଦଗ୍‍ଧ କରେ । ପ୍ରତ୍ୟେକ ଥର ତା’ର ପାଉଣା ଗୋଟିଏ ଦୀର୍ଘ ଶ୍ଵାସ । ଅବଶ୍ୟ ଯଦି କେହି ସେମିତି ଏ ସଂସାରରୁ ହୁଗୁଳି ଯାଇଛି, ତା’ ପ୍ରଶ୍ନ ଅଲଗା, କାରଣ ତା’ର ମୂଲ୍ୟବୋଧ ଅଲଗା ।

Image

 

ପ୍ରତିବେଶୀ

 

ମୋର ଦାର୍ଶନିକ ବନ୍ଧୁଟି ବଡ଼ ଏକୁଟି ବାରିହା ଲୋକ । ବହୁ କ୍ଵଚିତ୍ ସେ ଅପରିଚିତ ଲୋକଙ୍କୁ ପାଖରେ ପୂରାନ୍ତି ଏବଂ ତା’ଠାରୁ କମ୍ ଲୋକଙ୍କୁ ସେ ପ୍ରକୃତରେ ସୁଖ ପାଆନ୍ତି । ଏକୁଟିଆ ପ୍ରାୟ ନୀରବରେ ବସିବାକୁ ତାଙ୍କର ଏକାନ୍ତ ଇଚ୍ଛା । କିନ୍ତୁ କିଛି କହିବାର ପ୍ରବୃତ୍ତି ହେଲେ ଜଣେ ସୁଚତୁର, ସହୃଦୟ ଶ୍ରୋତା ପାଇଁ ସେ ବ୍ୟାକୁଳ ହୋଇ ଉଠନ୍ତି । ସେହି ଅବସରରେ ହିଁ ମୋ ସହିତ ତାଙ୍କର ଘନିଷ୍ଠ ପରିଚୟ ହୋଇ ଆସିଛି । ଫଳତଃ ଯେ ତାଙ୍କୁ ସେପରି ପୁଷ୍ପିତ ଅବସ୍ଥାରେ ନ ଦେଖିଛି ସେ ତାଙ୍କ ଚରିତ୍ରର ସବୁଠାରୁ ମୂଲ୍ୟବାନ୍ ସବୁଠାରୁ ଚିତ୍ତାକର୍ଷକ ଅଂଶ ସହିତ ପରିଚିତ ହୋଇ ପାରି ନାହିଁ । ତାଙ୍କ ସାହି ପଡ଼ଶାରେ ପଚାରିଲେ ତାଙ୍କ ନାଁ କେହି ଠିକ୍ କହି ପାରନ୍ତି ନାହିଁ । ଅଧିକ ଖୋଳି ତାଡ଼ି ପଚାରିଲେ କହନ୍ତି ସେ ଗୋଟିଏ ପୋଡ଼ାମୁହାଁ ଅସାମାଜିକ ଲୋକ । ତାଙ୍କ ସାଙ୍ଗେ କାହାରି ତାଳ ପଡ଼େ ନାହିଁ । ବେତାଳିଆ, ବେଖାପିଆ କିନ୍ତୁ ନିରାପଦ ଲୋକଟିଏ ।

 

ଏପରି ମନ୍ତବ୍ୟ ଯେ ମୋ ପରି ଗୁଣମୁଗ୍‍ଧ ବନ୍ଧୁ ପାଇଁ ଘୋର ପୀଡ଼ାଦାୟକ ଏଥିରେ ସନ୍ଦେହ ନାହିଁ । ଏଣୁ ଦିନେ ସଂଭ୍ରମର ସହିତ ମୁଁ ତାଙ୍କୁ ପଚାରି ଦେଲି, “ଜଣେ ତା’ର ପଡ଼ୋଶୀ ପାଖରୁ ଯେପରି ବ୍ୟବହାର ଆଶା କରେ ପ୍ରଥମେ ସେ ନିଜେ ତାଙ୍କୁ ସେପରି ବ୍ୟବହାର କରିବା ଉଚିତ ନା ନୁହେଁ ?” କିଛି ସମୟ ବଡ଼ ଗମ୍ଭୀର ମୁଦ୍ରାରେ ସେ ମୋତେ ଚାହିଁ ରହିବା ପରେ ହଠାତ୍ ଚକା ପକେଇ ବସିଗଲେ । ତାଙ୍କର ଆଖି ଯୋଡ଼ିକ ଅଳ୍ପ ହସିଲା ହସିଲା ପରି ଉଜ୍ଜ୍ଵଳ ହୋଇ ଉଠିଲେ । ମୁଁ ବୁଝିଲି ଯେ ଅନ୍ୟୁନ ଦୁଇଟି ଘଣ୍ଟା ମୋତେ ସହୃଦୟ ଶ୍ରୋତା ହୋଇ ବସିବାକୁ ହେବ ଏବଂ ବସିଲି ମଧ୍ୟ ।

 

“ବ୍ୟବହାର ନିର୍ଭର କରେ ଦୃଷ୍ଟିଭଙ୍ଗୀ ଉପରେ ଏବଂ କୌଣସି ଦୁଇଟି ବ୍ୟକ୍ତିର ଦୃଷ୍ଟିଭଙ୍ଗୀ ଏକ ହେବା ସମ୍ଭବ ନୁହେଁ । ଏଣୁ ମୋର ଦୃଷ୍ଟିଭଙ୍ଗୀ ଅନୁସାରେ ମୋର ପୋଡ଼ୋଶୀକୁ ଯେପରି ଦେଖେ ଓ ବୁଝେ ସେହିପରି ହୁଏତ’ ବ୍ୟବହାର କରେ ଏବଂ ତଦ୍ରୂପ ସେ ମଧ୍ୟ ତା’ ଦୃଷ୍ଟିଭଙ୍ଗୀରୁ ମୋତେ ଯେପରି ଦେଖେ ଓ ବୁଝେ ସେପରି ବ୍ୟବହାର କରେ ! ଏଣୁ ମୋଟ ଉପରେ ଉଭୟେ ନିଜ ଇଚ୍ଛା ଅନୁସାରେ ନିଜର ମୂଲ୍ୟାଙ୍କନ ଉପରେ ବ୍ୟବହାର କରି ଚାଲନ୍ତି । ବିରୋଧ ହୁଏ, ଅମେଳ ହୁଏ, ଏପରିକି ସଂଘର୍ଷ ମଧ୍ୟ ହୁଏ । କେବଳ ସହନଶୀଳତାର ନମନୀୟ ବର୍ମ ଗୁଡ଼ାଏ ଧକ୍‍କା ଗ୍ରାସ କରିଯାଏ ବୋଲି ଯୁଦ୍ଧ ହୁଏ ନାହିଁ । ତା’ ମାନେ ଆମେ ଆମ ପଡ଼ୋଶୀଠାରୁ ସଂସାରର ସମସ୍ତ ସ୍ମୃତି ଓ ନୈତିକ ନିୟମର ଦ୍ଵାହି ଦେଇ ଏକ ଲକ୍ଷ ଜିନିଷ ଆଶା କରୁ, କିନ୍ତୁ ପାଉ ଖୁବ୍ କମ୍ । ଏଇ ପାଇବା ଉପରେ ଆମ ବ୍ୟବହାରଟା ନିର୍ଭର କରେ । ମନ ଭିତରେ ଗୋଟାଏ ପ୍ରକାର ନିରାଶାରୁ ଏ ବ୍ୟବହାରର ଜନ୍ମ, ଏଣୁ ନିଶ୍ଚୟ ଭଗ୍ନ ଓ ଖଣ୍ଡିତ । ତା’ର ଉତ୍ତର ମଧ୍ୟ ଆସେ ଆହୁରି ତେଜା ଆହୁରି ଅସହ୍ୟ ରୂପ ନେଇ । ଫଳ ଅତି ବିଷମୟ ନିଶ୍ଚୟ । ଏଣୁ ନିୟମଟା ଆରବାଗିଆ ହେଲେ ଭଲ । ତମେ ଯେ କୌଣସି ବିଚାର ଭଙ୍ଗୀରୁ ହେଉ ନା କାହିଁକି ଯେତିକି କରି ପାରୁଛ ଅନ୍ତତଃ ସେତିକି ତମ ପଡ଼ୋଶୀଠାରୁ ଆଶା କର । ଏଠି ମଧ୍ୟ ନିରାଶ ହେବାର ଆଶଙ୍କା କିଛି କମ୍ ନୁହେଁ । ଫୁଲଟିଏ ଦେଲେ ଯେ ଫୁଲଟିଏ ପାଇବ ତା’ର କିଛି ନିଶ୍ଚିତତା ନାହିଁ କିନ୍ତୁ ଟେକାଟିଏ ଦେଲେ ଅବଶ୍ୟ ଦୁଇଟି ଟେକା ଆଶା କରିବା ଉଚିତ୍ । ମୋଟ ଉପରେ ତୁମ ପଡ଼ୋଶୀ ତୁମକୁ ଯେପରି ବ୍ୟବହାର କରିବାକୁ ତୁମେ ଆଶା କରୁଛ ତୁମେ ତାକୁ ସେପରି ବ୍ୟବହାର କରିବା ସମ୍ଭବ ନୁହେଁ, ନିରାପଦ ନୁହେଁ, ବାଞ୍ଚ୍ଥନୀୟ ମଧ୍ୟ ନୁହେଁ । ଏଇ ଆଗତୁରା ଆଶା କରିବାରେହିଁ ବହୁତ ଭୁଲ୍ ରହିଯାଏ ।”

 

ଏ ଆଡ଼ଶୂଳିଆ ଲୋକଟାକୁ ମୁଁ ବି ମଝିରେ ମଝିରେ ବୁଝି ପାରେ ନାହିଁ । ଭୟଙ୍କର ବିପ୍ଳବୀ ଧରଣର ଲୋକ । ସମସ୍ତେ ଯଦି ଫାଳେ ବୁଝନ୍ତି ସେ ବୁଝନ୍ତି ଆଉ ଫାଳେ । ମଝିରେ ମୁଁ ବା ପ୍ରଶ୍ନ କରନ୍ତି କିନ୍ତୁ ଲୋକଟା ବିଶେଷ ଆଲୋଚନା ପ୍ରିୟ ନୁହେଁ । ଆଉ ତର୍କ ଭିତରେ ପଶିଲେ ସେ ନିଜେ ବାଉଳା ହୋଇଯାନ୍ତି ଏବଂ ଶୁଣିବା ଲୋକକୁ ତା’ଠୁ ଅଧିକ ବାଉଳା କରି ଦିଅନ୍ତି । ବରଂ ତୁନିପଡ଼ି ଏ ଅବାଗିଆ ଲୋକଟାର ଅବାଗିଆ ମତ ଶୁଣିଲେ ବଡ଼ ଆମୋଦ ମିଳେ ।

 

“ଆଉ ଗୋଟିଏ ମଜା କଥା ଶୁଣ ! ଏ ଯେଉଁ ବିପୁଳ ସଂସାର, ଯାହାର ଥଳକୂଳ ଏ ପର୍ଯ୍ୟନ୍ତ କେହି କଳନା କରି ପାରିନାହିଁ–ତା’ର ଅନନ୍ତ ଜଟିଳତା ନେଇ ବିରାଟ ଏକ କଇଁଚ ପରି କେଉଁଠି ଖୋଳ ଭିତରେ ଲୁଚି ରହେ ଏବଂ ତା’ର ସରୁ ମୁହଁଟି କାଢ଼ି ଜୁଳୁଜୁଳୁ ଚାହିଁ ରହେ । ସେଇ ମୁହଁଟା ତୁମର ପଡ଼ୋଶୀ । ପଡ଼ୋଶୀ ହିଁ ସଂସାର ପ୍ରତୀକ । ସେଇଠି ସଂସାର ସହିତ ଆଳାପ ପରିଚୟ ହୁଏ । ସାମ୍‍ନା ସାମ୍‍ନି ତାକୁ ପାଇ ଛକାପଞ୍ଝା ବି ହୁଏ । ତେଣିକି କଳି ତକରାଳରୁ ଭିଣାଭିଣି, ତଣ୍ଟି କଟା କଟି ମଧ୍ୟ ହୁଏ ।

 

ସଂସାର ତୁମକୁ ଗିଳିବାକୁ ଚେଷ୍ଟା କରେ; ତୁମେ ସଂସାରକୁ ଠକି ଦେଇ ତାକୁ ଓଲଟି ଜିଆଇ,ଗିଳିବାକୁ ଚେଷ୍ଟା କର । ସବୁ ପ୍ରକାର ଚାଲାକି, ଚାଲ୍‍ବାଜି, କୂଟନୀତି, ବୈଦେଶିକ ନୀତି, ଯୁଦ୍ଧ ବିଦ୍ୟାର ସମସ୍ତ ଆଡ଼ଣ, ତାଡ଼ନ, ମୁଷ୍ଟି ଯଷ୍ଟି ପ୍ରହରଣ, ତନ୍ତ୍ର ବିଦ୍ୟାର ସମ୍ମୋହନ, ଉଚ୍ଚାଟନ, ବିନାଶନ ଇତ୍ୟାଦିର ପ୍ରୟୋଗ ପାଇଁ ପଡ଼ିଶା ଘରଠାରୁ ବଳି ଆଉ ପ୍ରଶସ୍ତ କ୍ଷେତ୍ର କାହିଁ ? ନିଜ ଘରର ଏରୁଣ୍ଡି ବନ୍ଧ ପାଖରେ ଠିଆହେଲେ ଜଣାପଡ଼େ ସଂସାର ରୂପକ ଦୋମୁଣ୍ଡିଆ ସାପର ରୂପ । ଘରେ ତା’ର ଅନୁପେକ୍ଷ୍ୟ ସ୍ନେହାନୁବନ୍ଧନର ଗୂଢ଼ ରୂପ ଏବଂ ବାହାରେ ଅତି ଭୀଷଣ ଅସହନଶୀଳ ବିରୋଧୀ ରୂପ । ମଝିରେ ଦେଢ଼ ଖଣ୍ଡ ଇଟାରେ ଚୂନ ଦିଆ ଅତି ସାମାନ୍ୟ ବ୍ୟବଧାନ ଟିକିଏ । ଏ ପଟେ ସଂସାର, ସେ ପଟେ ସଂସାର । ଏ ପଟେ ତୁମେ ଏବଂ ତୁମର ପରିବାର । ସେ ପଟେ ଅନନ୍ତ ସଂସାର ଯା’ର ସ୍ୱରୂପ ଗୁପ୍ତ ରହି ବାହାରକୁ ଦିଶୁଥାନ୍ତି କେବଳ ତୁମର ପଡ଼ୋଶୀ । କେଉଁ ବିଦ୍ୟାର କେଉଁ ଅଧ୍ୟାୟ ପ୍ରୟୋଗ କରାଯିବ ତାହା ନିର୍ଭର କରେ ଅବଶ୍ୟ ସେଇ ବ୍ୟକ୍ତି ଓ ତା’ର ପ୍ରତିକ୍ରିୟା ଉପରେ କିନ୍ତୁ ସାଧାରଣତଃ ପଡ଼ୋଶୀଟାକୁ ପ୍ରତିଦ୍ଵନ୍ଦ୍ୱୀ ଚକ୍ଷୁରେ ଦେଖିବା ମଣିଷ ସ୍ଵଭାବର ଲକ୍ଷଣ । ଧର, ପ୍ରାୟ ଏହି ପ୍ରକାର ଗୋଟିଏ କ୍ରମରେ ପ୍ରତିବେଶୀକୁ ଆୟତ୍ତରେ ପକାଯାଏ । ପ୍ରଥମେ ତାଙ୍କ ଅନ୍ଧି କନ୍ଧି ଖୋଳି ତାଙ୍କ ଆସବାବ୍ ପତ୍ର, ଖଟ, ପଲଙ୍କ, ରେଡ଼ିଓ, ଗାଡ଼ି ଆଦି ପିଲାଙ୍କ ପିନ୍ଧାପିନ୍ଧି ଠଉଁ ମଉସା ମାଉସୀଙ୍କ କନା ଦାମ୍ ପର୍ଯ୍ୟନ୍ତ ଗୋଟାଏ ତାଲିକା ପ୍ରସ୍ତୁତ କରାଯାଏ । ତା’ପରେ ତାକୁ ଆଣି ନିଜର ମୁଖସ୍ଥ ତାଲିକା ସାଙ୍ଗରେ ମିଳେଇ ନିଆଯାଏ । ସେଇଠୁ ଆରମ୍ଭ ହୁଏ ତାଚ୍ଛଲ୍ୟ ବ୍ୟଞ୍ଜକ ଗୋଟାଏ ପ୍ରକାର ଦୟା କିମ୍ବା ନିନ୍ଦା ଈର୍ଷା ଓ ଘୃଣାର ଏକ ଅଭିଯାନ-। ଯଦି ତାଲିକା ପ୍ରାୟ ମିଶିଗଲା ତେବେ ତୁମର କ’ଣ ଥିଲା, କ’ଣ ହୋଇଥାନ୍ତି, କ’ଣ ହୋଇ ନଷ୍ଟ ହୋଇଗଲା ବା କ’ଣ ହେବାକୁ ଯାଉଛି ଏପରି ଗୁଡ଼ିଏ ଅବାସ୍ତବ ମିଥ୍ୟାକୁ ଆଶ୍ରୟ କରି ପ୍ରଗଳ୍‍ଭତାର ଅସ୍ତ୍ର ପ୍ରହାର କରିବା ଏକ ଅତି ସ୍ଵାଭାବିକ କଥା । ପଡ଼ୋଶୀଟିର ସମସ୍ତ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାକୁ ଯେତିକି ଉଦ୍ୟମ, ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଏ ପ୍ରାୟ ସେହି ଅନୁପାତରେ ନିଜର ଚିରା ଦଦରା ଲୁଚେଇ ପେଡ଼ି ସାଇତାର ଚକ୍‌ଚାକ୍ ଦେଖେଇବାକୁ ପ୍ରଯତ୍ନ ବ୍ୟବହାର ହୁଏ । ମୋଟ ଉପରେ ତାକୁ ଉଡକେଇ ତାକୁ ଦି’ କଡ଼ାର କରିଦେବା ପାଇଁ ଏ ସମସ୍ତ ଚେଷ୍ଟା ।

 

ତୁମେ ହୁଏତ’ ବର୍ତ୍ତମାନ ସୁଦ୍ଧା କେବଳ ମଧ୍ୟବିତ୍ତ ଶ୍ରେଣୀର କ୍ଷୁଦ୍ରାକାର ଦୁଇଟି ବ୍ୟକ୍ତି କଥା ହିଁ ଚିନ୍ତା କରୁଛ । ସେଥିପାଇଁ ଅବଶ୍ୟ ମୁଁ ଦାୟୀ । ସରଲ ଅର୍ଥରେ ପଡ଼ୋଶୀ ଶବ୍ଦର ଅର୍ଥ ବୁଝିବାକୁ ହେଲେ ଏହି ଉଦାହରଣଟି ପ୍ରାୟ ଅପରିହାର୍ଯ୍ୟ । କିନ୍ତୁ ତା’ର ବହୁ ବ୍ୟାପକ ଅର୍ଥ ରହିଛି ଏବଂ ପ୍ରତିବେଶୀଙ୍କର ନାନା ସୂକ୍ଷ୍ମ ବୃହତ୍ ରୂପ ଚକ୍ଷୁର ଅନ୍ତରାଳରେ ରହିଛି ।”

 

ବନ୍ଧୁ ଏହି ଅବସ୍ଥାକୁ ଆସିଲେ ମୁଁ ପ୍ରାୟ ସତର୍କ ହୋଇଯାଏ । କାରଣ ତାଙ୍କର ଯାହା ମୌଳିକତା ଏହିଠାରୁ ହିଁ ପ୍ରକାଶିତ ହେବାକୁ ଆରମ୍ଭ କରେ । ମୁଁ ତାଙ୍କୁ ଉତ୍ସାହିତ କଲାଭଳି ମୁହଁରେ ଯଥାସାଧ୍ୟ ପ୍ରସନ୍ନତା ଏବଂ କୌତୂହଳ ଧାରଣ କରିବାକୁ ଚାହିଁ ରହିଲି । ସତେବା ପ୍ଲାଟୋ ଦର୍ଶନର କ୍ରିଟୋ ବା ଫିଡ୍ରସ୍ ସକ୍ରେଟସ୍ ସମ୍ମୁଖରେ ଚିତ୍ର ପ୍ରତିମା ପରି ମୁଁ ଆଶାୟୀ ହୋଇ ଅପେକ୍ଷା କରି ରହିଲି ।

 

“ପଡ଼ୋଶୀଟାକୁ ଭଲ ପାଇବା ଅପେକ୍ଷା ତାକୁ ଭଲ ନ ପାଇବା ହିଁ ମଣିଷ ଚରିତ୍ରର ସ୍ଵଭାବ ସିଦ୍ଧ ଗୁଣ । ଯାହା କିଛି ଅସ୍ଵାଭାବିକ ସହନଶୀଳତା ଦେଖିବାକୁ ମିଳେ ତାହା କେବଳ ସଂଗୁପ୍ତ ସ୍ଵାର୍ଥ ଦୃଷ୍ଟିରୁ । ନଚେତ୍ ପିଲା ଖେଳରୁ, ନର୍ଦ୍ଦମା ନାଳରୁ ରାତିରେ ରେଡ଼ିଓ ବା ଗ୍ରାମୋଫୋନ୍ ଲଗେଇବାରୁ ପଡ଼ୋଶୀ ସାଙ୍ଗରେ କଳି କରିବାକୁ ହିଁ ଲୋକେ ଜଗି ବସିବା ଖୁବ୍ ସ୍ଵାଭାବିକ ଦୈନନ୍ଦିନ ଘଟଣା । ଯଦି ସେ ମୋଟ ଉପରେ ସୁସ୍ଥ ସବଳ ହୋଇ ସପରିବାର ସୁଖରେ ରହି ଯାଇଛି ତା’ର ଶ୍ରୀ ସହି ନ ପାରିବା ମଣିଷର ସ୍ଵାଭାବିକ ଲକ୍ଷଣ । ଯଦି ସହି ଯାଉଛି ବା ତା’ର ସୁଖରେ ନିଜେ ସୁଖୀ ହେବାର ପ୍ରୟାସ କରୁଛି ତେବେ ତାହା ଶିକ୍ଷା ପାଠ, ମଣ କଲା ଶୁଆର ‘ଚକ୍ରଧର’ ପରି ।

 

ଯାହା ବ୍ୟକ୍ତି ସ୍ତରରେ ଘଟୁଛି ତାହା ଆହୁରି ବ୍ୟାପକ ଓ ସାଂଘାତିକ ଭାବରେ ଦେଶ, ଜାତି ବା ସମାଜ ସ୍ତରରେ ମଧ୍ୟ ଘଟି ଚାଲିଛି । କୌଣସି ଦୁଇଟି ପଡ଼ୋଶୀ ରାଜ୍ୟ ଭିତରେ ମାନବ ଜାତିର ସମଗ୍ର ଇତିହାସ ଚକ୍ରରେ କେବେହେଲେ ମୈତ୍ରୀ ସ୍ଥାପିତ ହୋଇ ପାରି ନାହିଁ । କଳହ, ଦ୍ଵନ୍ଦ୍ଵ, ରକ୍ତପାତ ହିଁ ସେମାନଙ୍କର ସ୍ଵାଭାବିକ ସମ୍ପର୍କ ଅବଶ୍ୟ ଶାନ୍ତି ସୌହାର୍ଦ୍ର୍ୟ ପାଇଁ ଯେ ପ୍ରୟାସ ହୋଇନାହିଁ ଏ କଥା ନୁହେଁ । ଏହା ମଣିଷ ଭିତରର ଆହୁରି ଗୋଟିଏ ଲକ୍ଷଣ । ଯୁଦ୍ଧ ବିଗ୍ରହର ଘନଘଟା ଭିତରେ ଏ ଯେମିତି ବିଜୁଳିର ସ୍ଫୁରଣ । ସେ ଆସେ ଏବଂ ଯାଏ । ସାଧାରଣ ଦୃଷ୍ଟିରେ ବିଶେଷ କିଛି ପରିବର୍ତ୍ତନ ହେଲା ପରି ଜଣାଯାଏ ନାହିଁ । ଧର୍ମ ଆଦର୍ଶ, ସମାଜ ବା ଶାସନ ନୀତି ଗୋଟିଏ ଗୋଟିଏ ଯୁଦ୍ଧ ପଡ଼ିଆ । ଏମାନେ ସବୁ ବିରୋଧ ସୃଷ୍ଟି କରନ୍ତି ଏବଂ ବିରୋଧକୁ ପୋଷି ପାଳି ବଞ୍ଚେଇ ରଖନ୍ତି । କିନ୍ତୁ ଭାବିବ ନାହିଁ ଯେ ଏହି କାରଣରୁ ଏଗୁଡ଼ିକ ସର୍ବାଦୌ ପରିହର୍ତବ୍ୟ । ବରଂ ଏ ସବୁ ନଥିଲେ ମଣିଷର କ୍ରମ ବିକାଶ ସମ୍ଭବ ନୁହେଁ । ଗୋଟାଏ ଦୃଷ୍ଟିରୁ ଏ ଯୁଦ୍ଧ ବିଗ୍ରହର ମଧ୍ୟ ପ୍ରୟୋଜନ ରହିଛି । ସେଇଟା ଅବଶ୍ୟ ଗୋଟିଏ ଭିନ୍ନ ପ୍ରଶ୍ନ । ପଡ଼ୋଶୀ ଦେଶ ସହିତ ଯୁଦ୍ଧ କରିବା ଇତିହାସରେ ଲିପିବଦ୍ଧ ରହି ଆସିଛି, ରହିବ ମଧ୍ୟ । ଏଣିକି ବିଜ୍ଞାନର ଦ୍ରୁତ ଗତି ପାଇଁ ପୃଥିବୀ ପୃଷ୍ଠରେ ଯେ କୌଣସି ଦେଶ ଅନ୍ୟ ଯେ କୌଣସି ଦେଶର ପଡ଼ୋଶୀ ହେବାର ଆଶଙ୍କା ହେଲାଣି । ଏଣିକି ଭିଣାଭିଣି ହୋଇ ଜଣକ ଘରେ ନିଆଁ ଲଗେଇ ଦେଲେ ସମଗ୍ର ପୃଥିବୀଟା ଉଚ୍ଛନ୍ନ ହୋଇଯିବ । ସାତଟା ଯାକ ମହାଦେଶର ଆପେକ୍ଷିକ ଦୂରତା ଚିପି ହୋଇ କମି ଗଲାଣି । ଏବେ ସେମାନେ ଚାଳକୁ ଚାଳ ଲାଗିଥିବା ସାତଟି ଆଟୁ ଘର ପରି ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି । ପ୍ରତି ଘରୁ ବାହାଦୁର୍ ଭେଣ୍ଡିଆ ବାହାରି ନିଶ ମଳୁଛନ୍ତି । ହାବେଳି ଛାଡ଼ୁଛନ୍ତି ଶୂନ୍ୟକୁ, ଦମକା ଫୁଟଉଛନ୍ତି । ପରସ୍ପରର ଗୋଇ ଖୋଳାଖୋଳି ହେଉଛନ୍ତି, ଅବିକଳ କେତୋଟି ଅର୍ଦ୍ଧ ଶିକ୍ଷିତ ଅପରିମାର୍ଜିତ ପଡ଼ୋଶୀ ପରିବାର ପରି । ହୁଏତ’ କେତେବେଳେ ପିଟାପିଟି ହୋଇଯିବେ । ନ ହୋଇ ମଧ୍ୟ ପାରନ୍ତି, କାରଣ ଯଦୁବଂଶ ପରି ଏକାଥରେ ସମସ୍ତେ ଧ୍ଵଂସ ହୋଇଯିବାର ଗୋଟିଏ ଆଶଙ୍କା ତ’ ଫେର୍ ରହିଛି ।

 

ପଡ଼ୋଶୀକୁ ନିଜର ଭାଇ ପରି ଦେଖିବାକୁ ବିରାଟ ଏକ ମାନବ ପରିବାରର ଜଣେ କୁଟୁମ୍ବୀ ଭଳି ଗ୍ରହଣ କରିବାକୁ ବହୁ ଉପଦେଶ ମିଳିଛି । କିନ୍ତୁ ଏହାକୁ କାର୍ଯ୍ୟରେ ପରିଣତ କରିବା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମ୍ଭବ ହୋଇ ପାରି ନାହିଁ । ମନେହୁଏ ମଣିଷ ଭିତରେ ଏପରି ଏକ ବକ୍ରତା ଅଛି, ଏପରି ଏକ ଟାଣୁଆ କୁକୁର ଲାଙ୍ଗୁଡ଼ ଅଛି ଯାହାକୁ ସଳଖିବାକୁ ଯୁଗ ବିତିଯିବ ସିନା ସେ ସଳଖି ହେବ ନାହିଁ । ଗୋଟାଏ ବାଘୁଆ ଜାନ୍ତବ ମତଲବ୍ ସବୁବେଳେ ତା’ ଭିତରେ କାମ କରୁଛି । ନିଜ ପେଟକୁ ବାଧିଲେ ସେ ସାରା ସୃଷ୍ଟିକୁ ମାନିବ ନାହିଁ, ନିଶ୍ଚୟ କାମୁଡ଼ି ଦେବ, ତା’ ଯାବ ଭିତରେ ଯେ ପଡ଼ିଯାଉ । ଏଇଟା ଠିକ୍ ସ୍ଵାର୍ଥପରତା ନୁହେଁ । ସେଥିରେ ମିଶି ରହିଛି ଅହଂକାର ଯାହା ମଣିଷକୁ ସ୍ଵାଧୀନ ବ୍ୟକ୍ତି ହିସାବରେ ବଞ୍ଚେଇ ରଖେ । ସେଥିରେ ମିଶି ରହିଛି ଅଭିମାନ ଯାହା ମଣିଷକୁ ସମ୍ମାନ ନେବାକୁ ଓ ଦେବାକୁ ଶିକ୍ଷା ଦିଏ । ବ୍ୟକ୍ତି ଭେଦରେ ନାନା ପ୍ରକାର ଗୁଣର ମଧ୍ୟ ଟୋପାଏ ଟୋପାଏ ଏହା ଭିତରେ ମିଶିଯାଏ । ଫଳ ହୁଏ ସେଇ କୁକୁର ଲାଙ୍ଗୁଡ଼ିଆ ବକ୍ରତା । ବ୍ୟକ୍ତି ମାତ୍ରକେ ଏଥିରୁ ଟିକିଏ ନିଶ୍ଚୟ ରହିବ । ସେଇଟା ହିଁ ତା’ର ବ୍ୟକ୍ତିତ୍ଵ । ଏଣୁ ପଡ଼ୋଶୀ ସାଙ୍ଗରେ କେମିତି ମିଶିବ । ଅବଶ୍ୟ ସମୟ ସମୟରେ ଗୋଟିଏ ଗୋଟିଏ ରାଜଯୋଟକ ଆସି ପଡ଼ିଯାଏ । ପଡ଼ୋଶୀ ଦୁଇ ଜଣ ଏମିତି ମିଶିଯାନ୍ତି ଯେ ଆଉ ପାଣି ଗଳେ ନାହିଁ । ଉଭୟେ ସତେବା’ ଗୋଟିଏ ପରିବାର ହୋଇଯାନ୍ତି । କିନ୍ତୁ ତା’ ପାଖ ଘର ସାଙ୍ଗରେ ଚିରାଚରିତ ଛକାପଞ୍ଝା ଚାଲେ । ସେ ହୋଇଯାଏ ପଡ଼ୋଶୀ, ମାନେ ପ୍ରତିଦ୍ଵନ୍ଦ୍ୱୀ । ଦୁଇଟି ପଡ଼ୋଶୀ ମିଶି ଯିବାରେ ଏ ଅଦ୍ଭୁତ ପ୍ରତିବେଶୀ-ଭାବର ଅବସାନ ଘଟେ ନାହିଁ ବା ଏ ସମସ୍ୟାର ସମାଧାନ ମଧ୍ୟ ହୁଏ ନାହିଁ । ସେ ଖାଲି ବା’ର ହାତ ଚକି ଘୁଞ୍ଚାଇ ନିଏ ।

 

ଗଣ୍ଡେ ‘ବସୁଧୈବ କୁଟୁମ୍ବକମ୍’ ବାଲା ସବୁଠି, ସବୁକାଳେ ଥାଆନ୍ତି । ସେମାନେ ସବୁ ଏଇ କୁକୁର ଲାଙ୍ଗୁଡ଼ ସଳଖିବାକୁ ଠିକା ନେଇଥାନ୍ତି । ବହୁ ପରିଶ୍ରମ କରନ୍ତି । କେତୋଟି ବ୍ୟକ୍ତି ବିଶେଷଙ୍କୁ ନେଇ ହୁଏତ’ ମୋଡ଼ା ମୋଡ଼ି କରି ବାଗେଇ ଦିଅନ୍ତି; କିନ୍ତୁ ମଣିଷ ଜାତିର ମୌଳିକ ଚରିତ୍ରର ଆଦୌ ପରିବର୍ତ୍ତନ ହୁଏ ନାହିଁ । ସେମାନଙ୍କ ପ୍ରୟାସ ମଧ୍ୟ କେତେବେଳେ ହାର୍ ମାନି ଯାଏ ନାହିଁ । ଲାଗିଥାଏ ଏମିତି ଟଣା ଓଟରା ଯୁଗ ଯୁଗ ଧରି । ସେଗୁଡ଼ାକ କ’ଣ ଏଭଳି (......) ତାଙ୍କ ସ୍ଵଭାବର ନିୟମ । କ’ଣ କରିବେ ? ଅଣ।ୟତ୍ତରେ ସେମାନେ ଲଢ଼ନ୍ତି । ଏତେ କଥା ତ’ ମଣିଷ ଭିତରେ ଅଛି । ପୁଣି ଅଛି ଗୋଟିଏ ଝିଅ ଲଇ ଯେଉଁଟା ଉପରକୁ ଠେଲି ବାହାରି ପଡ଼ିବାକୁ ଛଟେଇ ପଟେଇ ହୁଏ । ସେଇଟା ସେମିତି ପେଲି ହୁଏ ବୋଲି ମାଛ କଇଁଚରୁ କ୍ରମବିକାଶର ଧାରା ଆସି ପହଞ୍ଚିଛି ମଣିଷ ପାଖରେ । ଜୀବ ସୃଷ୍ଟି ହେବା ଦିନଠୁଁ ଏ ଲଇ ମାଡ଼ି ଚାଲିଛି; ପେଲି ଠେଲି ଶାଖା ମେଲି ଚାଲିଛି । ‘ପ୍ରେମ’, ‘ଶାନ୍ତି’ ବୋଲି ଯେଉଁମାନେ ହରିବୋଲିଆ ଡାକ ଛାଡ଼ନ୍ତି ସେମାନେ ଏଇ ଲଇରେ ଓହଳିଥିବା ଫଳ । ସେମାନେ କେବଳ ଗୋଟାଏ ସମ୍ଭାବନାର ଦିଗ ଦେଖିଇ ଦିଅନ୍ତି-। ସେ ଦିଗରେ ବିକାଶର ଧାରା ଗଡ଼ିବାକୁ କେତେ ସହସ୍ର ବର୍ଷ ଲାଗିବ କେଜାଣି, କିନ୍ତୁ ଯଦି ଏ ଲଇ ଏ ପର୍ଯ୍ୟନ୍ତ ଠିକ୍ ଚାଲିଛି, ଏବେ ମଧ୍ୟ ଠିକ୍ ଚାଲିବ । ପଡ଼ୋଶୀଟା ସତକୁ ସତ କୁଟୁମ୍ବୀ ହୋଇଯିବ । ବାଘର ହେଣ୍ଟାଳ, କୁମ୍ଭୀରର ଖଗ ଓ ଦାନ୍ତ ପରି ପୁରୁଣା ହୋଇଯିବ ଆମର କଳହ, ବଡ଼ିମା, ଅଭିମାନ ।’’

 

ମୁଁ ଏଇଠି ଭାବିଲି ଯେ ଉଠିବାର ଉପକ୍ରମ କଲେ ହୁଏ । ଟିକିଏ ମୋଡ଼ି ଭିଡ଼ି ମଧ୍ୟ ହେଲି ।

 

“ଆହା ବସ ନା ! ଏମିତି କ’ଣ କାମ ସବୁ ଅଟକି ଯାଉଛି । ଗଲେ ତ’ ସେଇ ତୁମର ପେଟା ପଡ଼ୋଶୀଟା ସାଙ୍ଗରେ ଲାଗିବ । ଆଉ କ’ଣ ଅଧିକ କରିବ ?”

 

ମୋର ମନେ ପଡ଼ିଗଲା, ସତକୁ ସତ ସେମିତି ଗୋଟାଏ କିଛି ମୁଁ କରିବାକୁ ଯାଉଥିଲି । ମୋ ପଡ଼ୋଶୀ ୟା ଭିତରେ ତା’ ଝିଅ ଦି’ଟା ପାଇଁ ରେଶମୀ କନାର ଜାମା ତିଆରି କରି ନେଇ ଆସିଛି । ସେମାନେ ଜାମା ପିନ୍ଧି ଚାଲିଗଲେ ଆମକୁ ଦିଶୁଛି ଛିଗୁଲେଇ ହେଲେ କି ଆଉ ! ପତ୍ନୀଙ୍କ ଜିଦ୍ ଆଜି ଆସିବ–ପାଞ୍ଚ୍ ପଡ଼ୁ ପଚିଶ୍ ପଡ଼ୁ, ଆଜି କିଣା ହେଇ ଆସିବ ରେଶମୀ ଜାମା, ତାଙ୍କ ଘରଠୁ’ ଆହୁରି ନାଲି, ଚକ୍‍ଚକିଆ । ଏ ଆଡ଼େ ପୁଅର ରଡ଼ି କାନରେ ଅତଡ଼ା ପକେଇ ଦଉଥାଏ । ତଥାପି ସ୍ଥିର ମନରେ ଭାବିଲି; ପୁଅଟାକୁ କେମିତି ରଙ୍ଗ ଜାମାଟାଏ ପିନ୍ଧେଇବି ? ମାଢ଼ୁଆଳି ଟୋକା ପରି ଦିଶିବ । କିନ୍ତୁ ପତ୍ନୀଙ୍କୁ ଦ୍ଵିରୁକ୍ତି କରିବାର ମୂର୍ଖତା ମୋର ନାହଁ । ଅଭିଜ୍ଞତା ବେଶ୍ ଶିଖେଇଛି ତାଙ୍କୁ ସବୁ କ୍ଷେତ୍ରରେ ମାନି ଚଳିଯିବା ଭଲ ବୋଲି । ଅଗତ୍ୟା ବାହାରି ପଡ଼ି ଏଠି ଦୁଇ ଘଣ୍ଟା କଟେଇ ଦେଲିଣି ।

 

ବନ୍ଧୁ ଅଳ୍ପ ହସି ପୁଣି ଆରମ୍ଭ କଲେ ।

 

“ପଡ଼ୋଶୀ ସାଙ୍ଗରେ ଲାଗିବାରେ ଗୋଟାଏ ମଜା ମଧ୍ୟ ଅଛି । ତମକୁ ସବୁବେଳେ ଗରମ୍‍ ରହିବାକୁ ଗୋଟାଏ ଉପାଦାନ ମିଳିଯାଏ । ରାଗ, ଅଭିମାନ, ଈର୍ଷାରେ ସିଝେଇ ସନ୍ତୁଳି ହୋଇ କିରାସିନ୍ ବତୀ ପରି ହୁ’ ହୁ’ ହୋଇ ଜଳି ଯିବାରେ ମଧ୍ୟ ଗୋଟାଏ ମାଦକତା ଅଛି । ପଞ୍ଝାଏ କବି ଏଇଟାକୁ ଜୀବନର ମୌଳିକ ଦର୍ଶନ ବୋଲି ପଟି ତୁଣ୍ଡ କଲେଣି । କିନ୍ତୁ ଦର୍ଶନ ତ’ ଯେଚ୍ଛା ତା’ ଜିନିଷ ହୋଇ ନାହିଁ । ଛାଡ଼, ମୋଟ ଉପରେ ମୁଁ ଏବେ ଯାହା କହିଲି ସେଇଟା ସାଧାରଣ ଲୋକଙ୍କର ସ୍ଵାଭାବିକ ଜୀବନର କଥା । କିନ୍ତୁ ୟା’ ପୂର୍ବରୁ ଯେଉଁ ବିକାଶଜୀବୀ ଲୋକଙ୍କ କଥା କହୁଥିଲି ସେମାନେ ସବୁ ଅସାଧାରଣ । ସେମାନେ ନିଜ ପରର ଭାଗ କାନ୍ଥ ଭାଙ୍ଗି ଦେଇଥାନ୍ତି । ଏଇଥି ପାଇଁ ନିର୍ବିରୋଧ କହନ୍ତି, “ବସୁଧୈବ କୁଟୁମ୍ବକମ୍ ।” ପଡ଼ୋଶୀ ବିଷୟରେ ପଚାରିଲେ କହନ୍ତି, “ତୁମ ଭିତରୁ ଶିଖ ! ତୁମ ଭିତରେ ଯେଉଁ ସାକ୍ଷୀ ପୁରୁଷ ବିଦ୍ୟମାନ ସେହିଁ ପ୍ରକୃତରେ ଏ ସଂସାରର ପଡ଼ୋଶୀ । ତା’ର ନିର୍ଲିପ୍ତତା ତା’ର ଅକାତର ସହନଶୀଳତାକୁ ନିଜର କରି ନିଅ । ତା’ ସହିତ ଅଭିନ୍ନଭାବ ସ୍ଥାପନ କର ।”

 

ମୁଁ ଧୀରେ ଉଠିଲି । ସେ “ହାଁ” “ହାଁ” କହୁ କହୁ ମୁଁ ଯାଇ ରାସ୍ତା ଧରିଲିଣି, ସେତେବେଳକୁ ରାତି ପ୍ରାୟ ଦଶଟା । ଆଜି ରଙ୍ଗ ଜାମା ନେଇ ନ ଫେରିଲେ ମୁଣ୍ଡ ରହୁଛି ନା ନାହଁ ସନ୍ଧେହ ।

 

ବନ୍ଧୁ ଏଣେ କ’ଣ ଭାବିଥିବେ କେଜାଣି !

Image

 

ଯାନ-ଯାତ୍ରା

 

ମୋର ଜଣେ ବିଶିଷ୍ଟ ବନ୍ଧୁଙ୍କୁ ବସ୍ କିମ୍ବା କୌଣସି ଚଳନ୍ତି ଯାନରେ ବସିବା ସଙ୍ଗେ ସଙ୍ଗେ ଦଶ ଦିଗ ଯାକ ତରଳ ଦେଖାଯାନ୍ତି ଏବଂ ମନ କେନ୍ଦ୍ରରେ କେତେକ ସୁପ୍ତ ପ୍ରକୋଷ୍ଠ ହଠାତ୍ ଖୋଲିଯିବା ଫଳରେ ତାଙ୍କ ଜୀବନର ସମସ୍ତ ମୌଳିକ ଚିନ୍ତା ଏହି ସମୟରେ ହିଁ ତାଙ୍କୁ ଆବିଷ୍ଟ କରିଥାନ୍ତି । ତାଙ୍କୁ ପଚାରିବାରେ ସେ କହନ୍ତି ଯେ ଗତିର ବହୁଳତା ନେଇ ଏପରି ବିପୁଳ ଚିନ୍ତା ସବୁ ଆସେ । ସାଧାରଣତଃ ଆଜି କାଲିକାର ବହୁ ସ୍ଵାଧୀନତା ବ୍ୟଞ୍ଜକ ସରକାରୀ ଯାନ ଆଗକୁ ଯଦି ପରିଶେଷରେ ଗତି କରେ ତେବେ ପଥ ପ୍ରାନ୍ତର ଗଛ ଲଟା ସବୁ ସେହି ବେଗରେ ତଦ୍‍ବିପରୀତ ଦିଗରେ ଗତି କଲା ପରି ପ୍ରତୀତ ହୁଅନ୍ତି । କିନ୍ତୁ ସେ କହନ୍ତି ଅନ୍ୟ ପ୍ରକାର । ଯାନଟି ନାନା କଳକବ୍‍ଜା ଚହଲାଇ ଘୁଞ୍ଚିବା ଆରମ୍ଭ କଲେ ଦିଗ୍‍ବଳୟକୁ ଦୃଷ୍ଟି ପ୍ରସାରିତ କରେ । ସେଠିକାର ପାହାଡ଼, ମୁଣ୍ଡିଆ ବା ଆକାଶରେ ଚେନାଏ ମେଘ ମନେ ହବ ସେମିତି ସେମାନେ ଆଉ ପଛକୁ ଯାଉ ନାହାନ୍ତି । ସେମାନେ ଆମ ସହଚର, ଆମର ସହଯାତ୍ରୀ । ଗୋଟିଏ ଦିଗ, ଗୋଟିଏ ବେଗ, ଗୋଟିଏ ଗତି ହେବାରୁ ଏକ ପ୍ରକାର ସୌହାର୍ଦ୍ର୍ୟ ଆସେ ସ୍ଵତଃସ୍ଫୂର୍ତ୍ତ ଭାବରେ । ଦିଗ୍‍ବଳୟରୁ ଆସ୍ତେ ଦୃଷ୍ଟି ଫେରାଇ ଆଣିଲେ ବିପରୀତ ଗତି କ୍ରମାନ୍ଵୟରେ ବୃଦ୍ଧି ପାଇବାର ଦେଖାଯାଏ ଏବଂ ପରିଶେଷରେ ଯେ ଯେତେ ପାଖରେ ସେ ସେତେ ବେଗରେ ଆସି ପୁଣି ପଛରେ ଲୁଚି ଯାଏ । ଦିଗ୍‍ବଳୟର ସେହି ସହଚାରୀ ବିନ୍ଦୁକୁ କେନ୍ଦ୍ର କରି ବେଙ୍ଗଳା ବଳଦ ବୁଲିଲା ପରି ଯେମିତି ଚକା ଚକା ହୋଇ ସାରା ଦୃଶ୍ୟମାନ ସୃଷ୍ଟି ବୁଲି ଲାଗିଛି । ତା’ପରେ ଦୃଷ୍ଟି ଆସେ ବସ୍ ଭିତରକୁ । ଠେଲା ପେଲା ଶାନ୍ତ ହୋଇ ଗୋଟାଏ ନିର୍ବିକାର ଅସହାୟ ଭାବ ସମସ୍ତଙ୍କର ସରଳ ଗାଡ଼ିଟା ଭିତରେ ଏ ସମସ୍ତେ ଯେମିତି ଗୋଟିଏ ଗୋଟିଏ ଅଚଳ ପାଷାଣ । ଆପେକ୍ଷିକ ଗତି ପରସ୍ପର ଭିତରେ ଆଦୌ ନାହିଁ କହିଲେ ଚଳନ୍ତା । ଏତିକି ବେଳେ ଧର ପୋଲଟାଏ ଆସିଯାଏ । ହାତୀ ଶୁଣ୍ଢ ପରି ଲୁହା ଧାରଣା ଯାକ ସାଇଁ ସାଇଁ ପଛକୁ ପିଟି ହୋଇ ଚାଲିଯାନ୍ତି । ଗତିର ଗୋଟାଏ ତୀବ୍ର ପର୍ଯ୍ୟାୟ ନିଜ ଭିତରର ହୃତ୍‍ପିଣ୍ଡଠାରୁ କ୍ରମାନ୍ଵୟରେ ଗାଡ଼ିର କଳ, ଚକ ଏବଂ ଚତୁର୍ଦ୍ଦିଗର ଭ୍ରାମ୍ୟମାଣ ପରିବେଷ୍ଟିନୀ ସବୁ ବହୁ ପ୍ରକାର ଗତିର ଓତଃପ୍ରୋତ ଭାବରେ ଜଡ଼ିତ ହୋଇଥିବା ସଂଶ୍ଳିଷ୍ଟ ରୂପ ମଧ୍ୟଦେଇ ତାଙ୍କୁ ନେଇଯାନ୍ତି ପୃଥିବୀର ଆହ୍ନିକ ଏବଂ ବାର୍ଷିକ ଗତିକୁ । ତେଣିକି ତ’ ଭଲ ଲୋକର ଚିତ୍ତ ବିଭ୍ରାନ୍ତ କରିବାକୁ ରହିଛି ଜ୍ୟୋତିଷ ଶାସ୍ତ୍ର । ଫଳତଃ ବନ୍ଧୁ ଜଣକ ଇନ୍ଦ୍ରିୟରୁ ଅତୀନ୍ଦ୍ରିୟ ପର୍ଯ୍ୟାୟକୁ ଅଣାୟତ୍ତ ହୋଇ ଉଲ୍ଲମ୍ଫନ କରିବା ଫଳରେ ମନ ରାଜ୍ୟରେ ଅସ୍ଵାଭାବିକ ଉତ୍ତାପ ସୃଷ୍ଟି ହୁଏ ଏବଂ ରୁଦ୍ଧ ଦ୍ୱାର ଅନେକ ଫିଟିଯାଏ ।

 

ଅଧିକାଂଶ ଲୋକ କିନ୍ତୁ ଶୁଅନ୍ତି; ଶୋଇବା ଉଚିତ ମଧ୍ୟ । ହାତରୁ ପଇସା ଦେଇ ଆମ ବନ୍ଧୁଙ୍କ ପରି ଏତେ ଚିନ୍ତା ପୁଣି ମୁଣ୍ଡକୁ କାହିଁକି ? କିନ୍ତୁ ନ ଶୋଇ ତାଙ୍କର ଚାରା ନାହିଁ । ଚାରିଆଡ଼େ ମଣିଷ ଉଷୁମ । ଜୀବନର ସର୍ବ ପ୍ରଥମ ଅଭିଜ୍ଞତା ମଣିଷର ହୁଏ ଦୋଳି ଉପରେ । କାହାରି କାହାରି ଦୋଳି ଦେଖିବାର ମଧ୍ୟ ସୁଯୋଗ ନ ଥାଏ । କିନ୍ତୁ ଉଭୟ କ୍ଷେତ୍ରରେ ଦୋଳିରେ ବସିବାର ବା ଶୋଇବାର ଅନୁଭୂତି ମିଳେ କେବଳ ବସରେ । ଆଦିମ ବାଳକଟି ଶୋଇବା ଛଡ଼ା ଆଉ କ’ଣ କରିପାରେ ? ବେଶ୍ ଗୁମ୍ ସୁମ୍ ହୋଇ ଅନଧିକାର ଲୋକଙ୍କ ଉପରେ ହାତ ଗୋଡ଼ ଛାଟି ଶୋଇବାର ସର୍ବୋତ୍କୃଷ୍ଟ ସ୍ଥାନ ହେଲା ଏହି ସରକାରୀ ଯାନ । ରେଳଗାଡ଼ି କଥା ତ’ ଆହୁରି ଆଶାପ୍ରଦ । ସେଥିରେ ଦିନ ରାତି ଶୋଇବା ପାଇଁ କେବଳ ପିଟା ପିଟି । ଉଦ୍ଦେଶ୍ୟ କେମିତି ପହଞ୍ଚିବା ନୁହେଁ ବା କେଉଁବାଟେ ଗାଡ଼ି କେମିତି ଯିବ ନୁହେଁ, କେମିତି ବ୍ୟୁହଭେଦି ପଶୁ ପଶୁ ଶୋଇଯିବା–ହେଉପଛେ ରାସ୍ତା ଜମା ନ’ ମାଇଲ ।

 

ଏ ସବୁ ଆମ ବନ୍ଧୁ ବେଶ୍ ଦେଖିଛନ୍ତି, ବୁଝିଛନ୍ତି ଏବଂ ଉପଭୋଗ କରିଛନ୍ତି । ମେଳ ପଡ଼ିଗଲେ ଆହୁରି ଅନେକ କଥା ସେ କହନ୍ତି । ଯଥା–“ଚାଲେ ଗୋଟାଏ ଜିନିଷ, ତାକୁ ଚଳାଏ ଆଉ ଜଣେ ମାତ୍ର ଯେ ନିଶ୍ଚେଷ୍ଟ ବସି ରହିଥାଏ ସେହିଁ ହୁଏ ଯାତ୍ରୀ । ସେ ଚାଲେ ନା, ଚଳାଏ ନା କିନ୍ତୁ ସେହିଁ ପ୍ରକୃତରେ ସ୍ଥାନରୁ ସ୍ଥାନାନ୍ତରକୁ ଯାଏ । ସାକ୍ଷୀ ସ୍ୱରୂପ ସେ କେବଳ ନିର୍ବିକାର ସବୁ ଦେଖିଯାଏ । ଚାହିଁ ରହେ ସ୍ଥାବର ଜଙ୍ଗମର ରହସ୍ୟମୟ ପ୍ରବାହ । ଅତି ପରିଚିତ ବନ ଫୁଲର ଗନ୍ଧ, ପାହାଡ଼ ବୁକୁରେ ଆଉଜି ରହିଥିବା ଅଳସେଇ ଫୁଲର ସୁବର୍ଣ୍ଣ ଛଟା, ପୁରାତନ ବର ଓହଳରେ ଚମକି ମୁହୂର୍ତ୍ତକରେ ଉଭେଇ ଯାଉଥିବା ଗୁଣ୍ଡୁଚି ମୂଷା, ଶୀତ ସକାଳେ ଧାନ କ୍ଷେତରେ ସହସ୍ର ଶିଶିର ବିନ୍ଦୁରେ ସାଥୀରେ ଧାଇଁ ଚାଲିଥିବା ମୁକ୍ତାରେ ତିଆରି ଗୋଟାଏ ବିଚ୍ଛୁରିତ ସୁର୍ଯ୍ୟବିମ୍ବ–ଏ ସବୁ ଆସନ୍ତି ମୁହୂର୍ତ୍ତକ ପାଇଁ । ପର ମୁହୂର୍ତ୍ତରେ ପ୍ରାଣକୁ ଐଶ୍ୱର୍ଯ୍ୟମୟ କରି କାଉଁରୀ ଛୁଇଁ ଚାଲି ଯାଆନ୍ତି ସବୁ ଦିନ ସକାଶେ ଅତୀତକୁ, ବୋଧହୁଏ ବିସ୍ମୃତିକୁ । କିନ୍ତୁ ତାଙ୍କୁ ଫେରି ଚାହିଁବାକୁ ନା ଥାଏ ଅବସର ନା ପ୍ରୟାସ । ଭବିଷ୍ୟତ ତା’ର ଅନନ୍ତ ସମ୍ଭାବନା ନେଇ ଅପେକ୍ଷା କରିଛି, ଏଇ ଭାସ୍ଵର ମୁହୂର୍ତ୍ତଟିରେ ସଂଯୋଜିତ ହେବାପାଇଁ । ପ୍ରତ୍ୟେକ ମୁହୂର୍ତ୍ତ ଅଭିନବ, ଅଭୂତପୂର୍ବ , ଅଦ୍ୱିତୀୟ-। ତା’ର ସ୍ଵାଗତ ଜଣାଇବାକୁ ପ୍ରସ୍ତୁତ ରହିଥିବା ମନ ଓ ପ୍ରାଣ ବୃତ୍ତି ପଛକୁ ଫେରି ଚାହିଁବାକୁ ଅବକାଶ ପାଆନ୍ତି ନାହିଁ । ବଣ ଭୋଜିରେ ଯାଇଥିବା ବିମୂଢ଼ ବାଳକ ଯେପରି ନଦୀରୁ ବହୁ ଚିକଣ ପଥର ଏକାଠି କରେ କିନ୍ତୁ କ୍ରମଶଃ ବାଛି ବାଛି ଘରକୁ ଆଣେ କେବଳ ଦୁଇଟି, ସେପରି ଏ ଅସଂଖ୍ୟ ଐଶ୍ଵର୍ଯ୍ୟରୁ ସ୍ମୃତି ଯତ୍ ସାମାନ୍ୟ ନିଜ ଅଞ୍ଚଳରେ ବାନ୍ଧି ରଖେ ।

 

ସବୁଠୁ ବେଶି ବିସ୍ମୟକର ଅପରିଚିତ ମଣିଷ ସହିତ ଭେଟ । ହୁଏତ’ ପାଖ ଗାଁ ହାଟକୁ ଧାଡ଼ିବାନ୍ଧି ଯାଉଥିବେ ତରୁଣ, ଯୁବକ, ବୃଦ୍ଧ । ମୁହୂର୍ତ୍ତକ ପାଇଁ ଗୋଟାଏ ଜୀବନର କ୍ଳୁପ୍ତ ଇତିହାସ ତା’ ମୁହଁରେ ଝଲସି ଯାଏ । କେତେ ଆଶାର ପ୍ରଦୀପ, କେତେ ଜୟ ପରାଜୟର ସ୍ମୃତି, କେତେ ଯୋଜନା, କେତେ ବିଫଳତା ସବୁ ଯେପରି ସେହି ମୁହୂର୍ତ୍ତଟାରେ ହିଁ ସମାହିତ । ବୃଦ୍ଧର ପ୍ରତ୍ୟେକଟି ଶୁକ୍ଳକେଶ ଇତିହାସ ଯୁଗର, କୁଞ୍ଚିତ ଚର୍ମର ପ୍ରତ୍ୟେକଟି ରେଖା ଇତିବୃତ୍ତର ଶିଳାଲେଖ । ମୁହୂର୍ତ୍ତକରେ ଦେଖାଦେଇ ସେ ମିଳେଇ ଯାଏ । ସୃଷ୍ଟିର ଆଦିମ କାଳରୁ ବହୁ ବଂଶ ପରମ୍ପରା ମଧ୍ୟ ଦେଇ ଉଭୟ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା ଏ ଚୂଡ଼ାନ୍ତ ମୁହୂର୍ତ୍ତ ସକାଶେ । ଜଣେ ବସରେ ଯାଉଥିବା ଏବଂ ଆଉ ଜଣେ ଆଣ୍ଠୁଏ ଧୂଳିରେ ହାଟମୁହାଁ ଚାଲିଥିବ । ମହାଶୂନ୍ୟରେ ଯୁଗ ଯୁଗ ଧରି ଭାସି ବୁଲୁଥିବା ଦୁଇଟି ନକ୍ଷତ୍ରପିଣ୍ଡର ଏକ ମୁହୂର୍ତ୍ତର ମିଳନ ପରି ଏ ଅକସ୍ମାତ୍ (.....) ।

 

ଯାନ, ଯାତ୍ରା ଓ ଯାତ୍ରୀ, ଏ ତିନିହେଁ ଚିରି ସମ୍ପର୍କିତ । ଏ ସଂସାରର ମୌଳିକ ଧର୍ମ ହେଲା ସଂସରଣ ବା ଯାତ୍ରା–ଗୋଟାଏ ସୁଦୂର ଲକ୍ଷ୍ୟ ଏବଂ ସେହି ଉଦ୍ଦେଶ୍ୟରେ ଅହରହ ଯାତ୍ରା । ଗତି ଅନିବାର୍ଯ୍ୟ । ଜୀବନର ପ୍ରତୀକ, ପ୍ରମାଣ ଏବଂ ଲକ୍ଷଣ ଏହି ଗତି । ସ୍ଥିତି ଜଡ଼ର ଧର୍ମ । ଗତିହୀନ ସ୍ଥିତି ମୃତ୍ୟୁର ନାମାନ୍ତର ମାତ୍ର । କିନ୍ତୁ ଗତି ଯଦି ଅନିବାର୍ଯ୍ୟ ତେବେ ତାହା ସ୍ଵାଧୀନ ନ ହୋଇ ଏତେ ଆପେକ୍ଷିକ ହୁଏ କାହିଁକି ? ଅନ୍ୟ ପ୍ରକାରେ କହିଲେ ଯାନର ଆବଶ୍ୟକତା କାହିଁ ? ଯାତ୍ରାର ସ୍ଵାଭାବିକ ଧର୍ମ ହେଲା ଯାନଟିଏ ଉପରେ ସାଧାରଣତଃ ନିର୍ଭର କରିବା । ଜୀବନ ଯାତ୍ରାରେ ଶରୀର ହୋଇଯାଏ ଯାନ ଏବଂ ଅଶରୀରୀ ଆତ୍ମା ହୁଏ ଯାତ୍ରୀ । ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ନ କଲେ ଆତ୍ମାର ଗତି ସମ୍ଭବ ନୁହେଁ । ଶରୀର ଧର୍ମ ହିଁ ସାଧନାର କ୍ଷେତ୍ର, କର୍ମର କ୍ଷେତ୍ର, କର୍ମ ଫଳର ମଧ୍ୟ କ୍ଷେତ୍ର । ନିର୍ଲିପ୍ତ ଆତ୍ମା କେବଳ ସାକ୍ଷୀ ପୁରୁଷ । ଯାତ୍ରାର ଘର୍ମ, ଯାତ୍ରାର ଧୂଳି, ଯାତ୍ରାର କ୍ଳେଦ କର୍ଦମ ତା’ ଦେହର ଯେ ନ ଲାଗିବ । ଏପରି ନୁହେଁ । ସେ ଯାତ୍ରାର ମହତ୍ଵ, ତା’ର ନିର୍ଯାସ ମାତ୍ର ଗ୍ରହଣ କରେ ଏବଂ ଏହିପରି ଗଡ଼ି ଚାଲେ ଜୀବନ ଚକ୍ର ଗୋଟାଏ କିଛି ପ୍ରଚ୍ଛନ୍ନ ଉଦ୍ଦେଶ୍ୟରେ ।

 

ବନ୍ଧୁ ଏପରି ସବୁ ତତ୍ତ୍ଵ ନେଇ ତାଙ୍କର ସାଧାରଣ ବସ୍ ଯାତ୍ରାରେ ଯୋଖନ୍ତି । ପରିଶେଷରେ ଧାଡ଼ି ବଦଳେଇ କହନ୍ତି ଯେ ବସ୍ ଯାତ୍ରା ଏକ ଦୁର୍ଲ୍ଲଭ ଅଭିଜ୍ଞତା । ରାସ୍ତା ହୁଏତ’ ଗୋଟିଏ, ଯାନ ମଧ୍ୟ ସେଇ ଖଣ୍ଡିଏ କିନ୍ତୁ ପ୍ରତ୍ୟେକ ଥର ନୂଆ ନୂଆ ଯାତ୍ରୀ । ଜୀବନର ନିତ୍ୟ ନୂତନତା, ଜୀବନର ପ୍ରାଚୁର୍ଜ୍ୟ, ବିବିଧ ବୈଭବ ସବୁ ଏଇ ବସ୍ ଯାତ୍ରାରେ ହିଁ ଅନୁଭାବ୍ୟ । ଆଉ ସେଇ ବସ୍ ଚାଳକ !! ଓଃ, ସେ ଗୋଟାଏ ଦ୍ରଷ୍ଟା ! ଯନ୍ତ୍ରର ଶିରା ଉପଶିରା, ତା’ର ଗନ୍ଧ, ଡାକ, କୁହାଟ, ସହିତ ସେ ଘନିଷ୍ଟ ଭାବରେ ପରିଚିତ । ସେ ଜଣେ କେତେବେଳେ ତେଲ, କେତେବେଳେ ପାଣି, କେତେବେଳେ ବା ସାମାନ୍ୟ ଟିକିଏ ଠେଲା ପେଲାର ପ୍ରୟୋଜନ ରହିଛି । ସେ ଯନ୍ତ୍ରର ଚାଳକ ହୁଏ ସେତେବେଳେ, ଯେତେବେଳେ ସେ ତା’ ସହିତ ଏକୀଭୂତ ହୋଇଯାଏ । ସମଗ୍ର ବସ୍‍ଟି ତା’ର ପ୍ରସାରିତ କାୟା । ସେ ନିଜ ଭିତରେ ଏତେ ସବୁ ଯାତ୍ରୀଙ୍କୁ ଧରି ଚାଲିଥାଏ । କେଉଁଠି କେତେ ମୋଡ଼ିଲେ ରାସ୍ତା ଦାଢ଼ରୁ ଖସି ନ ଯିବ ସେ ଜାଣେ । ବସ୍‍ ଚାଲୁଥିବା ସମୟରେ ଚାଳକ ଏବଂ ଯାନର ପୃଥକୀକରଣ ଅସମ୍ଭବ । କିନ୍ତୁ ଯେଉଁ ମୁହୂର୍ତ୍ତରେ ଯାନକୁ ଚାଳକ ରହିଦିଏ, ଲକ୍ଷ୍ୟ ପହଞ୍ଚି ଯାଏ, ସେତିକିବେଳେ ଖୋଳରୁ ମଞ୍ଜି ପରି ଅତି ନିର୍ଲିପ୍ତ ଭାବରେ ପଦ୍ମ ପତ୍ରର ପାଣି ପରି ଚାଳକ ଖସିଯାଏ । ତା’ର ଉତ୍ତାପ, ଗତିର ଶିହରଣ, ତା’ ସହିତ ସଂଯୋଗର ସ୍ମୃତି କିଛି ସମୟ ଯାନଟିକୁ ବିମୂଢ଼ କରି ରଖେ । କିନ୍ତୁ ସାମାନ୍ୟ କେତେକ ମୁହୂର୍ତ୍ତ ପରେ ଯାନ ପାଲଟି ଯାଏ ଜଡ଼, ଶୂନ୍ୟ ଗର୍ଭ ! ହୁଏତ’ ଗୋଟାଏ ଚେତନ ସମ୍ଭାବନା କିନ୍ତୁ ଜଡ଼ ନିଶ୍ଚୟ । ଗତି ପରିଶେଷରେ ସ୍ଥିତିରେ ସମାହିତ ହୁଏ । ଜୀବନର ସଂସରଣ ଆଶ୍ରୟ ନିଏ ମୃତ୍ୟୁର ବିଶ୍ରାନ୍ତିରେ । ଜୀବନର ଧାରା ସମ୍ପୂର୍ଣ୍ଣ ବିଲୁପ୍ତ ହୁଏନା, କେବଳ ଫଲ୍‍ଗୁ ଧାର ପରି ଅନ୍ତଃସ୍ରୋତା ହୋଇଯାଏ, ମୃତ୍ୟୁର ଅନ୍ତରାଳକୁ ଅପସରି ଯାଏ ।

 

ପରିପକ୍ଵ ବୟସ ଦୃଷ୍ଟିରୁ ବନ୍ଧୁଙ୍କୁ ଭେଷଜ ପରାମର୍ଶ ଅନୁସାରେ କିଛି ଦିନ ଯାନିଯାତ୍ରା ନିଷିଦ୍ଧ ଜାରି କରାଯାଇଛି !!

Image

 

ଆମ ସାର୍

 

ନିସ୍ତବ୍‍ଧ ଅତୀତକୁ କାନଡେରି ଶୁଣିଲେ ଅନେକ ପୁରୁଣା ସୁର୍ ବାଜି ଉଠେ ଏବଂ ଆନୁସଙ୍ଗିକ ଅନେକ ଘଟନା ଓ ଅନୁଷ୍ଠାନ ପୁନର୍ଜିବୀତ ହୋଇ ଉଠନ୍ତି । ଅତୀତ ସତେ ପୁଣି ଫେରି ଆସେ । ଜୀବନର ଗୋଟିଏ ସମୟ ଆସେ ଯେତେବେଳେ ଭବିଷ୍ୟତ ପାଇଁ ଯୋଜନା ସମଗ୍ର ମନକୁ ଆଚ୍ଛନ୍ନ କରି ରଖେନା । ଅନେକ ତୃଷ୍ଣା ମେଣ୍ଟି ଯାଇଥାଏ ବା ମରି ଯାଇଥାଏ । ସେତେବେଳେ ସ୍ଵତଃ ମୁହଁ ଫେରିଯାଏ ଅଜଣା ଭବିଷ୍ୟତରୁ ପୁରୁଣା ପରିଚିତ ଅତୀତକୁ । ଜୀବନ ଯାତ୍ରା ହୋଇଯାଏ ଗୋଟାଏ ପ୍ରକାର ପଛଆଡ଼ିଆ ଦୌଡ଼ । ସମୟର ଅନୁଲୋମରେ ଗଡ଼ି ଯିବାକୁ ବାଧ୍ୟ, କିନ୍ତୁ ଆଖି ଥାଏ ଅତୀତ ଉପରେ । ଭବିଷ୍ୟତକୁ ପିଠି କରିଦେଇ ମଣିଷ ଘୋସାରି ହୋଇ ଚାଲିଥାଏ । ଏଣୁ ବୟସ ଯେତେ ବଢ଼ିଚାଲେ, ସେହି ଅନୁପାତରେ ମଣିଷ ଅତୀତଟାକୁ ସେତେ ବେଶି ପାଗୁଳି କରେ । ଅନେକ କହନ୍ତି ବୁଢ଼ା ଗୋଟାଏ କୁଣରେ ଘଣ୍ଟା ଘଣ୍ଟା ଧରି କ’ଣ ଏମିତିଆ ଭାବୁଛି ? ସେ ତା’ର ବିଗତ ଯୌବନର ପୁନର୍ବାର ଆସ୍ଵାଦ ନେଉଥାଏ ମାତ୍ର ।

 

ସେହିପରି ଅତୀତରୁ ପୃଷ୍ଟାଏ । ୧୯୪୭ ମସିହାର ପୂର୍ବତନ ଅସ୍ଵାଧୀନ ଭାରତର ଘଟନା; ହୁଏତ’ ୧୯୩୬ ପୂର୍ବର ବିଚ୍ଛିନ୍ନ ଓଡ଼ିଶାର ଇତିବୃତ୍ତ ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧର ବାତ୍ୟା ପୂର୍ବରୁ ପୃଥିବୀ ଏ ସ୍ମୃତିରେ ଜଡ଼ିତ ! କିନ୍ତୁ ପରିବେଶର ପରିସର ଅତି ସୀମିତ, ବ୍ୟକ୍ତିଗତ ଓ ଘନିଷ୍ଠ-। ଯେଉଁ ବ୍ୟକ୍ତିମାନଙ୍କର ନାମୋଲ୍ଲେଖ କରିବାର ପ୍ରୟାସ କରୁଛି ସେମାନେ ଗୋଟିଏ ଗୋଟିଏ ଅନୁଷ୍ଠାନ, ଗୋଟିଏ ଯୁଗର ଅଜ୍ଞାତ ପ୍ରତୀକ । ଇତିହାସର ପୃଷ୍ଠାରେ ତାଙ୍କର ଗଣନା ହୁଏନା ସତ, କିନ୍ତୁ ସେମାନେ ଇତିହାସର ମୌଳିକ ଉପାଦାନ । ତାଙ୍କର ମର୍ମର ମୂର୍ତ୍ତି କରି ଶିଳା ଲେଖରେ କୀର୍ତ୍ତିଗାନ କରିବାର ଇଚ୍ଛା ଥିଲେ ସୁଦ୍ଧା ସେଥିରୁ ନିବୃତ୍ତ ହେବାକୁ ପଡ଼ୁଛି କାରଣ ସେମାନେ ସୁଦୃଢ଼ ନୀତିବାଦୀ ଯୁଗର ପ୍ରତିନିଧି ଏବଂ ତାଙ୍କ ନୀତି ନାମ ଯଶର ଅପକ୍ଷପାତୀ । ସେମାନେ କୀର୍ତ୍ତି ପରାଙ୍‍ମୁଖ ତପସ୍ଵୀ ।

 

ସେତେବେଳକୁ ଚାଟଶାଳୀଆ ପାଠ ତା’ର ଶେଷ ପର୍ଯ୍ୟ।ୟରେ ପହଞ୍ଚି ଥାଏ । ମୁମୂର୍ଷୁ ଅବସ୍ଥା । କିନ୍ତୁ ତା’ର ଅନ୍ୟେଷ୍ଟି ପାଇଁ ଆହୁରି ଦଶ ବର୍ଷ ବାକି ଥାଏ । ବଣମାଳା ବା ପଣକିଆର ଧାଡ଼ିବନ୍ଧା ସ୍ମୃତି-ପ୍ରଧାନ ଶିକ୍ଷା ପ୍ରଣାଳୀ ପରି ଜୀବନ ମଧ୍ୟ ଥାଏ ଭାରି ଏକବାଗିଆ ଗତାନୁଗତିକ, କିନ୍ତୁ ବେଶ୍ ସମ୍ମାନାସ୍ପଦ । ଆମେ ଶ୍ରୀ ପଞ୍ଚମୀ ଦିନ ଠ ମୁଣ୍ଡୁଳା ବୁଲେଇ ବିଦ୍ୟାରମ୍ଭ କରିଛୁ । ଗଡ଼ ଜିଣିଲା ପରି ସେଇ ଦିନଠୁ ଗର୍ଜି ଗର୍ଜି ଖଡ଼ି ଘୋରି ଘୋରି ଅକ୍ଷର ପରେ ଅକ୍ଷର ଭେଦି ‘କ୍ଷ’ ଠେଇ ଅଭିଯାନ ସାରିଛୁ । ଗୋଡ଼ି ଗଣି ପଣିକିଆ ମୁଖସ୍ଥ କରିଛୁ । ପୁଣି ଗୋଜିଆ ଧୋବ ରୁଗୁଡ଼ି ଉପରେ ଆଣ୍ଠେଇଚୁ । ଆଖିର ଲୁହ ଗଡ଼େଇ ଆଣ୍ଠୁର ଲୁହ ସହିତ ମିଶେଇଚୁ । ଶୂନ୍ୟରେ ଚୌକି ବସିଛୁ, ଜାଉଁଳି ବେତର ମାଡ଼ ଖାଇଛୁ । ସେ ସମୟରେ କଇଠ ପରି ଛୋଟ ଛୋଟ ଲଣ୍ଠନଟିମାନ ମିଳୁଥିଲା, ସେଥିରେ ଦୁଇ ପଇସାର ତେଲ ଧରେ । ମୁହଁ ସଞ୍ଜ ବେଳକୁ ସେଥିରୁ ଗୋଟିଏ ଲେଖାଁ ଆଉ ବର୍ଣ୍ଣବୋଧ, ସିଲଟ୍, ଖଡ଼ି ଧରି ଧାଡ଼ି ବାନ୍ଧି ଚାଲିଆସୁ ଶତପଥୀଙ୍କ ପିଣ୍ଡାକୁ । ଆମେ ଚାରି ଜଣ ଥାଉ ଯୁକ୍ତାକ୍ଷରରେ । ସେ ଦିନ ପଢ଼ା ହେବ “ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ ମାଧବ ବସିଛି ଯାଇ ।” ଯେ ଯାହା ଥାନରେ ଆଗରୁ ପୋଥି ମେଲେଇ ବସିଯିବା ବିଧି । ଆହା ବିଚାରା ଗୋ–! ତା’ର ଲଣ୍ଠନ ନ ଥାଏ ବୋଲି ୟା ପାଖକୁ ତା’ ପାଖକୁ ଗୁଞ୍ଜି ହୋଇ ବସେ, କିନ୍ତୁ ଲଣ୍ଠନରେ ଆମେ ସବୁ ବହି ଘୋଡ଼େଇ ତାକୁ ଅନ୍ଧାର କରିଦେଉ । ହୁଏତ’ ସେଇ ଅନ୍ଧାରରେ ଅସହାୟ ଲୁହ ତା’ର ଖସି ଆସୁଥିବ ଟୋପା ଟୋପା ହୋଇ । ମାତ୍ର ତାକୁ ଦେଖେ କିଏ ? ସେ ବୟସଟାରେ ସତେ ମଣିଷର ସ୍ଵାର୍ଥପରତା ବଡ଼ ନଗ୍ନ ଆକାରରେ ଦେଖାଦିଏ !

 

ଏମିତି ସବୁ ଖୁମ୍ପୁରା ଖୁମ୍ପୁରି ଚାଲିଥାଏ । ଦି’ ଚାରି ଜଣ ଝୁଲି ଝୁଲି ଡାକ ଛାଡ଼ୁଥାନ୍ତି–“ତେର ତିରି ଅଣଚାଳିଶି, ତେର ଚଉ ବାବନ । ଆଉ ପଞ୍ଝେ ସରୁ ମହୁରୀ ପରି ଗଳାରେ ଡାକୁଥାନ୍ତି ‘କ’ ହର୍ଷ ଇ କି, ‘ଖ’ ହର୍ଷ ଇ ଖି, ‘ଗ’ ହର୍ଷ ଇ ଗି ।” ଏ ସମସ୍ତ ଘୋ ଘା’ ଭିତରେ ଅଚାନକ ବଜ୍ରାଘାତ ହୁଏ । କାକର ଆସିବ ନାହିଁ ବୋଲି ବାଉଁଶ ତାଟି ଦେଇ ପିଣ୍ଡାଟିକୁ ବୁଜା ହୋଇଥାଏ । ତାହାରି ଉପରେ ଚଡ଼ାଲ୍ କିନା ଜାଉଁଳି ବେତ ଗର୍ଜି ଉଠେ । ସମସ୍ତେ ଶୂନ୍ୟକୁ ଚକେ ଲେଖା ଚମକି ଉଠି ପୁଣି ଭୂଇଁରେ ପଡ଼ନ୍ତି । –“କିରେ, ପାଠ ପଢ଼ୁଛ ?”–ସମସ୍ତେ ବୋଧ କରନ୍ତି ଯେ ସେ ପାଠ ପଢ଼ୁ ନାହାନ୍ତି । ଏବେ ଭାବୁଛି ପଢ଼ିବାଟା ହୁଏତ’ ଗାଁ ସେ ମୁଣ୍ଡ ପର୍ଯ୍ୟନ୍ତ ଶୁଭୁଥିବ । କିନ୍ତୁ ପ୍ରତିଦିନ ନିଶ୍ଚୟ ପଚରାଯିବ ‘କିରେ ପଢ଼ୁଛ ?’ –ତା’ପରେ ଲଣ୍ଠନ ଆଲୁଅରେ ଖଣ୍ଡେ ଚାଦର ଘୋଡ଼େଇ ହୋଇ ଉଭା ହୁଅନ୍ତି ‘ଆଜ୍ଞା’ । ମୁଣ୍ଡ ତୁଳିରେ ବାଜୁଥାଏ; ତାଙ୍କ ଛାଇ ରାସ୍ତା ସେ କଡ଼ ଭୀମା ସାହୁ ଘର କାନ୍ଥ ପର୍ଯ୍ୟନ୍ତ ମାଡ଼ିଥାଏ । ବର୍ଣ୍ଣବୋଧର ଯୁକ୍ତାକ୍ଷର ଦାଢ଼, ପାଣିକିଆର ହୁଡ଼ା ହୁଡ଼ା ଆବଡ଼ା ଥାବଡ଼ା କାନ୍ଥ, ବେତ ଗର୍ଜନ, କାନ୍ଦ, ପାଟି, ଲଣ୍ଠନ ଆଲୁଅ–ଏ ସବୁର ଏକତ୍ରିତ ସାକାର ରୂପ ଆମ ଆଜ୍ଞା ! ଡାକିଲେ କହୁ ‘ଆଜ୍ଞା’, କିନ୍ତୁ ଆମ ଭିତରେ କଥା ପଡ଼ିଲେ ଭୟରେ, ଶ୍ରଦ୍ଧାରେ ଏପରି କି ସ୍ନେହରେ ଆମେ ତାଙ୍କୁ ଡାକୁ ‘କେମ୍ପା ମାଷ୍ଟ୍ରେ’ ! ତାଙ୍କ ବାଁ ହାତ କେହି କେବେ ଦେଖି ନାହିଁ । କିଏ କହେ ପିଠି ପଛଆଡ଼େ ମୋଡ଼ି ହୋଇ ରହିଛି । ଆଉ କିଏ କହେ, ଜମା କାନ୍ଧ ପାଖରୁ ନାହିଁ । ଆଉ କିଏ କହେ ଥଟ୍ଟାରେ ଯେ ସେଇଟା ଗଜେଇଛି, ପାଣି ପାଉ ନାହିଁ ବୋଲି ବଢ଼ି ପାରୁ ନାହିଁ । କିନ୍ତୁ ଯଦି ତାଙ୍କର ଦୁଇ ହାତ ଯାକ ଥାନ୍ତା, ତା’ ହେଲେ ଆମେ ସବୁ ଯାହା ଫାଳେ ଫାଳେ ଉଧୁରି ଆସିଛୁ ସେତକ ଆଉ ସମ୍ଭବ ହୋଇ ନ ଥାନ୍ତା ନା କ’ଣ !

 

ସକାଳ ଓଳି ଆଜ୍ଞା ଆଉ ସେତେ କରାଳ ଦିଶନ୍ତି ନାହିଁ । ତାଙ୍କ ବସନ୍ତ ମୁହଁ ମଣିଷ ମୁହଁ ପରି ଦିଶେ । ନନା ପାନ ଖାଇଲା ପରି ସେ ବି’ ପାନ ଏକପଟିଆ କରି ଚୋବାନ୍ତି । ଚଷମା ଲଗେଇ ଅଙ୍କ ଦେଖନ୍ତି । କିନ୍ତୁ ସବୁ ବିଗିଡ଼ି ଯାଏ ସେଇ ଅଙ୍କ ପାଇଁ । ସକାଳ ଓଳି ଅଙ୍କ କଷା, ପଣିକିଆ ପରୀକ୍ଷା ! “ସତର ସତା, ଉଣେଇଶ୍ ତିରି, ତେର ନୂଆ, ପନ୍ଦର ଅଷ୍ଟା, ତେଇଶି ପଞ୍ଚା କେତେ ?” ଯଦି ପାଟିରୁ ପ୍ରଶ୍ନ ଫିଟୁ ଫିଟୁ ପାଣି ପରି ଗାଇ ନ ଯାଇଛି, ତେବେ ଭୀମା ବେହେରା ତ’ ମରେ, ତା’ ସାଙ୍ଗେ ଆମେ ମଧ୍ୟ ମରୁ ! ସେ ଯେଉଁ ଚିହିଁକା, ଭୂଇଁ ଉପରେ ଜାଉଁଳି ବେତ ମାଡ଼, ପାଟିରୁ ପାନ ପିକର କାବ କାଢ଼ି ଆଖି ତରାଟି ଓଠ ଥରେଇ ଆଜ୍ଞାଙ୍କ ଭୀଷ୍ମ ରୂପ !–ବାବାରେ, ସେଥିରେ କ’ଣ ଆଉ ବଞ୍ଚିବା କଥା ନା ବଞ୍ଚିବା ଉଚିତ୍ ? ଆମେ ଏମିତି ପ୍ରତିଦିନ ମରୁ ! କେତେ ଥର ମରୁ କେଜାଣି, କିନ୍ତୁ ତତ୍‍ସତ୍ତ୍ୱେ ଅବଶ୍ୟ ବଞ୍ଚିରୁହ ବୋଧହୁଏ, ନ ହେଲେ ଏବେ ବଞ୍ଚିଥାନ୍ତୁ କେମିତି । ଆମେ ତାଙ୍କଠୁ’ ମାଡ଼ ଖାଉ, କିନ୍ତୁ ବାଡ଼ିର କଦଳୀ ପାଚିଲେ ପ୍ରଥମ ଫେଣାଟା ତାଙ୍କୁ ଦେଉ । ବାଇଗଣ ପତ୍ରି ଧୂଆଁ ପତ୍ର ଆସିଲେ ଦୁଇ ଫାଳ ତାଙ୍କର । ବେହେରା ଘରର ଆମ୍ବ ତୋଟାରୁ ଟୋକେଇଟିଏ, ପାଚିଲା କୟଁ। ଗୁଳାଏ ଇତ୍ୟାଦି ଆଜ୍ଞାଙ୍କ ପାଉଣା । ନ ମାଗିଲେ ମଧ୍ୟ ଆମେ ଆଗତୁରା ଦେଇ ଆସୁ । ତା’ର ଅସଲ କାରଣ ହେଲା ଯେ ଏ ଉତ୍କୋଚ ଜିରିବା ପାଇଁ ଦୁଇ ଦିନ ଖଣ୍ଡେ ଲାଗେ ଏବଂ ସେ ଦୁଇ ଦିନ ଅନ୍ତତଃ ପାଠ ପଢ଼ା ଆଡ଼ୁ ଟିକିଏ କୋହଳ ପଡ଼ିଯାଏ । ହେ ମୋର ଆଦ୍ୟ ଗୁରୁ, ତୁମକୁ ନମସ୍କାର ! ନମସ୍କାର ତୁମର ଅଦୃଶ୍ୟ ହାତକୁ–ଯାହା ହୁଏତ ବେତ ମାଡ଼ ବେଳେ ଆଶୀର୍ବାଦ କରି ଆସିଛି !

 

ଗାଁରେ ସେ ସମୟରେ ଆଉ ଦୁଇ ଜଣ ଚାଟଶାଳୀ ମାଷ୍ଟ୍ର ଥାନ୍ତି ଏବଂ ଉଭୟେ “ଯେନାଙ୍ଗେନାଙ୍ଗିନୋ ବିକାରଃ” ପର୍ଯ୍ୟାୟର । ଜଣେ କୁଜା, ଆଉ ଜଣକ କଣା । ବୋଧହୁଏ ଗୋଟିଏ କିଛି ଖୁଣ ନ ଥିଲେ ଗୁଣ ସମ୍ଭବ ହେଉ ନ ଥିଲା ! ଜ୍ୟୋତିଷ ଚକ୍ରର ଗ୍ରହ ଯୁଗଳ ଆସି ସତେ ଯେପରି ମଣିଷ ରୂପ ପରିଗ୍ରହ କରିଥିଲେ । ଆମେ ତାଙ୍କୁ କୁଜା ମାଷ୍ଟ୍ରେ, କଣା ମାଷ୍ଟ୍ରେ କହି ସେମାନଙ୍କ ଶିଷ୍ୟଙ୍କ ଆଗରେ ଛିଗୁଲେଇ ହେଉ, କିନ୍ତୁ ଆଗ ଛକରେ ଯଦି କୁଜ ଦିଶିଛି, କିମ୍ବା କାକ ଦୃଷ୍ଟିର ସୂଚନା ମିଳିଛି; ଆମେ ଏ ଛକରୁ ଛୁ ! ସେମାନେ ସବୁ ଥିଲେ ଏକ ଭିନ୍ନ ପର୍ଯ୍ୟ।ୟର ପ୍ରାଣୀ, ତାଙ୍କୁ ଭୟ କରିବା ଓ ସେହି କାରଣରୁ ଭକ୍ତି କରିବା, ତାଙ୍କଠୁ ଦୂରରେ ରହିବା ଯେମିତି ଆମର ଅତି ମୌଳିକ ସ୍ୱଭାବରେ ପରିଣତ ହେଇ ଯାଇଥିଲା । କିନ୍ତୁ ଯଦି କେହି କେବେ ପଚାରିଥାନ୍ତା ଯେ ଆମେ ତାଙ୍କୁ ଘୃଣା କରୁ କି ନା; ତାଙ୍କୁ ଜମା ଦେଖିବାକୁ ଇଚ୍ଛା କରୁ କି ନା, ବୋଧହୁଏ ଆମର ଉତ୍ତର ହୋଇଥାନ୍ତା, ଆମେ ତାଙ୍କୁ ଭଲ ପାଉ ! କାରଣ ? –କାରଣ କାହାକୁ କ’ଣ ଜଣାଥାଏ ?

 

ଚାଟଶାଳୀ ପରେ ସ୍କୁଲ । ଏଠି ବହୁ ମାଷ୍ଟ୍ର ଏବଂ ବିଭିନ୍ନ ପ୍ରକାର ମାଡ଼ ପାଇଁ ପ୍ରତ୍ୟେକେ ଏବେ ସୁଦ୍ଧା ଆମ ଭିତରେ ପ୍ରସିଦ୍ଧ । ଆମେ ଜଣକୁ ଡାକୁଥିଲୁ ‘ଘଣ୍ଟ ବାଡ଼ି’ ଆଉ ଜଣକୁ ‘ତାଳ ବିଧା’-। ତାଙ୍କଠି କ’ଣ ପାଠ ପଢ଼ିଚୁ ମନେ ନାହିଁ ! କିନ୍ତୁ ପ୍ରହାର ବିଦ୍ୟାର ବିଶେଷଜ୍ଞ ରୂପେ ସେ ଦୁହେଁ ଚିର ଅମର ହୋଇ ରହିବା ଉଚିତ୍ । ‘ଘଣ୍ଟ ବାଡ଼ି’ ଟି ଖଣ୍ଡେ ମୋଟା ଗଣ୍ଠିଆ ବଙ୍କା ବେତ-। ଦଣ୍ଡନୀୟ ବାଳକ (ସେ ସମୟରେ ବାଳିକା ବଡ଼ ଦୁର୍ଲ୍ଲଭ !) ଭୟ କାତର ଠିଆ ରହିଥାଏ ଏବଂ ସେ ଆଡ଼ୁ ଅତି ଧୀରେ ଆସନ୍ତି ଘଣ୍ଟ ବାଡ଼ି । ପ୍ରଥମେ ବେଶ୍ କିଛି ସମୟ ସଜା ସଜି କରି ତା’ ଚୁଟିଟାକୁ ଜୋରରେ ଧରନ୍ତି, ସତେ ବା ଲମ୍ବୋଦର ବେହେରା ଗୋଟିଏ ମଣିଷ ଘଣ୍ଟା । ତା’ପରେ ବେତକୁ ବାଗେଇ ବେଶ୍‍ ତାଳ ଲୟରେ ମୁଣ୍ଡ ହଲେଇ ଚାଲେ ଗୋଟିଏ ପର୍ବ । ଘଣ୍ଟ ଏପଟ ସେପଟ ଭିଡ଼ି ହୋଇ ତାଳ ବିଗିଡ଼ି ଗଲେ ପୁଣି ନିର୍ଲିପ୍ତ ଭାବରେ ମୂଳରୁ ପୁନରାବୃତ୍ତି ହୁଏ । ‘ତାଳ ବିଧା’ କଥା ନ କହିଲେ ଭଲ । ସ୍କୁଲ ଘର ଛାତ ଦୁଲୁକି କିଛିଦିନ ପରେ ଭୁସୁଡ଼ି ପଡ଼ିଲା । ଘଣ୍ଟ ବାଡ଼ିରେ ସ୍ନାୟବିକ ଶକ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ତାଳ ବିଧା ଦ୍ଵାରା ହାଡ଼ ପାକଳ ଧରି ଆସିଲା । ଏ ସବୁ ସର୍ବତୋଭାବେ କେବଳ ବୃଦ୍ଧିର ହିଁ ପରମ ସହାୟକ ହୋଇଥିଲେ । ଏ ଦିଗରେ କିନ୍ତୁ ଆଉ ଦୁଇ ଜଣ ବିଶେଷଜ୍ଞଙ୍କ ନାମୋଲ୍ଲେଖ ନ କଲେ ହୁଏତ’ ତାଙ୍କ ମନ କ’ଣ ହେବ । ସେଥିରୁ ଜଣେ ନିଜର ନାକ ଅଗକୁ ଭିଡ଼ନ୍ତି ଏବଂ ରଙ୍ଗ ଧରିଗଲେ ଯେ ପାଖରେ ପଡ଼େ ତା’ ବେକ ନୁଆଇଁ ହୁଁକାର ସହିତ କୋଡ଼ିଏଟିଏ ବିଧା ଝାଙ୍କି ଦିଅନ୍ତି । ତା’ପରେ ସ୍ଵୟଂ ହେଡ୍‍ମାଷ୍ଟ୍ରେ । ବହୁ କମ୍ ଦେଖା, ହେଲେ ତାଙ୍କର ସୂକ୍ଷ୍ମମାଡ଼ ସବୁଠୁ ପ୍ରଳୟଙ୍କରୀ । ସେ ପାଖକୁ ଡାକନ୍ତି ଆଉ ଖପ୍ କିନା ପେଟର ମାଉଁସଟାକୁ ପୁଳାଏ ଚିମୁଟି ଧରନ୍ତି । ପ୍ରାୟ ଘଡ଼ିଏ ତାକୁ ଧରି ଦୁହିଁବା ହେଲା ତାଙ୍କ ଦଣ୍ଡ ବିଧି ।

 

ସେହି ପୁଣ୍ୟ ପୀଠରେ ଧାଡ଼ି ବାନ୍ଧି ସିଧା ହୋଇ ବସିବା ଶିଖିଛୁ । ପ୍ରତିଦିନ ଦାନ୍ତ ନଖ ଦେଖାଇ ପରିଚ୍ଛନ୍ନତା ଶିଖିଛୁ । ଉପଯୁକ୍ତ ବିରତି ଦେଇ ଓଡ଼ିଆ ଗଦ୍ୟ ଏବଂ ପଦ୍ୟ ପଢ଼ିଛୁ । ଶିଖିଛୁ ଅନେକ ନୂଆ କଥା–ଶୁଭଙ୍କରୀ, ଚକ୍ରବୃଦ୍ଧି, ପାହାଡ଼ିଆ ଭଗ୍ନାଂଶ, ଘଡ଼ି ଦେଖା, ବଗିଚାରେ ଭେଣ୍ଡି ପିଆଜ ଚାଷ ଏବଂ ଡ୍ରିଲ୍ । କିନ୍ତୁ ଏ ସବୁ ଇଟା ଯୋଗା ହୋଇ ବୋଧହୁଏ କୋଠା ତୋଳା ହୋଇଛି, ବାହାରକୁ ଦିଶୁଛି କେବଳ ଚୂନ, ଅର୍ଥାତ୍‍ ଘଣ୍ଟ ବାଡ଼ି ଓ ତାଳ ବିଧା । ...ଏ ସବୁ ସାଙ୍ଗକୁ ମନେ ଅଛି ଆଉ ଦିନକର ଘଟଣା ଯେଉଁ ଦିନ ହେଡ୍‍ମାଷ୍ଟ୍ରେ ଲମ୍ବା କାଗଜ ଫର୍ଦ୍ଦରୁ ପଢ଼ିଗଲେ ଅନେକ ନାଁ ଏବଂ ସିଲଟ କିତାବ୍ ଆକାଶରେ ଉଡ଼ାଇ ଆମେ ସ୍କୁଲରୁ ଦୌଡ଼ି ବାହାରି ଆସିଲୁ–ସବୁ ଦିନ ପାଇଁ !!

 

‘ସାର୍’ ଶବ୍ଦ ଶିଖିଲୁ ଆସି ହାଇସ୍କୁଲରେ । ସର୍ବ ପ୍ରଥମ ଯେଉଁ ମହୋଦୟଙ୍କଠାରୁ ଶିକ୍ଷା ଲାଭ କରି ନ ପାରି ଆମେ ନିଜକୁ ହତଭାଗ୍ୟ ମନେ କରିଛୁ ସେହି ଋଷିପ୍ରତିମ ପ୍ରା: ପଟ୍ଟନାଏକଙ୍କୁ ପ୍ରଣତି ଜଣାଉଛି । ମନେ ଅଛି ଦିନେ ଡ୍ରଇଂ ଶିକ୍ଷକଙ୍କ ଅନୁପସ୍ଥିତରେ ସେ ଆମ କ୍ଲାସକୁ ଆସିଥିଲେ-। ଧୋତି ଚାଦରରେ ତାଙ୍କ ଭାଗ୍ୟ ମୂର୍ତ୍ତି ଦେଖିବାର ସେଇ ପ୍ରଥମ । ସମଗ୍ର କଳାପଟା ଆକାରରେ ଗୋଟିଏ ଆମ୍ବ ଅଙ୍କନ କରିଥିଲେ । ତାଙ୍କର ବିପୁଳ ବ୍ୟକ୍ତିତ୍ଵ ସହିତ ଛନ୍ଦ ରକ୍ଷା କରିଥିଲା ସେହି ଅତିକାୟ ଆମ୍ବ । ତା’ପରେ ମନେ ଅଛି ଦିନେ ସନ୍ଧ୍ୟାବେଳେ ଅତି ଗମ୍ଭୀର ଏବଂ ବିଷଣ୍ଣ ବାତାବରଣରେ ତାଙ୍କର ଅକାଳ ବିୟୋଗରେ ଶୋକ-ସଭା ! ସେ ଦିନର ବର୍ଷା ଅନ୍ଧାର ଏବଂ ବତାସି ପ୍ରଥମ ମୃତ୍ୟୁର ଛାପ ମନ ଉପରେ ଆଙ୍କି ଦେଇଗଲା ।

 

ଯାହାଙ୍କ ଅନୁପସ୍ଥିତରେ ପ୍ରା: ପଟ୍ଟନାଏକ ଆସି ଆମ୍ବ ଅଙ୍କନ କରିଥିଲେ ସେ ଥିଲେ ଆମର ଡ୍ରଇଂ ସାର୍ । ତାଙ୍କ ହାତ ହଲିଲେ ଛନ୍ଦ ସୃଷ୍ଟି ହେଉଥିଲା, ଗାର କାଟିଲେ ଚିତ୍ର ଉକୁଟି ଉଠୁଥିଲା । ତାଙ୍କର କଦମ୍ବଫୁଲିଆ ଦାଢ଼ି, ଚନ୍ଦା ମୁଣ୍ଡ, ଦୀର୍ଘାୟତ ଚେହେରା ଭୁଲିବାର ନୁହେଁ । ସେ ହସୁଥିଲେ ବେଶ୍ ଚମତ୍କାର, କଥା କହୁଥିଲେ କମ୍ ଏବଂ ଚାଲୁଥିଲେ ପିମ୍ପୁଡ଼ି ମରୁ ନ ଥିଲା । ତାଙ୍କୁ କେହି ଭୟ କରୁ ନ ଥିଲୁ ସତ, କିନ୍ତୁ ତାଙ୍କର ସ୍ନେହର ପ୍ରତିଦାନରେ ଅକୁଣ୍ଠିତ ଭକ୍ତି ବିନମ୍ର ଆଦର ଅଜାଡ଼ି ହୋଇ ଆସୁଥିଲା ଆମ ଭିତରୁ ।

 

ସବୁଠାରୁ ବେଶି ଭୟ ଆସୁଥିଲା ପଣ୍ଡିତଙ୍କୁ ଦେଖିଲେ । କୁଳବୃଦ୍ଧ ନ–ମହାପାତ୍ର, ଆମ ସଂସ୍କୃତ ସାର୍ । ତାଙ୍କ କ୍ଲାସ୍ ଆମର କୋକେୟା ଭୟ । ସେ ଦିନ ସକାଳେ ଅଙ୍କ ସାହିତ୍ୟ ପଛକୁ ପକେଇ କେବଳ ଶବ୍ଦ ରୂପ, ଧାତୁ ରୂପ ପାଣି ପରି ମୁଖସ୍ଥ କରି ନ ଗଲେ ତ୍ରାହି ନାହିଁ । ଭୟରେ ଅଧେ ଭୁଲି ହୋଇଯାଏ । ବୁଢ଼ା ଚୌକିରେ ବସି ଗୋଦର ଗୋଡ଼ଟିକୁ ଭଲ ଗୋଡ଼ ଉପରେ ରଖି ସାଉଁଳନ୍ତି ଆଉ ସେଇ ଅବସରରେ ସମସ୍ତଙ୍କୁ କଳି ନିଅନ୍ତି । ନିସ୍ତବ୍‍ଧ କ୍ଲାସରେ ଅପେକ୍ଷା ଥାଏ କାହା ଉପରେ ଚଡ଼କ ପଡ଼ିବ । “କିରେଃ...ସୋମନାଥ, ମତି ଶବ୍ଦ ପଞ୍ଚମୀ ରୂପ କଲୁ !” ସୋମନାଥଟି ଟିକିଏ ଦୁର୍ବଳିଆ । ତାକୁ ଦିଶେ କମ୍, ସେ ବୁଝେ ବି ତାଠୁ କମ୍ । ସେ ଠିଆ ହୋଇ ଗୋଟାଏ କ’ଣ କହିଦିଏ । ଭୁଲ୍‍ତ’ ନିଶ୍ଚୟ ! –ତା’ପରେ ପଣ୍ଡିତେ ଝୁଲି ଝୁଲି, ତାକୁ ଶୋଧନ୍ତି “କିରେଃ ଚଣ୍ଡାଳ ! ତୁ ଖାଲି ଅନ୍ନ ଧ୍ଵଂସ କରି ମଳାଶୟ ପୂର୍ଣ୍ଣ କରିବୁ, ତୋ ଦି ହାତ ଆଉ ପାଠ୍‍ଠ ହେଲା ନାଇଁ ...ଏଁ !”ତାଙ୍କ ଓଡ଼ିଆ ଶୁଭେ ସଂସ୍କୃତ ପରି । ପ୍ରତି ଶବ୍ଦ ଶେଷରେ ପ୍ରାୟ ବିସର୍ଗ ରହିଲେ ଯେମିତି ଶୁଭନ୍ତା । ପଣ୍ଡିତଙ୍କର ପ୍ରାୟ ସବୁବେଳେ ଗମ୍ଭୀର ମୁଦ୍ରା । ଛାତ୍ରାବାସରେ ଖଡ଼ମ୍ ପିନ୍ଧି ମେଲା ଦେହରେ ପୂଜା ପାଠ ପରେ ସକାଳ ସନ୍ଧ୍ୟାରେ ଥରେ ବୁଲି ଆସିବା ଭିତରେ ପିଲାଙ୍କ ଶାସନ ହୋଇଯାଏ । ପ୍ରକୃତ ପ୍ରଭାବଶାଳୀ ବ୍ୟକ୍ତି ବୋଧହୁଏ ଏହିପରି ନୀରବ ରହି ପ୍ରଭାବ ପକାନ୍ତି । ଏବେ ମଧ୍ୟ ମନେ ପଡ଼ିଲେ ସ୍ୱତଃ ହାତ ଯୋଡ଼ି ହୋଇଯାଏ, ତୁଣ୍ଡରୁ ବାହାରି ପଡ଼େ, “ନମସ୍ତୁତେ ଦେବବର ପ୍ରସୀଦ ।”

 

ହେଡ୍‍ମାଷ୍ଟ୍ରଙ୍କର ଭାଲୁଆ ଭୁଲତା ସହିତ ଆମେ ଯେତେ ପରିଚିତ ନୋହୁ ତା’ଠୁ ଅଧିକ ପରିଚିତ ତାଙ୍କ କେଁ କଟର ଡାକୁଥିବା ପୁରୁଣା ସାଇକଲ୍ ସାଙ୍ଗରେ । ବହୁ ପଛରୁ ସେ ଶବ୍ଦ ଆମେ ବାରି ଦଉ । ପଛକୁ ଲେଉଟି ଚାହିଁବା ଦରକାର ପଡ଼େନାହିଁ, ସାହସ ବି ନଥାଏ ! ଶବ୍ଦରୂପୀ ସାର୍ ପାଖେଇ ଆସି ହଠାତ୍ ଆମ ଆଗକୁ ସାକାର ହୋଇ ବାହାରି ପଡ଼ନ୍ତି । ଆମେ ଦେଖୁ ପଛପଟର ଚନ୍ଦାମୁଣ୍ଡ, ପାନ ଡବା ଭାରରେ ଓହଳି ରହିଥିବା କୁରୁତାର ବାଁ ପାଖ ମୁଣା ଆଉ ଶୁଣୁ ସେ ମହାଯାନର ଛନ୍ଦମୟ ଜପ ଧ୍ୱୁନି । ତାଙ୍କ ଭାରି ମୁହଁରେ ଭାରି ମୋଟା ଚଷମା । ଭାରି ଭାରି ଇଂରାଜୀ ଶବ୍ଦରେ ବ୍ରୁଟସ୍‍ଙ୍କ ବକ୍ତୃତା ସେ ବୁଝାନ୍ତି, ରବୀନ୍ଦ୍ରନାଥଙ୍କ ଇଂରାଜୀ କବିତା ‘ଯେଉଁଠି ମନ ରହେ ବନ୍ଧହୀନ’ ପଢ଼େଇବାକୁ ତିନି ସପ୍ତାହ ନିଅନ୍ତି । ଅନ୍ୟମନସ୍କ ହେଲେ ତାଙ୍କ କ୍ଲାସରେ ପିତାମ୍ବର ଚଟକଣି ଖାଏ, ବେଶି ଜାଣିବାର ହୋଇ ଦେଖେଇ ହେଲେ ରମେଶ ଚିହ୍ନା ପଡ଼େ, ବହୁ ଦୁଷ୍ଟାମି କଲେ ସ୍କୁଲର ସବୁ ପିଲାଙ୍କ ଆଗରେ ପଦ୍ମନାଭ ପାଞ୍ଚ ବେତ୍ ମାଡ଼ ଖାଏ । ହେ ସ୍କୁଲ ସାମ୍ରାଜ୍ୟର ଏକଛତ୍ର ଅଧୀଶ୍ଵର ! ତୁମକୁ ବିନମ୍ର ନମସ୍କାର !

 

ଏ ସ୍ମୃତିର ସାଗରରେ ମୁଣ୍ଡ ଟେକି ଦିଶନ୍ତି ପି–ପଣ୍ଡା, ଯେ କଳାପଟାରେ ବାକ୍ୟ ଅଧା ଲେଖି ଠିଆ ଠିଆ ଶୋଇ ପଡ଼ନ୍ତି, ଯାହାଙ୍କ କାନରେ ପାଖୁଡ଼ାଏ ଫୁଲ ଖୋସା ହୋଇଥାଏ, ଆଉ ସବୁବେଳେ ପାଟିରେ ହରିଡ଼ା ଧରି ଥିବାରୁ ଯାହାଙ୍କ ମୋଟା ଓଠ ଦୁଇଟି ସେଠା ଦିଶେ । ସେ ରାତି ଚାରିଟାରୁ ଉଠି ବଗିଚାରେ ପାଣି ଦିଅନ୍ତି, ରାତିରେ ପାଠ ପଢ଼ି ଶୁଅନ୍ତି ବାରଟା ପରେ । ସିନେମା ଦେଖନ୍ତି ନାହିଁ । ଗେଞ୍ଜି ପିନ୍ଧନ୍ତି ନାହିଁ ଜିଦରେ । ପଚାରିଲେ ହସି ଦିଅନ୍ତି । କହନ୍ତି, ତାଙ୍କ ସାଙ୍ଗମାନେ କୁଆଡ଼େ ତାଙ୍କୁ ଏମିତି ଫନ୍ଦିରେ ପକେଇ ଦେଲେ । ...ଆଦି ଦିଶନ୍ତି ଦି’ଟା ରଙ୍ଗ ରଙ୍ଗ ଉଭାରି ରହିଥିବା ଆଖି, କସରା ଟାଆଁସା ଦି ପଟା ନିଶ ଏବଂ କହୁଣୀ ପର୍ଯ୍ୟନ୍ତ ଖଡ଼ି ଗୁଣ୍ଡ ଲାଗିଥିବା ଡଷ୍ଟର ଧରିଥିବା ଗୋଟିଏ ଲୋମଶ ହାତ ! ସେ ଆମ ମୁଣ୍ଡକୁ ଠଣା ମାରନ୍ତି, ସେଇ ଡଷ୍ଟରରେ ବାଡ଼ାନ୍ତି–ଆମ ଗଣିତ ସାର୍ !

 

ସାଗରରେ ଅସଂଖ୍ୟ ଢେଉ । ଏ ସମସ୍ତଙ୍କ ସାମୂହିକ ରୂପ ହିଁ ସମୁଦ୍ର । କିନ୍ତୁ ସବୁଗୁଡ଼ିକର କଳନା ସମ୍ଭବ ନୁହେଁ, ଗଣନା ମଧ୍ୟ ସମ୍ଭବ ନୁହେଁ । ଅବଶ୍ୟ ସେଥିରୁ କେହିହେଲେ ପରିହାର୍ଯ୍ୟ ନୁହନ୍ତି, ଗୁରୁତ୍ଵହୀନ ନୁହନ୍ତି । ଏପରିକି ଶିକ୍ଷକତାର ନୂତନ ଦାୟିତ୍ଵ ଭାରରେ ଗଳଦ୍‍ଘର୍ମ ମ–ସାହୁ ବା କେବଳ ବେଶ-ବିନ୍ୟାସରେ ବିଶ୍ଵାସ କରୁଥିବା ଅନଭିଜ୍ଞ ନ–ବେହେରା ମଧ୍ୟ ଆମ ଜୀବନର ଦୀର୍ଘ ଆଠ ବର୍ଷ ଭିତରେ ଏଠି ସେଠି ଫାଙ୍କ ଭରି ରହିଛନ୍ତି । ଏ ସମସ୍ତଙ୍କୁ ନେଇ ହିଁ ସ୍କୁଲ ଜୀବନ । ତାଙ୍କଠୁ ଶିଖିବା, ତାଙ୍କୁ ଠକିବା, ତାଙ୍କୁ ଭକ୍ତି କରିବା, ତାଙ୍କୁ ପଛରେ ଖତେଇ ହେବା ଭିତରେ ବିତିଯାଏ ଜୀବନର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ ।

 

ଅତୀତଟାକୁ ପ୍ରାୟ ଆଚ୍ଛନ୍ନ କରି ରହିଛି ଏ ସ୍ମୃତି ବହୁଳ ସ୍କୁଲ ଜୀବନ । ପରବର୍ତ୍ତୀ ଜୀବନ ତାକୁ ଆଶ୍ରୟ କରି, ତାହାରି ସ୍ଵପ୍ନରେ ରଞ୍ଜେଇ ହୋଇ ବଢ଼ି ଉଠିଛି, ଗଢ଼ି ଉଠିଛି । ଏବେ ମଧ୍ୟ ସେ ସ୍କୁଲ ଆପଣାର । ତା’ ବିଷୟରେ କିଏ କେଉଁଠି ପଦେ କହିଦେଲେ ନିଜ ଦେହରେ ବାଜେ, ଆଉ ଆମ ସାର୍...ସମସ୍ତେ ଗୋଟିଏ ଗୋଟିଏ ଅନୁଷ୍ଠାନ । ଆଉ ଗୋଟିଏ ଯୁଗର, ଆଉ ଗୋଟିଏ ରୀତିର କୋଣାର୍କ, ଲିଙ୍ଗରାଜ ପରି ଆମ ପରମ୍ପରାର ଚକା ପଥର ସେମାନେ । ତାଙ୍କଠୁ ଯାହା ପାଇଛୁ ଆମ ପରବର୍ତ୍ତୀ ବଂଶଧରଙ୍କୁ ତାହା ଦେଇ ନ ପରି ହୁଏତ’ ଋଣୀ ହୋଇ ରହିଯିବୁ ନା କ’ଣ !!

Image

 

ସେଇ ପକ୍ଷୀ ପରି

 

ଲୋକ ବିଶ୍ୱାସରେ ଗୋଟିଏ ପକ୍ଷୀ ଅଛି ଯେ ରାତି ହେଲେ ଗୋଡ଼ ଯୋଡ଼ିକ ଉପରକୁ ଟେକି ଶୁଏ । ଦିନ ଯାକ ତଳମୁହାଁ ଚରା ଗୋଟେଇବା ପରେ ଯେତେବେଳେ ସେ ପ୍ରଥମେ ଉପରକୁ ମୁହଁ ଟେକେ ତାକୁ ହଠାତ୍ ଛାନିଆଁ ଲାଗେ ଯେ ଏ ଆକାଶଟା ନିଶ୍ଚେ ଛିଡ଼ି ପଡ଼ିବ; ଆଉ ସେ ଯଦି ତା’ର; ଗୋଡ଼ ଯୋଡ଼ାକରେ ତାକୁ ରୋକି ନ ଦିଏ ଆକାଶ ମଡ଼େଇ ପଡ଼ିବ ଓ ସାରା ସଂସାର ଉଚ୍ଛନ୍ନ ହୋଇଯିବ । ବହୁ ରାତି ସେ ଉନ୍ନିଦ୍ର ବିତେଇ ଦିଏ । ମନରେ ତା’ର ବହୁ ଆଶଙ୍କାର ମେଘ । କପାଳରେ ବେଣି ଦଉଡ଼ି ପରି ମୋଟା ମୋଟା ଚିନ୍ତା ରେଖା । ତାକୁ ଦେଖି ଅନେକ ଅନେକ ପକ୍ଷୀ ନତ ଚଞ୍ଚୁ ହୋଇ ତା’ର ଆରାଧନା କରି ପାରନ୍ତି । ସ୍ଵାର୍ଥର ସୀମିତ ବନ୍ଧନୀରୁ ଉତ୍ତୀର୍ଣ୍ଣ ଏଇ ମହାତ୍ମା ସର୍ବଜୀବ ହିତାୟ ଊର୍ଦ୍ଧ୍ଵ ପାଦ ତପସ୍ୟା କରନ୍ତି ।

 

ସତକୁ ସତ ଆକାଶ ପଡ଼ିବ କି ନ ପଡ଼ିବ ତାହା ବିଚାର କରିବା ପ୍ରୟୋଜନ ନାହିଁ ! ବୋଧହୁଏ ପଡ଼ିବ, କାରଣ ମହାତ୍ମାଙ୍କର ତାହା ଦୃଷ୍ଟିଗୋଚର ହେଉଛି । ପଡ଼ିଲେ ସେ ତାଙ୍କର କ୍ଷୀଣ ଗୋଡ଼ ଯୋଡ଼ିକରେ ଆକାଶକୁ ଟେକି ପାରିବେ କି ନ ପାରିବେ ତାହା ମଧ୍ୟ ବିବେଚ୍ୟ ନୁହେଁ, କାରଣ ସେ ମହାତ୍ମା ଏଣୁ ନିଶ୍ଚୟ ପାରିବେ । ମହାଜନୋ ଯେନ ଗତଃ ସେ ପନ୍ଥା ନୀତିରେ ଅନୁଗତ ଶିଷ୍ୟଗଣ କେବଳ ତାଙ୍କ ଅନୁରୂପ ଗୋଡ଼ ଟେକି ଶୋଇବା ଉଚିତ୍ । ସେମାନଙ୍କର ଏବଂବିଧ ଶୃଙ୍ଖଳିତ ଜୀବନ ଯାପାନ ପାଇଁ ସଂଘ ଗଢ଼ାଯିବ, ରହିବା ପାଇଁ ଆଶ୍ରମ କରାଯିବ ।

 

ଆଉ ଦଳେ ପକ୍ଷୀ ହୁଏତ’ ଏ କଟକ ଚିନ୍ତା କରୁଥିବା ବାଇମୁଣ୍ଡିକୁ ଅନେକ ସମ୍ମାନ ଦେବେ । କହିବେ, ମନ୍ଦ ନୁହେଁ । ଏପରି ମହତ୍ ଚିନ୍ତା କରିବା ସମୟ ସମୟରେ ଖୁବ୍ ଭଲ । ତଥାପି ବାଇମୁଣ୍ଡି ପାଇଁ କିଞ୍ଚିତ୍ ଅବିଶ୍ଵାସ ତ’ ନିଶ୍ଚୟ ଅଛି । ସତକୁ ସତ ପଥର ବନ୍ଧ ବନ୍ଧା ହୋଇଗଲେ ବାଇମୁଣ୍ଡିକୁ ସବୁ ବାହାଦୁରି ନ ଦେଇ ଅନଙ୍ଗଭୀମଙ୍କୁ ଶହେରେ ସତୁରୀ ଦେବାକୁ ସେମାନେ ଆଗଭର ହୋଇଯିବେ ।...ଆହୁରି ଦଳେ କିନ୍ତୁ ଅଛନ୍ତି ଯେଉଁମାନେ ଦିନଯାକ ଖୁଦମୁଣ୍ଡି ଗୋଟେଇବାରେ ବିତେଇ ଦିଅନ୍ତି, ରାତି ବିତେଇ ଦିଅନ୍ତି ତା’ରି ସ୍ଵପ୍ନରେ । ସେମାନେ ନିଜ ନିଜର ନୀଡ଼ ବାହାରେ କ’ଣ ହେବା ନ ହେବା କଥା ଆଦୌ ଭାବନ୍ତି ନାହିଁ । ସଂସାର ତାଙ୍କ ପାଇଁ ଦୁଇ ଡେଣାରେ ମାପିଲା ଭଳି ଛୋଟ, ଥଣ୍ଟରେ ଖୁମ୍ପିଲା ଭଳି ନରମା । ଝଡ଼, ବତାସୀ ଆସେ ଆଉ ଯାଏ-। ସେଥିରେ ସେମାନେ ଆଗତୁରା ଛାନିଆଁ ହୁଅନ୍ତି ନାହିଁ କି ଆସିଲେ ରୋକି ମଧ୍ୟ ପାରନ୍ତି ନାହିଁ । ଏଣୁ ଆକାଶ ଛିଡ଼ି ପଡ଼ିବା କଥା ତାଙ୍କୁ କହିଲେ ସେ ଖାଲି ଆବାକାବା ହୋଇ କିଛି ସମୟ ଅନାନ୍ତି-। କଳିଯୁଗ ସରିଯିବା କଥାକୁ ଛାନିଆଁ ହୋଇ ଆଖି ଖୋସି ଯେମିତି ଶୁଣାଯାଏ ! ତା’ପରେ ସହଜ ଅଭ୍ୟାସରେ ଯେ ଯାହା ବାଟରେ ଫୁର୍ ଫାର୍ ଉଡ଼ିଯାନ୍ତି ।

 

ଆମ ଭିତରୁ ବଡ଼ଭାଗ ବୋଧହୁଏ ଏଇ ଚାରା ଗୋଟେଇବା ପର୍ଯ୍ୟାୟର । ଆମ ଦାୟିତ୍ଵ ଜ୍ଞାନ ମଧ୍ୟ ସେହିପରି ଅତି ଛୋଟ ଘେର ଭିତରେ ଖୁପୁରୁ ଖୁପୁରୁ ହୁଏ । ଘେର ଡେଇଁ ଚାଲିଯିବା ଭଳି ପ୍ରବୃତ୍ତି ବା ପ୍ରୟୋଜନ ବୋଧ ନ ଥାଏ । ଯେଉଁମାନେ ଭାବନ୍ତି ଯେ ତାଙ୍କ ଦାୟିତ୍ଵ ସମାଜ, ଦେଶ ବା ଜାତି ପର୍ଯ୍ୟନ୍ତ ବ୍ୟାପି ରହିଛି; ସେମାନେ ଏ ଛୋଟ ଘେରକୁ ଘୃଣା କରନ୍ତି, ଦୟା କରନ୍ତି, ପୋଷା ଶଣ୍ଢ ପିଠିରେ ଥାପୁଡ଼େଇଲା ପରି ତାଙ୍କ ନିଜ ଗୁଣରେ ସହିଯାନ୍ତି । ଆମ ସୀମାକୁ ସେମାନେ ସହିଯାନ୍ତି ବୋଲି ଆମେ ତାଙ୍କ ଦୟା ବା ଘୃଣାକୁ ମଧ୍ୟ କୃତଜ୍ଞତାରେ ସ୍ଵୀକାର କରିଯାଉ-। ଏମିତି ନିଶୁଣୀର ଦୁଇଟା ଧାପ ପରସ୍ପରକୁ ମାନି ନିଅନ୍ତି । ଭାବନ୍ତି ବୋଧହୁଏ କାହା ଦେହକୁ କିଛି ନ ଲାଗିଲା ଭଳି ଗୋଟାଏ ବୁଝାମଣା ହୋଇଗଲା । ଏହା ସାଙ୍ଗରେ ସୃଷ୍ଟି ହୋଇଗଲା ରୁଷିଆର ‘ଜାର୍’ ଓ ତାଙ୍କର ଅଗଣିତ ଚାରାଶ୍ରୟୀ ଶ୍ରମିକ; ‘ଫାରୋ’ ଏବଂ ‘ପିରାମିଡ୍’ ପାଇଁ ପଥର ବୋହିବାର ଅକଳନ୍ତି ଭାରବାହୀ ଥାଟ । ବେଳେ ବେଳେ ଗୋଟାଏ ଆରଟା ଉପରେ ମଡ଼େଇ ପଡ଼ିବାରୁ ବୁଝାମଣା ହୁଗୁଳି ଯାଇଛି । ରାତି ଅଧରେ ଥାଟ ଭିତରୁ ହିସ୍ ହିସ୍ ଶବ୍ଦ ଭିତରେ ନିଆଁହୁଳା ଚହଟି ଉଠିଛି; ଉପର ମହଲରେ ଝଣ୍‍ଝାଣ ହୋଇ ଲୁହା କବାଟ ପଡ଼ିଛି, ଗଡ଼ଖାଇ ଉପରେ ଗୋଳା କମାଣ ଗର୍ଜି ଉଠିଛି । ବହୁ ଚିତ୍କାର ଭିତରେ ବାଟହୁଡ଼ା କ୍ଳାନ୍ତ ଗାଈଟିଏ ପରି ଗୁହାଳକୁ ଫେରି ଆସିଛି ବୁଝାମଣା । ତାକୁ ପୋଷିବାକୁ ତା’ ମୁହଁରେ ଥାଟ ଅଜାଡ଼ି ଦେଇଛି ତା’ର ସବୁତକ ଶ୍ରମ ଝାଳ । ଆଉ ଫାରୋମାନେ ତା’ର ଟାଣି ରହିଥିବା ପହ୍ନାକୁ ଦୁହିଁଦେଇ ତା’ର ଅସ୍ଵସ୍ଥି ଦୂର କରିଛନ୍ତି । ଏବେ ମଧ୍ୟ ଖଣି ମାଲିକ ସେମିତି ଦୁହେଁ ଓ ଚାରାଶ୍ରୟୀ ଜୀବ ଗୁଡ଼ିଏ ପୃଥିବୀର ଅନ୍ଧାରୁଆ, ଅମାନିଆ ପଞ୍ଜରା ଦେହରୁ ଛେଲି ଆଣନ୍ତି ଲତ ଲତ ଅଙ୍ଗାର ।

 

ଏବକୁ ଏବକୁ ଜଣାଯାଉଛି ଯେ ଏ ଦାୟିତ୍ଵ ଜିନିଷଟି ଭାବିଲେ ଅଛି ନ ଭାବିଲେ ନାହିଁ । ସତେ କ’ଣ କେହି ଆଉ କାହାପାଇଁ ଦାୟୀ ହୋଇପାରେ ? ଆମେ ସମସ୍ତେ ଏପରି ଗୁଡ଼ିଏ ଅଲଗା ଅଲଗା ଜୀବ ଯେ ଆମମାନଙ୍କ ଜୀବନର ସ୍ଵତନ୍ତ୍ର ବୃତ୍ତଗୁଡ଼ିକ ଭିନ୍ନ ଭିନ୍ନ ସ୍ତରରେ ଭଉଁରୀ କାଟିଯାନ୍ତି । କେଉଁଠି କେମିତି ଅକସ୍ମାତ୍ ଛୁଇଁଗଲେ ସମ୍ପର୍କ ହୋଇଯାଏ । ଏଇ ଆକସ୍ମିକ ବିନ୍ଦୁଗୁଡ଼ିକ ଯୋଡ଼ି ଯେଉଁ ଅଦ୍ଭୁତ କାଳ୍ପନିକ ରେଖାଟି ହୁଏ ତାହା ଜ୍ୟାମିତିକ ସତ୍ୟ ହୋଇଥିବାରୁ ଆମ ଜୀବନର ସତ୍ୟ ବୋଲି ଆମେ ଭାବିଥାଉଁ । ଏଇ ବିନ୍ଦୁଗୁଡ଼ିକରେ ଯେତେ ଟାଣ ଅନୁଭବ ହୁଏ ସେଇ ଅନୁପାତରେ ଦାୟିତ୍ଵ ମଧ୍ୟ ନିର୍ଦ୍ଧାରିତ ହୋଇଯାଏ । ଏମିତି ଛୋଟ ବଡ଼ ପରିଧି ଭିତରେ ପରିବାର ବା ସମାଜକୁ ନିଜ ନିଜ ସମ୍ପର୍କରେ ମିଶେଇ ଆମେ ବଞ୍ଚୁ ! କିନ୍ତୁ ଜୀବନର ବୃତ୍ତ ଲତେଇ ଯାଏ ତା’ର ସହଜ ପ୍ରୟୋଜନ ଉପରେ ନିର୍ଭର କରି । ଅବଶ୍ୟ ସେଇଟା ନିଜେ ଚାଲେ ଯେଉଁ ପ୍ରେରଣା ବା ନିର୍ଦ୍ଦେଶ ବଳରେ ତାହା ବିଚାର କରିବା ଆଉ ଏକ ପ୍ରସଙ୍ଗ । ତଥାପି ଏ କଥା ଠିକ୍ ଯେ ଦାୟିତ୍ଵ ନେଲାବେଳେ ଭାରି ବାନ୍ଧି ଛନ୍ଦି ହୋଇ ଅନ୍ୟ ପନ୍ଥା ନ ଥିବା ଅବସ୍ଥାରେ କେହିହେଲେ କାନ୍ଧରେ ଯୁଆଳିକୁ ତୋଳିନିଏ । ନତୁବା କେବଳ ବଞ୍ଚିବା ଦାୟିତ୍ଵ ହିଁ ତା’ର ପ୍ରଥମ ଏବଂ ଶେଷ ଦାୟିତ୍ଵ । ପଞ୍ଝେ ଏ ଦାୟିତ୍ଵକୁ ଅଧିକାର ବୋଲି ମଧ୍ୟ ନାଆଁ ଦେଇଛନ୍ତି । ସବୁ ହର୍ ଗୁଣ୍ ଫେଡ୍‍ ମିଶା କରିଦେଲା ପରେ ନିର୍ଯାସ ହେଲା ପରସ୍ପରକୁ ଖାଇ ନ ଯାଇ କେମିତି ବଞ୍ଚି ହେବ । ଏଇ ଖିଆ ଖେଇରୁ ଓହରି ଯିବା ହେଲା ମହତ ପଣିଆର ଦାୟିତ୍ଵ । ଏ ଦାୟିତ୍ଵ ଲୋକଙ୍କୁ ଶିଖେଇବା ଦାୟିତ୍ଵ ମଧ୍ୟ କେତେ ଜଣ ସ୍ଵତଃ ନିଅନ୍ତି ।

 

ଏମିତି ସର୍ବଜନହିତାୟ ଯେଉଁମାନେ ମନକୁ ମନ ଦାୟିତ୍ଵ ନିଅନ୍ତି ତାଙ୍କ ଭିତରୁ ଗୁଡ଼ାଏ ବାହାରନ୍ତି ଫନ୍ଦିବାଜ । ତାଙ୍କ ପାଇଁ ଆକାଶ ଛିଡ଼ି ପଡ଼ିଲା ପରି ଦିଶେ । ସେମାନେ ବାଟରେ ଚାଲିଗଲା ଲୋକଙ୍କୁ ଭିଡ଼ି ଆଣି ତାକୁ ସେ ସମ୍ବାଦ ଦେବାର ଦାୟିତ୍ଵ ନିଅନ୍ତି । ତାଙ୍କ ମତରେ ସେଇ କେବଳ ଦେଖୁଛନ୍ତି ଯେ ସଂସାରର ସମସ୍ତଙ୍କ ମୁଣ୍ଡ ଉପରେ ଅହିଆ ଜଳୁଛି । ସମସ୍ତେ ଅନ୍ଧ, ସମସ୍ତେ ଖସୁଛନ୍ତି ଅତଡ଼ାରୁ । ଏମିତି ଉପରେ ପଡ଼ି ଗୁରୁପାଣିଆ ଅନେକ ସମୟରେ ଅସହ୍ୟ ହୁଏ, ଯେତେବେଳେ ସେଥିରୁ ଗୋଟାଏ ବାହାରି ପଡ଼ି ଆପଣଙ୍କୁ କହେ ଯେ “ଅମୁକ ଦିନ ଅମୁକ ବେଳାରେ ଅଣସ୍ତରୀ ମିନିଟ ପାଇଁ ନିଶ୍ଵାସକୁ ରୁନ୍ଧୁଛନ୍ତି ନା ନାହିଁ ? ଯଦି ନ କରୁଥାନ୍ତି ଆପଣଙ୍କ ପାଇଁ ରୌରବର ଦ୍ଵାର କେଁ କଟ କଟ ହୋଇ ଫିଟୁଛି । ମାସକୁ ସାତ ପେଣ୍ଡା ଧୂପକାଠି ପୋଡ଼ୁଛନ୍ତି ନା ନାହିଁ ? –ଠିକ୍ ସମୟରେ ମହିମା ଅଧ୍ୟୟନ କରୁଛନ୍ତି ନା ନାହିଁ ? –ଆପଣ ଗୁରୁ ଦର୍ଶନ କେଇଥର କଲେଣି ? ଆପଣଙ୍କ ପାଇଁ ମୁଁ ତପସ୍ୟା କରୁଛି, କାରଣ ଆପଣଙ୍କ ପାଇଁ ମୋ ଅନ୍ତରାତ୍ମା ହା ହା କାର କରୁଛି । ମୁଁ ଆପଣଙ୍କର ସର୍ବତୋଭାବେ କଲ୍ୟାଣ ପାଇଁ ଦାୟୀ ।” ଏହିପରି ଗୁଡ଼ିଏ ନିଜର ପୁଡ଼ି ପେଟେରା ମେଲେଇ ଆପଣଙ୍କୁ ଅଥୟ କଲେ ଆପଣ ସେ ପାମରକୁ କ’ଣ କହିବେ ? ମୋଟ ଉପରେ ଆପଣଙ୍କୁ କେଉଁଟା ବେଶି ବାଧିବ–ତା’ର ଆକାଶ ଛିଡ଼ି ପଡ଼ିବାର ସଂତ୍ରାସବାଦୀ ଗପ, ନା ତା’ର ମନକୁ ମନ କର୍ତ୍ତୃତ୍ୱ ଜାହିର୍ କରିବାର ବହପ ? ୟା ପଛରେ ରହିଛି ମାତ୍ର ଯୋଡ଼ିଏ କଥା । ପ୍ରଥମତଃ ଆପଣ କ୍ଳୀବ, ଅନ୍ଧ, ଦାୟିତ୍ଵହୀନ, ଅବିଦ୍ୟାଗ୍ରସ୍ତ, ପତିତ ଏବଂ ସେ କେବଳ ପୁରୁଷାର୍ଥ ଭୂଷିତ, ଚକ୍ଷୁଷ୍ମାନ୍, ଦାୟିତ୍ଵବାନ୍ ବିଦ୍ୱାନ୍ ଯେ କୃପା ପରବଶ ହୋଇ ଆପଣଙ୍କୁ ସନ୍‍ମାର୍ଗକୁ ଉଦ୍ଧାର କରିନେବ । ସେଥିପାଇଁ ଦାନ ଦକ୍ଷିଣା ମଧ୍ୟ ରହିଛି ।

 

ଏହିପରି ବହୁ ଗୁରୁ, ବହୁ ମଠ । ଧର୍ମ, ରାଜନୀତି, ସମାଜକୁ ଘେରି ଏପରି ଅନେକ ଗୁରୁଗିରି ଆପଣଙ୍କୁ ସହିବାକୁ ପଡ଼େ । କିନ୍ତୁ ସତକୁ ସତ ଯେଉଁମାନେ ଦାୟିତ୍ଵ ଅର୍ଥରେ ନୀରବରେ ଦାନ କରିଯାନ୍ତି, ଦୁଷ୍ଟ ପୁତ୍ରର ହିତୈଷୀ ବାପ ଉଇଲନାମା କଲା ପରି ତାଙ୍କ ଜୀବନରେ ପ୍ରତ୍ୟାଶା ନ ଥାଏ, ଫଳାଭିସନ୍ଧି ନ ଥାଏ । ନଦୀ ଯେମିତି ବୋହିଯାଏ ଏବଂ ଦୁଇ ଧାରରେ ଅଜାଡ଼ି ଦେଇଯାଏ ଅଜସ୍ର କରୁଣା ଖୁବ୍ ସହଜରେ, ଅନାୟାସରେ ଓ ଅବାଧରେ ସେମିତି ସାଧୁଜନ ଜ୍ଞାନ ବିତରି ଯାଆନ୍ତି । ଗଛରେ ଫୁଲ ଫୁଟିବା, ଫଳ ପାଚିବା ଏକ ସ୍ଵାଭାବିକ ଧର୍ମ । ଯଦି କେହି କିଛି ବାସ୍ନା ପାଇଗଲା ବା ଦି’ଟା ଫଳ ଗୋଟେଇ ନେଲା ସେଥିପାଇଁ ଗଛ ଦାୟୀ ନୁହେଁ । ସେ କର୍ତ୍ତୃତ୍ଵ ସେ ମୂଳରୁ ନେଇ ନାହିଁ ।

 

ସେଥିପାଇଁ ଯେ ଯୋଜନାବଦ୍ଧ ହୋଇ ପରୋପକାର କରିବାକୁ ବାହାରେ ସେ ନିଜର ହିଁ ସେବା କରିଥାଏ । କିଛି ଯଶ, କିଛି ଖ୍ୟାତି, ହୁଏତ କିଛି ଅର୍ଥ ତା’ର ମୌଳିକ କାମ୍ୟ । ବୁଝି ବସିଲେ ଏପରି କି କିଛି ପୁଣ୍ୟ ଅର୍ଜନ କରି ପକେଇବା ମଧ୍ୟ ଏକ ନିକୃଷ୍ଟତର ସ୍ଵାର୍ଥସେବା । କିନ୍ତୁ ଯେ ସଚ୍ଚୋଟ ଭାବରେ ନିଜ ପାଇଁ ହିଁ କେବଳ ଗଛ ପରି ବଞ୍ଚେ ସେ ହିଁ ପରପାଇଁ ବଞ୍ଚେ । ଏଣୁ ଯେ ସାଧାରଣ ଅର୍ଥରେ ଦାୟୀ ବୋଲି କହେ ସେ ଦାୟୀ ନୁହେଁ; କିନ୍ତୁ ଯେ ଦାୟୀ ନୁହେଁ ସେ ହିଁ ଦାୟୀ । ମହାକାଶରେ ସୂର୍ଯ୍ୟପିଣ୍ଡ ଏକାକୀ ନିସ୍ପୃହ, ଅସଂପୃକ୍ତ ଭାବରେ ଜଳିଯାଏ । ସେ କାହାରି ଦାୟିତ୍ଵ ନିଏ ନାହିଁ, କିନ୍ତୁ ପୃଥିବୀ ପୃଷ୍ଠରେ କାହାପାଇଁ ଭଲା ସବିତା ଦାୟୀ ନୁହେଁ ?

 

ଯେଉଁ ଚଢ଼େଇଟି ଆକାଶ ଛିଡ଼ି ପଡ଼ିବା ଭୟରେ ଗୋଡ଼ ଯୋଡ଼ିକ ଟେକି ଶୁଏ ସେ ହୁଏତ କେବଳ ଆତ୍ମରକ୍ଷା ପାଇଁ ତାହା କରେ । କିନ୍ତୁ ତାକୁ କେନ୍ଦ୍ର କରି ଯେଉଁମାନେ ଦଳ ଗଢ଼ନ୍ତି, ମନକୁ ମନ ସାରା ସଂସାରର ଦାୟିତ୍ଵ ନେବାର ଧୃଷ୍ଟତା ପ୍ରକାଶ କରନ୍ତି ତାଙ୍କୁ ହିଁ ବୋଧହୁଏ ଲକ୍ଷ୍ୟ କରି କୁହାଯାଇଛି “ଅନ୍ଧେନୈବ ନୀୟମାନା ଯଥାନ୍ଧାଃ” ।

Image

 

Unknown

ପତ୍ର ଲିଖନ

 

ଚିଠି ଲେଖା କେତେକଙ୍କ ପାଇଁ ଏକ ନିତ୍ୟନୈମିତ୍ତିକ କର୍ମ, ଏକ ଉପଭୋଗ୍ୟ ବିଳାସ । ସେମାନେ ନିଃସନ୍ଦେହରେ ଏ ଯୁଗର ମହାପୁରୁଷ । ଆଉ କେତେକଙ୍କ ପାଇଁ ଏଇଟା ଗୋଟାଏ ସାମାଜିକତା ଦୃଷ୍ଟିରୁ ସାପ୍ତାହିକ ସୌଜନ୍ୟ । ସେମାନେ ହେଲେ ବିଶିଷ୍ଟ ସାଧକ । ଆଉ କେତେ ଜଣ ଦାୟିତ୍ଵ ଟାଳି ଟାଳି ହଠାତ୍ ଦିନେ ଏକ ପ୍ରେରଣାର ଆବେଗରେ ବା ବିବେକ ବୁଦ୍ଧିର କଷାଘାତରେ ଡାକ ଅଫିସ ପିଣ୍ଡାରେ ରାମ୍ପି ଦେଇ ବେଶ୍ ଉଶ୍ଵାସରେ ହସି ହସି ଚା’ ଦୋକାନରେ ପଶି ଯାଆନ୍ତି । ସେମାନେ ମଧ୍ୟ ଭାରି ଭଲ ଲୋକ । ସବା ଶେଷକୁ କିନ୍ତୁ ଅଛନ୍ତି ପୁଞ୍ଜାଏ ଅଧମ, ଚିଠି ଲେଖା ନା ଶୁଣିଲେ ତାଙ୍କ ପିଳେହି ପାଣି ହୋଇଯାଏ, ତାଳୁ ଶୁଖିଯାଏ; ଦେହରୁ ଗୋଟା ଗୋଟା ଝାଳ ଫିଟିଯାଏ । ସେମାନଙ୍କ ଜାତକରେ ଚିଠି ଲେଖା ନାହିଁ । ତାହା ଏକ ଗ୍ରହଦୋଷ-ଜନିତ ଅସମ୍ଭାଳ ବିପତ୍ତି । ବିଚାରା କେବେ ଚିଠିଟାଏ ଲେଖି ପାରନ୍ତି ନାହିଁ । ଯଦି ବଳତ୍କାର ତାଙ୍କଠାରୁ ଲେଖେଇ ନିଆ ହୁଏ, ବୁଢ଼ୀ ଅସୁରୁଣୀ ମୁଣ୍ଡରୁ ଧୋବ ବାଳ ଉପାଡ଼ିଲା ପରି, ଏତଦ୍ୱାରା ଠୋ’ କିନା ତାଙ୍କର ପ୍ରାଣ ଛାଡ଼ିଯିବ । ସେମାନଙ୍କୁ ପ୍ରାଣଦଣ୍ଡ ନ ଦେଇ କେବଳ ପାଞ୍ଚ ଫର୍ଦ୍ଦ ଧଳା କାଗଜ ଦେଖେଇ ଦେଲେ କାଳେ ଏଡ଼େ ଲମ୍ବ ଚିଠିଟାଏ ଲେଖିବାକୁ ହେବ ବୋଲି ଭୟରେ ସେମାନେ ତତ୍‌କ୍ଷଣାତ୍ ପ୍ରାଣତ୍ୟାଗ କରିବେ । ଚିଠି ଲେଖା କାହିଁକି ଯେ ବ୍ୟକ୍ତି ବିଶେଷ ପାଇଁ ଏପରି ମାରାତ୍ମକ ହୁଏ ତା’ର ଟିକିଏ ଆଲୋଚନା କରାଯାଉ ।

 

ଭାବ ବିନିମୟ ପାଇଁ ପତ୍ରଲିଖନ ଏକ ସର୍ବବାଦୀସମ୍ମତ ପୁରାତନ ପନ୍ଥା । କିଣା ବିକା ବ୍ୟବସାୟ ବଣିଜରେ ଯେଉଁ ଲକ୍ଷ ଲକ୍ଷ ଡାକ ଟିକଟ ଥିବା ନ ଥିବା ପତ୍ରର ଆଦାନ ପ୍ରଦାନ ହୁଏ ତାକୁ ବରଂ ପତ୍ର ନ କହିବା ଭଲ; କାରଣ ଚିଠି ଭିତରେ ଯେଉଁ ଆପଣାର ଭାବ ଟିକକ ଥାଏ ତା’ ଏ ତଷୁ ଗଦାରେ ନ ଥାଏ । ସବୁ ସେଥିରେ ମାପ୍‌ଚୁପ୍, ସବୁ ଆଗରୁ ତିଆରି, ଭାଷା ଭଙ୍ଗୀ ବିଷୟ । ହେଲା ତ ଜଣେ ଶ୍ରମ ସ୍ଵୀକାର, କରି ତାଙ୍କର ବହୁମୂଲ୍ୟ ନାମାଙ୍କନ କରିଦେଲେ; ନ ହେଲା ନାହିଁ; ଗୋଟିଏ ରବର ଛାପାରେ କାମ ଚଳେଇ ଦିଆଗଲା । ବହୁ ସଂଖ୍ୟକ ଦଫ୍‌ତରରେ ଅସଂଖ୍ୟ କିରାଣି ଓ ଅଫିସରଙ୍କର ନମ୍ବର ମୁଦ୍ରା ମାରି ଯେଉଁ ପତ୍ରବିନିମୟ ହୁଏ, ସେଗୁଡ଼ିକ ମଧ୍ୟ ଆମ ଦୃଷ୍ଟିରେ ଅସାର ତଷୁତୁଲ୍ୟ । ସେଥିରେ ଚିଠିର ଦରଦୀପଣିଆ ନାହିଁ । ସେଗୁଡ଼ିକ ଆନୁଷ୍ଠାନିକ । ସେମାନଙ୍କର ପାଇଁ ଗୋଟାଏ ଧରାବନ୍ଧା ନିୟମର ଧାଡ଼ି ରହିଛି । ଅବଶ୍ୟ ଏହା ମାନେ ନୁହେଁ ଯେ ଏ ପ୍ରକାର ପତ୍ରର ଉପାଦେୟତା ନାହିଁ । ସେ ବିଷୟରେ ସନ୍ଦେହ କରିବା ସାହିତ୍ୟକ ପକ୍ଷରେ ବିଶେଷ ନିରାପଦ ମଧ୍ୟ ନୁହେଁ । ରାଜନୀତି କ୍ଷେତ୍ରରେ ଅନେକ ପ୍ରକାରର ପାତ୍ର ଲେଖାଯାଏ । ଯୁଦ୍ଧ ବିଗ୍ରହ, ସନ୍ଧି ବିଗ୍ରହ, ନାନା ବିଷୟରେ ଆଗ୍ରହ, କେତେକ ବିଷୟରେ ଅନୁଗ୍ରହ ଇତ୍ୟାଦି ନେଇ । ୟା’ ଭିତରେ ରାମଚନ୍ଦ୍ର ଅଙ୍ଗଦ ହାତରେ ରାବଣକୁ ଦେଇଥିବା ଚିଟାଉ ମଧ୍ୟ ଆସିଯାଏ । କିନ୍ତୁ ସେ ସମସ୍ତ ବାଦ୍ ଦେବାକୁ ପଡ଼ୁଛି ।

 

ମୂଳ କଥା ହେଲା, ଯେଉଁଠି ଭାବ ଦୋସ୍ତି ନାହିଁ, ସମ୍ପର୍କରେ ଘନିଷ୍ଠତା ନାହିଁ, କେତେକ ବିଷୟରେ ଏକାତ୍ମବୋଧ ନାହିଁ, ସେଠି ପ୍ରକୃତରେ ଚିଠି ଲେଖାଲେଖି ମଧ୍ୟ ନାହିଁ । ଏପରି କି, ଏ ସମ୍ପର୍କ ଓ ଚିଠି ଲେଖା ଭିତରେ ଗୋଟାଏ ଆନୁପାତିକ କ୍ଷୟ ବୃଦ୍ଧି ମଧ୍ୟ ଘଟେ । ସମ୍ପର୍କ କୋହଳ ଧରିଗଲେ ଚିଠିଟା ମଧ୍ୟ ଫାଙ୍କା ଆବାଜ ମାରେ, ଢିଲା ଉପର ଠାଉରିଆ ହୋଇଯାଏ । କୃଷ୍ଣ ଏବଂ ଗୋପୀମାନଙ୍କର ସମ୍ପର୍କ ପତ୍ର ଆଦାନ ପ୍ରଦାନ ପାଇଁ ବେଶ୍ ଅନୁକୂଳ । ଆଜିକାଲି ପରି ଡାକ ତା’ର ବିଭାଗ ଥିଲେ ବହୁ ଚିଠି ପତ୍ର ଦିଆ ନିଆ ହୋଇଥାନ୍ତା । କିନ୍ତୁ ବିଚାରା ଉଦ୍ଧବ ଗୋଟାଏ ହାପର ଯୁଗର ରଥ ଚଢ଼ି ଯାହା ସାହାଯ୍ୟ କରିଛି ତାହା ଯଥେଷ୍ଟ । ଆଉ ଅଧିକ ଗୁଡ଼ାଏ ଚିଠି ଦିଆ ନିଆ ହୋଇଥିଲେ ମଧ୍ୟ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଥାନ୍ତା । ଅତଏବ ସମ୍ପର୍କର ନିବିଡ଼ତା ଯେତେ ବେଶି ଥିବ, ପରସ୍ପର ଠାରୁ ଦୂରେଇ ଗଲେ ଚିଠି ଲେଖାର ପ୍ରୟୋଜନ ସେତେ ଗଭୀର ଭାବରେ ଅନୁଭୂତ ହେବ । ଏ କ୍ଷେତ୍ରରେ ଚିଠିଟିଏ ଆସି ପହଞ୍ଚିଗଲେ ପରସ୍ପର ଭିତରେ ଦୂରତା ଉଭେଇ ଯାଏ । ଜଣାଯାଏ ଯେମିତି ମନରାଜ୍ୟରେ ଦୁହେଁ ପୁଣି ମିଶି ଯାଉଛନ୍ତି । ଜଣେ ତା’ ଭିତରୁ କ’ଣ ଖୁବ୍ ଜଣାଶୁଣା, ପୁରୁଣା କଥା ଗୁଡ଼ାଏ ତା’ର ଅଦ୍ଭୁତ ଭଙ୍ଗୀରେ କହୁଛି ଓ ଆଉ ଜଣେ ଶୁଣୁଛି । ଚିଠି ଭିତରେ ଲେଖିଲାବାଲା ଯେଉଁ ଆତ୍ମପ୍ରକାଶ କରେ ସେଇଟା ଯେତେ ସହଜ, ସ୍ଵାଭାବିକ ଆଉ ଯେତେ ଖୋଲାଖୋଲି ହୋଇ ପାରିବ; ମନଭିତରେ ଏ ମିଶାମିଶି ସେତେ ଚମତ୍କାର ହୋଇ ପାରିବ । କିନ୍ତୁ ଆତ୍ମପ୍ରକାଶଟା ସେତିକି ସହଜ ହେବ ଯେତିକି ପୂର୍ବାପର ସମ୍ପର୍କଟା ନିବିଡ଼ ଥିବ ।

 

ଅତଏବ ଶରତରେ ନିର୍ମଳ ଚନ୍ଦ୍ରମଣ୍ଡଳ ବିରାଜି ଥିବ । ବହୁ ପୁରୁଣା କଥା ମନେ ପକାଇ ପ୍ରବାସୀ ବନ୍ଧୁ କାତର ହେବ । ତେଣିକି ‘ପ୍ରଣୟ ପତର’ ନ ଲେଖିଲେ ଆଉ ଗତି ନାହିଁ । ଚିଠି ଲେଖିଲା ବେଳେ ସେ ଅପରକୁ ମନେ ମନେ ପାଖରେ ବସାଇ ମନଖୋଲି କଥା କହେ ଏବଂ ସେଇ ମାନସ-ଆଳାପ ହିଁ ହୁଏ ଚିଠି । ତାକୁ ପାଇ ପଢ଼ିଲାବେଳେ ମଧ୍ୟ ଠିକ୍ ଏଇ କଥା ହୁଏ । ଦୂରରେ ରହିବା ବାଧା ସାମୟିକ ଭାବରେ ଉପଶମ ହୁଏ ବୋଲି ବନ୍ଧୁ ବନ୍ଧୁ ପରସ୍ପର ପାଇଁ ଚିଠି ଲେଖନ୍ତି । ଚିଠି ଲେଖା ଅନିବାର୍ଯ୍ୟ ହୋଇପଡ଼େ, ନ ଲେଖି ରହି ହୁଏ ନାହିଁ । ନିରକ୍ଷର ମଧ୍ୟ ଭଡ଼ାଟିଆ ଚିଠିଲେଖାଳୀ ପାଖରେ ପଚିଶ କଥା ବଖାଣେ । ଚିଠିରେ ସେଥିରୁ ଭାଗେ ଲେଖା ନ ହେଲେ ମଧ୍ୟ ତା’ର ସନ୍ତୋଷ ଆସିଯାଏ । ମନଖୋଲି ଭିତରର ଆବେଗ ଗୁଡ଼ିଏ ପ୍ରକାଶ କରିଦେଲେ ଉଶ୍ଵାସ ଲାଗେ । ଏପରି ଚିଠି ଆପେ ଲେଖି ହୋଇଯାଏ, ପରିଶ୍ରମ କରିବାକୁ ପଡ଼େ ନାହିଁ । ଏଥିରେ ଖୁବ୍ ଛୋଟ ଛୋଟ ଗୁଡ଼ିଏ ମାର୍ମିକ କଥା, ପରସ୍ପରର ଖୁବ୍ ଆପଣାର ଦୁଇ ଚାରି ପଦ କ’ଣ ଲେଖାହୁଏ । ଯଥା ରବୀନ୍ଦ୍ରନାଥ ପତ୍ନୀଙ୍କୁ ଲେଖୁଛନ୍ତି–“ଆସିଲାବେଳେ ଗୋଟା କେତେ ପାଚିଲା ଆମ୍ବ ଟୁକୁଣାରେ ନେଇ ଆସିଥିବ ।” ଏହା ପଛରେ ଉଭୟଙ୍କର ଦୀର୍ଘ ଦାମ୍ପତ୍ୟର ବହୁ ବହୁ ଆମ୍ବଖିଆ ଘନିଷ୍ଠ ମୁହୂର୍ତ୍ତର ଭାବ ଓ ଆବେଗ ଲୁଚି ରହି ଯାଇଛି । ଆମେ ବୁଝି ପାରିବା ନାହିଁ-। କିନ୍ତୁ ନିଃସନ୍ଦେହ ଠାକୁର ପତ୍ନୀ ତାକୁ ଖୁବ୍ ବୁଝି ଯାଇଥିବେ ।

 

ଅସୁବିଧାଟା ଏଠି ନାହିଁ । ଅଛି ଏ ଭାବଗୁଡ଼ାକୁ ଭାଷାରେ ପ୍ରକାଶ କରିବାରେ । ଯେତେବେଳେ ସମ୍ପର୍କ ସେତେ ନିବିଡ଼ ନୁହେଁ, ଚିଠିରେ କେବଳ ଇଙ୍ଗିତଧର୍ମୀ ଚାରିପଦ ଲେଖିଦେଲେ ଚଳୁ ନାହିଁ, କାହିଁକି ନା ଉଭୟ ପକ୍ଷରୁ ବୁଝାମଣାର ମାତ୍ରାଟା ଟିକିଏ କମ୍, ସେତିକିବେଳେ ଚିଠି ଲେଖାଟା ହୋଇଯାଏ ଗୋଟିଏ ସୂକ୍ଷ୍ମକଳା । ଏଣୁ ତାକୁ ସମ୍ଭାଳି ତୁଲେଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ । ସବୁବେଳେ ପ୍ରଶ୍ନ ଉଠେ “କ’ଣ ଲେଖିବା ?” ଚାରିଆଡ଼ୁ ଜଗିବାକୁ ହୁଏ । କୌଣସି କଥା ମନକୁ ଷୋଳ ଅଣା ପାଏ ନାହିଁ ।” “ଏଇଟା ଲେଖିଲେ ସେ କ’ଣ ବୁଝିବ ? ...ଆରଟା ଲେଖିଲେ ସେ କ’ଣ ଭାବିବ ପରା !” ପ୍ରାଣରେ ସନ୍ଦେହ, ଭୟ, ଆଶଙ୍କା । ମନରେ ଭାଷା ମଧ୍ୟ ସେମିତି ଆତ୍ମବିଶ୍ଵାସ-ହୀନ, ବର୍ଣ୍ଣାଶୁଦ୍ଧି, ସ୍ଵରସନ୍ଧି, ସମାସ, ତଦ୍ଧିତ୍‍, ପ୍ରତ୍ୟୟ ଆଦି ଧୂଆଁ ଭିତରେ ବାଟ ନ ପାଇ ଥ ଥ ମ ମ । କିଛି ପୁଣି ସ୍ଫୁରିଲେ ତ’ ଲେଖିବ ! ଏଣେ ଗୁଡ଼ିଏ ଘଟଣା ଆଣି ଖଞ୍ଜିବାକୁ ହେବ । ସେଥିରେ ଅପର ପକ୍ଷର ଆଗ୍ରହ ଥିବା ଭଳି ହୋଇ ନ ପାରିଲେ ମୂଳରୁ ଅଶୁଦ୍ଧ ହୋଇଗଲା । ତାକୁ ପୁଣି ମନ ରଞ୍ଜେଇଲା ପରି ଚାଖି ଚାଖି ସୁଖବୋଧ୍ୟ ଭାଷାରେ ଲେଖିବାକୁ ହେବ ! ଏପରି କଡ଼ାକଡ଼ି ନିୟମ ଭିତରେ କ’ଣ ସହଜେ ଚିଠିଟାଏ ଲେଖିହୁଏ ? ଆଣ୍ଠୁରେ ପଡ଼ୁ, ମୁଣ୍ଡରେ ପଡ଼ୁ ଯେଉଁମାନେ କେବଳ ଚାଞ୍ଚି ନେବାରେ ବିଶ୍ଵାସ କରନ୍ତି ସେମାନେ ବୀର ପୁରୁଷ । ଲେଖିଲା ବେଳେ ଯାହା ମନକୁ ଆସିଗଲା, ଶାଗ, ମାଛ ତାକୁ ଅକଟା, ଅବଛା ଗଦେଇ ଥୋଇଦେଇ ମୃଦୁ ମାରି ଦିଅନ୍ତି । ତେଣିକି ଖଲାସ । ତାଙ୍କୁ ଜଗିବାକୁ ପଡ଼େ ନାହିଁ । ‘ହୁଁ’ ବୋଇଲେ ଗଗନେ ଉଡ଼ିବା ଲୋକ ସେମାନେ । ତାଙ୍କ ସମକକ୍ଷ ସମସ୍ତେ ହେଇ ପାରିଲେ ନା !

 

ବଡ଼ ଭାଗ ଲୋକ କିନ୍ତୁ ଏପରି ପତ୍ରାଳାପରେ ଛକା ପଞ୍ଝା ନୀତି ନ ନେଲେ ଲେଖି ପାରନ୍ତି ନାହିଁ । ବହୁ କଥାକୁ ଜଗିବାକୁ ହୁଏ । ଯଥା କିପରି ଆରମ୍ଭ କରାଯିବ । ‘ପ୍ରିୟ’ ଶବ୍ଦ ହ୍ରସଇ ନା ଦୀର୍ଘ ଈ ଅଭ୍ୟାସ ନ ଥିଲେ ସନ୍ଦେହ ହେବା ସ୍ଵାଭାବିକ । ଚିଠିଲେଖା ଆରମ୍ଭରୁ ଅଭିଧାନ ଦେଖିବା ବଡ଼ ନୈରାଶ୍ୟଜନକ ! ଆଗ କାଳରେ କିନ୍ତୁ ଲେଖାର ଗୋଟାଏ ପଦ୍ଧତି ସମସ୍ତଙ୍କର ମୁଖସ୍ଥ ଥିଲା । ପ୍ରଥମ ପାଞ୍ଚ ଧାଡ଼ି ଆଖି ବୁଜି ଲେଖି ସାରିବା ପରେ ଚିଠି ଆରମ୍ଭ ହେଉଥିଲା । ‘ଶ୍ରୀ ଦୁର୍ଗେ ଶରଣ !’ ଅମୁକଙ୍କୁ... ଇତ୍ୟାଦି ବାଂଛିତ । ଆରମ୍ଭ ଏଠାରେ ସମସ୍ତ କୁଶଳ, ତୁମ କୁଶଳକୁ ପରମେଶ୍ଵର ମାଲିକ ଅଟନ୍ତି । ଏପରି କିଛି ବା ଟିକିଏ ଅଦଳ ବଦଳ କରି ନିର୍ମଳ ପାଞ୍ଚ ଧାଡ଼ି ଲେଖିଗଲେ ତେଣିକି ଚିନ୍ତା । ଏବେ କିନ୍ତୁ ଏପରି ଆରମ୍ଭ କଲେ ତେଣିକି ଆଉ ନ ଲେଖିବା ଭଲ । କାରଣ ଆଧୁନିକ ବନ୍ଧୁ କ’ଣ ଆଉ ପଢ଼ିବେ ? ଏଣୁ ପ୍ରଥମରୁ ପ୍ରଥମ ବାକ୍ୟର ପ୍ରଥମ ପଦରୁ ସଂଘର୍ଷ ଆରମ୍ଭ ହୋଇଯାଏ । କେଉଁ ମାର୍ଗେ ଲେଖିବାକୁ ହେବ ! ବହୁ କଷ୍ଟରେ ଧରାଯାଉ ଖଣ୍ଡିଏ କାର୍ଡ଼ରେ ବଡ଼ ବଡ଼ ଅକ୍ଷରରେ ଭର୍ତ୍ତି କଲାଭଳି ଦୁଇ କଥା କ’ଣ ସ୍ଫୁରୁଛି । ତେଣିକି ବାକଦେବୀ ହଠାତ୍ ନୀରବ । ଯେତେ କାନେଇଲେ ଆଉ କେଉଁଠି ଟିକିଏ ହେଲେ ଝଂକାର ଶୁଭୁନାହିଁ । ଏଣେ କିନ୍ତୁ ଆଜିକାଲିକା ଖଣ୍ଡିଏ ଆନ୍ତର୍ଦେଶୀୟ ପତ୍ର ଲେଖିବାକୁ ହେବ । ବହୁ ଦିଗରୁ ବିଚାର କଲେ ସେ ଚମତ୍କାର ନେଳିପିଠିଆ କାଗଜ ଖଣ୍ଡ ସରକାରଙ୍କ ଦୂରଦୃଷ୍ଟି ସୂଚାଉ ଥିଲେ ମଧ୍ୟ ଏଭଳି କେତେ ଜଣଙ୍କୁ ଯେ ତାହା କିପରି ବିପତ୍ତି ସୃଷ୍ଟି କରେ ତାହା କ’ଣ ସେ କେବେ ଚିନ୍ତା କରିଛନ୍ତି ? ବାଁ ପାଖ ସୋରାକରେ କିଛି ଲେଖା ହେଲା । ବାକି ପଡ଼ିଛି ନିଛାଟିଆ ଅପନ୍ତରା ପଡ଼ିଆ ପରି ଫାଳେ କାଗଜ-। ସେତକ ଭର୍ତ୍ତି ହୁଏ କିପରି ? କେଇ ଜଣ ବିକଳ ହୋଇ ଏହି ଅବସ୍ଥାରେ ବିଭୁଙ୍କୁ ସୁମରଣା କରୁଥିବା ମଧ୍ୟ ଶୁଣାଯାଏ । ସବୁ କଥା ଲେଖା ହେଲା ନା ନାହିଁ ବୋଲି ପ୍ରାୟ ଦଶ ଥର ଆମୂଳ ପଢ଼ି ଆସି ସେମାନେ ବୁଝନ୍ତି ଯେ ଆଉ କୌଣସି କଥା ବାକି ନାହିଁ । ଲେଖା ଯୋଖା ମାଇଁ, ମାଉସୀ ସମସ୍ତଙ୍କୁ ମାନ୍ୟ ଦିଆ ସରିଲାଣି । ଓହୋ ପ୍ରଭୁ ! ଆଉ ଏତିକି ଚିଠି କେମନ୍ତେ ପୂରିବ ? ଧରନ୍ତୁ ଅବସ୍ଥାଟା ପ୍ରାୟ ଏହିପରି–। ଖଣ୍ଡିଏ ଆଜିକାଲିର ସରୁ ନଳିଆ ପୂରା ପେଣ୍ଟ ଜଣେ ପିନ୍ଧୁଛନ୍ତି ନିରୋଳାରେ । ସେଇଟା ଆସି ଟିକିଏ ଆଣ୍ଠୁ ଉପରକୁ ଲାଖି ଯାଇଛି । ନା ଉପରକୁ ଯାଉଛି ନା ତଳକୁ ! ଶରୀରର ଆର ଅଧକ କିପରି ଘୋଡ଼େଇବେ ବୋଲି ସେ ନାକରେ କାନ୍ଧି ଗଲେଣି । ଏଣେ ଖସେଇ ମଧ୍ୟ ପାରୁ ନାହାନ୍ତି । ଟେକିବା ତ ଏକାବେଳକେ ଦୁଃସାଧ୍ୟ । କିନ୍ତୁ କୌଣସି ପ୍ରକାରେ ଭିଡ଼ି ନ ନେଲେ ଆଉ ରକ୍ଷା ନାହିଁ । ଅଗତ୍ୟା ଖଣ୍ଡେ ତଉଲିଆ ଅଣ୍ଟା ପାଖରେ ଗୁଡ଼େଇ ଧରି ସେ ଅଳ୍ପ ନିଶ୍ଵାସ ମାରନ୍ତି । ସେହିପରି ଅଧାରେ ଲାଖିଯିବା ଚିଠିକୁ ପାଣିପାଗ ଆଦି ବିବରଣୀ ଏବଂ ବାଇଗଣ କଞ୍ଚା ଶୁଖିଲା ଦର ଲେଖି ଭର୍ତ୍ତି କରି ଦେବାକୁ ପଡ଼ିବ । ଚିଠି ସହିତ ଏ ଅଂଶର ଆଦୌ ସମ୍ପର୍କ ନାହିଁ । ଏଇଟା ଧରନ୍ତୁ ନିହାତି ଲଜ୍ଜା ନିବାରଣାର୍ଥେ ତାଉଲିଆର ବେହେରଣ ମାତ୍ର !

 

ୟା ପରେ ଲେଖକକୁ କ’ଣ ସ୍ଵାଭାବିକ ଅବସ୍ଥାରେ ଚିଠିଟାଏ ଲେଖିବାକୁ ଆଶା କରାଯାଇ ପାରେ । ଚିଠି ନାଁ ଶୁଣିଲେ ସେ ବଳେ ଚମକିବ । ଭାବିବ ଆଉ ନୁହେଁ–‘ନ ଗଙ୍ଗ ଦତ୍ତଃ’-! ...ଚିଠି ନ ପାଇ ଯେ ଯାହା ଭାବିବେ ଭାବନ୍ତୁ, ଏ ସଂସାରରେ କିଏ କାହାର୍ ? ଆସିଛୁ ଏକଲା ଯିବୁ ତୁ ଏକଲା–ତୁଚ୍ଛାରେ, ଏଥିରୁ ଗୁଡ଼ାଏ ନବରଙ୍ଗ ଲାଗିଛି ! ...ସେ ଘୁମେଇ ଶୋଇଯାଏ-। ଯଦି ଆରପକ୍ଷ ବନ୍ଧୁଟି ସମଝିବାବାଲା ନ ହୁଏ ତେବେ ବନ୍ଧୁତା ମଧ୍ୟ କୋହଳ ପଡ଼ିଯିବା କଥା । ଏପରି ଚିଠି ଲେଖା ନ ହୋଇ କେତେ ଲକ୍ଷ ବନ୍ଧୁତା ଯେ ଭାଙ୍ଗୁଥିବ ତା’ର ଗଣନା ଦୁଷ୍କର । କିନ୍ତୁ କ’ଣ କରାଯାଏ ? ସରସ୍ଵତୀଙ୍କ କରୁଣା ନ ହେଲେ ତାଙ୍କୁ କ’ଣ ଉପାୟ ଅଛି ?

 

ଲେଖିବାକୁ କଥାବସ୍ତୁ ବା ଭାଷା ନ ପାଇ ଅନେକ ଏହିପରି ଚିଠି ଲେଖାରୁ ଓହରି ଯାଆନ୍ତି । ନିଜର ଚାରି ଆଡ଼କୁ ଅନେଇ ବହୁ ଚମତ୍କାର କଥା ଅଭିଜ୍ଞତା ଚିଠିରେ ଲେଖିଲା ଭଳି ତାଙ୍କର ଶକ୍ତି ନ ଥାଏ । ମୋଟ ଉପରେ ତାଙ୍କ ଭିତରେ ବେଶ୍‍ ମାର୍ମିକ ଆନ୍ତରିକ ହୃଦୟବାନ୍ ବନ୍ଧୁଟିଏ ଅଛି କିନ୍ତୁ କଳାକାର ନାହିଁ । ଚିଠି ଲେଖିବାକୁ ସବୁ ଉପାଦାନ ଅଛି କିନ୍ତୁ ଲେଖିବା କିଏ ? ସବୁ ସମ୍ଭାଳି ପ୍ରଥମ ମାସେ ଦୁଇ ମାସ ଆବେଗରେ ହାବୁକାରେ ଖଣ୍ଡେ ଦୁଇ ଖଣ୍ଡ ଲେଖି ହୋଇଯାଏ । ତା’ପରେ ମାଡ଼ିଆସେ ଘୁମ । ଭାଷା ଚକରେ ଆଉ ତେଲ ନାହିଁ–ସେ ମୋଟ ଉପରେ ଗଡ଼ୁ ନାହିଁ, ପେଲି, ପେଲି କେତେ ନେବ ?

 

‘ପତ୍ର ଲେଖନ’ ପରି ବିଦ୍ୟାରେ ଅଧମଙ୍କ କଥା ଆହୁରି କୁହା ହୋଇନାହିଁ । କାଳେ ଆତ୍ମପ୍ରକାଶ ପାଇଯିବ ବୋଲି ଲେଖକ ଘୋର ଶଙ୍କିତ । ତଥାପି କହିବାକୁ ହେବ । ଏମାନେ ହେଲେ ସେହି ଶ୍ରେଣୀର ଲୋକ ଯାହାଙ୍କ ଧାତୁରେ ଚିଠି ଲେଖା ଆଦୌ ଚଳେ ନାହିଁ । ଆଜିକାଲି ‘ଏଲର୍ଜି’ ବୋଲି ଗୋଟିଏ ରୋଗ ହୁଏ । ଦେହରେ ନ ଯିବା ଜିନିଷ ଖାଇଦେଲେ ଶରୀର ଯାକ ୱାଉ ଫଳିଲା ପରି ଫଳିଯାଏ । ତତ୍‌କ୍ଷଣାତ୍ ଉପଚାର ନ କଲେ ଗଡ଼ି ଗଡ଼ି ପ୍ରାଣ ମଧ୍ୟ ଚାଲିଯାଏ । ସେହିପରି ଏମାନଙ୍କର ଚିଠି ଲେଖା ‘ଏଲର୍ଜି’ ସୃଷ୍ଟି କରେ । ସେମାନେ ସ୍ଵାଭାବିକ ଅଳସୁଆ, ବେପରୁଆ, ଗପୁଡ଼ି ଏବଂ ସବୁ କଥାକୁ ସହଳେଇ ଦେବା ତାଙ୍କ ଧର୍ମ । ଯାହା ହୋଇଗଲେ ସୁଦ୍ଧା ତାଙ୍କର କିଛି ଯାଏ ଆସେ ନାହିଁ । ସୃଷ୍ଟି ଓଲଟି ଯାଉଥିଲେ ସେମାନେ ସାରୁ ଗଛ ମୂଳେ ବସିଯିବା ଲୋକ । ତାଙ୍କ ଦେଇତ ଚିଠି ଲେଖା ହୁଏ ନାହିଁ ସେମାନେ କ’ଣ କରିବେ ? ତା’ ହେଲେ ସେମାନଙ୍କର କ’ଣ କାହା ସହିତ ଏପରି ନିବିଡ଼ ସମ୍ପର୍କ ହୋଇନାହିଁ ଯାହାପାଇଁ ସେ ଚିଠି ଲେଖିବାକୁ ବାଧ୍ୟ ହେବେ ? ସେଥିରେ ଅଭାବ ନାହିଁ । କିନ୍ତୁ କ’ଣ କରିବେ ? ଅଳସୁଆମିକୁ ଟପିଯିବା ଭଳି ଆବେଗ ଆସେ କମ୍ । ଆଜି ଯଦି ସଂକଳ୍ପ କରାଗଲା ସପ୍ତାହେ ପରେ ଆନ୍ତର୍ଦେଶୀୟ ପତ୍ର କିଣାଯିବା । ଠିକଣା ତାରିଖ ବସେଇ ତାକୁ ପନ୍ଦର ଦିନ ପକେଇ ରଖିବାକୁ ହେବ, ଭାବ ଗୁଡ଼ାକ ପାକଳ ଧରିଲା ପର୍ଯ୍ୟନ୍ତ । ତା’ପରେ ଆଜି ଅଧେ ଦି ଦିନ ପରେ ଆଉ ଅଧେ ନାନା ବର୍ଣ୍ଣର କାଳିରେ ଚିଠି ସମାପ୍ତ ହେଲେ ମୁଦ ମାରି ପକେଇବାକୁ ଆଉ ଦିନେ । ଏପରି ବହୁ ପରିଶ୍ରମରେ ଚିଠି ଖଣ୍ଡିଏ ହୁଏତ ଯାଏ । ତା’ପରେ ଆଉ ଛ’ମାସ ପାଇଁ ଛୁଟି । ଅଧମ ଶ୍ରେଣୀରେ ତଥାପି ଏମାନେ ହେଲେ ଉତ୍ତମ ବ୍ୟତିକ୍ରମ । ମାତ୍ର ଏ ଶ୍ରେଣୀର ଅଧିକାଂଶ ମୋଟେ ଚିଠି ଲେଖନ୍ତି ନାହିଁ । ଭାବନ୍ତି ଏକାଥରକେ ଦେଖାହେଲେ ସବୁ କହିଦେବେ । ଏପରି କାହାର ଯଦି ସେମିତି ଚିଠି ଲେଖାଳି ବନ୍ଧୁଟାଏ ଥାଏ ତେବେ ଅବସ୍ଥା ବା’ରଣ୍ଡା ଦି’କଡ଼ା । ଗାଳି ମାଡ଼ ଛେଚା ଖାଇ ପିଠି ବଜରା ହେଇଯାଏ । ପିଟି ପିଟି ଆର ପକ୍ଷ ଓହରି ନ ଯିବା ପର୍ଯ୍ୟନ୍ତ ଏ ପକ୍ଷ ଆଖି ବୁଜି ସବୁ ହଜମ କରେ-। ତାକୁ ସେ ଅବସ୍ଥାରେ ଆର ବନ୍ଧୁ ଥରେ ଦେଖିଲେ ଉଞ୍ଚେଇଲା ପାହାର ତଳକୁ ତଳକୁ ନିଅନ୍ତା । ହୁଏତ ଭାବନ୍ତା–ବନ୍ଧୁତା ପାଇଁ ଏ କାଳି କାଗଜର ମେହେନତ ସେମିତି କିଛି ଅପରିହାର୍ଯ୍ୟ ନୁହେଁ ।

Image

 

ନର କିନ୍ନର

 

ଅବଚେତନାରେ ଅନ୍ଧ ରାଜ୍ୟରେ ଗୁଡ଼ାଏ ଦୁଃସ୍ଵପ୍ନ ଦେଖିଲେ ଯେମିତି କ୍ଳାନ୍ତ ଲାଗେ, ଏ ବହିଟା ପଢ଼ିଲା ପରେ ପ୍ରାୟ ସେମିତି ଲାଗିଲା । ଚରିତ୍ର ଗୁଡ଼ାକ ସବୁ ଖଣ୍ଡିଆ ଦଣ୍ଡିଆ ଚରଣ ସିଂଙ୍କର ଅଙ୍ଗାର ଚିତ୍ର କିମ୍ବା ଶିମୁଳି ଗଛର ପଛଆଡ଼ୁ ଉଇଁ ଆସୁଥିବା ଫଟା ସୂର୍ଯ୍ୟଟା ପରି । ପଢ଼ିଲାବେଳେ ବରାବର ମନେ ହେଉଥାଏ ଆଉ ନ ପଢ଼ିଲେ ହୁଆନ୍ତା; କୋଇଲା ଧୂଆଁ, ସିଝା ମାଉଁସର ଫୁରୁକୁଟିଆ ଗନ୍ଧ ଯେମିତି ଶ୍ଵାସରୋଧ କରନ୍ତି–ଓଃ, ସତେ କେମିତି ଗୋଟାଏ ଆଫା ଆଫା ଲାଗେ, କିନ୍ତୁ ନଟେଇ ଯାଏ, ଦେହର ଚାରିଆଡ଼େ ଦୁଃସ୍ଵପ୍ନର ଶିଆଳୀ ଲଟା, ଗୋଟାଏ ଦୁର୍ଜୟ ହାବୁକାରେ ପାଠକ ଗଡ଼ି ଚାଲେ । ତିଖ ପାହାଡ଼ର ଦାଢ଼ ଉପରେ ପଛରୁ ବାଘ ହାଁ କରି ଗୋଡ଼ାଉ ଥାଏ, ଝାଳନାଳ ହୋଇ ପ୍ରାଣମୂର୍ଚ୍ଛା ଧାଇଁବା କଥା, ଗାଉଁ କିନା ବେକ ମୁଣ୍ଡାରେ ମାଡ଼ି ନ ବସିବା ପର୍ଯ୍ୟନ୍ତ ସେ ନିଦ ବି ଭାଙ୍ଗେ ନାହିଁ । ଓଃ, ନର କିନ୍ନରର ଗଳିକନ୍ଦି, ମନ ଭିତରର ଅପନ୍ତରା, ନାଳ ନର୍ଦ୍ଦମା ବାସ୍ତବିକ କି ଭୟଙ୍କର ଭାବରେ ଆସ୍ଵସ୍ତିକର ! କିନ୍ତୁ ମଝିରେ ମଝିରେ ପାଠକ ତା’ର ଅଜ୍ଞାତସାରରେ ହସି ବି ପକାଏ । ଗୋଟାଏ କ’ଣ ‘ଠୋ’ କିନା ଫାଟିଲାଣି ତ ଜଣେ କିଏ ପଚାରିଲାଣି–“ହୋ ! ତୁମେ କିଏ ?” ଚରିତ୍ର ଗୁଡ଼ାକ ବିଭତ୍ସ ହେଲାବେଳେ ହାସ୍ୟୋଦ୍ଦୀପକ ହୋଇଛନ୍ତି ବେଳେ ବେଳେ । ଆଉ ଲେଖକଙ୍କ ଭାଷା ମଝିରେ ମଝିରେ ଏମିତି ମଜାରେ କଥାଟାକୁ ଅପ୍ରତ୍ୟାଶିତ ଭାବରେ ପ୍ରକାଶ କରିଦିଏ ଯେ, ନ ହସି ରହି ହୁଏ ନାହିଁ । କିନ୍ତୁ ଏ ହସ ସ୍ଵପ୍ନରେ ବିଳିବିଳେଇ ହସିଲା ପରି ମୁହୂର୍ତ୍ତକରେ ପୁଣି ମିଳେଇ ଯାଏ । ଚାରିଆଡ଼ୁ ନିବୁଜ ହୋଇ ଘେରି ଆସେ ସେଇ ଫୁରୁକୁଟିଆ ଗନ୍ଧ, ସେଇ ନାଳ ନର୍ଦ୍ଦମାର କୋଇଲା ଧୂଆଁ ।

 

ଦୁଃସ୍ଵପ୍ନରେ ଛଟେଇ ପଟେଇ ହେଲାବେଳେ ଖୁବ୍ ଗହୀରରେ ମନହୁଏ, ଏ ନିଦ ଭାଙ୍ଗି ଯାଆନ୍ତା କି ପ୍ରଭୁ । ଗଳାରୁ ଅଜଗରଟା ହୁଗୁଳି ଯାଆନ୍ତା, ଦିନ ହୋଇଯାନ୍ତା । କିନ୍ତୁ ଦିନ ହୁଏ ନାହିଁ-। ସାରା ଉପନ୍ୟାସଟା ଅନ୍ଧାରର ଉପନ୍ୟାସ । ସେ ମେଚକ ରାଜ୍ୟର ହିଂସ୍ର ଜନ୍ତୁଗୁଡ଼ାକ କେବଳ ଅନ୍ଧକାରରେ ବିଚରଣ କରନ୍ତି । ଦିନର ଅବିମିଶ୍ର ଆଲୁଅରେ ସତେ ବା ସେମାନେ ବଞ୍ଚି ପାରିବେ ନାହିଁ । କାଠ କେବିନର ଅନ୍ଧାର, ପଚ୍ଛିମା ମାଇକିନା ଘରର ଅନ୍ଧାର, କବିରାଜ ପିଣ୍ଡାର ଅନ୍ଧାର ଭିତରେ, ନିଜର ମିଆଁ ଘୁଙ୍ଗୁଡ଼ି ମାରେ, ଗୋଦରୀ ବୁଢ଼ୀ ଗୋଟାଏ ଉଷୁମ ଛାଇ ପରି ବିଚରଣ କରେ, ଚରଣ ସିଂ ଆଖି ତରାଟି ହାତ ଗୋଡ଼ ମୁଠା ମୁଠା କରି ଜାବ ପକାଇ ବିଡ଼ିବିଡ଼ି ହୁଏ । ଧୋବଧାଉଳିଆ ଲୋକଟାଏ ଧୋବଣୀ ଘରକୁ ପଶିଯାଏ, କୁତିଟାଏ ନସଡ଼ ନସଡ଼ ହୋଇ ଘୁସୁରି ପଳାଏ । ଆଲୁଅ ଯାହା ବି ଆସେ ତା’ ବି କିମ୍ଭୂତ କିମାକାର । ଲମ୍ବା ଲମ୍ବା ବୃଷାଳିଆ ଛାଇରେ ରୁନ୍ଧି ହୋଇ ଛୋଟ ଡିବି ଆଲୁଅଟାଏ କିମ୍ବା ଉଞ୍ଚ ରାସ୍ତା ଉପରେ ମାଡ଼ି ଯାଉଥିବା ମଟର ଗାଡ଼ିର ଘାଉଁ ଘାଉଁ ହୋଇ ଦପ୍ କିନା ଲିଭିଯାଉଥିବା ଆଲୁଅ, ଚିରୁଗୁଣି ନିଆଁ ପରି କୋଇଲା ଚୁଲିର ହଳଦିଆ ରୋଗଣା ଆଲୁଅ–ସୂର୍ଯ୍ୟଟା ସୁଦ୍ଧା ସ୍ଵଚ୍ଛ ହୋଇ ଅଖଣ୍ଡ ଅବସ୍ଥାରେ ଜନ୍ମ ହୋଇପାରେନା ଏ ରାଜ୍ୟରେ । ପଛକୁ ଯେତେବେଳେ ଜର୍ଜ ଏକଗୋଡ଼ିଆ ଗରୁଡ଼ ସାଙ୍ଗରେ ଲଢ଼େଇ କରେ ବା ତା’ପରେ ଧକ୍ ଧକ୍ ଜଳୁଥିବା ନଈ ବାଲିରେ ହୀରା ଖୋଜେ, ସେଇଟା ମଧ୍ୟ ଠିକ୍ ଦିନ ଆଲୁଅ ନୁହେଁ । ତା’ ଭିତରର ନାନା ଜାତିର କ୍ଷୁଧା ଯେମିତି ବାହାରକୁ ଫାଟି ପଡ଼ୁଛି, ଜଳି ଯାଉଛି । ତା’ର ବନ୍ଦୀଶାଳର ବିଜୁଳି ଆଲୁଅ ଗୋଟାଏ ହାଉ ହାଉ କୋଳାହଳ । ଏ ସମସ୍ତ ଅନ୍ଧାର କିନ୍ତୁ ଅତି ସ୍ଵାଭାବିକ ଭାବରେ ଉପଜିବ୍ୟ ହୁଏ ସେ ଚରିତ୍ର ଏବଂ ଘଟଣାଗୁଡ଼ିକର । ସେମାନେ ୟାକୁ ଖାଇ ବଞ୍ଚନ୍ତି, ଯେମିତି ଦଳେ ରିକ୍‌ସାବାଲା ଗୋଟାଏ ବୁଢ଼ାମିଆଁ ଆଉ ଗୋଟାଏ ବାୟା, ଗୋଦରୀ ବୁଢ଼ୀଟାକୁ ଖାଇ ବଞ୍ଚିଛନ୍ତି । ‘ଜାରଜାତକା’ଟାକୁ ମେଡ଼ିକାଲ ନାଳରେ ଫୋପାଡ଼ିଲା ବେଳେ, ମଲା ମାଇକିନାର ଚମ ମନ୍ଥି ତାକୁ ଜିଆଁଇଲା ବେଳେ ବା ଧୋବଣୀ ଘରକୁ ଧୋବଧାଉଳିଆ ପଶିଲା ବେଳେ, ଆକାଶରେ ଆଲୁଅ ଟିପି ଦେଲେ ଖେଳ ଭଣ୍ଡୁର ହେଇଯିବ । ଆଖିଟାମାନ କୁମ୍ଭାଟୁଆ ପରି କରି, ସେଇ ପେଚା ଆଖିଆ ପରି–ପାଠକ ଯାହା ସେ ଅନ୍ଧାରରେ ନିରେଖି ନିରେଖି ଏ ମଣିଷ ଭୂତଗୁଡ଼ାକୁ ଲକ୍ଷ୍ୟ କରୁଥିଲା, ସବୁ ଧାଁ ଧାଁ ଧରିଯିବ । ମା‌କବେଥରେ ଯେମିତି ଆମୂଳଚୂଳ ଖାଲି ଅନ୍ଧାର–ଅନ୍ଧାର ନ ହେଲେ, ମଣିଷ ମନର ପିଶାଚ ପିଶାଚୁଣୀ ଯେମିତି ଆଉ ଖୋଲାଖୋଲି କେଳି କରି ପାରିବେ ନାହିଁ; ଲା’ ‘ମିଜରବ୍‌ଲା’ରେ ଯେମିତି ଅନ୍ଧାରରେ ହିଁ ଛପି ଛପି ମଣିଷ ସନ୍ତୁଳୀ ହୁଏ ସନ୍ତାପରେ, ସ୍ନେହରେ, ଏପରି କି ପ୍ରେମରେ–ନର କିନ୍ନରରେ ସେମିତି ଆଲୁଅଟା ଗୋଟାଏ ଅବାନ୍ତର ପ୍ରଶ୍ନ । ତା’ର ପ୍ରୟୋଜନ ନାହିଁ, ଏଣୁ ସମୀଚୀନତା ମଧ୍ୟ ନାହିଁ !

 

ଆଉ ନାରୀ ? ସେଗୁଡ଼ିକର ତ ତୁଳନା ଆହିଁ ! ଗୋଟାଏ ହୁଡ଼ା ହୁଡ଼ା ଦର୍ପଣରେ ନାରୀର ବିମ୍ବ ଦୋହଲୁଛି ଯେମିତି । କେତେବେଳେ ଗୋଡ଼ଟାଏ ଗୋଦର ତ କେତେବେଳେ ଜଙ୍ଘଗୁଡ଼ାକ ତାଳ ଗଛ ପରି, ପୁଣି ମୁଣ୍ଡଟା ଚଡ଼େଇ ମୁଣ୍ଡ ପରି ଗୁଆ ଗୋଟାଳିଟିଏ ! କୋଢ଼ୀ, ଖାଙ୍କର କେଶୀ, ବିରୂପା ଅନ୍ଧୁଣୀ ନାରୀ ଗୁଡ଼ିଏ । ଇବସେନ୍ ବା ବାର୍ନାଡ୍‍ଶ’ ନାରୀକୁ ଗିଳନ୍ତା ଅଜଗର ରୂପରେ ହୁଏତ ଦେଖିଛନ୍ତି, କିନ୍ତୁ ବାହ୍ୟ ରୂପରେ ତା’ର ଏମିତି ବିକୃତି ବୋଧହୁଏ ସହିପାରି ନାହାନ୍ତି । ଆଚାର୍ଯ୍ୟେ ମଣିଷର ପଙ୍କ ମନ୍ଥି ଯେଉଁ ଆଇଁସିଆ, କାଦୁଆ, ସିଣ୍‍ସିଣିଆ ମାଇକିନିଆଙ୍କୁ ପାଇଛନ୍ତି, ଦେଇଛନ୍ତି ସେମାନଙ୍କୁ ପାହାରେ ଲେଖା ତାଙ୍କ କଲମର ମୁଦ୍‍ଗରିଆ ଅଂଶଟାରେ । ଫଳତଃ ସେଗୁଡ଼ିକ ସମସ୍ତେ ବିକଳାଙ୍ଗୀ । ଗୋଦରୀ ବୁଢ଼ୀଠଉଁ, ମିସେସ୍ ଆଡ଼ାମ୍‍ସ୍ ପର୍ଯ୍ୟନ୍ତ–ଆହା ! ଗୋଟିଏ ଚିତ୍ର ତାରକାର ଗ୍ୟାଲେରୀ କି ଆଉ ! ଠାଏ ଦି’ଠା’ କ’ଣ ଟିକିଏ ସ୍ପୃହଣୀୟ ହେଇ ଯାଇଛି, କିନ୍ତୁ ସ୍ଥୂଳତା ଅବ୍ୟାହତ ରଖି ! ଧୋବଣୀ ବୋହୂ କାଠପଟାରେ ଲୁଗା ପିଟିଲା ବେଳେ ତା’ର ହୁଡ଼ା ହୁଡ଼ା ମାଉଁସର ସ୍ପ୍ରିଂ । ମାତ୍ର ତା’ର “ସବୁର୍ କର” ଚାହାଁଣିରେ ଯାଏ ସବୁ ଭାସି । କଲେଜ ଝିଅଟିଏ ‘ଜର୍ଜ’ର ରିକ୍‌ସାରେ ଚଢ଼ିଛି ଅଚାନକ ଭାବରେ । ଓଃ ! ପାଠକ ଭାବେ କିଛି ଗୋଟାଏ ଏଇଠି ଅବାଗିଆ ବେଖାପିଆ ହେଇଯିବ ନା କ’ଣ ! କିନ୍ତୁ କାହିଁ ?–ସେ ଟୋକା ପିଠି କରି ଦେଇଛି ନାରୀର ଏ ସ୍ଵାଭାବିକ ରୂପକୁ ! ଗୋଦରୀ-ପାଳିତ, ଧୋବଣୀ-ବିମୋହିତ ଟୋକା କ’ଣ ସହଜେ ସ୍ଵାଭାବିକ ଆକାର-ଆୟତନ ଗ୍ରହଣ କରି ପାରିବ । ଚିରା ଗେଞ୍ଜି ଫାଙ୍କରେ ଝାଳ ସରସର ପିଠିର ଲୋମ କୂପରେ ସେ ପିଉଥାଏ ଗୋଟାଏ ଶିହରଣ ! ପରିଶେଷରେ କଚ୍ କିନା ଗୋଟାଏ ପିନ୍ ଫୋଡ଼ି ହୋଇଗଲା କଞ୍ଚା ମାଉଁସରେ । ତା’ର ମନସ୍ତାତ୍ଵିକ ତାତ୍ପର୍ଯ୍ୟ ଯାହାହେଉ, ଏଠି ଦ୍ଵିତୀୟ ନାରୀଟିର ଇତି ।

 

ଏ ନାରୀଗୁଡ଼ିକ କିନ୍ତୁ ମଣିଷର ତଳୁଆ ମନର ନାରୀ । ବୋଧହୁଏ ସେଇ ‘ପୋକ ମଣିଷ,’ ‘ଘୁସୁରୀ ମଣିଷ’ର ନାରୀ ଏମାନେ; ଅବଚେତନାର ଜାନ୍ତବ ନାରୀଭାବ କେବଳ ! ଧୂଆଁର ରୂପ ପରି କେତେବେଳେ କେଉଁ ରୂପ ଦେଉଛି । ହୁଡ଼ା, ହୁଡ଼ା ଦର୍ପଣର ଏ କାନ୍ଥରୁ ସେ କାନ୍ଥକୁ ଦୋହଲି ଯାଉଛି ନାରୀ ରୂପ । ଗୋଟାଏ ଛେଉଣ୍ଡ ଜାରଜ ପିଲାପାଇଁ ନାରୀକୁ ମା’ ଭଉଣୀ ରୂପରେ ଦେଖିବାର ସୁଯୋଗ ଯୁଟି ନାହିଁ ! ବୁଢ଼ା ମାରିବା ପରେ ନାରୀ ସହିତ ତା’ର ଯେଉଁ ପ୍ରଥମ ମଧୁର ମିଳନ ହେଇଛି ତାହାହିଁ ଯଥେଷ୍ଟ ସୂଚନା ଦିଏ କିପରି ନାରୀରତ୍ନ ସବୁ ଆହୁରି ଗଚ୍ଛିତ ଅଛନ୍ତି ଉପନ୍ୟାସର ଅମାରରେ । ଏଣେ ପୁଣି ଅପୋଗଣ୍ଡ ଛାଡ଼ି କୈଶୋର, ତାରୁଣ୍ୟ ତା’ପରେ ଯୌବନ ତା’ର ଅପ୍ରତିହତ ଗତିରେ ତା’ ଛାତି ଭିତରେ କେମିତି ଗୋଟାଏ ରାସାୟନିକ ପ୍ରକ୍ରିୟା ସୃଷ୍ଟି କରି ଚାଲିଛନ୍ତି । ସେ ମଧ୍ୟ ବାଧ୍ୟ ହୋଇପଡ଼ି ଚାଲିଛି ଗୋଟାଏ ନା ଗୋଟାଏ ରାକ୍ଷସୁଣୀ, ସର୍ବଗ୍ରାସୀନୀ, ମାଇକିନିଆ ଖାପଚରେ । ହରି ‘ମିସ୍ତ୍ରୀ’ର କଳା ରବରର ପବନ ଦିଆ ମାଇକିନିଆ, ଚରଣ ରାଓର ଅଙ୍ଗାର ଗିରା ଭିତରେ କୁହାଟୁଥିବା ଲଙ୍ଗଳା ମାଇକିନିଆ, ଏଣେ ପାଉଁରୁଟିବାଲି ମେଦ ଚାପରେ ମେଦିନୀ କମ୍ପାଉଥିବା ପଞ୍ଜାବିଣୀ ଏଗୁଡ଼ା ସବୁ ଏକ ଶ୍ରେଣୀର । କ୍ରମବର୍ଦ୍ଧିଷ୍ଣୁ ଜର୍ଜର ପୌରୁଷ ଉପରେ ଏ ସମସ୍ତଙ୍କର ଏକ ପ୍ରକାର ପ୍ରଭାବ । ପରିଶେଷରେ ଯେତେବେଳେ ‘‘ମା’ କାଳୀ” ଆବିର୍ଭୂତା ହୁଅନ୍ତି ଏବଂ ଜର୍ଜର ନାକ ଖଣ୍ଡକ ଚୋବେଇ ଖାଇବାକୁ ସିର୍‍ସିରେଇ ଉଠନ୍ତି, ଗୋଟିଏ ଶୋଷଣରେ ଜର୍ଜ ସମେତ ତାଙ୍କ ଉଦରରେ ଜୀର୍ଣ୍ଣ ହୋଇଯାଏ । କଂସେଇ କୁବେରର କନ୍ୟା ଅଭିଜାତ ପୁରୁଷ ଉପରେ ତା’ର ପ୍ରତିଶୋଧ ନେଇ ଶୋଇଯାଏ । ମୋଟ ଉପରେ ସ୍ଵାଭାବିକ ଚିରାଚରିତ ରୋମାଣ୍ଟିକ୍ ପରମ୍ପରା ଉପରୁ ଏ ନାରୀଗୁଡ଼ିକୁ ଚାହିଁଲେ ଅଇ ଉଠିବ । ମନେହେବ ଏ ପିଶାଚୁଣୀ ପଞ୍ଝା କେବଳ ମଣିଷ ମାଉଁସ ରକ୍ତ ପାରଣା ପାଇଁ ପାଟି ମେଲେଇ ହାଇଁ ପାଇଁ ହୋଇ ଧାଇଁଛନ୍ତି । ଯେଉଁ ପୁରୁଷ ନିଜ ବାନ୍ତି ଉପରେ ଲଟେଇ ହୋଇ ଗଡ଼ିବାକୁ ସୁଖପାଏ, ନିଜ ଝାଳ ଶୁଙ୍ଘିଲେ ବିଭୋର ହୁଏ; ଦେହରୁ ବାମ୍ଫ ବାହାରିଲା ବେଳେ ସୁକୁଟା ମାଉଁସକୁ ଆଖିବୁଜି ରେକେଟେ, ସେଇ କେବଳ ଖାଇଯାଏ ଏ ମାଇପିଗୁଡ଼ାଙ୍କୁ । ବୀର ସାମଲ ସିନା ଗୋଦରୀ ବୁଢ଼ୀଟାକୁ ଖାଇଲା ବୋଲି ବୁଢ଼ୀ ଆକ୍ଷେପ କରେ, କିନ୍ତୁ ନଜିର ମିଆଁ ଠିକ୍ କହନ୍ତା କିଏ କାହାକୁ ଖାଇଗଲା !ସେ ଯାହାହେଉ ଏ ଝାଳଶୁଙ୍ଘା ମଣିଷ ଆଉ କେହି ନୁହେଁ । ଗୋଟାଏ ଗୋଟାଏ ମୁହୂର୍ତ୍ତରେ ଆମେ ସମସ୍ତେ ଝାଳଶୁଙ୍ଘା ! ଏଇ ବାଷ୍ଫବିଷାକ୍ତ ମୁହୂର୍ତ୍ତଟା ହିଁ ନର କିନ୍ନରରେ ପ୍ରସାରିତ ହୋଇ କାଳର ରୂପ ନେଇଛି । ଏହି ମୁହୂର୍ତ୍ତର ପ୍ରଭାବରୁ ହିଁ ଉପନ୍ୟାସର ନାରୀ ସବୁ ବିକଳାଙ୍ଗୀ ! ସେଇ ବିକଳାଙ୍ଗ ମୁହୂର୍ତ୍ତର ରୂପାୟନ ଓ ଅବଲମ୍ବ !

 

ଚାରିତ୍ରିକ ରହସ୍ୟ ରହିଛି ପ୍ରକୃତରେ ପୁରୁଷଗୁଡ଼ାକ ଭିତରେ । ନଜିର୍ ମିଆଁଟା ବାସ୍ତବିକ୍ ସର୍ଦାର ଲାଖି ଲୋକଟାଏ । ବେଶ୍ ଗମ୍ଭୀର, ତା’ ହିସାବରେ ବେଶ୍ ଜ୍ଞାନୀ ବେଶ୍ ମୁରବୀପଣିଆରେ ପାକଳ ଲୋକଟାଏ । ନିଶକୁ ପଜେଇ ଅଳ୍ପ କହେ, କିନ୍ତୁ କହେ ଖୁବ୍ । ଅସହାୟ ରୁଗ୍‍ଣ ଅବସ୍ଥାରେ ଗୋଦରୀ ବୁଢ଼ୀର ଆଶ୍ରୟରେ ନଜିର୍ ମିଆଁ ବଞ୍ଚିଛି, ଏବଂ କୃତଜ୍ଞତା ଦେଖାଇ ବୁଢ଼ୀକୁ ଆପଣେଇ ନେଇଛି । ତା’ର ହକ୍ ସେ କେବେ ସାବ୍ୟସ୍ତ କରିବାକୁ ଚେଷ୍ଟା କରି ନାହିଁ । ତା’ ଯେମିତି ଆଉ ଅନେକ ସତ୍ୟ ପରି ଗୋଟାଏ ସ୍ଵତଃସିଦ୍ଧ ଜିନିଷ । ସେ ବେପରୁଆ ତା’ ହକ୍‍ଟାକୁ ଢିଲା କୋଟ୍ ପିନ୍ଧିଲା ପରି କାନ୍ଧରେ ଗଳେଇ ବସିଥାଏ । ଅନ୍ୟମାନଙ୍କଠୁ ସେ ଅଲଗା । ସତେ କି ଏଥିରେ ଟିକିଏ ଆଭିଜାତ୍ୟର ଇଙ୍ଗିତ ମିଳିଯାଏ, ଯେଉଁଟା ବୀର ସାମଲ ସହିପାରେ ନାହିଁ । ‘ବୀର’କୁ ପୁଅ ପରି ପାଳି ଆଣି ବୁଢ଼ୀ କିନ୍ତୁ ପୁଅ ପାଇନାହିଁ; ପାଇଛି ଆଉ ଗୋଟାଏ ପୁରୁଷ–ଗୋଟାଏ ଷଣ୍ଢୁଆ, ହୁଙ୍କାପିଟା ପୁରୁଷ ! ନିରୁଣ କ୍ଷୀର ପରି ବୁଢ଼ୀର ବାତ୍ସଲ୍ୟ ଯାହା ଜର୍ଜ ଉପରେ ଅଜାଡ଼ି ହେବାର ଆମେ ଦେଖୁ, ହଠାତ୍ କେତେବେଳେ ଦହି ଛିଣ୍ଡି ଢାଉଁ ଆମ୍ବିଳିଆ ଧରି ଗଲାଣି । ସତେକି ନାରୀ ପୁରୁଷର କେବଳ ଗୋଟିଏ ମାତ୍ର ସମ୍ପର୍କ । ବାକି ସବୁ କାଠିମରା, ଧରି ମାରି ସୃଷ୍ଟି କରିଥିବା ସାମାଜିକ ପ୍ରବର୍ତାଣ ! .... ‘‘ଆବେ ମା’ କ’ଣ ? ମାଇକିନିଆ ତ ମାଇକିନିଆ, ମା’ ଫେର୍ କ’ଣ ବେ, ଓ କାହିଁକି ?” ମନେ ମନେ ଆଚାର୍ଯ୍ୟେ ଏମିତି ଚିହିଁକି ଉଠିଥିବେ ପରା ! –ବୁଢ଼ୀର ସିଝା ମାଉଁସକୁ ଘେରି ରହିଥିବା ସବୁ ଗୁଡ଼ିକ ଆଇଁଷଖିଅ ଅଣ୍ଡିରା । ପୁରୁଷର ଏହି ବିଶିଷ୍ଟ ରୂପ ଅତି ନିର୍ଭୁଲ ଭାବରେ ଦେଖା ଦେଇଛି ଏ ସମସ୍ତ ଚରିତ୍ରରେ ଊଣା ଅଧିକ ରୂପ ନେଇ । ଜର୍ଜ ମାଧ୍ୟମରେ ଏଇ ଦୃଷ୍ଟି ଭଙ୍ଗୀଟିର କ୍ରମବିକାଶ ହିଁ ପ୍ରକାଶ ପାଇଛି ।

 

ମାତ୍ର ନାରୀଟାକୁ ମା’ ବୋଲି ଅନ୍ତତଃ ସ୍ଵୀକାର ନ କଲେ ପୁରୁଷ ସମ୍ଭବି ପାରିବ ନାହିଁ । ନାରୀ ମଧ୍ୟ ଗୋଟାଏ ଶୂନ୍ୟ ଭିତରେ ଝୁଲି ରହିଯିବ ଗୋଟାଏ ଅସମ୍ପୂର୍ଣ୍ଣ କବନ୍ଧ ପରି । ଗୋଦାରୀଟାକୁ କେହି କେବେ ମା’ ବୋଲି ଡାକି ଦେଇନାହିଁ, କି ଜାରଜାତକା ଜର୍ଜ ତା’ ଜୀବନର ଅନ୍ଧାରକୁ ମନ୍ଥି ତାକୁ ସମଝିଲା ବେଳେ କେଉଁଠି ହେଲେ ଖୋଜି ପାଇନି ମା’ର ଟିକିଏ ହେଲେ କୋଡ଼ ଉଷୁମ । ମେଣ୍ଢା ଛୁଆଟାକୁ ବୁଢ଼ୀ ତା’ ତରଫରୁ କାନିରେ ଗୁଡ଼େଇ ବୁକୁ ପାଖରେ ଦୋଳେଇଚି । ତା’ର କଅଁଳିଆ କାନ ଯୋଡ଼ାକୁ ଦାନ୍ତେଇଚି, ନାକ ଅଗରୁ ଥୋପି ପଡ଼ୁଥିବା ଲୁହକୁ ତାଳୁ ଉପରେ ଘସି ତାକୁ ଛଳ ଛଳ ଆଖିରେ ଶୁଙ୍ଘିଚି । କିନ୍ତୁ କେହି ତାକୁ ମା’ ବୋଲି ଡାକି ଦେଇନାହିଁ । ଡାକିଥିଲେ ସେ ହୁଏତ ଉଦ୍ଧରି ଯାଇଥାନ୍ତା । ଜର୍ଜଠେଇ ତା’ର ବହୁ ଆଶା । ତଥାପି ଜର୍ଜ କିଛି ବୁଝିବା ଆଗରୁ ତା’ର ନିଶ ଗଜେଇ ଆସିଛି, ତେଣିକି ସିଂହ ବାଘ ପରି ହାଉଁ ହାଉଁ ଗୁଡ଼ାଏ ମାଉଁସ ଖାଇବା ବେଳ । ମା’କୁ ବୁଝିବା ବୟସ ଆଉ ନାହିଁ । ଏଇ ପୀଢ଼ ବଦଳି ବେଳେ ଜର୍ଜକୁ ଜରର ପ୍ରଳାପ ଭିତରେ ଦିଶିଛି ଗୋଟାଏ ଦୁଧ ପିଠଉ ପରି ହାତ ! ଆକାଶର ସବୁଠୁ ଗହୀରିଆ ନେଳି ଭିତରୁ ସେଇଟା ନଇଁ ଆସିଛି । ଆଉ ତା’ ମସ୍ତିସ୍କ ଉପରେ ଆଞ୍ଚୁଡ଼ି ଯାଇଛି ପାଞ୍ଚଟା କ୍ଷୀରର ଗାର ! ମୁହଁ ଉପରେ ସାଉଁଳି ଦେଇଛି ପାଣି ପଟିର ଶୀତଳ ହାତ । ଗୁଡ଼ାଏ ବତୀ ଖୁଣ୍ଟ, ଯାହାକୁ ସେ ଗଣିପାରୁ ନ ଥିଲା ହଠାତ୍ ଗୋଟିଏ ମୁହୂର୍ତ୍ତରେ ସକ୍‍କିନା ଏକ ହୋଇ ଯାଇଛନ୍ତି-। ସେଇ ଗୋଟାଏ ପଛରେ ଲୁଚି ଯାଇଛନ୍ତି ଅଗଣତି ବତୀ ଖୁଣ୍ଟ ! ସେ ସେଇ ମୁହୂର୍ତ୍ତରେ ବିସ୍ମୟରେ ଡାକି ଦେଇଛି ମା’ ! ଜର୍ଜର ଏଇଟା ଗୋଟାଏ ଆବିଷ୍କାର ଯେଉଁଟା ଅନିବାର୍ଯ୍ୟ; କିନ୍ତୁ ଯେଉଁଟାକୁ ପୁଣି ଆଉ ଅଧିକ କରି କହିବାକୁ ବେଳ ବି ନାହିଁ । କିନ୍ତୁ ବୁଢ଼ୀ ପାଇଁ ଏଇଟା ତା’ ଜୀବନର ଶେଷ କଥା । ବୁଢ଼ୀର ଡୋଳା ଚକା ଧରି ଯାଇଛି, ସେ ମରି ଯାଇଛି ବସନ୍ତରେ । ଜର୍ଜର ମୁହଁରେ ମଧ୍ୟ ବସନ୍ତର ଖୋଜ । କିନ୍ତୁ ଝଡ଼ରେ କାବତାଟିଏ ପରି ତା’ ମନରେ ସାରା ଜୀବନ ପାଇଁ ଏ ଆବିଷ୍କାର ଡେଣା ମେଲିଛି । ଅବଶ୍ୟ ତାକୁ ଦେଖିବାକୁ ହେଲେ ଖୁବ୍ ନିରେଖିବାକୁ ହୁଏ । ନାରୀ ପୁରୁଷର ସମ୍ପର୍କରେ ଆଚାର୍ଯ୍ୟେ ଖୁବ୍ ଦେଖେଇଛନ୍ତି ନାରୀ କେମିତି ଗିଳେ ବା ଗିଳାଏ ତା’ ପୁରୁଷଟାକୁ । କିନ୍ତୁ ଏଇଠି ମୋଡ଼ ଭାଙ୍ଗିଲା ବେଳେ ତା’ର ମା’ ରୂପଟାକୁ ସେ ଅସ୍ଵୀକାର କରିପାରି ନାହାନ୍ତି । ୟା’ ପରେ କିନ୍ତୁ ଟୋକା ବୟସର ଅବୋଧ ପୀଢ଼ ଉପରେ ଅନ୍ଧାରରେ ଛପି ଛପି ବଢ଼ି ଉଠିଛି ଛାଇ ପରି ଗୋଟାଏ ପୁରୁଷର ଭୂତ ନାନା ଅଭିଜ୍ଞତା ଓ ପରିସ୍ଥିତି ଭିତର ଦେଇ ।

 

ଏହି ପରିସ୍ଥିତି ଓ ସାଇଁ ସାଇଁ ଛାୟାବାଜି ପରି, ସ୍ଵପ୍ନର କୁହୁଡ଼ି ପରି ଧାଇଁ ଚାଲିଥିବା ଅବସ୍ଥା ଚକ୍ର ହିଁ ଉପନ୍ୟାସର ଅଦ୍ଭୁତ ରୂପ କଳ୍ପକୁ ଜନ୍ମ ଦେଇଛି; ଆଉ ସୃଷ୍ଟି କରିଛି ସଣ୍ଢୁଆସି ପରି ପାଠକକୁ ଜାବୁଡ଼ି ଧରିବା ଶକ୍ତିଟାକୁ । ଧରାଯାଉ ବୁଢ଼ାର ହିକ୍‍କା ଉଠିବା ସମୟର ଚିତ୍ର । ଅନ୍ଧାରରେ ସିଂହିକା ଅସୁରୁଣୀ ପରି ଭୁଜ ମେଲେଇ ଆଖି ତରାଟି ଠିଆ ହେଇଚି ଗୋଟାଏ ନାରୀ, ଆଉ ଭୟରେ ଜଡ଼ ସଡ଼ ଗୋଟାଏ ଅବୋଧ ଟୋକା । ପୁଣି ସେଇ ଅନ୍ଧାରରେ ରେଳ ଲାଇନ୍ ଉପରେ ପିଶାଚୁଣୀ ବୁଢ଼ୀ, ନଜିର ମିଆଁ ରେଳ କୋଇଲା । କାଠ କେବିନରେ ଗୋଦରୀ ବୁଢ଼ୀର ବିଶାଳ ଛାଇ । ଗୋଟିଏ ଗୋଟିଏ ବ୍ୟକ୍ତିକୁ କେନ୍ଦ୍ରରେ ରଖି ଏହିପରି ଅନେକ ଚିତ୍ର ରହିଛି । କିନ୍ତୁ ତାଙ୍କର ପ୍ରିୟ ଜନତାକୁ ଚିତ୍ର କଲାବେଳେ ଆଚାର୍ଯ୍ୟଙ୍କ କଲମରେ ଆଉ ବାଟୁଳି ବାଜେ ନାହିଁ ! ‘ମେଓ୍ୱା’ଟା ବେଶ୍ ଚମତ୍କାର ଶବ୍ଦଟାଏ ! କହିଲେ ପାଟିର ଦୈର୍ଘ୍ୟ ପ୍ରସ୍ଥ ସବୁ ପୂରି ଉଛୁଳି ଯାଏ । ଗୋଟାଏ ଯାଦୁ ଶବ୍ଦ ପରି ତାକୁ ଥରେ ଉଚ୍ଚାରଣ କରିବା ଫଳରେ ପଦ୍ମତୋଳା ଶୁଣି ନାଗଫଣା ତୋଳିଲା ପରି ଉଠିଲା କ୍ଷୁଧାର୍ତ୍ତ ଜନତା କୁହାଟ ମାରେ । କୁଷ୍ଠ ରୋଗିଆ ମିମିଆଁ ଧୋକଡ଼ା ଲୋକଗୁଡ଼ାକ । କଳଙ୍କି ଲଗା ଲୁହା ପାତିଆ ଓ ବେଦରକାରୀ ଲୁହା ଜଙ୍କର କୁଢ଼ ପରି ଏ ପୋକ ମଣିଷର ମନ୍ଦା ! କିନ୍ତୁ ସେଥିରେ ମାରାତ୍ମକ କ୍ଷୁଧାର ଦାଢ଼ ବି ଲୁଚି ରହିଛି । ଯଦି ଘେରିଯିବ ତେବେ ଲହୁଲୁହାଣ କରିଦେବ ମେଓ୍ୱା ବାଲା ଓ ତା’ର ପ୍ଲାଷ୍ଟିକ୍ ମେଓ୍ୱା ପେନ୍ଥାକୁ !

 

ଗୋଷ୍ଠି ଜୀବନର ଏ ହେଲା ପ୍ରଥମ ରୂପ ! ଗାଉଁଲି ଅସହାୟ ମାଇପି ମରଦ ପିଲାଙ୍କର ଯେଉଁଠି ପଟୁଆର ଆସି ବୀର ହନୁମାନଙ୍କ ଗଛମୂଳେ ଟଙ୍କା କୁଢ଼ାନ୍ତି ସେ ଆଉ ଗୋଟିଏ ଅଦ୍ଭୁତ ରୂପ । ଏ ଉଭୟ ଆଉଠାଏ, ଆହୁରି ଅଧିକ ଗୁରୁତ୍ଵ ଓ ତାତ୍ପର୍ଯ୍ୟ ନେଇ ଆସିଛନ୍ତି ! ଦେଢ଼ ହଜାର ପାହାଚକୁ ଗୋଟାଏ ଗୋଡ଼ରେ ଆୟତ୍ତ କରୁଥିବା ‘ଗରୁଡ଼ ଭଗବାନ’କୁ ଘେରି ଉନ୍ମତ୍ତ ଭକ୍ତଙ୍କର ଜୟ ଜୟକାର ଏବଂ ପର ମୁହୂର୍ତ୍ତରେ ଯେତେବେଳେ ଜର୍ଜ ତା’ର ପ୍ରାଣମୂର୍ଚ୍ଛା ପ୍ରୟାସରେ ଗରୁଡ଼କୁ ବୁଲେଇ ପିଟିଛି ଓ ସେ ତଳେ ପଡ଼ି ଯାଇଛି, ସେଇ ଉନ୍ମତ୍ତ ଜନତା ଆହୁରି ଉନ୍ମତ୍ତ ହୋଇ ‘ପର୍ଶୁରାମ ଅବତାର’ଙ୍କର ଗଗନ କମ୍ପା ସଂକୀର୍ତ୍ତନ ଆରମ୍ଭ କରି ଦେଇଛି । ପରିଶେଷରେ ସେଇ ଅନ୍ଧୁଣୀ କୋଢ଼ି ଥିବା ପଟୁଆରରେ ଜର୍ଜ ପଶିଗଲା ବେଳେ ପୁଣି ଆସିଛି ସେଇ ମେଓ୍ୱା ଶବ୍ଦ ! ଏ ଚାରୋଟିଯାକ ଚିତ୍ରରେ ଜନତା କେବଳ ଯେ ବାୟା, ଏକ ମୂର୍ଖିଆ, ଅବ୍ୟବସ୍ଥିତ ଚିତ୍ତ ବୋଲି ପ୍ରମାଣିତ ହୋଇଛି ତା’ ନୁହେଁ; ବହୁ ଦିନର ଜନତା ଜନାର୍ଦ୍ଦନ ଦି’କଡ଼ାର ହୋଇ ଦାଣ୍ଡରେ ହାଟରେ ଗଡ଼ି ଯାଇଛି ।

 

ଏ ଦିଗଟାକୁ ଆଡ଼େଇ ଗଲେ ବହୁ ପାହାଚ ଥିବା ମନ୍ଦିର ଓ ଗରୁଡ଼ର ରୂପକ ବେଶ୍ ଅର୍ଥପୂର୍ଣ୍ଣ ଗୋଟାଏ ଚିତ୍ର । ଧୁ’ ଧୁ’ ଦି’ ପହରିଆ ବାଲିରେ ହୀରା ଖୋଜିବା ମଧ୍ୟ ସେହିପରି ଇଙ୍ଗିତ ଧର୍ମୀ । କିନ୍ତୁ ଉଭୟ ଯେପରି ମନେହୁଏ କ୍ଷୁଧାର୍ତ୍ତ ଜର୍ଜର ଉତ୍ତ୍ୟକ୍ତ ମସ୍ତିକର ବିକୃତି, କେବଳ ଭୟଙ୍କର ସ୍ଵପ୍ନ ଗୁଡ଼ାଏ ! ଏହା ବ୍ୟତୀତ ଆଉ ଗୋଟାଏ ପ୍ରକାର ଚିତ୍ର ମଝିରେ ଆସିଛି । ବରଗଛ ମୂଳେ ରିକ୍‍ସା ରଖି ଅପେକ୍ଷା କରିଥିଲା ବେଳେ ଶିମୁଳୀ ଗଛ ପଛଆଡ଼ୁ ସୁର୍ଯ୍ୟୋଦୟଟାଏ ହୋଇଛି ଓ ଶିମୁଳୀ ଗଛଟା ପରମୁହୂର୍ତ୍ତରେ ଜଳି ଉଠିଛି ! ବାଃ ! ଫଟା ସୂର୍ଯ୍ୟଟାକୁ ମିଶେଇଲେ ମଧ୍ୟ ଏଇଟା ଯେ ଚେନାଏ କବିତା ଏଥିରେ ସନ୍ଦେହ ନାହିଁ । ଆଉଥରେ ଆକାଶ ଆସିଛି ଦୃଷ୍ଟି ଭିତରକୁ ଯେତେବେଳେ ଜର୍ଜ ତା’ ଝରକା ବାଟେ ବୁଢ଼ୀକୁ ଆଉ ନଜିର୍‍ ମିଆଁକୁ ଝିକିମିକି ତରା ହୋଇ ଚାହୁଁ ଥିବାର ଦେଖି ପାରୁଛି ।

 

କିନ୍ତୁ ପରିସ୍ଥିତି ଗୁଡ଼ାକ କେତେ ଅପତ୍ୟାଶିତ ଭାବରେ ଏବଂ କେଡ଼େ ଶୀଘ୍ର ବଦଳି ଚାଲିଛନ୍ତି ! ସତେ ଅବା ମେଜିକ୍ ଲଣ୍ଠନ୍‍ର ସକ୍‍ସାକ୍‍ ବଦଳି ଯାଉଥିବା ଚିତ୍ରଗୁଡ଼ିଏ । ଲେଖକଙ୍କୁ କାଠ କେବିନ୍‍ଟିରେ ଟିକିଏ ଫୁରୁସତ୍ ଥିଲା ପରି ଜଣାଯାଏ । ଅମର ଫଳ ଖୋଜୁଥିବା ଗୋଟାଏ ଅନ୍ତକୋଷୀ କବିରାଜକୁ ବା ମଣିଷମାରୁ ଅପରାଧରେ ଜେଲ୍ ଭୋଗୀ ଫେରିଥିବା ଗୋଟାଏ ପାଗଳା ଚରଣ ରାଓକୁ କେନ୍ଦ୍ର କରି ଜୀବନର ଗୋଟିଏ ଦୁଇଟି ମୌଳିକ ତଥ୍ୟର ଆଲୋଡ଼ନ କରିବାକୁ ଅବକାଶ ମିଳିଲା ପରି ଜଣାଯାଏ । ତା’ ଭିତରେ କିନ୍ତୁ ଜର୍ଜର ଜୀବନଚକ୍ର ଗଡ଼ିଚାଲେ ଅବାରିତ ଭାବରେ । କୋଇଲା ବୁହା, ରିକ୍‍ସା ଟଣା, ପାଉଁରୁଟି ଦୋକାନରେ ଛିଟିପିଲା କାମ, ହରି ମିସ୍ତ୍ରୀ ଦୋକାନରେ ସାଇକଲ ସଜା, ଗୋଟାକ ପରେ ଗୋଟାଏ ଅକସ୍ମାତ୍ ଆସି ପୁଣି ସେହିପରି ଅଚାନକ ଚାଲିଯାନ୍ତି । କିନ୍ତୁ ଏ ସବୁ ଘଟେ ଗୋଟାଏ ନିର୍ଦ୍ଦିଷ୍ଟ କକ୍ଷ ଭିତରେ । ଗୋଦରୀ ବୁଢ଼ୀ ଓ କାଠ କେବିନ୍ ତା’ର କେନ୍ଦ୍ର । ଜର୍ଜ ନାନା ଚିନ୍ତା କରି କେବଳ ନାରୀ ପୁରୁଷର ଅଦ୍ଭୁତ ସମ୍ପର୍କ ବୁଝିବାକୁ ଚେଷ୍ଟା କରି ଚାଲିଛି, ଏ ସମସ୍ତେ ପରିସ୍ଥିତି ଭିତରେ । ଶେଷରେ ଗୋଦରୀ ଠୋ’ କିନା ମରି ଯାଇଛି ପାଣି ଟୋପାଏ ପିଇବାକୁ ନ ପାଇ ଏବଂ ଟୋକାଟା ଛିଟିକି ପଡ଼ିଛି ତା’ କକ୍ଷ ଭିତରୁ । ତେଣିକି ସବୁ ବାର ଚାଉଳିଆ ଧରି ଯାଇଛି; ଧରିଯିବା କଥା ମଧ୍ୟ । ବଢ଼ି ଆସୁଥିବା ପୁରୁଷ ପିଲାଟି ହଠାତ୍ ଘୋଡ଼େଇ ହେଇଯାଇଛି, କିନ୍ତୁ ଉପରକୁ ଉଭାରି ଆସିଛି ଅମୃତ–ଫଳ ବାଉଳା, ବା ହୀରା-ଖୋଜାଳୀ ଗୋଟାଏ କଳାଆଖିଆ ଚାଲାକ୍ ଟୋକା ! ଜୀବନଟା ଯାକ ସେ ବିଚାର ପାଇଁ କେବଳ ବିସ୍ମୟ ମୂଳରୁ ଶେଷଯାଏଁ । ତା’ର ଅପରିପକ୍ଵ ମନର ଦହି ଉପରେ ହାଉଁ ହାଉଁ ହୋଇ ହାତୁଡ଼ି ବାଡ଼ିଆ ଚାଳିଛି–ଧର୍ମ, ରାଜନୀତି, ବିଜ୍ଞାନ–ସବୁ ପୁଣି ଗୋଟାଏ ଉତ୍କଟ ଯୌନ ଜ୍ଵାରାକ୍ରାନ୍ତ ତାପ ଗୃହ ଭିତରେ । ଘାଟନିକ ସମ୍ପର୍କ ଏଠି ବଡ଼ ଶିଥୀଳ । ପଥରର ଲକ୍ଷ୍ମୀକୁ ସେବା କରୁଥିବା ଚା’ ବିକାଳୀ ବାବାଜିକୁ ଖୋଜି ଜର୍ଜ ପଲଟଣ୍‍ ପଛରେ ଏକାକୀ ଚାଲିଥିବା ଗରୁଡ଼ ସହିତ ଯୁଦ୍ଧ କରେ । ତା’ ପରମୁହୂର୍ତ୍ତରେ ପାଗଳ ଜନତାର ଭଉଁରୀ ଭିତରୁ ଖସି ପଳେଇ ଆସି ବାଲିରେ ଗୁଡ଼ାଏ ହୀରା ଖୋଜେ ଓ ସେଇ ପେଚା ଆଖିଆର ଗାଡ଼ିରେ କିଛି ବୁଝିବା ପୂର୍ବରୁ ପହଞ୍ଚିଯାଏ ମଣିଷ ମସ୍ତିସ୍କର କାରଖାନାରେ । ରାଜନୀତି, ପୃଥିବୀର ମାଲିକପଣିଆ ପାଇଁ କୂଟ ଚକ୍ରାନ୍ତ, ବିଜ୍ଞାନ ମାଙ୍କଡ଼ ଓ ସେ ମାଙ୍କୁଡ଼ିଆ ଗଛର ମେଓ୍ୱା–ଏଗୁଡ଼ାକ ସବୁ ଜର୍ଜର କୋଠରି ଭିତରର ତେଜା ବିଜୁଳି ଆଲୁଅ ପରି ଅସହ୍ୟ ହାଉ ! ଗୋଟାଏ ବାଲ୍‍ଟି ନ ହେଲେ ବାସ୍ତବିକ୍ ଆଉ ଆତ୍ମରକ୍ଷାର ଉପାୟ ନାହିଁ ।

 

ଅନ୍ଧାରୁଆ ଉତ୍ତପ୍ତ ଅବଚେତନାର ରାଜ୍ୟରେ ପାଠକ ଘୋସାଡ଼ି ହୋଇ ବାମ୍ଫୁଆ କାଳିଆ ଘୋଡ଼ା ପରି ସ୍ଵପ୍ନ ପିଠିରେ ଚଢ଼େ । ବହୁବାର ଚମକେ । ଟିକିଏ ମନ ମଜି ଘୁମେଇ ଆସିଲା ବେଳକୁ କାନ ପାଖରେ ଗୋଟାଏ କିଏ ଏଡ଼େ ପାଟିରେ କହୁଛି, “ହୋ, ତମେ କିଏ ?” –ନ ହେଲେ ସେହି ଅବସ୍ଥାରେ ମଝି ଶିରା ହାଡ଼ ଉପରେ କାକର ଧଣ୍ଡଟାକୁ ଓହଳେଇ ଦେଉଛି । ଭୂମିକମ୍ପ ପରି ମେଦିନୀ ହୁଡ଼ା ହୁଡ଼ା ହୋଇ ଭାଙ୍ଗିପଡ଼ୁଛି ଅସ୍ଥିର ଘଟଣା ପରମ୍ପରା ଭିତରେ । ଆଚାର୍ଯ୍ୟେ ଯେପରି କହୁଛନ୍ତି, “ଆହୋ, ଜୀବନରେ କେବେ ଗୋଟାଏ ଆଦ୍ୟ, ମଧ୍ୟ, ପ୍ରାନ୍ତ ଥାଇ ଗପ ଭଳି ସରଳ ଘଟଣାର ସୁଅ ଦେଖିଛ ? –ଦେଖିନା ତ, ଫେର୍ ଏଠି କାହିଁକି ଏମିତି ଡିଆଁ ମାରିବାକୁ ଅସୁଖ ଲାଗୁଛି ! ଗୁଡ଼ାଏ ଡିଅଁ, ଗୁଡ଼ାଏ ଝାଳ ବୋହୁ ! ତା’ପରେ ମର !! ମୁଁ ସେଥିପାଇଁ ତୁମକୁ ଖେଞ୍ଚିବି, ତମକୁ କୁତୁକୁତୁ କରିବି । ତମ କାନ ପାଖରେ ଜୋରରେ କୁର୍‍ର୍‍ କରିବି । ଏଠି ଶାଲା ଘୁମେଇବା ମନା, ଘୁମେଇଲେ ମଲ !”

 

ମୋଟ ଉପରେ ଉପନ୍ୟାସଟା ଉଠାଏ ନାହଁ କି ପକାଏ ନାହିଁ । ଗୋଟାଏ ଘଣି ଚକ୍‍ରରେ ଖାଲି ଘୂରାଏ, କ୍ଳାନ୍ତ କରେ । ସବୁ ଚରିତ୍ର କୋଇଲା ରଡ଼ ପରି ଚେଙ୍ଗି ଦିଅନ୍ତି କିନ୍ତୁ କାହାରି ପ୍ରତି ସହାନିଭୂତି ବା ସମ୍ମାନ ଟିକିଏ ଆସେ ନାହିଁ; ଏପରି କି ବୁଢ଼ା, ବୁଢ଼ୀ, ଜର୍ଜ, ନଜିର ମିଆଁ ପାଇଁ ମଧ୍ୟ ନୁହେଁ । ଆଦର୍ଶ ବାଦ ପାଇଁ ଉପନ୍ୟାସର ସଦର ଦର୍ଜା ବନ୍ଦ ! ଶେଷକୁ ଜର୍ଜ ଯେତେବେଳେ ତା’ର ଅପତ୍ୟ ଭିତରେ ସାରା ସଂସାରଟାକୁ ପାଇଛି, କାଳେ ଆଦର୍ଶବାଦିଆ ହେଇଯିବ ବୋଲି ବୋଧହୁଏ ଗୋଟାଏ ଅବୋଧ ପାଗଳ ପରି ସେ ପୁଣି ଡାକିଛି ମେଓ୍ୱା ଦିଅ ! ଏମାନଙ୍କୁ ମେଓ୍ୱା ଦିଅ !! ଫୁଲି ଆସିଥିବା ପୁରୁଣା ଭାବଧାରାର ବେଲୁନ୍‍କୁ କଣ୍ଟାରେ ଭୁସ୍ କରି ଫୋଡ଼ି ଦିଅନ୍ତି ଲେଖକ ! କହନ୍ତି, ‘ହୋ ! ତମେ ବହୁତ ଫାନୁସ୍ ଉଡ଼େଇଲଣି, ତମେ ତମ ବାଡ଼ିଆଡ଼ ନର୍ଦ୍ଦମା ଦେଖିଛ–ଯାହାକୁ ତାଟି ପକେଇ ନିଜର ବୋଲି ତମେ ସ୍ଵୀକାର କର ନହିଁ ? ସେଠି ଆସ, ତମ ନାକ ଘସି ମୁଁ ତୁମକୁ ତାଜ୍ଜୁବ୍ କରୁଚି !

 

ନର କିନ୍ନରରେ ନରର ମାତ୍ରା ବଡ଼ କମ୍ । କିନ୍ନର ମାଳ ମାଳ ଅଙ୍ଗାର ଚିତ୍ର ପରି ବହିଟାର ଖୋଳ ପର୍ଯ୍ୟନ୍ତ ଜରି ଯାଇଛି ! ସାହସର ସହିତ ତାକୁ ଜାହିର କରିବା ବହୁ ଦିନରୁ ଆବଶ୍ୟକ ଥିଲା ଓଡ଼ିଆ ସାହିତ୍ୟରେ । ସେଇଟା ହେଲା ଆଚାର୍ଯ୍ୟଙ୍କ ହାତରେ ! ବେଶ୍ ବଳୁଆ ଉପନ୍ୟାସଟାଏ ହେଇଚି ନର କିନ୍ନର, ଆଉ ବେଶ୍ ଚମକେଇଲା ପରି ହେଇଚି ତା’ର ଦୃଷ୍ଟି ଭଙ୍ଗୀ । ସେ ନିଜେ ଆଉଠାଏ କହିଲା ଭଳି ଥୁଣ୍ଟା ଗଛ ଶିଖରେ ଏକ ଗୋଡ଼ିଆ ଠିଆ ହୋଇ ସେ ଆକାଶକୁ ହାତ ବଢ଼େଇ ଡାକିଛନ୍ତି, “ମତେ ଧ’ ।” ଆକାଶ ନଇଁ ଆସୁ ତାଙ୍କୁ କାଖ କରିବାକୁ ଓ ତା’ ସାଙ୍ଗେ ସାଙ୍ଗେ ଏ ଭାଷା ଓ ସାହିତ୍ୟଟାକୁ ।

Image

 

ପରଜା

 

ଖୁବ୍ ତିଖ ଗୋଟାଏ ପାହାଡ଼ ଉପରୁ ପାଞ୍ଚଟା ଢିମା ପଥର ତଳକୁ ଖସେଇ ଦେଇ ଜହ୍ନପକ୍ଷ ନିଃଶବ୍ଦ ରାତିରେ ତାଙ୍କର ହାଲୋଳି ଖାଇ ଅସହାୟ ଭାବରେ ଗଡ଼ି ଯାଉଥିବାର ଶବ୍ଦକୁ କାନେଇ ରହିଲେ ଯେମିତି ଲାଗନ୍ତା, ଗଦ୍ୟ ସାହିତ୍ୟର ଏ ବିୟୋଗାନ୍ତକ ପୁରାଣଟାକୁ ପଢ଼ି ପ୍ରାୟ ସେମିତି ଲାଗିଲା । କାହିଁ କେଉଁ ଅଜଣା ଗହୀରରେ ଉଛୁଳି ବୋହି ଯାଉଥିବା ଝୋଲା ଭିତରକୁ ଧୁମ୍ ଧଡ଼ାସ୍ ଢିସ୍ ଢାସ୍ ହୋଇ ଏଗୁଡ଼ାକ ଗଡ଼ି ଯାଆନ୍ତି । କିନ୍ତୁ ସବୁଠାରୁ ବେଶି କରୁଣ ଲାଗେ ଯେତେବେଳେ ସେଇ ପୁରୁଣା ଚକା ପଥରଟା ମଝିରେ ମଝିରେ ଟିକିଏ ରହି ରହି ପଛକୁ ପାହାଡ଼ର ଶିଖକୁ ଅନାଏ କିନ୍ତୁ ଅଣାୟତ୍ତରେ ପୁଣି ଗଡ଼ି ଚାଲିଯାଏ, ଭିଡ଼ି ହୋଇ ହା ହା କାର କରି-। ମଝିରେ ମଝିରେ ମନେହୁଏ, ହେଇ ସେଇ ଶାଖା ମେଲେଇ ମଜବୁତ୍ ଠିଆ ହେଇଥିବା ଟାଣୁଆ ଶାଳ ଗଛଟା ମୂଳରେ ଏଥିରୁ ଅନ୍ତତଃ ଗୋଟାଏ ରହିଯିବ ନା କ’ଣ ! –ହେ ସେଇ ମୋଡ଼ଠି ବାକି ସବୁ ଘୋଷାରି ହେଇ ଆଣ୍ଠୁ ଗଣ୍ଠି ଛିଡ଼ୁ ପଛକେ ଅଟକି ଯିବେ ନା କ’ଣ ! କିନ୍ତୁ ଖାଲି ମୁହୂର୍ତ୍ତେ ପାଇଁ ନିଶ୍ଵାସଟାଏ ରୋକି ଛାଡ଼ିଦେଲେ ପୁଣି ସେଇ କରୁଣ ଆର୍ତ୍ତନାଦ ଶୁଭେ । ଧୁମ୍ ଧଡ଼ାସ୍ ଢିସ୍ ଢାସ୍ ! ପରିଶେଷରେ ଝୋଲା ପାଣିରେ ସବୁ ଝସେଇ ପଡ଼ନ୍ତି ଜିଲି ବିଲି, ଟିକ୍ରା, ମାଣ୍ଡିଆ, ଶୁକ୍ରୁ । କାହାଣୀର ସମାପ୍ତି ହୁଏ ସେଇ ପାହାଡ଼ ମୂଳିଆ ଗହୀର ଅନ୍ଧାରରେ । କିନ୍ତୁ ଢିମା ପଥର ଗୁଡ଼ାକ ଡୁମା ହୋଇ ପବନରେ ପହଁରି ଆସନ୍ତି । ପରଜା ଉପନ୍ୟାସର କବିତା ଆତ୍ମା ପାହାଡ଼ ଛାତିରେ ପିଟିହୋଇ ଭାଙ୍ଗି ଚୂରି ବିଂଛି ହୋଇଯାଏ । ଜହ୍ନ ଆଲୁଅରେ ପାହାଡ଼ ଶିଖର ଭସାଣିଆ ରଣ କୁହୁଡ଼ି ସେମିତି ଘାଲେଇ ଶୋଇ ରହେ । ଦୂର ଗାଁର ଗୋଟାଏ ଏକୁଟିଆ ଡୁଙ୍ଗଡୁଙ୍ଗା ଶୁଭେ କି ନ ଶୁଭେ । ହଠାତ୍ ପାଠକ ଭାବେ ଯେ ସେ ଗୋଟାଏ ଦୋନଳୀ ଧରି ଜଙ୍ଗଲ ଗାରଡ଼ ପରି ପଥର ଗୁଡ଼ାକୁ ଗଡ଼େଇ ଦେଇ ସେ ତିଖ ଉପରେ ଠିଆ ରହିଛି । ଦୋଷୀ ପରି ସେ ଗଛ ଗହଳରେ ଲୁଚିଯାଏ । ପାଦତଳେ ଧରତିନ୍, ମୁଣ୍ଡ ଉପରେ ଆକାଶ ଚାରିଆଡ଼େ ଢିମା ଢିମା ପୋଡ଼ୁ ଚାଷର ପାହାଡ଼ ତାକୁ ତଡ଼ି ନିଅନ୍ତି ତା’ ଗୁହା ଭିତରକୁ । ତାକୁ ଛି’ ଛା ଲାଗେ, ବିକଳ ଲାଗେ, ସେ କାନ୍ଦ କାନ୍ଦ ହୁଏ । ଉଷୁମ ଲୁହଗୁଡ଼ାକୁ ଢୋକିଦେଇ, ଦାନ୍ତକୁ ଦାନ୍ତ ଜାବି ପୋଥି ବନ୍ଦ କରି ଥୋଇ ଦିଏ । କେତେବେଳକେ ଭିତରର ଅନ୍ଧ ବିଦ୍ରୋହ ରାମଚନ୍ଦ୍ର ବିଶୋଇ ଉପରେ ଆହୁରି ଦି’ ଚାରି ଚୋଟ ହାଣି ଥମିଯାଏ । ସେତେବେଳେ ମନେପଡ଼େ ଯେ ସେ ପାଠକ, ଗୋପୀନାଥ ମହାନ୍ତି ଲେଖକ ଏବଂ ‘ପରଜା’ ଓଡ଼ିଆ ଭାଷାରେ ଲିଖିତ ଖଣ୍ଡିଏ ଉପନ୍ୟାସ !!

 

ସମଗ୍ର ଉପନ୍ୟାସଟା ମେଳି ହୋଇଯାଇଛି ଏକ ନିରାଡ଼ମ୍ବର ସ୍ଵପ୍ନ ପରି । ସଂଗୀତ, ଯୌବନ ଓ ଗୁଡ଼ାଏ ସ୍ଵାଭାବିକ ହସ ଆଉ କାନ୍ଦ ଭିତରେ ଜୀବନର ଯେଉଁ ଅଧ୍ୟାୟଟାରେ ଆସେ ଜଟିଳତା, ସେଇଟାକୁ ପରଜା ପରମ୍ପରା ବହୁ ଆଗରୁ ସରଳ ଓ ସହଜ କରି ଦେଇଛି । ପୂର୍ବ ପୁରୁଷଙ୍କର ‘ଡୁମା’କୁ ପ୍ରତି ନିଶ୍ଵାସରେ ପିଇ ତାଙ୍କ ମଶାଣି ପଥର ଚାରିଆଡ଼େ ଘେରି ତାଙ୍କ ଜୀବନର ଧାରା ଗଡ଼ିଚାଲେ ନିରଳସ ଡୁଙ୍ଗଡୁଙ୍ଗାର ମତାଣିଆ ସୁର୍ ପରି, ଅବିକୃତ ମନର ତାତି ମିଶା ପରଜା ଟୋକାର ଗୀତ ପରି । ମଳି ଧୂଳି ନ ଥିବା ନିରାବରଣ ତାଙ୍କର ଯୌବନ । ପାହାଡ଼ କୋଡ଼ରେ ଛଳ ଛଳେଇ ବୋହି ଯାଉଥିବା କୁଆ ଆଖିଆ ‘ଝୋଲା’ର ଧାର ପରି ସେ ଯୌବନର ଉଦ୍ଦାମ ଗତି । ସେଥିରେ ଲୁଚେଇବାର କିଛି ନାହିଁ । ଅତି ସହଜ, ଅତି ନିତିଦିନିଆ ପରିଚିତ ତା’ର ପଦ୍ଧତି । ପାହାଡ଼ ଦେହରେ ଛାଇ ଯେମିତି ଲାଗି ରହିଥାଏ, ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ ଗୋଟାଏ ଗୋଟାକୁ ଛାଡ଼େ ନାହିଁ ସେମିତି ଖୋଲାଖୋଲି ଜୀବନର ସାଥୀ ବାଛି ନିଆଯାଏ ପରଜା କୁଳର ପୁଅ ଝିଅଙ୍କ ଭିତରେ । ବଡ଼ ସରଳ ଓ ପୁରୁଣା ତାଙ୍କର ଅନୁଷ୍ଠାନ, ଦିଶାରୀର ତାରା ଗଣତି ପରି, ମଶାଣି ପଥରରେ କୁକୁଡ଼ା ଡିମ୍ବ ଭାଙ୍ଗିବା ପରି । ମୁଣ୍ଡିଆ ଉପରର ମନ୍ଦାଏ କୁଡ଼ିଆକୁ ଘେରି ରହିଛି ଯେଉଁ କେଉଁ କଳାର ବନସ୍ତ, ଇମାଢିମା ଢେଉଢେଉକା ପାହାଡ଼, ଆଉ ହାବୁକେଇ ଉଠୁଥିବା ହିଡ଼ ଗଡ଼ି ନ ମାନି ବୋହି ଯାଉଥିବା ଝରଣା ସେ କୁଡ଼ିଆ ଭିତରର ଜୀବନକୁ ମଧ୍ୟ ମଞ୍ଜ ପର୍ଯ୍ୟନ୍ତ ତିନ୍ତେଇ ରଖିଛି । ଏ ମଣିଷଗୁଡ଼ା ତାଙ୍କ ପରିବେଶରୁ ବାରି ହୁଅନ୍ତି ନାହିଁ । ବଞ୍ଚି ରହନ୍ତି ପାହାଡ଼ର ରସ ଖାଇ, ଝରଣାର ସଂଗୀତ ପିଇ, ମରିଗଲେ ସେଇଠି ‘ଡୁମା’ ସାଜି ବାଘ ରୂପରେ, ବିଲୁଆ ରୂପରେ ଘୂରି ବୁଲନ୍ତି । ତାଙ୍କୁ ମମତା ଘେରି ରହିଛି, ଜାବୁଡ଼ି ଧରିଛି ଚତୁର୍ଦ୍ଦିଗରୁ ଏ ଯୁଗ ଯୁଗର ସହଜ ପ୍ରକୃତି । ଥୁଣ୍ଟା ଗଛ ଶିଖରେ ତରା ହଳକ ଲାଗିଗଲେ ଚଇତ ପର୍ବର ଦେବତାକୁ ଆବାହନ କରାହୁଏ । ହୁ’ ହୁ’ ପବନ, ଫାଟି ପଡ଼ୁଥିବା ଯୌବନ, ଫିଟି ପଡ଼ୁଥିବା ଜହ୍ନ ଆଉ ହସ ଖୁସି, ନାଚ, ବାଜଣା, ରନ୍ଧା ମଦର ଦେବତାକୁ ଡାକରା ଦିଆଯାଏ ଓ ତା’ ସାଙ୍ଗରେ ଡାକରା ଦିଆଯାଏ ଜୀବନର ଉଛ୍ୱାସକୁ, ମନ ଗହୀରର ତାତିଲା ଆବେଗକୁ ।

 

ଏ ପାଖେ ପାହାଡ଼ । ସେ ପାଖେ ପାହାଡ଼ । ଏ ଡାକିଲେ ସେ ଡାକିଲା ପରି ଶୁଭେ । ଜହ୍ନ ଆଲୁଅ ବୋଳି ହୋଇ ଦୁହେଁ ଦିଶନ୍ତି ଗୋରା ଗୋରା, ମନ ମତାଣିଆ, ଖୁବ୍ ଭାରି ଭାରି ଆଉ ବଳୁଆ; ସତେ ବା ଗୁଳା ଗୁଳା ବାହା ଟାଣି ବୁକୁ ଓସାରି ଠିଆ ହୋଇଛନ୍ତି ମାଣ୍ଡିଆ ଆଉ ବାଗ୍ଳା । ମଝିରେ ଛଳଛଳ ହୋଇ ବୋହି ଯାଉଛି କାଜୋଡ଼ି । ତା’ର କଳା କଳା ଆଖିରେ ସେ ଏଥିରୁ ଟିକିଏ ଚାଖେ, ସେଥିରୁ ଟିକିଏ ଚାଖେ କିନ୍ତୁ ବୋହିଯାଏ ଗହୀରରୁ ଗହୀରକୁ । ଗଣ୍ଡ ପାଖରେ ହୁଏତ ସେ ନିଜର ଥିର ଗହୀର ପାଣିକୁ ଅନାଏ । ଦେଖେ ସେଥିରେ ଗୋଟାଏ ପାହାଡ଼ର ଛାଇ ତା’ର ବୁକୁଭରି, ତା’ର ସମଗ୍ର ସ୍ରୋତ ଉପରେ ମେଲେଇ ହୋଇ ତାକୁ ଆବୋରି ରହିଛି । ସେ ହୋଇଯାଏ ବାଗ୍ଳାର । ଏଥିରେ କୌଣସି ସଙ୍କୋଚ ନାହିଁ, କିଛି ଅନ୍ୟାୟବୋଧ ନାହିଁ । ଅବଶ୍ୟ ମନ ତାଡ଼ି ହୋଇଛି; ଓଦା ମାଟି କୋରି ହୋଇ ଅତଡ଼ା ଖସିଛି । ଏଠି ବାଙ୍କ ସେଠି ବାଙ୍କ ଧରି ଯାଇଛି । କିନ୍ତୁ ଗଣ୍ଡ ପାଖରେ ପହଞ୍ଚିଲା ବେଳକୁ ସେ ସବୁ ହୋଇ ସାରିଛି ଇତିହାସ, କନ୍ଦାଖୋଳା, ଝୋଲା ଗାଧୁଆ ପରି ଦିହସହା କେତୋଟି ଘଟଣା । ନୂଆ ଘରେ ବ୍ଳାଗା ଓ କାଜୋଡ଼ି ପଶିଗଲା ବେଳକୁ ମାଣ୍ଡିଆ ଜାନି ସାତ ପର ।

 

ଏମିତି ଗୋଟାଏ ଛନ୍ଦରେ ଏ ‘କରାପୁଟ’ର ଆଦିମ ପ୍ରକୃତି ଓ ଏ ଆଦିବାସୀଆ ପରଜାଗୁଡ଼ିକ ବୁଣି ହୋଇ ଯାଆନ୍ତି ‘ଗୋପୀ’ ବାବୁଙ୍କ କବିତାଧର୍ମୀ ଭାଷାରେ, ସତେ ବା ଟେନିସନ୍‍ଙ୍କ, ‘ଇଡ଼ିଲ୍‍’ ଗଡ଼ାଇ ନୂଆ ସଂସ୍କରଣରେ (.....) ପରଜା ଉପନ୍ୟାସରେ କେବଳ ମୁଷୁଣ୍ଢେଇ, ହାବୁକେଇ ଉଠିଥିବା ମାଳ ମାଳ ପାହାଡ଼, ଏଠି ଚକାଏ ଜାଗା, ସେଠି ସୋରାଏ ବାଟ ବା ସେଠି ଧାରେ ପାଣି, ଉପରେ ନାନା ବର୍ଣ୍ଣର ଋତୁଚିତ୍ର ନେଇ ଦିନ ରାତିର ଆକାଶ । ନିଘଞ୍ଚ ଜଙ୍ଗଲର ଅପର୍ଯ୍ୟାପ୍ତ ସବୁଜିମା କେତେବେଳେ ପାତଳ ବହଳ ରଙ୍ଗର ପୁଟନେଇ ଫୁଲ କଢ଼, କଅଁଳ ପତ୍ରର ସମ୍ଭାର ନେଇ ଚହଟି ଉଠନ୍ତା, କିନ୍ତୁ ପରଜାରେ ସେ ରଙ୍ଗ ଉପଭୋଗ କରିବାର ଅବକାଶ ନାହିଁ; କାରଣ ପର୍ବତ ପରି ପ୍ରକୃତିକୁ ସୁନ୍ଦର ରୂପରେ ଦେଖିବା ପାଇଁ ଯେତିକି ଦୂରରେ ରହିବା ଆବଶ୍ୟକ, ସେ ଦୂରତ୍ଵର ଏଠି ଅଭାବ । ମଣିଷ ସିଧା ସଳଖ ଯାଇ ଗଛମୂଳେ ଲଟା-ଲଇରେ ଢାଙ୍କି ରହିଥିବା ପଥୁରିଆ ରାସ୍ତା ଉପରେ ଠିଆହୁଏ । ଗଛ ଉପରେ ଫୁଲର ରଙ୍ଗ ଦେଖିବା ସମ୍ଭବ ହୁଏ ନାହିଁ । କିନ୍ତୁ ତା’ଠାରୁ ବଳି ଫୁଲର ଗନ୍ଧ ଚହଟି ଆସେ ପବନରେ । ଗଛର ଛାଇ ବାହୁ ମେଲେଇ କୋଳକୁ ଟାଣି ନିଏ । ମଣିଷ ପ୍ରକୃତି ଭିତରେ ହଜିଯାଏ । ସେମିତି କହିଦେଲେ ପଦକେ ଛିଣ୍ଡି ଯାନ୍ତା ପ୍ରକୃତିର ବର୍ଣ୍ଣନା–ଇମାଢିମା ଅସମତଳ ଧରିତ୍ରୀ ଉପରେ ଢାଙ୍କି ରହିଛି ଗୋଟାଏ ଟୋଲା ଆକାଶ, ମଝିରେ କେତେବେଳେ ପଶି ଆସୁଛି ହୁ’ ହୁ’ ବତାସିଆ ନିସନ୍ଧି ମେଘ, ଅଜାଡ଼ି ଚାଲି ଯାଉଛି ମୂଷଳ ଧାରାରେ ବର୍ଷା, ବା ଜହ୍ନ ସୋରାଏ ଉଠି ଆସୁଛି ପାତଳ କୁହୁଡ଼ିର ପଣତ ଉହାଡ଼ରୁ–କିନ୍ତୁ ଏତିକିମାତ୍ର ସାମଗ୍ରୀ ନେଇ ‘ଗୋପୀ ବାବୁ’ ହାତ ସଫେଇ ଦେଖାନ୍ତି । ପାଠକ ତାଜ୍ଜୁବ୍ ହୋଇ ଅନେଇ ଥାଏ । ସତେ ଯେମିତି ପ୍ରତି ଦିନର ସେହି ପଶ୍ଚିମ ଆକାଶରେ ନୂଆ ନୂଆ ସନ୍ଧ୍ୟା ଉକୁଟୁଛି, ବେଶ ବଦଳେଇ, ରଙ୍ଗ ବଦଳେଇ, ଭଙ୍ଗୀ ବଦଳେଇ । ପୁଣି ସେହି ସନ୍ଧ୍ୟା ପରି ମଧ୍ୟ ପ୍ରାୟ ନୀରବ ଏ ପକୃତି । ଗଛ ଶିଖ ଦୋହଲାଇ ମତାଣିଆ ଝଙ୍କାଏ ପବନ ସୁ’ ସୁ’ ଅଜାଡ଼ି ହୋଇଯାଏ ଦିନ ରାତି ପାହାଡ଼ ବୁକୁରେ । କିନ୍ତୁ ସେଇଟା ଅରଣ୍ୟର ନୀରବତାକୁ ଆହୁରି ବଢ଼େଇ ଦିଏ । ମଝିରେ ମଝିରେ ମୟୂର ଡାକେ, ସମ୍ବର ବୋବାଏ, କୁଟୁରା ଭୁକେ, ବାଘ ମଧ୍ୟ ହେଣ୍ଟାଳେ କିନ୍ତୁ ଏଡ଼େବଡ଼ ଜଙ୍ଗଲଟା, ପ୍ରାୟ ନିଃଶବ୍ଦରେ ମଣିଷ କେଇଟାକୁ ଘେରି ଘୁମଉ ଥାଏ । ସମୁଦ୍ର ଗାଧୁଆ ପଞ୍ଝାଏ ଲୋକ ଯେମିତି ଯେତେ ପାଣି ପିଟିଲେ ମଧ୍ୟ ସେ ଅକଳନ୍ତି ସମୁଦ୍ରଟାର ବିରାଟ ଛନ୍ଦକୁ ତିଳେମାତ୍ର ଘୁଞ୍ଚେଇ ପାରନ୍ତି ନାହିଁ, ସେମିତି ଗଣ୍ଡାଏ ଧାଙ୍ଗଡ଼ିଙ୍କର ଗୀତ ମାଳିକା ବା ଧାଙ୍ଗଡ଼ାଙ୍କର ଡୁଙ୍ଗଡୁଙ୍ଗା ଚତୁର୍ଦ୍ଦିଗର ନୀରବ ପ୍ରକୃତିକୁ ଚହଲେଇ ପାରେ ନାହିଁ ।

 

ଅବଶ୍ୟ ଉପନ୍ୟାସର ମୂଳ ଗତି ସେଇ କେତୋଟି ପରଜା ଜୀବନକୁ କେନ୍ଦ୍ର କରି ବୋହିଯାଏ । ମଣିଷଗୁଡ଼ାକ ପୋକ ମାଛି ପରି ଯେତେ ଛୋଟ ହୁଅନ୍ତୁ ପଛକେ ସେଇମାନେ ଉପନ୍ୟାସର ନାୟକ ନାୟିକା, ସେଇମାନେ ତା’ର ଉପଜୀବ୍ୟ; ପ୍ରକୃତି ନୁହେଁ । ‘ଥମାସ୍ ହାର୍ଡ଼ି’ଙ୍କର ପ୍ରକୃତି ଯେପରି ଏକ ଦୁର୍ବିଜ୍ଞେୟ ଦୁର୍ଦ୍ଧର୍ଷ ନିୟତିର ପ୍ରତିନିଧି ରୂପରେ ମଣିଷକୁ ଉବେଇ ଟୁବେଇ ମାରିଦିଏ । ତାଙ୍କର ସେଇ ବିଷଣ୍ଣ, ନୀରସ, ଶୁଷ୍କ କଣ୍ଟା ବୁଦାରେ ପରିପୂର୍ଣ୍ଣ ‘ଏଗଡ଼ନ୍’ ପ୍ରାନ୍ତର ପରି ‘ପରଜା’ର ପ୍ରକୃତି ଅସହନଶୀଳ ନୁହେଁ । ହାଉଁ ହାଉଁ ଭୋକିଲା ପାଟି ମେଲେଇ ସେ ମଣିଷ ଗଣ୍ଡାକୁ ତକାଏ ନାହିଁ । ହାର୍ଡ଼ିଙ୍କ ଉପନ୍ୟାସରେ ମଣିଷ ଆଉ ପ୍ରକୃତି ମୁହାଁମୁହିଁ ବିରୋଧ କରନ୍ତି, ଯୁଦ୍ଧ କରନ୍ତି । ପରିଶେଷରେ ମଣିଷ ରକ୍ତ ଜୁଡ଼ୁବୁଡ଼ୁ ହୋଇ ହାରି ଶୋଇଯାଏ । ସେଥିରେ ଦୁର୍ଜୟ ପ୍ରକୃତି ଓ ନିୟତି ଏକଜୁଟ୍ ହୁଅନ୍ତି, ମେଣ୍ଟ ବାନ୍ଧି ମଣିଷକୁ ଘେରି ଯାଆନ୍ତି । କିନ୍ତୁ ପରଜାରେ ପ୍ରକୃତି ମଣିଷର ପରିପୂରକ । ସେଥିରେ ହେଣ୍ଟାଳ ଖାଉଥିବା ବାଘ ମଧ୍ୟ ‘ସମ୍ଭାରୀ’ର ଉମା । ବିରୋଧ ବୋଲି ଟିକିଏ ନାହିଁ । ପ୍ରକୃତି ଏଠି ଦେଖା ଦେଇଛି ମା’ ରୂପରେ, ପୁରୁଷ ପୁରୁଷ ଧରି ପରଜା ଜୀବନକୁ ପ୍ରତିପାଳି ବଢ଼େଇ ଆଣିଥିବା ଧାତ୍ରୀ ରୂପରେ ।

 

କିନ୍ତୁ ଗୋଟାଏ ଦୃଷ୍ଟିରୁ ହାର୍ଡ଼ି ଏବଂ ଗୋପୀ ବାବୁ ସମଧର୍ମୀ । ପ୍ରକୃତି ଭିତରେ ପ୍ରାକୃତିକ ଜୀବନର ଯେଉଁ ସାବଲୀଳ ନିଃସର୍ଗ ଛନ୍ଦ ଅତି ସହଜ ରୀତିରେ ଗଢ଼ିଉଠେ ତାହା ଚହଲିଯାଏ ବାହାର ରାଜ୍ୟର ଅନୁପ୍ରବେଶ ପାଇଁ । ହାର୍ଡ଼ିଙ୍କ ପ୍ରାୟ ପ୍ରତ୍ୟେକ ଉପନ୍ୟାସରେ ଦୁର୍ଭାଗ୍ୟର ବାହକରୂପେ ଜଣେ ଅପରିଚିତ ପରଦେଶିଆ ଆସି ପହଞ୍ଚିଯାଏ । ତାକୁ କେନ୍ଦ୍ରରେ ରଖି ପ୍ରତିକୂଳ ଥାଟ ତିଆରି ହୁଏ, ମେଘର ଘନଘଟା ଘୋଟିଯାଏ ଏବଂ ପରିଶେଷରେ ସରଳ ଗ୍ରାମ୍ୟ ଜୀବନରେ ନିଆଁହୁଳା ଧରି ଜଳନ୍ତା ଗାର କାଟି ଚାଲିଯାଏ ନିର୍ଦ୍ଦୟ ନିର୍ମମ ନିୟତି । ପରଜା ଉପନ୍ୟାସରେ ମୂଳରୁ ଯେଉଁ ଶୁଦ୍ଧ ପାହାଡ଼ୀ ପରଜା ଜୀବନର ଉଚ୍ଛଳ ସଂଗୀତର ଢେଉ ମନ ରଞ୍ଜେଇ ଦିଏ ସେଥିରେ ପ୍ରଥମ ଛନ୍ଦ ଭଙ୍ଗ କରେ କୋଚଟିଆ, ଅଧା ପେଣ୍ଟ ପିନ୍ଧା ଗୋଟାଏ ପିଚାଶ ଆଖିଆ ଜଙ୍ଗଲ ଗାରଡ଼ । ‘ଜିଲି’ର ରକ୍ତ ଉଭାରି ରହିଥିବା ଚମରେ ଲହଡ଼ି ଭାଙ୍ଗୁଥିବା ଯୌବନକୁ ଭୋକିଲା ଗାରଡ଼ଟା ଗାରଡ଼େଇ ଚାହେଁ । ଦାନ୍ତ ନିକୁଟେଇ କଳାଜରରେ ଦରସିଝା ସୁକୁଟା ଶେଠା ହାତ ବଢ଼େଇ ସେ ଜଙ୍ଗଲର ଶିରୀକୁ ଉଞ୍ଚି ନେବାକୁ ଚାହେଁ । ଯେମେତି ଛେନା ପରି କଅଁଳ ହରଡ଼ ଚଢ଼େଇର ବୁକୁ ଉପରୁ ସେ କଅଁଳ ଚୂନା ଚୂନା ପର ସବୁ ଉଞ୍ଚି ଏଠି ସେଠି ବୁଣି ଦେଇଯାଏ । ଛନ୍ଦରେ ବେସୁରା ଧରିଯାଏ । କାଉ ପରଜା ଖାଏ ମାଡ଼ ଏବଂ ଆରମ୍ଭ ହୋଇଯାଏ ଗୋଟାଏ ଘୂର୍ଣ୍ଣି ଏଇ ଘଟଣାକୁ କେନ୍ଦ୍ର କରି । ଗୋଟାଏ ଉଜଳି ଉଠୁଥିବା, ଗଜେଇ ଆସୁଥିବା ପରଜା ପରିବାର ଉଜଡ଼ି ଯାଏ; ନିପାତ ହୋଇଯାଏ, ତଳିତଳାନ୍ତ ହୋଇ ନିଶ୍ଚିହ୍ନ ହୋଇଯାଏ ।

 

ବାହାରର ମଣିଷ ମାଲିକପଣିଆର ମୁଖାପିନ୍ଧି ସେ ପାହାଡ଼ୀ ମୁଲକରେ ପହଞ୍ଚେ । ବହୁ ଜଟିଳତା, ନାନା ପ୍ରକାର ରୋଗ ଆଉ ତାତି ଖାଇ ପେଟ ବିକଳରେ ସେ ପଶେ ଲକ୍ଷ୍ମୀପୁର କାକରିଗୁମା ଅଞ୍ଚଳର ବଣ ଭିତରକୁ । ସେ ତା’ ସାଥୀରେ ନେଇଯାଏ ଏକ ଅତି ଅବାଗିଆ ସୁରଭଙ୍ଗା ବେତାଳିଆ ଲହର । ସେଥିରେ ଜଙ୍ଗଲର ଶାଳବଣିଆ, ସରିଆ ଫୁଲିଆ ସୁର୍ ମିଶେ ନାହିଁ । ମିଶେ ନାହିଁ ପରଜା ଜୀବନର ସହଜ ଛନ୍ଦ । ଅପଡ଼ ହୁଏ । ବିରୋଧ ହୁଏ । ଫଳରେ ଶୁକ୍ରୁ ଜାନି ଉଚ୍ଛନ୍ନ ହୁଏ, ରାମ ବିଶେଇ ହାଣ ଖାଏ । ଯଦି ବାହାରର ଏମିତି ମାଟିଟେଳା ପଡ଼ି ପରଜା ଜୀବନର ନିର୍ମଳ ପାଣି ଧାରକୁ ଚହଲେଇ ନ ଦିଏ, ବା ତାକୁ କାଦୁଆ କରି ନ ଦିଏ ତେବେ ମୂଳରୁ ଶେଷ ପର୍ଯ୍ୟନ୍ତ କେବଳ ଶୁଭେ ଡୁଙ୍ଗଡୁଙ୍ଗା ଆଉ ଅଳସେଇ ଫୁଲର ସୁନା ଚହଟ ପରି ଅଳସେଇ ଧାଙ୍ଗଡ଼ିଙ୍କର ସହଜ ହସ; ଦିଶେ କେବଳ ନିର୍ମଳ, ନିରଳସ, ସରଳ ପରଜା ଜୀବନର ସାତ ପୁରୁଷର ପରବ-ଗର୍ବିତ ଅଛିଣ୍ଡା ଇତିହାସ । ମଝିରେ ମଝିରେ ଡମଟାଏ, ହାଡ଼ିଟାଏ, ଦୋମିଶା ଖିରସ୍ତାନ୍‍ଟିଏ ହୁଏତ ଟିକିଏ ବେସୁରା ତୋଳନ୍ତି, କିନ୍ତୁ ପାହାଡ଼ୀ ପୁଅ ଝିଅଙ୍କର ଉଦ୍ଦାମ ଜୀବନ ସେଥିରେ ହଟିଯାଏ ନାହିଁ, କି ହାରିଯାଏ ନାହିଁ ।

 

ଏମିତି ହାର ମାନୁ ନ ଥିବା, ବଳୁଆ ପରଜା ଚରିତ୍ରଟା ବଡ଼ ମୌଳିକ । ଖୁବ୍ ପାକଳ ଆଉ ଟାଣୁଆ ତା’ର ମଞ୍ଜ । ପରଜା କୁଳରେ ମୂଳ ହେଲା ଧରମ୍ ଦେବତା ! ଧରତିନ୍, ଆକାଶ ଆଉ ପୂର୍ବ ପୁରୁଷଙ୍କର ଡୁମା । ଦିଶାରୀକୁ ଘେରି ବହୁ ଅନୁଷ୍ଠାନ ଆଗରୁ ଗଢ଼ି ଆସିଛି । କେତେ ପରବ କେତେ ପରମ୍ପରା ସବୁ ଅତୁଟ ରହି ଗଢ଼ି ଆସିଛି । ସେ ସବୁ ମଣିଷଙ୍କୁ ଏକାଠି ବାନ୍ଧି ରଖନ୍ତି, ସମାଜ ଗଢ଼ନ୍ତି, ଜୀବନର ଧାରା ବାଗେଇ ଦିଅନ୍ତି । ସେଇଟା ପରଜା କୁଳର ସାମୂହିକ ଜୀବନର ଧାରା । ତା’ ଭିତରେ ମଣିଷ ବଞ୍ଚିବ, ତାକୁ ମାନି ଚଳିବ । ସେ ଧାରାରେ ମିଶି ବୋହିଯିବ । ସେଥିରେ ଉଁ ଚୁଁ କରିବାର ଉପାୟ ନାହିଁ । ଯଦି ଝୋଲା ଟଙ୍କା ନ ଦେଲେ ବିଭା ହୋଇ ପାରିବ ନାହିଁ ତେବେ ରନ୍ଧା ମଦ ବିକି ଜେଲ୍ ଯାଉ ପଛେ ମାଣ୍ଡିଆ ଜାନି ଆଉ କାଜୋଡ଼ିକୁ ବିଭା ହୋଇ ପାରିବ ନାହିଁ । ଭାରି ଟାଣୁଆ ସେମାନଙ୍କର ସାତପୁରୁଷି ନିୟମ । ସେଇଟା ତାଙ୍କ ଜୀବନର ମଞ୍ଜ । ଯେତେ ଯାହା ହୋଇଗଲେ ସୁଦ୍ଧା ତାକୁ ଆଡ଼େଇ ଚାଲିଯିବା ପ୍ରଶ୍ନ ମୋଟେ ଉଠି ପାରେନା । ଶିକାର ଉତ୍ସବ, ଧାଙ୍ଗଡ଼ା, ଧାଙ୍ଗଡ଼ୀ ବସାର ପ୍ରଥା ବହୁ ପୁରୁଣା । ସେଥିରେ ବ୍ୟତିକ୍ରମ ହେବ ନାହିଁ । ତାକୁ ଅତୁଟ ରଖିବାକୁ ଦି’ ଚାରି ଜଣ ଭାସି ଯାଆନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ଏ ପରମ୍ପରା ପରଜାକୁ ବଞ୍ଚାଏ ଏବଂ ତାକୁ ଖାଇ ମଧ୍ୟ ନିଜେ ବଞ୍ଚେ ।

 

ପ୍ରକୃତି ଆଉ ପରମ୍ପରା ମିଶି ପରଜାର ଶହେରୁ ଅଶିଏ ଭାଗ ଗଢ଼ନ୍ତି । ବାକି କୋଡ଼ିଏ ଭାଗରେ ବ୍ୟକ୍ତିର ବିକାଶ ହୁଏ । ଫଳରେ ଶୁକ୍ରୁ ଜାନି ପରି ପୁରୁଣା ସପନରେ ମଜ୍ଜି ରହିଥିବା, ନୂଆ ପନ୍ଥାକୁ ନାପସନ୍ଦ କରୁଥିବା ଚରିତ୍ର ସବୁ ଦେଖା ଦିଅନ୍ତି । ଏକା ମାଣ୍ଡିଆ ଦଶଟା ଭେଣ୍ଡିଆର ଜୋର୍‍ ନେଇ କାମ କରନ୍ତା କିନ୍ତୁ କାଜୋଡ଼ିକୁ ସେ ଆଉ କଥା ଦେଇ ରଖିପାରୁ ନାହିଁ । ଝୋଲା ଟଙ୍କା ଦେଇ ତାକୁ ଆପଣେଇ ନେବାକୁ ମାଣ୍ଡିଆର ଅନ୍ତରାତ୍ମା ବିକଳ ହୋଇ ଉଠିଛି । ସେ ଭୁଲ୍ କରିଛି । ଫଳରେ ଆହୁରି ପାହାଚେ ଖସି ଯାଇଛି ସେମାନଙ୍କ ଭାଗ୍ୟ ରେଖା । ଜିଲିର ସ୍ଵପ୍ନ ଉଜୁଡ଼ି ଯାଇଛି । ଶାଳ ଗଛରେ ଛନ୍ଦି ହୋଇ ରହିଥିବା ବଣଲଇ ଯେମିତି ଗଛଟା ଟଳି ପଡ଼ିଲେ ତା’ ସାଙ୍ଗରେ ସେ ମଧ୍ୟ ଧୂଳିରେ ଲୋଟି ପଡ଼େ, ପୋତି ହୋଇଯାଏ, ବୁଣି ହୋଇଯାଏ ତା’ର ପତ୍ର କଢ଼ର ସମ୍ପଦ । ଶେଷକୁ ‘ବାଗ୍ଳା’ ଓ କାଜୋଡ଼ି ମଧ୍ୟ ତା’ ମୁହଁ ଉପରେ ହସିଦେଇ ହାତ ଧରାଧରି ହୋଇ ପିଠି କରି ଚାଲି ଯାଆନ୍ତି । ଆହା ବୋଲି ଦେବାକୁ ଆଉ ତା’ର ହୋଇ କେହି ନାହିଁ ।

 

ଏମିତି ବଳୁଆ ଆଦୌ ନଉଁ ନ ଥିବା ପରମ୍ପରା ପରଜା ସଂପ୍ରଦାୟର ! ତା’ ସାଙ୍ଗକୁ ସଂବେଦନା, ସହାନୁଭୂତି ସତେ ଯେମିତି ତାଙ୍କ ଚରିତ୍ରରେ ମୋଟେ ସମ୍ଭବି ପାରିନାହିଁ । ପାଖ ଗଛଟାଏ ହାଣ ଖାଇଗଲେ ଏ ଗଛଟା ଯେମିତି ଉଁ ଚୁଁ କରେ ନାହିଁ, ସେମେତି ଶୁକ୍ରୁ ଜାନି ଆଉ ତା’ର ପରିବାର ଖଣ୍ଡିଆଭୂତର ଉଡ଼ନ୍ତା ପତ୍ର ପରି ଅସହାୟ ଭଉଁରୀ କାଟି ଉଡ଼ିଗଲେ ମଧ୍ୟ ଗାଁ ଲୋକ ଆଉ ପାଟି ଫିଟେଇ ଦଉ ନାହାନ୍ତି । ବରଂ ସାକ୍ଷୀ ଦେଲା ବେଳକୁ ନିଜ ବିପଦକୁ ଏଡ଼ି ମିଛ କହି ଶୁକ୍ରୁକୁ ପେଲି ଦେଉଛନ୍ତି ମଝି ଗଣ୍ଡକୁ । ଆଦିମ ସ୍ତରର ଏ ମଣିଷଗୁଡ଼ିକ ପିଲାଙ୍କ ପରି ସ୍ଵାର୍ଥପର; ସେଥିରେ ସେମାନଙ୍କର ସଙ୍କୋଚ ନାହିଁ, ଲଜ୍ଜା ନାହିଁ । ଶୁକ୍ରୁ ଜାନି ମଧ୍ୟ ବିଶେଷ ଆଶ୍ଚର୍ଯ୍ୟ ହୁଏ ନାହିଁ ଏମିତି କରଛଡ଼ା ବ୍ୟବହାରରେ । ସେ ଜାଣେ ତାଙ୍କ ଜାତିରେ ଅନ୍ୟଠାରୁ ଅଧିକ କିଛି ଆଶା କରାଯାଏ ନାହିଁ । ବଣୁଆ ଜନ୍ତୁପରି ଯାହାପାଇଁ ସେ ଖଟିବ, ନିଜେ ସବୁ ସହିବ । ତେବେ ଏ ସମାଜଟା କାହିଁକି ? ସମାଜଟା ଚଇତି ପରବ ପାଇଁ, ବାହାଘର ପାଇଁ ଏକାଠି କୁଡ଼ିଆ ବାନ୍ଧି ରହିବାର ଗୋଟାଏ ମୋହ ପାଇଁ । ଅବଶ୍ୟ ସହାନୁଭୂତି ଜମା ନାହିଁ କହିଲେ ଭୁଲ୍‍ ହେବ । ଯାହା ଅଛି ସେ ଟିକକ ଦୁର୍ବଳ ସାମାଜିକ ଦାୟିତ୍ଵ ବୋହିବା ପାଇଁ ତା’ର ଉପଯୁକ୍ତ ସାମର୍ଥ୍ୟ ନାହିଁ । ଫଳରେ ହରିଣ ପଲରେ ଯେ ଗୁଳି ଚୋଟ ଖାଇ ପଡ଼ିଗଲା ସେ ପଡ଼ି ରହିଗଲା–ବାକି ପ୍ରାଣ ବିକଳରେ ଉଭେଇ ଗଲେ ଜଙ୍ଗଲ ଭିତରକୁ । ପଛକୁ ଫେରି ମୁହଁରେ ଠିଆ ହେବାକୁ ଦମ୍ଭ ନାହିଁ, ଯେ ପଡ଼ିଗଲା ତା’ ଘା’ଟାକୁ ଟିକିଏ ଶୁଙ୍ଘି ଦେବାକୁ ତର ନାହିଁ । ବିପଦ ପଡ଼ିଲେ କେବଳ ‘ପଳା’ ‘ପଳା’ ଶବ୍ଦ । ଏଠି ମନେପଡ଼େ ଡିକେନ୍‍ସଙ୍କର ସିଡ୍‍ନି କାର୍ଟନ୍‍ ଚରିତ୍ର । ଯେତେବେଳେ ବିପଦ ଘନେଇ ଆସିଛି ଏ ଲୋକାଟା–ହୋଇପାରେ ପ୍ରେମ ପାଇଁ–ଆଉ ଜଣକ ସକାଶେ କୁରାଢ଼ି ତଳେ ବେକ ପତେଇ ଦେଇଛି । ସେମିତି ଚରିତ୍ର ପରଜାଙ୍କ ଭିତରେ ସମ୍ଭବ ନୁହେଁ । ପିଲାଦିନୁ ନିଜେ କନ୍ଦା ଖୋଳି, ଗଛ ଶିଖରୁ କୋଳି ଦି’ଟା ପାଟିରେ ପକେଇ ଯେଉଁମାନେ ବଢ଼ି ଆସନ୍ତି, ମୂଷାଟାଏ, ପକ୍ଷୀଟାଏ ଖୋଜି ଖୋଜି ଯେଉଁମାନଙ୍କ ଦିନ ବିତିଯାଏ, ସେ ସ୍ଵତଃ ହୋଇଯାନ୍ତି ଆତ୍ମକୈନ୍ଦ୍ରିକ । ସିଡ୍‍ନି କାର୍ଟନ ପରି ଉଦାର ହୋଇଗଲେ ପରଜାଟାଏ ବଡ଼ ଅସ୍ଵାଭାବିକ ଜଣାଯିବ–ବେଖାପିଆ ସୋଲ ଟୋପିଟାଏ ପିନ୍ଧିଲେ ଲଙ୍ଗଳା ପିଲାଟାଏ ଦିଶନ୍ତା !

 

ଏ ସମାଜରେ ସହାନୁଭୂତିଟା ଯେତିକି କୋହଳ, ପରଜା ପରିବାର ଭିତରେ ମମତାଟା ସେତିକି ଟାଣୁଆ । ଶୁକ୍ରୁ ଜାନି ନିଜ ପାଇଁ ଦିନେ ହେଲେ ଭାବି ନାହିଁ । ତା’ର ଚାରିଟା ପିଲା ପାଇଁ ସେ ଆଜୀବନ ପଣ କରି ଆସିଛି–ତାଙ୍କୁ ଥଇଥାନ କରିବ, ତାଙ୍କର ବଢ଼ତି ଦେଖିବ, ସେମାନେ ଘର ଦ୍ଵାର କରି, ବିଭା ତୋଳା ହୋଇ ସୁଖରେ ରହିବାର ଦେଖିଲେ ମରିଯିବ । ତେଣେ ‘ସମ୍ବାରୀ’ ତ ପୁଣି ତାକୁ ଅପେକ୍ଷା କରି ରହିଛି । ବିଭୋର ହୋଇଗଲେ ଶୁକ୍ରୁ ଜାନି ତା’ର ପିଲାଙ୍କ ମା’ କଥା ଭବିଯାଏ । ନ ହେଲେ କେବଳ ମାଣ୍ଡିଆ ଟିକ୍ରା ଜିଲି, ବିଲି, ତା’ର ମନର ଚାରି କୋଣକୁ ଘେରି ରହିଥାନ୍ତି । ରାମ ବିଶୋଇର ଗୋତି ଖଟିଲା ବେଳେ, ମାଟି ହାଣି ଥକିଗଲେ, ଶୁକ୍ରୁ ତା’ ପୁଅ ଯୋଡ଼ାକୁ ଦେଖି ବିକଳ ହୋଇପଡ଼େ । କିଛି ଉପାୟ ନ ଦେଖି ତା’ ପ୍ରାଣଠୁ ବଳି ଜମି ସୋରାକ ବନ୍ଧା ପକାଏ ! ସବୁ ସେ ପିଲାଙ୍କ ପାଇଁ ସିନା । ଏତେ ହଇରାଣ ମାନହୀନ ହେଲେ ପଛେ ଜିଲି, ବିଲି, ଆଉ ବୁଢ଼ା ବାପଟାକୁ ଏଡ଼ି ପାରିଲେ ନାହିଁ । ପଇସା ରୋଜଗାର ନ ହେଉ ବରଂ ଗାଁକୁ ଫେରିବାକୁ ହେବ । ‘ବାପ’ କହୁଛି !!

 

ଏମାନଙ୍କ ସରଳତା ହିଁ ଏମାନଙ୍କ କାଳ । ସମ୍ବରଟାଏ ଯେମିତି ରାତି ଅଧାରେ ଅକସ୍ମାତ୍ ଆଲୁଅଟାକୁ ଆବାକାବା ହୋଇ ଚାହିଁ ରହିଯାଏ, ଆଲୁଅ ପଛରୁ ନଳୀ ସଜଡ଼ା ହୁଏ, ଲାଖ କରି ଚୋଟ ବସେଇ ଦିଏ ବଣୁଆ ! ଟିକିଏ ଯଦି ବୁଝି ପାରୁଥାନ୍ତା ଓଲା ପିଲାଳିଆ ସମ୍ବରଟା-! ‘ଗାରଡ଼’ର ମାଲିକପଣିଆ, ରାମଚନ୍ଦ୍ର ବିଶେଇର ଟଙ୍କା ଥଳି, ସବୁ ନୂଆ ଆଲୁଅ । ତା’ ପଛରେ କେତେ ମିଛ ସାକ୍ଷୀ ଦେଇ ତାକୁ ବୁଡ଼େଇ ଦିଆହୁଏ, କେତେ ମିଛ ଦଲିଲ୍, ମିଛ ହିସାବରେ ତାକୁ ଆଜୀବନ ଛନ୍ଦେଇ ଦିଆଯାଏ, ଶୁକ୍ରୁ ଜାନି ବୁଝେ ନାହିଁ । ସେ ଚୋଟ ଖାଇ ଗଡ଼ିପଡ଼େ । କିନ୍ତୁ ଶେଷ ପର୍ଯ୍ୟନ୍ତ ସାହସ ହାରେ ନାହିଁ, ଆଶା ଛାଡ଼େ ନାହିଁ । ଦିନେ ନା’ ଦିନେ ସେ ଟଙ୍କା ଶୁଝି ମୁକୁଳିବ । ନିଜ ଜମି ନିଜ ହାତରେ ଚଷିବ । ତା’ର ମାଣ୍ଡିଆ, ଟିକ୍ରା ନୂଆ ଘର ତୋଳି ବୋହୂ ଆଣିବେ । ଜିଲି, ବିଲି ତା’ ପାଇଁ ଝୋଲା ଟଙ୍କା ଆଣିବେ । ସଂସାର ପୁଣି ହସି ଉଠିବ, ସମ୍ବାରୀର ଡୁମା ସନ୍ତୁଷ୍ଟ ହେବ-। କିନ୍ତୁ ସେ ବୁଝେନାହିଁ ତା’ର ତୋଟି କଣା ହୋଇ ତା’ ଉଷୁମ ରକ୍ତଯାକ ରାମ ବିଶେଇର ଦାଢ଼ୁଆ ଜିଭରେ ଇଡ଼ି ହୋଇ ଯାଉଛି, ସେ ଖାଇ ଯାଉଛି ତାକୁ, ତା’ ପରିବାରକୁ ତା’ ଖାବଳାରେ ପକେଇ । ବୁଝିଲା ବେଳକୁ ବହୁ ଡେରି ।

 

ପରଜା ପରର ଛନ୍ଦ କପଟ ସିନା ବୁଝେ ନାହିଁ, କିନ୍ତୁ ନିଜ ସମ୍ମାନକୁ ଖୁବ୍ ବୁଝେ, ନିଜ ଧର୍ମକୁ ଖୁବ୍ ବୁଝେ । ସେଇ ଇଜ୍ଜତ୍ ଉପରେ ଆଞ୍ଚ୍ ଆଣିବାକୁ କାଉ ପରଜାକୁ ଶୁକ୍ରୁ ଜାନି ଛେଚି ଦେଇଗଲା ଓ ଶେଷରେ ସେଇ ଇଜ୍ଜତ୍ ଦି’କଡ଼ାର ହେଇଯିବାର ଦେଖି ରାମ ବିଶେଇଇ ମାଉଁସିଆ ବେକରେ କୁରାଢ଼ି ପାହାର ହାଙ୍କି ଦେଇଗଲା । ତା’ ଝିଅ କୁଲି ଲାଗିବେ ନାହିଁ, ବରଂ ଭୋକରେ ମରନ୍ତୁ । ତା’ ପିଲେ ଗୋତି ଖଟିବେ ନାହିଁ ବରଂ ସେ ମୁଣ୍ଡ ବିକି ମରିଯାଉ, ବରଂ ସାତପୁରୁଷୀ ଜମି ସାଉକାର ଖାଇଯାଉ ! ବଡ଼ ଟେକ ଶୁକ୍ରୁ ଜାନିଟାର ! ସେ ଭାଙ୍ଗିଯିବ ପଛେ ନଇଁବ ନାହିଁ । କାହା ଦୁଆରେ ହାତ ପତେଇବ ନାହିଁ । କାହାକୁ ଦାନ୍ତ ନିକୁଟି ନେହୁରା ହେବ ନାହିଁ । ଯାଉ ଚାଲି ଜୀବନଟା, ସେଥିରେ କିଛି ଯାଏ ଆସେ ନାହିଁ ।

 

ଗୋଟିଏ ପରଜା ପରିବାରକୁ କେନ୍ଦ୍ର କରି ଏ ଉପନ୍ୟାସ । କେବଳ ଗୋଟିଏ ପରିବାରର ପତନର କାହାଣୀ । ବାକି ସବୁ ଦେଖାଣାହାରୀ, ପାଠକ ସମେତ । ମଝିରେ ମଝିରେ ଆକାଶର ଫାଙ୍କ ଦେଇ ଗୋଟାଏ ବିରାଟ ସୂଚନା ନଇଁ ଆସିଛି । ଭାଗ୍ୟର ଝିଙ୍କା ଓଟରା ଭିତରେ ଗଭୀର ଏକ ଜୀବନ-ଦର୍ଶନ ମୁଣ୍ଡଟେକି ପୁଣି ବୁଡ଼ି ଯାଇଛି, କିନ୍ତୁ ଆମୂଳଚୂଳ ଛଳ ଛଳେଇ ରହିଛି କବିତା; ଗୋପୀ ବାବୁଙ୍କର ଭାଷାଗତ ସ୍ଵଚ୍ଛଳ କବିତା ଠିକ୍ ପରଜା ଜୀବନ ପରି । ଯେତେ ଯାହା ହୋଇଗଲେ ମଧ୍ୟ ପରଜାର ଡୁଙ୍ଗଡୁଙ୍ଗା ନୀରବ ହୁଏନାହିଁ । ତା’ର ଗୀତ ଥମିଯାଏ ନାହିଁ, କି ତା’ର ସାରିଆ ଫୁଲିଆ ଅନବରତ ହସ ଫିକା ପଡ଼ିଯାଏ ନାହିଁ । ମହୁଲିଆ ମତାଣିଆ ଉପନ୍ୟାସଟାର ବାତାବରଣ । କାହାଣୀଟା ଆଗ ମନ ରଞ୍ଜେଇ ଦିଏ କିନ୍ତୁ ପରେ ଏମିତି ତତେଇ ଦିଏ, ଆଉଟି ଦିଏ, ଯତେଇ ଦିଏ ଯେ ଦଶ ଦିଗ ଅନ୍ଧାର ଦିଶିଯାଏ । କିଏ ମଲା କିଏ ଗଲା ଆଉ ଜଣାପଡ଼େ ନାହିଁ । ଉପନ୍ୟାସ ସରିଗଲେ ଅସହାୟ ପରାଜାଗୁଡ଼ିଙ୍କ ପାଇଁ ଗୋଟାଏ କରୁଣ କୋହ ଆଉ ତାଙ୍କ ରକ୍ତ ଚିପୁଡ଼ି ଖାଉଥିବା ବିଶୋଇଗୁଡ଼ାଙ୍କ ପାଇଁ ଏକ ବିଜାତୀୟ ଘୃଣା ଉପରକୁ ଉଭାରି ରହେ । ତା’ ପଛକୁ ଶୀତଳ ରଣ କୁହୁଡ଼ି ପରି ନୀରବରେ ଭାସୁଥାଏ ସେଇ ପାହାଡ଼ ଚୂଳର ସଂଗୀତ-ସର୍ବସ୍ଵ ପରଜା-ପଲ୍ଲୀଟିର ସ୍ମୃତି ।

Image

 

ଛ’ ମାଣ ଆଠ ଗୁଣ୍ଠ

 

“ଛ’ ମାଣ ଆଠ ଗୁଣ୍ଠ”ଟାକୁ ସୂତା ପକେଇ ମାପିଦେଲା ବେଳକୁ ଜଣାପଡ଼େ ଯେ ଏମିତି ବଢ଼ିଆ କଥା ଏମିତି ଗଫଲିୟତି ନ ରଖି ଓସ୍ତାଦି ଢଙ୍ଗରେ ଆଉ ଭଲା କିଏ କହିବ !! ଭିତରେ ଭିତରେ ସ୍ଵଗତୋକ୍ତିରେ ସାବାସି ବାହାରେ– ‘ୱାଃ, ଭାଇ ଫକୀରମୋହନ, ଓରେଫ୍ ମୋ ସାହିତ୍ୟର ଆଗୁଆ ବାହାଦୁର ସେନାପତି, ଓଡ଼ିଆ ଉପନ୍ୟାସର ଆଦ୍ୟ ଗୁରୁ !!’

 

ଓସ୍ତାଦ୍ ବୁଢ଼ା ଫକୀରମୋହନ ! କଥାଟା ବଙ୍କେଇ କହିବାକୁ ଯାଇ ତାକୁ ଏମିତି ବାଗରେ ଲତେଇ କହି ଦେଇଥିବ ଯେ ଆଉ ତା’ ଲାଖି କିଛି କହି ହେବ ନାହିଁ ଯେମିତି ! ପଦେ ପଦେ କଥାରେ ଆମକୁ ବେବକୁବ୍ ବନେଇବା ଭଳି ଏମିତି ରସୁଆଳ କଥାକାର କୋଟିକେ ଗୋଟିଏ ହେବେ ପରା ! ଏଣୁ ପ୍ରଥମେ ନଜର୍ ପଡ଼େ କହିବାର ଏ ଅଦ୍ଭୁତ ମାର୍ଗଟା ଉପରେ । କଥା ସୁଅକାଟି ଚାଲିଥିବ ଗୋଟେ ଆଡ଼େ ତ ପାଣିପିଟା ଚାଲିଥିବ ଆଉ ଆଡ଼େ । ଯଦି ଏ ବ୍ୟଙ୍ଗପ୍ରେମୀ ରସିକ ବୁଢ଼ାଟାର ଅପାଙ୍ଗ କିଏ ବୁଝି ନ ପାରିଛି ସେ ଆଉ ଏ ପୋଥି ନ ପଢ଼ିବା ଉଚିତ । କିନ୍ତୁ ବୁଢ଼ା ନିଜେ ବୁଝେଇ ହୋଇ ଯାଆନ୍ତି । ଅଧେରୁ ଅଧିକ ବାଟ ଆସି ତାଙ୍କ ପ୍ରିୟ ପାଠକକୁ ପାଛୋଟି ନେଇ ଯାଆନ୍ତି ମଙ୍ଗରାଜଙ୍କ ଅମାର ଘରର କୋଲପ ପଛ ଆଡ଼କୁ । ନ ବୁଝିଲା ନ ବୁଝିଲା ପରି ଲାଗେ, କିନ୍ତୁ ନ ବୁଝି ରାସ୍ତା ନାହିଁ । ଏମିତି ଏ ପଟ ସେ ପଟ ଆଖି ଚମକେଇ, ଫୁଟୁକି ମାରି ଫକୀରମୋହନ ତାଙ୍କ ପାଠକକୁ ସବୁ ସୂଚେଇ ଦିଅନ୍ତି, ଦର୍ଶେଇ ଦିଅନ୍ତି । କିନ୍ତୁ ଠିକଣାରେ ଠୋ କରି କିଛି କହିଦେବା ତାଙ୍କ ଧାତୁରେ ଚଳେ ନାହିଁ । ମଙ୍ଗରାଜେ ଏକାଦଶୀ ରାତିରେ ସେରେ ଦୁଧ, ଦିଶୁ ଖଇ, ନବାତ, ପାଚିଲା କଦଳୀ ଲୁଚି ଲୁଚେଇ ପାରଣା କରିବା ଏମିତି ସିଧା ସଳଖ କହିଦେଲେ ଲୋକଟା ହେଇଯିବ ନାଲାଏକ୍ ଆଉ ଲେଖାଟା ମଧ୍ୟ ହୋଇଯିବ ତଦନୁ ରୂପ ନାଲାଏକ୍ । ଟିକିଏ ଓକିଲାତି ଢଙ୍ଗରେ ଲୋକଟାକୁ ଘୋଡ଼େଇ ନେବା ବାହାନା କରାଯାଉ ! କିନ୍ତୁ ଏ ପାଖ ଆବୋରି ସେ ପାଖ ଆଡ଼େଇ ଦିଆଯାଉ । ସେଥିରେ ସାଧାରଣଟାକୁ ଅସାଧାରଣ କରି ହେବ, ଧୂର୍ତ୍ତ, ଶଠ, ପରସ୍ଵାପହାରୀ, ଖୁନୀଟାକୁ ଜମିଦାର ମଙ୍ଗରାଜ ରୂପେ ଥୋଡ଼ାଏ ବାଟ ଗଡ଼େଇ ନେଇ ହେବ । ଚମ୍ପାଟାକୁ ସେମିତି ବାହାଡ଼ାଦାନ୍ତୀ, ଡଗଡଗି, ଭ୍ରଷ୍ଟା, ଦୁଷ୍ଟା କହିବା ସହଜ, କିନ୍ତୁ ସେମିତି କହି ଦେବାକୁ ସେନାପତିଙ୍କ ଅଭିଜାତ କଲମ ଏକେବାରେ ନାରାଜ ! କହିଦେଲେ ତ ଭଣ୍ଡୁର ହେଇଯିବ । ଦାଣ୍ଡରେ ହାଣ୍ଡି ପିଟା ହେଲେ ଖେଳ ଶେଷ । ସେ କଥା ଏଠି ଚଳିବ ନାହିଁ । ଖେଳେଇ ଖେଳେଇ ନେବାକୁ ହେବ । ସେଥିପାଇଁ ଫାରସୀ, ଉର୍ଦୁ, ସଂସ୍କୃତ, ବାଲେଶ୍ଵରୀ ମିଶେଇ ତାଙ୍କର ଲାଖରାଜ୍ ଭାଷା । ସେଥିରେ ଶୁଳ୍‍କ ଦଣ୍ଡ ନାହିଁ । ସେଇଟା ଫକୀରମୋହନଙ୍କ ମାଫି ଜମି-। ତା’ ଉପରେ ଫସଲ ହେଲେ ସେ କଦରଦାନ୍ ପାଠକ ଦେଖି ହକ୍ ବାଣ୍ଟ ଦେଇ ପାରନ୍ତି, କିନ୍ତୁ ଜମିଟା ଆଉ କାହା ନାଁରେ ଦଲିଲ୍ ହୋଇ ପାରିବ ନାହିଁ, ହୋଇ ନାହିଁ ମଧ୍ୟ । ସେଠି ଏବକୁ ବଣ ଉଠି ଗଲାଣି । ଚବିଶ୍ ଦସ୍ତି ପଦିକାରେ ଜମିଟାକୁ ବାରି ବାହାଲ କରିବା କାଠିକର ପାଠ ।

 

ଦେଖିବା ଉପରେ ଲେଖିବା ନିର୍ଭର କରେ । ଖୁବ୍ ଗହିରେଇ ଦେଖି ନ ଜାଣିବା ଲୋକ ଲେଖିପାରେ ନାହିଁ । ଲେଖିଲେ ସେମିତି ଉପର ଠାଉରିଆ ଦି’ପଦ ହୁଏତ ଲେଖେ । ପାଦ ତଳୁ ଭୂଇଁ ତାଡ଼ି ନେଇଯିବା ଭଳି ଲେଖା ତା’ ଆୟତ୍ତରେ ହୁକୁ ନାହିଁ । ଜୀବନଟାକୁ ଫକୀରମୋହନ ମୁଚୁକି ମାରି ଦେଖିଛନ୍ତି, ଆଉ ଖୁବ୍ ପାଖେଇ ନିଘା ଜମେଇ ଦେଖିଛନ୍ତି; ଏଣୁ ଏ ମୁଚିକିମରା ଲେଖା । ଗର୍ହିତ କଥାଟାକୁ ବିଚାରକ ଦୃଷ୍ଟିରୁ ନ ଦେଖିଲେ ଗମ୍ଭୀର ହେବାର କୌଣସି ପ୍ରୟୋଜନ ନାହିଁ । ବେଶ୍ ତାକୁ ଟିକିଏ ଉପଭୋଗ କରି ହେବ; ଟିକିଏ ସହିଯାଇ ତାକୁ ଟିକିଏ ଭଲ ପାଇ ହେବ । ଫକୀରମୋହନ ଭାରି ଉଦାର ଭାବରେ ଜୀବନଟାକୁ ସହିଛନ୍ତି । ତା’ର ନାନା ପ୍ରକାର ବାଗ ଅବାଗକୁ ଦେଖଣା-ହାରୀର ନିର୍ଲିପ୍ତତା ନେଇ ଗ୍ରହଣ କରିଛନ୍ତି । ଏଣୁ ପରିହାସ ଛଳରେ ଗୁଡ଼ାଏ ମସିଆ, ବିସ୍‍କିଟିଆ ବୁଜୁଳା ଫିଟେଇ ମଣିଷଟାକୁ ଦେଖେଇଛନ୍ତି ତା’ର ଗୋଟାଏ ନମୁନା । ଆଦ୍ୟେ।ପ୍ରାନ୍ତ ଫକୀରମୋହନ ନିର୍ଲିପ୍ତ ଦ୍ରଷ୍ଟା । ଟିକିଏ ବୋଲି କେଉଁଠି ହେଲେ ସେ ଚହଲି ଯାଇ ନାହାନ୍ତି । ସାପୁଆ କେଳା ଯେମିତି ନାଗକୁ ଫଣା ମେଲେଇ ଖେଳାଏ, ତା’ର ଚୋଟଯାକ ପଡ଼େ ପେଡ଼ିଖୋଳ ଉପରେ ସେମିତି ଉପନ୍ୟାସ ଭିତରେ ଖୁନୀ ମାମଲା ହୋଇଯାଏ, ନାନା ଭଣ୍ଡାମି ଜୁଆଚୋରୀ ଭିତରେ ସେ ଆଦୌ ଉତ୍ତ୍ୟକ୍ତ ହେବାର ଦେଖାନାହିଁ । ସେମିତି ସ୍ଥିର, ଭଦ୍ର ଭାବରେ, ଅଳ୍ପ ରସିକତା କରି ସେ ଗଡ଼େଇ ନେଇଯାନ୍ତି ଘଟଣା ଗୁଡ଼ାକୁ । ମୋଟ ଉପରେ ତାଙ୍କ ଭାଷା ଯେମିତି ସାଧାରଣଟାକୁ ଅସାଧାରଣ ଜରିଜାମା ପିନ୍ଧେଇ ଦିଏ, ତାଙ୍କ ଉଦାର ଦୃଷ୍ଟିଭଙ୍ଗୀ ଅସାଧାରଣଟାକୁ ସାଧାରଣ ଭାବରେ ଅବିଚଳିତ ହୋଇ ମଧ୍ୟ ଦେଖେ । ଫଳରେ ଅନ୍ଧାରରେ ନିଛାଟିଆ ଦୋକାନ ଭିତରେ କେନ୍ଦୁଆ ଶୁକରୀକୁ ଝାମ୍ପି ଭିଣିଦେଲା ପରି ଗୋବିନ୍ଦା ଚମ୍ପାକୁ ଖୁରରେ କାଟି ପକାଇଲା ବେଳେ ଭାଷା ଓ ବର୍ଣ୍ଣନା ହୋଇଯାଏ ଇଙ୍ଗିତଧର୍ମୀ ଓ ଗୋଟାଏ ବିଭୀଷିକା ହୋଇଯାଏ କେବଳ ଗୋଟିଏ ବିକଟାଳ ଚିତ୍ର । ତାକୁ ଚଞ୍ଚଳ ଗଡ଼େଇ ନେଇ ଆଉ କଥାରେ ପାଠକକୁ ଛନ୍ଦି ନେଇ ଫକୀରମୋହନ ପଳାନ୍ତି । ବିଲୁଆ, ବାଦୁଡ଼ି, ଅନ୍ଧାର ବରଗଛରେ ଝଡ଼ କଥା କହୁ କହୁ ହତ୍ୟା ସରିଯାଏ । ଲେଖକ ଖଲାସ, ପାଠକ ମଧ୍ୟ ଉଶ୍ଵାସ । ତେଣିକି ପୁଣି ସ୍ଵାଭାବିକ ଢଙ୍ଗ, ସ୍ଵାଭାବିକ ରସିକତା, ସେମିତି ମୁଚୁକି ମାରୁଥିବା ବ୍ୟଙ୍ଗ ପରିହାସ । ଏଇଟା ଗୋଟାଏ ଅଦ୍ଭୁତ ଶୈଳୀ ।

 

କିନ୍ତୁ ତା’ଠୁଁ ଅଧିକ ନ ହେଲେ ମଧ୍ୟ ସେତିକି ଅଦ୍ଭୁତ ଛ’ ମାଣ ଆଠ ଗୁଣ୍ଠର ଚରିତ୍ର ପୁଞ୍ଜାକ । ବାପରେ ବାପ୍ ! କି ଚରିତ୍ର !! କାହା କଥା ଆଗେ ଲେଖିବା ! ଏକୁ ଆରେକ ମହାବଳୀ-!! ମଙ୍ଗରାଜକୁ ପ୍ରଥମେ ଥାନ ନ ଦେଲେ ହଠାତ୍ ପଛରୁ ଶୁଭୁଛି–“ବେ, ଗୋବରା ! ୟାକୁ ଦି’ ପୁଞ୍ଜା ଛେଚି ଆଗ ଦାରୋଗା ପାଖରେ ଏତଲା କରିଦବୁଟି ! ସେ ଆମକୁ ବେଇଜ୍ଜତି କଲା ! ତା’ ଭଲ ପାଇଁ ତ ଆମେ ତାକୁ କିଛି ଏମିତି ଶିଖେଇବା । ନ ହେଲେ ତା’ ମୁହଁ ବଢ଼ିଯିବ ନାହିଁ ? –ଇଜ୍ଜତ୍ ଦାବିରେ ତା’ କାଗଜ କଲମ ସବୁ ଜବଦ୍ କରି ପୋଡ଼ି ଦେ !” ମନେହୁଏ ଏଇଟା ଖୁବ୍ ସମ୍ଭବ ! କଚଟି ଠଉଁ ହାତ ଦୁର୍ବଳ ହୋଇଯାଏ । ଭୟରେ ଜମିଦାର କଥା ଆରମ୍ଭ କଲା ବେଳକୁ ପୁଣି କେଉଁଠୁ ଶୁଭେ, “ହାଁ !! ଏଡ଼େ ବହପ ପୋଇଲାଟାର ! ମୋ’ ପରା ସାଆନ୍ତାଣୀକୁ ପଛେଇ ଦେଲା-! ରହ ଦଉଚି ତୋ ଅନ୍ତପୁଟା ଦୁହିଁ । ତୋ’ ରକ୍ତ ଚିତା ଯଦି ନ ଘେନିଛି, ମୋ ନାଁ ଚମ୍ପା ନୁହଁ !” ହେ’ ମା ଟାଙ୍ଗି ମାଉସୀ ! ଏ ବାରକ ରଖି ଯା ! ଯା ଦେବୀ ଉପନ୍ୟାସେଷୁ କର୍ତ୍ରୀ ରୂପେଣ ସଂସ୍ଥିତା ! ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ । ଅତଏବ ଅଗତ୍ୟା ପ୍ରଥମେ ଚମ୍ପା !

 

ଗୋହିରୀ ଦାଣ୍ଡରେ ମାଣିଆବନ୍ଦି ପଣତ କାନି ମେଲେଇ ଖଣ୍ଡି ଉଡ଼ା ଦେଇ ଚାଲୁଥିଲା ବେଳେ ଚମ୍ପା ଟିକିଏ ଚହଲେଇ ଦିଏ । କାରଣ ସେତେବେଳେକୁ ଦୂରରୁ ମାଣିଆ ବନ୍ଦିଟା ତ ଦିଶୁଥାଏ । ସେ ଶାଢ଼ିଟାର ଭୁଆଷୁଣିଆ ରଙ୍ଗ ନାରୀର ଆକାର ଉପରେ ଗୋଟାଏ କିମିଆଁ କରିବା ଭାରି ସ୍ଵାଭାବିକ କଥା । ଯଦି ନ କରିଛି ତେବେ ପାଠକକୁ ଇଲମ୍ ଦାର୍ ନ କହିଲେ କସୁର୍ ଆଉ କେଉଁଠି ରହିଲା ? କିନ୍ତୁ ପରେ ପରେ ତା’ ବାହାଡ଼ା ଛାମୁ ଦାନ୍ତରେହା ବୁଡ଼ା ଖାଇ ତା’ର ବେହୋସି ଭଙ୍ଗେ । ସେ ଅନେଇ ଦିଏ ଚମ୍ପାର ରୂପକୁ । ତାକୁ ‘ଗୋରୀ’ କହିବା ବର୍ଣ୍ଣ ବିଷୟରେ ଅଜ୍ଞତା; କିନ୍ତୁ କାଳୀ କହିଲେ ସେ କାମୁଡ଼ି ପକେଇବ ବୋଲି କାଳିଦାସଙ୍କ ଉହାଡ଼ରୁ ତାକୁ ‘ଶ୍ୟାମା’ ବୋଲି ସେନାପତିଏ ଲେଖି ପକାଇଛନ୍ତି । ତା’ପରେ ସୌଜନ୍ୟ, ସଂକୋଚ ଆଉ ଯୁଗ ରୁଚିକୁ ଜଗି ଯେଉଁ ଅବିଶଦ ବର୍ଣ୍ଣନା ଅଛି ତାକୁ ମିଶେଇ ଗୋଟାଏ ଧାରଣା କରାଯାଇ ପାରେ । କଳା ଦେହକୁ ତେଲ ହଳଦୀ ବାହାଡ଼ା ଦାନ୍ତକୁ ଗୁଣ୍ଡି ମିଶା ଖିଲ୍ଲୀର ବୋଳ, ଏବଂ ଷୋଳ ହାତୀ ଶାଢ଼ିକୁ ଥୋପଭିଡ଼ା ଜୁଡ଼ା ମିଶେଇଲେ ‘ଦୁମୁ ଦୁମୁ’ ‘ଗୁମୁ ଗୁମୁ’ ଚାଲି ବଳେ ବାହାରିବ । ଏ ରୂପ ଦେଖି ଶଙ୍କି ନ ଯିବ ଏମିତି ପୁଅ କାହିଁ ? ଦେଖିଦେଲେ ପଳେଇବା ବ୍ୟତିରେକ ଗତ୍ୟନ୍ତର ବା କାହିଁ ?

 

କିନ୍ତୁ ପଳେଇ ହୁଏ ନାହିଁ । ସେ ମାଣିଆ ବନ୍ଦିରୁ ଜାଲ ଭିତରୁ କି ଉବୁରି ହୁଏ ନାହିଁ ଚମ୍ପାର ଏକ ଦୁର୍ନିବାର ଆକର୍ଷଣ ପାଶରୁ । କୁଟିଳା ସର୍ପିଣୀର ବକ୍ର ଛନ୍ଦ ଦେଖି ଯେମିତି ତାକୁ ଅନେଇ ରହି ଯିବାକୁ ହୁଏ, ତା’ର ଆଖିରେ ନିଆଁ ଓ ଜିଭରେ ବିଷ ବୁଝି ମଧ୍ୟ ସେଇଠି ଜଡ଼ି ଯିବାକୁ ହୁଏ, ସେମିତି ଚମ୍ପାର ଶୟତାନୀ ଆକର୍ଷଣ । ସେନାପତିଙ୍କ କଥା-ଜାଲ ପଛରୁ ତ ବାହାଦୁର ପାଠକଟାକୁ ଏମିତି କାବୁ କଲା ଭଳି ନାରୀ ଏଇ ଚମ୍ପା, ତେବେ ମଙ୍ଗରାଜେ ତା’ ହାତ ମୁଠା ଭିତରେ ଯେ ବିଳାସ ନ କରିବେ ଏ କଥା କେମିତି କହିବା ! ମଙ୍ଗରାଜ ପରିବାରରେ ଚମ୍ପା ଶମ୍ପା ପରି ଆବିର୍ଭୂତା ହୁଏ । ଯେମିତି ମେଘ ଅନ୍ଧାର କରି ଘୋଟି ଆସିଲେ ବଳେ ବିଜୁଳି ଚମକି ଉଠେ; ରାମଚନ୍ଦ୍ର ମଙ୍ଗରାଜଙ୍କର ଚକ୍ରାନ୍ତ, ଷଡ଼ଯନ୍ତ୍ର ସବୁ ପାକଳ ହୋଇ ମଞ୍ଜ ଧରି ଆସିଲା ବେଳକୁ ଯେ ଅକସ୍ମାତ୍ ଚମ୍ପା ଆସି ପହଞ୍ଚିଥିବ ଏ କଥା ଫକୀରମୋହନଙ୍କୁ ଟିକିଏ ଆଡ଼ କରି ଆମେ କହିପାରୁଁ । ମଙ୍ଗରାଜ ଭିତରର ପିଶାଚ ଯେତେବେଳେ ପ୍ରସ୍ତୁତ ସେତିକିବେଳେ ଚମ୍ପା ପାଇଥିବ ଉପଯୁକ୍ତ ପରିବେଶ, ପାଇଥିବ ସ୍ଵାଗତ ସମ୍ଭାଷଣ ଓ ଉଭୟେ ଲୁଚେଇ ଦେଖେଇ ମିଶି ଯାଇଥିବେ ।

 

ଚମ୍ପା ଚତୁରା । ଖୁର ଧାର ପରି ତା’ର ବୁଦ୍ଧି ଓ ସେମିତି ଟାଣୁଆ, ଆଉ ଅଣବାହୁଡ଼ା । ସେ ମଙ୍ଗରାଜ ପରିବାରରେ ଆସି କ୍ଷଣକେ ବୁଝି ଯାଇଥିବ କେଉଁ କୁଣରୁ ଜାଲ ଫିଙ୍ଗିବ ଫଳରେ ସାଆନ୍ତଙ୍କୁ ଫିସାଦିରେ କାବୁ କରି ତାଙ୍କ ଜଳନ୍ତା ନିଆଁରେ ତେଲ ଯୋଗେଇ ସେ ହୋଇଥିବ ବିଶ୍ଵସ୍ତା ମନ୍ତ୍ରିଣୀ । ଯେଉଁ ରାଜ୍ୟରେ ମଙ୍ଗରାଜ ନିଶାଚର ପରି ଏକୁଟିଆ ବିଚରଣ କରୁଥିଲେ ସେଇଠି ଚମ୍ପା ହେଲା ସହଚରୀ, ପରାମର୍ଶଦାତ୍ରୀ, ପ୍ରୋତ୍ସାହିନୀ । ମଙ୍ଗରାଜେ ମଧ୍ୟ ସହଜ ଲୋକ ନୁହନ୍ତି । ଭାରି ଗହୀରରେ କଳିଦେବେ ସେ ମଣିଷଟାକୁ । କିନ୍ତୁ ଚମ୍ପା ପାଖରେ ତାଙ୍କର ନଙ୍ଗଲ ପାଏ ନାହିଁ । ଚମ୍ପା ମଙ୍ଗରାଜଙ୍କ ମଙ୍ଗ ବୁଡ଼ା । ଚମ୍ପା ଚାହିଁଛି ମଙ୍ଗରାଜ କେମିତି ତାକୁ ବିଶ୍ଵାସ କରୁ, ନିଜ ସମେତ ସମସ୍ତ ସମ୍ପତ୍ତି ଓ ପରିବାରଟାର ଦାୟିତ୍ଵ ସମର୍ପି ଦେଉ ଏବଂ ମଙ୍ଗରାଜ ତାହା କରିଛନ୍ତି । କିନ୍ତୁ ଚମ୍ପା ତାଙ୍କୁ ଯାହା ଦିଶିଛି ସେ ତାହା ନୁହେଁ । ଏ ସବୁ ବିଶ୍ଵାସ ଓ ଦିଆ ନିଆ ଭାବର ଅନ୍ତରାଳରେ ସେ ଚାହିଁଛି କେମିତି ସବୁ ନିଜେ ହଜମ୍ କରି ବସିଯିବ । ତା’ ନିଜ ପେଟ ପୂରିଗଲେ ସେ ଆଉ କାହା ବିପତ୍ତିରେ ଚହଲିବା ଲୋକ ନୁହେଁ, ମଙ୍ଗରାଜଙ୍କ ବିପତ୍ତିରେ ମଧ୍ୟ ନୁହେଁ । ଚମ୍ପା ଖାଲି ବହକେଇ ଦିଏ, କହଲେଇ, ସହଲେଇ ଟୋପି ମାରିଦିଏ । ଗଣ୍ଠି କାଟିବା ତା’ର ଧର୍ମ, ସେଥିପାଇଁ ତଣ୍ଟି ମଧ୍ୟ ସେ କାଟି ଦେଇପାରେ । ଆସୁରୀ ମାୟା ପରି ତା’ର ଧୂଆଁ ବାଣ; ସେଥିରେ ମଙ୍ଗରାଜ ସଦୃଶ ଦାନବ ତ ଭେଦିପାରି ନାହଁ, ଆଉ କିଏ ବା କି ଛାର !

 

ଚମ୍ପାର ଚତୁରତା ଓ ଶଠତାକୁ ଚାହିଁ ତା’ର ମର୍ଦାନୀ ବହପ ତାକୁ ଗୋଟାଏ ରକ୍ତମୁଖୀ ବାଘୁଣୀର ଭୟଙ୍କର ରୂପ ଦେଇଛି । ସେ ଏକା ଏକା ପାଞ୍ଚଟା ମଣିପିର ସାହସ କରିଯାଏ, ତାକୁ ଭୟ ଭ୍ରାନ୍ତି ନାହିଁ । ମହା ଫନ୍ଦିବାଜ୍ ତା’ ମଗଜରେ ସେ ଯେମିତି ସର୍ବନାଶୀ ଯୋଜନା ଗଢ଼ି ଥୋଇଦିଏ ତାକୁ କାର୍ଯ୍ୟକାରୀ କରେ ମଧ୍ୟ ସେମିତି ହିମ୍ମତ୍‍ର ସହିତ । ନେତ ଉପରେ ଆଖି ରଖି ଜାଲ ପକାଉ ପକାଉ ଭଗିଆ ସାରିଆ ଉଚ୍ଛନ୍ନ ହୋଇଗଲେ, ତାଙ୍କ ଆଖି ଆଗରେ ଛ’ ମାଣ ଆଠ ଗୁଣ୍ଠ ଜମିରେ ମଙ୍ଗରାଜର ହଳ ପଶିଲା । କୁଡ଼ିଆ ଖଣ୍ଡ ଧୂଳିସାତ୍ ହେଲା । ‘ହରକଳା’ର ଆନନ୍ଦ କହିଲେ ନ ସରେ । ପୁରାଣର କଳହା ପରି ପରର ହା ହା କାର ଭିତରେ ସେ ମଉଜ କରେ, ପର ଘରେ ନିଆଁ ଲାଗିଲେ ସେ ତାଳିମାରି କୁରୁଳି ଉଠେ । କିନ୍ତୁ ପକ୍ଷୀ ଛୁଆକୁ ସାପ ଘେରିଲା ପରି ଯେତେବେଳେ ମଙ୍ଗଳା ନାଁରେ ସାରିଆକୁ ତା’ ଖାବଳାରେ ପୂରେଇ ଚମ୍ପା ତାକୁ ମୋଡ଼ୁଛି, ସେ ସବୁ କମ୍ କୌଶଳ ଓ ସାହସର କଥା ନୁହେଁ । ବାଘ ସିଂହ ଘର ଭିତରେ ପଶି ଏଡ଼େ କଥା ଏକାକୀ ସାଧି ଆସିବା ପାଇଁ କେବଳ ଏଇ “ଟାଙ୍ଗି ମାଉସୀ” ହିଁ ସମର୍ଥା ।

 

ଆଛା ଯେତେହେଲେ ତ’ ଚମ୍ପା ବିଧାତା ସୃଷ୍ଟରେ ଗୋଟିଏ ନାରୀ । ତା’ର କ’ଣ ମମତା ଟିକିଏ ନାହିଁ, କାହାରି ପ୍ରତି ଟିକିଏ ମୋହ ନାହିଁ, ସାମାନ୍ୟ ଟିକିଏ ଆକର୍ଷଣ ନାହିଁ ? ସେ କ’ଣ ପ୍ରେମ କରି ଶିଖି ନାହିଁ ?...ବା ଚମ୍ପା କ’ଣ କେବେ ମା’ ହୋଇ ପାରିଥାନ୍ତି ? ...ସେନାପତିଙ୍କୁ ପଚାରିଥିଲେ ସେ ବୋଧହୁଏ ତାଙ୍କ ଆମ୍ବଟାକୁଆ ଥୋଡ଼ି ଟେକି ଅଳ୍ପ ହସିଥାନ୍ତେ । କହିଥାନ୍ତେ, “ଆରେ ବାୟା ! ଚମ୍ପାଟାକୁ କ’ଣ ଏମିତି ସେମିତି ମାଇକିନିଆ ଠଉରେଇଲୁ କି ? ଏ ସବୁ ଚିକ୍‍କଣ କାରିଗରି ଲଗେଇ ଚମ୍ପାଟାକୁ ମାଠି ଦେଲେ ସେ ଆଉ ଚମ୍ପା ହୋଇ ରହିବଟି ?–ଆରେ, ସେଇଟା ପରା ଗୋଟାଏ ବ୍ୟତିକ୍ରମ !” ହେଲା ଅବା ଚମ୍ପା ଗୋଟାଏ ବ୍ୟତିକ୍ରମ । ତା’ଠି ମୋହ ମମତା କିଛି ନାହିଁ । ଏପରି କି ମଙ୍ଗରାଜ ପାଇଁ ମଧ୍ୟ ନୁହେଁ । କିନ୍ତୁ ଏପରି ଶଠତା, ନୃଶଂସତା ସାଙ୍ଗକୁ ତା’ର ନୈତିକ ଚରିତ୍ରଟି ଗୋଟିଏ ପ୍ରଶ୍ନବାଚୀ ପରି ରହିଗଲେ କେମିତି ଗୋଟାଏ ବେଖାପିଆ ଲାଗୁ ନାହିଁ-? ଆଚ୍ଛା, ମଙ୍ଗରାଜ ସହିତ ଚମ୍ପାର ପ୍ରକୃତ ସମ୍ପର୍କଟା କ’ଣ ? ଖାଲି କ’ଣ ଷଡ଼ଯନ୍ତ୍ର, ପରଚର୍ଚ୍ଚା, ଘରବୁଡ଼ା ଚକ୍ରାନ୍ତ କଲେ ଏମିତି ନିବିଡ଼ତା ଆସିପାରେ ?–ସହଧର୍ମିଣୀଠାରୁ ଗୋଟାଏ ବେଶ୍ ବୁଜ୍‍ରୁକ୍ ଲୋକଟାକୁ ବିମୁଖ କରି ଦେଇପାରେ ?...ଏମିତି ଗୁଡ଼େଇ ତୁଡ଼େଇ ପଚାରିଲେ ରସିକ ବୁଢ଼ା ଫକୀରମୋହନ ପୁଣି ଟିକିଏ ବୋଧହୁଏ ହସିଥାନ୍ତେ । କହିଥାନ୍ତେ, “ବେ, ନାତିଆ ! ତୁ’ ଏମିତି ପଚାରିଲେ କ’ଣ ମୁଁ ଗୁମର କଥାଟା କହିଦେବି ବୋଲି ଭାବିଚୁ ? ଆମ ସମୟରେ ଏ ସବୁ କଥା କୁହା ହେଉ ନ ଥିଲା ! ଏବ ପରି ହେଇଥିଲେ ତେମେ କ’ଣ ମତେ ଆଉ ବଳି ଯାଇଥାନ୍ତ ?”

 

ହଉ, ତା’ ହେଲେ, ଏତିକିରେ ହରକଳାଙ୍କର ଜୟ ହେଉ ! ସେ ଆଉ ଗୁଡ଼ାଏ ଲୋକହସା ନ ହୋଇ ହାଣ ଖାଆନ୍ତୁ ପଛେ ଇଜ୍ଜତ୍ ନ ଯାଉ ! ତାଙ୍କ ତୋଫାନୀ ବିକଟାଳ, ବିକୃତ ଜୀବନଟାର ଇତି କରିବାକୁ ଗୋଟାଏ ନିଛାଟିଆ, ନଈକୂଳିଆ ଦୋକାନ ଘର ଓ ଗୋଟାଏ ଧୂର୍ତ୍ତ ବାରିକର ଭୋକିଲା ଖୁରଠାରୁ ବଳି ଉପଯୁକ୍ତ ଆଉ କ’ଣ ଚିନ୍ତା କରାଯାଇ ପାରେ ?

 

“ଛାମୁ ଛାଡ଼ !”, ‘‘ଛାମୁ ଛାଡ଼ !”

 

ଗୋବରା ଜେନା ନିମକ୍ ଖାଇଛି । ଠେଙ୍ଗା ବୁଲେଇ ରଡ଼ି ଛାଡ଼ିଛି–“ଘରବାଲେ ଖବରଦାର୍ ! ଗାଁ ଲୋକେ ହୋସିଆର !! ମହାପ୍ରତାପୀ ଫତେପୁର ଖରସଣ୍ଢ ଜମିଦାର ସାଆନ୍ତେ ଶ୍ରୀ ରାମଚନ୍ଦ୍ର ମଙ୍ଗରାଜ କଚିରୀ ଘରକୁ ବିଜେ !”

 

ଗୋଟାଏ ହାତରେ ଶେଖ୍ ଦିଲ୍‍ଦାର ମିଆଁ ପି:କେରାମତ୍ ଆଲିଙ୍କ ବେହୋସି ଦସ୍ତଖତ୍ ସହିତ ଜମିଦାରୀର କବୁଲିୟତ୍‍ନାମା; ଆର ହାତରେ ଭଗିଚନ୍ଦ, ପି:ଗୋବିନ୍ଦଚନ୍ଦ ପରମାଣିକର ଟିପଚିହ୍ନ ମରା ଛ’ ମାଣ ଆଠ ଗୁଣ୍ଠର ଋଣ ବାବଦକୁ କଟକାବ୍‍ଲା ! ମୁହଁର ମୁଦ୍ରାଟା ମଧ୍ୟ ବେଶ୍ ଗମ୍ଭୀର । ବାଁ ପାଖେ ଧାଡ଼ିବାନ୍ଧି ଗଳବସ୍ତ୍ର ଠିଆ ରହିଛନ୍ତି ତାଙ୍କ ମୂଲିଆ ଶ୍ରେଣୀ, ନିତି ପ୍ରତି ତାଙ୍କୁ ସାରବାନ୍ ଖାଦ୍ୟ ଦେବାର ତଦାରଖ କରିଥିବାର ପରମ କାରୁଣିକ ସାଆନ୍ତଙ୍କ ଭାଟବୋଲା ଛାଡ଼ିଛନ୍ତି । ଡାହାଣ ପାଖେ ଖାଡ଼ଙ୍ଗା ଆଦି ବ୍ରାହ୍ମଣଯାକ ବଦ୍ଧାଞ୍ଜଳି ହୋଇ ଭୁରି ଭୋଜନ ପରେ ଆଶୀର୍ବାଦ ଢାଳି ଲାଗିଛନ୍ତି । ଟିକିଏ ଦୂରକୁ ମଜବୁତ୍ ଠେକାଟାଏ ଲେଖା ଭିଡ଼ି ଚିତେ ଉଞ୍ଚ ଠେଙ୍ଗାମାନ ଧରି ଡମ ସାହିର ଭେଣ୍ଡିଆ ଯାକ କଦରଦାନ୍, ମେହେରବାନ୍ ଖାଉଁଦର ଆଖି ପିଛୁଡ଼ାକୁ ଚାହିଁ ରହିଛନ୍ତି । ଇସାରା ପାଇଲେ ଇନ୍ଦ୍ର ଚନ୍ଦ୍ରଙ୍କୁ ପିଟି ଛତୁ କରିଦେବେ । ଏ ଥାଟ ଓ ଜାକ୍‍ଜମକରେ ବେଶ୍ ଗୋଟାଏ ଖାନଦାନୀ ଇଜ୍ଜତ୍‍ର ଇସାରା ମିଳିବା କଥା । କିନ୍ତୁ ଯେ ଆମକୁ ବୁଲେଇ ଏ ଦରବାର ଦେଖାଉଛନ୍ତି ସେ ଭାରି ହୋସିଆର୍ ଲୋକ । ଆଖି ମାରି କହୁଛନ୍ତି, ‘ଟିକିଏ ଶୁଣ ! ଭଲ କରି ଟିକିଏ ନିଘା ଜମେଇ ଦେଖ । ବୁଝ୍ କଥାଟାକୁ !’

 

ଆମେ ଶୁଣୁଛୁ ମୂଲିଆଯାକ କହୁଛନ୍ତି–“ଆମେ ମୁଣ୍ଡଝାଳ ତୁଣ୍ଡରେ ମାରି ମେହେନ୍ତ ଖଟିଛୁ । ଆମ ତାତିଲା ନିଶ୍ଵାସ ତ ଉପରେ ପଡ଼ୁ । ଆମ ଅସନ୍ତୋଷ ତାକୁ ଖାଇଯାଉ !”–ବ୍ରାହ୍ମୁଣେ କହୁଛନ୍ତି, “ଆମକୁ ଖଇ, ଗୁଡ଼ ଶୁଙ୍ଗେଇ ତଡ଼ିଛି, ଲୋଭୀ, ଲସ୍କର କହି ବଙ୍କାରେ ଶୋଧିଛି । ଏଇଟା ଭସ୍ମାସୁର ପରି ନିଜେ ନିଜେ ଜଳିଯାଉ ।” ଡମଯାକ କହୁଛନ୍ତି, “ଶଳା ଆମକୁ ଖାଲି ଭଣ୍ଡେଇ ଭଣ୍ଡେଇ ନିଶା ଖୁଆଇଲା, ପେଟ ପୂରେଇଲା ନାହିଁ । ଶଳାର ସର୍ବନାଶ ହେଉ !” ଏଇଟା ଶୁଣିବା ପରେ ନିଶ୍ଚୟ କ’ଣ ଗୋଟାଏ କହିଦେବାକୁ ମନ ହେବ । ‘ହାଁ’ ‘ହାଁ’ ସବୁର୍ କର । ନିନ୍ଦୁକ କ’ଣ ନାହାନ୍ତି ? ନିମକହାରାମ କ’ଣ ନାହାନ୍ତି ! ଯେ ପୋଷି ପାଳି ରହିଥିବ ତା’ର ନିନ୍ଦା କରିବା କ’ଣ ନୂଆ କଥା ? –ସେନାପତିଏ ଆମ ପାଟିରେ ହାତ ଜାବି ଦିଅନ୍ତି, କିନ୍ତୁ କହନ୍ତି, “ଟିକିଏ ସାଆନ୍ତେ ଜାବୁଡ଼ି ଧରିଥିବା କବୁଲିୟତ୍ ନାମାଟାକୁ ଦେଖ । ଗୋଟାକରୁ ଦିଲ୍‍ଦାର ମିଆଁର ସରାବ୍ ଗନ୍ଧ ଆହୁରି ଯାଇ ନାହିଁ ଓ ଆରଟାରୁ ସାରିଆର ରକ୍ତ ଛିଟାଯାକ ଲିଭି ନାହିଁ ।”

 

ଆମର ଆଉ ସମ୍ଭଳା ପଡ଼େ ନାହିଁ । ଆମେ ଚିତ୍କାର କରି ଉଠିଲା ବେଳକୁ ପୁଣି ସେନାପତିଏ ଜଗି ଦିଅନ୍ତି, “ଓ ହୋ ! ଆମେ କ’ଣ ଜାଣିନାହୁଁ ତୁମେ ମଙ୍ଗରାଜକୁ ଶଇତାନ, ଫନ୍ଦିବାଜ୍, ଶଠ, ମିଥ୍ୟାବାଦୀ, ଡକାୟତ୍, ଦଗଲବାଜ୍, ନାଲିସଖୋର୍ ଇତ୍ୟାଦି କହିବାକୁ ଚାହଁ । ସେହି ସୁଅରେ ତାଙ୍କ ପିତା ମାତାଙ୍କୁ ଇଙ୍ଗିତ କରି ଦୁଇ ଚାରିଟା ବେଆଇନ୍ ଶବ୍ଦ ମଧ୍ୟ ଉଚ୍ଚାରଣ କରିବାକୁ ଚାହଁ । ହଉ, ହେଲା ! ଆମେ କ’ଣ ତାକୁ କେବେ ସାଧୁ ସନ୍ୟାସୀ ବୋଲି କହିଛୁ ? କିନ୍ତୁ ଚୋରଟାକୁ ଚୋର ବୋଲିବା ଏପରି କିଛି ଅନିବାର୍ଯ୍ୟ ନୁହେଁ । ବୁଝିଗଲେ, ଜାଣିଗଲେ କ’ଣ ହେଲା ନାହିଁ ? ଏଇଟା ଦରବାର ହେଲା । ତାଙ୍କ ଘରେ ଏବେ ସେ ପତ୍ନୀଙ୍କୁ ଅସମ୍ମାନ କରନ୍ତି, ଚମ୍ପା ନାମ୍ନୀ ମହିଳା ତାଙ୍କର ପରାମର୍ଶଦାତ୍ରୀ, ଆମେ କ’ଣ ଏ କଥା ଲୁଚାଉଛୁ ? ଆପଣ ବିଜ୍ଞ ପାଠକ ! ଆପଣ କ’ଣ ଆମକୁ କହି ପାରିବେ ଯେ ଏପରି ମଣିଷ ଆପଣଙ୍କ ସମାଜରେ ନାହାନ୍ତି ? ତେବେ ହଁ ! ତାକୁ ଶାସ୍ତି ଦେବାକୁ କହୁଛନ୍ତି ଯଦି ସେଥିରେ ଆମେ ରାଜି । ତା’ର ପୁଅ ତିନିଟା, କୁଳାଙ୍ଗାର, ନିଶାଖୋର, ଜୁଆଚୋର ହୁଅନ୍ତୁ ! ତଥାସ୍ତୁ !!! ମଙ୍ଗରାଜକୁ ହାତକଡ଼ା ପକେଇ ଗୋବିନ୍ଦପୁର ଦାଣ୍ଡରେ ଦାରୋଗା ବାନ୍ଧିନେଉ ! ତା’ ଠକ ସମ୍ପତ୍ତି ଠକରେ ଓକିଲ ଖାଇଯାଉ ! ହେଲା ଏଥର ତ ସନ୍ତୁଷ୍ଟ ? ନା, ତାକୁ ଘଣାପେଲା ଜେଲଦଣ୍ଡ ହେଉ । ମିଛ ସାକ୍ଷୀ ଡମଙ୍କ ସହିତ ସେ ଜେଲ୍ ଭୋଗୁ-। ଆହୁରି ଯଦି ଚାହାନ୍ତି ତା’ ନାକ କାମୁଡ଼ି ଛିଣ୍ଡେଇ ଦିଆଯାଉ ! ଭଗିଆ ହିଁ ଏ କାର୍ଯ୍ୟ କରୁ ! ତା’ପରେ ସେଇ ଗୋବରା ଜେନା ହାତରେ ଅଧାରାତିଆ ମାଡ଼ରେ ସେ ରକ୍ତବାନ୍ତି କରି ମରୁ ! ଆପଣଙ୍କ ନ୍ୟାୟ ବୁଦ୍ଧିର ସନ୍ତୋଷ ବିଧାନ ପାଇଁ ଆମେ କ’ଣ ନ କରିପାରୁ ? ଏଣୁ ମଙ୍ଗରାଜକୁ ଆମେ ଯେଉଁପରି ଚିହ୍ନାଇଲୁ ଆପଣ ସେହିପରି ଗ୍ରହଣ କରିବା ହେଉନ୍ତୁ !”

 

ଶଠତାର ପୀଢ଼ ଉପରେ ମଙ୍ଗରାଜ ଲୋକଙ୍କ ତଣ୍ଟିରେ ଗୋଡ଼ ରଖି ବଡ଼ ଲୋକ ହୁଏ । ସେଇ ଲୋକେ କହନ୍ତି, “ସ୍ନେହ, ମାୟା, ମମତା, ଚକ୍ଷୁ ଲଜ୍ଜା, ଧର୍ମ କର୍ମ ମଙ୍ଗରାଜ ମନକୁ ଛୁଇଁନାହିଁ-। ସେ ଭଲରୂପେ ବୁଝିଛି ‘ଟଙ୍କାଏବ ମନୁଷ୍ୟାଣାଂ ଚତୁର୍ବର୍ଗ ଫଳପ୍ରଦା ।’ ଦିବା ରାତ୍ରି ତା’ର ଟଙ୍କା ଥିଲା ଧ୍ୟାନ, ଟଙ୍କା ଥିଲା ଜ୍ଞାନ ।” ସେଇ ମୋହରେ ସେ ଅହରହ ଘାଣ୍ଟିହୋଇ ଜୀବନ ବିତେଇଛି ଓ ଶେଷରେ ଆପଣା କର୍ମଫଳ ଆପେ ଭୋଗ କରି ସଂସାରରୁ ବିଦାୟ ନେଇଛି । ବେଶ୍‍ ପରିସ୍କାର କଥା । ଅମାନୁଷିକ ସର୍ବଗିଳା ଲୋକଟାଏ । ତା’ର ଗତି ଏମିତି ନ ହୋଇ ଆଉ କ’ଣ ହୋଇଥାନ୍ତା-?

 

ମଙ୍ଗରାଜର ବିଚାର ହେଲାବେଳେ ଠାଏ ମଧ୍ୟ ସେନାପତିଙ୍କ କଲମ ସାକ୍ଷ୍ୟ ଦେବାରେ କୋହଳ ପଡ଼ିନାହିଁ । ଯମ ପୁରାଣରେ ପାପୀକୁ ଯେମିତି ଚୌରାଶି ନର୍କ ଭୋଗିବା କଥା ବିଶଦ ବର୍ଣ୍ଣନା କରି ପୁରାଣକାର ଖଳ ସ୍ଵଭାବକୁ ଶିକ୍ଷା ଦିଏ; ସେମିତି ମଙ୍ଗରାଜଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଫକୀରମୋହନ ଏଇ ଶିକ୍ଷା ଦେବା ନୀତିଟାକୁ ଛାଡ଼ି ନାହାନ୍ତି । ଯେଉଁ ପଞ୍ଝାକ ମିଶି ସବୁ ମିଥ୍ୟାଚାରର ବିଭ୍ରାଟ କରିଛନ୍ତି; ଦେବାନ୍ ବାହାଦୁର ସେମାନଙ୍କୁ ଗୋଟି ଗୋଟି କରି ଝିଙ୍କିଆଣି ନ୍ୟାୟ ଦଣ୍ଡରେ ଛେଚିଛନ୍ତି । ସେଥିରେ କିଏ ବଞ୍ଚିଛି ବା କିଏ ମରିଛି ସେଇଟା ଛେଚାର ଟାଣପଣ ଉପରେ ନିର୍ଭର କରିଛି । ଦୋଷର ଓଜନ ଦେଖି ଦଣ୍ଡବିଧାନ ହୋଇଛି । ହେଲେ ଦୋବାନ୍ ବାହାଦୁର ଓ ଘୋର ନୀତିବାଦୀ ନିତ୍ୟକର୍ମ ପଦ୍ଧତିକାର, ଏ ଦୁଇ ଜଣଙ୍କ ପଛକୁ ଯେଉଁ ସ୍ରଷ୍ଟାଟି ଛିଡ଼ା ରହିଛନ୍ତି ତାଙ୍କ ମୁହଁ ଟିକିଏ ବିରସ । ଯେପରି ସେ କହିବାକୁ ଚାହାନ୍ତି–“ରାମଚନ୍ଦ୍ରଟା ଦୁଷ୍ଟ ଲୋକ, ଖଳ ଲୋକ, ସେ ଦଣ୍ଡ ନ ପାଉ ଏ କଥା ମୁଁ କେବେ କହିବି ନାହିଁ । ହେଲେ ଭ୍ରାନ୍ତ ଲୋକଟିଏ ବିଚାରା । ସେଇଟା ପୂରାପୂରି ଶଇତାନ ନୁହେଁ । ଟିକିଏ ବିଚାରି ଦେଖ । ତା’ ପୁଅ ତିନିଟା ଯାକ ଅଯୋଗ୍ୟ; ଆଗକୁ ଭରସା ନାହିଁ । ଆଠ କଳସ ମାଡ଼ି ବେଦୀ ଉପରେ ଯାହାକୁ ବିଭା ହୋଇଥିଲା ସେ ଅକାଳରେ ଛାଡ଼ି ଚାଲିଗଲା । ହେଲା ଏବେ, ରାମଚନ୍ଦ୍ର ତାକୁ ପଚାରି ନାହିଁ, ତା’ ସହିତ କେବେହେଲେ ପରାମର୍ଶ କରି ନାହିଁ । ତଥାପି ପତ୍ନୀ ବିୟୋଗରେ ଅସହାୟ ଭାବରେ ଲୁହ ଢାଳିବା ବେଳେ ମୁଁ ତାକୁ ଦେଖିଛି, ବୁଝିଛି, ତୁମେ ଦେଖି ମଧ୍ୟ ଦେଖି ନାହଁ । ଲୋକଟା ଭିତରେ ଯେଉଁ ମାୟା ଟିକକ ଥିଲା ତା’ର କ’ଣ କିଛି ମୂଲ୍ୟ ନାହିଁ । ସେଇଟା ଏକବାରେକେ ନାଲାଏକ ହୋଇଗଲା ! ତାକୁ ଜେଲ ଦେବ, ତାକୁ ମାଡ଼ ମାରି ରକ୍ତବାନ୍ତି କରେଇବ, ତାକୁତ ବରଂ ଫାଶି ଚଢ଼େଇ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା !–ହଁ ସେ ବହୁ ଅନ୍ୟାୟ ଅତ୍ୟାଚାର କରି ସମ୍ପତ୍ତି ଅର୍ଜିଛି । କିନ୍ତୁ ତାକୁ କ’ଣ ରାଇସ୍ ଲାଖି କେବେ ସେ ଭୋଗ କରି ପାରିଲା ? ଲୁଚି ଲୁଚି ଅବା ପେଟକୁ ଦି’ଟା ଖାଇଛି । ତା’ ବି ତମ ଆମ ପରି ନୁହେଁ; ଚୋର ପରି ଲୁଚି ଲୁଚି । ମୁହଁ ପାଖରେ ଥାଇ ଖାଇ ନ ପାରିବା କ’ଣ ଗୋଟାଏ ଅଭିଶାପ ନୁହେଁ ? ହାଁ ହାଁ ହୋଇ ତା’ ଜୀବନଟା ବିତିଛି । ସୁଖ କ’ଣ ସେ ଜାଣି ନାହିଁ । ଅନ୍ୟାୟ ନଈରେ ଗୋଡ଼ ଦେଉ ଦେଉ ସେ ମଝି ସୁଅରେ ପହଞ୍ଚି ଗଲାଣି । ସେଇଠୁ ଏ କୂଳ ଯେତେ ସେ କୂଳ ସେତେ । ତାକୁ ହାବୁକା ମାରି ଆର ପାରିରେ ପହଞ୍ଚାଇବାକୁ ମଧ୍ୟ ଚମ୍ପା, ଗୋବରା ଠିଆ ରହିଛନ୍ତି । ତା’ ପ୍ରତି କାହାରି ହେଲେ ଟିକିଏ ସହାନୁଭୂତି ନାହିଁ । ତେଣୁ ଆମେ ଭାବିଲୁ, ‘ଯାଉ ଚଣ୍ଡାଳ ମାଡ଼ଖାଇ ମରିଯାଉ ।’ ଶେଷକୁ ଉତ୍ତର ମୁଣ୍ଡ ହୋଇ କତରା ଉପରେ ଶୋଇଥିଲା ବେଳେ କାଳେ ଆପଣଙ୍କର ଦୟା ଜାତ ହୋଇଯିବ ପରା ଏବଂ କଳୁଷିତକୁ ଦୟା କରି ଆପଣ କାଳେ କଳୁଷିତ ହୋଇଯିବେ, ଏଇ ଭୟରେ ଆପଣଙ୍କୁ ସମର୍ଥନ କଲାପରି ଗୋଟିଏ କବିରାଜକୁ ଆଣି ଯୁଟେଇ ଦେଇଛୁ । ମଙ୍ଗରାଜଟା ତ ମରୁଛି, ମରୁ ! କିଛି ରସିକତା କଲେ କ୍ଷତି କ’ଣ ? ପରିଶେଷରେ ଯେତେବେଳେ ମାଡ଼ଖିଆ ଘୁଷୁରୀ ମରଣ ଚିତ୍କାର ପରି ସେ “ଥ-ମା-ଆ-ରୁ” ବୋବାଏ, ମୁଁ ଜାଣେ ତା’ର ବେଦନା । ଚମ୍ପା ଗୋବରା ମରିଯିବା ପରେ; ଧନ ସମ୍ପତ୍ତି ଉଜୁଡ଼ି ଯିବା ପରେ ରାମଚନ୍ଦ୍ରଟା ମରିବା କ’ଣ ଏମିତି ଅପରିହାର୍ଯ୍ୟ, ନା ସେ ବଞ୍ଚିଲେ ସେମିତି ଅବିବେକୀ ହୋଇ ରହିଥାନ୍ତା ? ତା’ ନୁହେଁ ଯେ ରାମଚନ୍ଦ୍ରଟା ମରିଗଲେ, ସମସ୍ତଙ୍କୁ ସନ୍ତୋଷ । ସମସ୍ତଙ୍କ ନ୍ୟାୟ ବିଚାରକୁ ପୋଷେଇଲା ଭଳି ସେଇଟା ଗୋଟାଏ ଚରମ ଦଣ୍ଡ । ଅତଏବ ସେ ମରୁ ! ଆଉ କ’ଣ କରାଯାଏ ?

 

ସାରିଆ, ଭଗିଆ, ସାଆନ୍ତାଣୀ–ଏଗୁଡ଼ିକ ସବୁ ନୀରବ ଜୀବ । ମଙ୍ଗରାଜଙ୍କ ଦାଢ଼ରେ ପଡ଼ି ଦୁଇ ଗଡ଼ ହୋଇ ଯାଉଥିବା ନୀରବ ମାଛ ଗୁଡ଼ିଏ । ସାଆନ୍ତାଣୀ ଭାରି ସହଣିକ ମଣିଷ । ଖୁବ୍ ସହିଛନ୍ତି ନିଜର ଦୁଃଖ, କିନ୍ତୁ ପର ଦୁଃଖରେ ତାଙ୍କର ଅନାବିଳ ପ୍ରାଣ କାନ୍ଦିଛି; ସେ ନିଜ ହାତ ପାଆନ୍ତି ଯାହା ପାଉଛନ୍ତି ତା’ କରିଛନ୍ତି । ତାଙ୍କ ଚାରିଆଡ଼େ ସବୁ ଅନୀତି, ଅନ୍ୟାୟ କୁହୁଳୁଛି । ସେ ଅସହାୟ ତାକୁ ଦେଖି ସହି ରହୁଛନ୍ତି । ଶେଷରେ ତାଙ୍କର ଅହିଅ ଡିଙ୍ଗୁରା ବାଜିଛି, ସେ କାଳ ବଳେ ଚାଲି ଯାଇଛନ୍ତି । ତାଙ୍କର ନୈତିକତାର କିଛି ମାତ୍ର ପ୍ରଭାବ କାହା ଉପରେ ହେଲେ ପଡ଼ିନାହିଁ । ସେ ଚାଲିଗଲେ, କାରଣ ସମସ୍ତେ ତ ଦିନେ ଚାଲିଯିବେ । ବାସ୍ ୟାଠୁଁ ଅଧିକ କିଛି ପ୍ରତିକ୍ରିୟା ନାହିଁ । ତାଙ୍କ ପ୍ରତି ଅନ୍ୟାୟ କରାହୋଇଛି ବୋଲି କେହି ତାଙ୍କ ତରଫରୁ ଓକିଲାତି କରି ନାହିଁ । ବରଂ ସାରିଆକୁ ସମସ୍ତେ ବିକଳ ପାଇଛନ୍ତି । ସାରିଆ ଓଲିପାଣ୍ଡି, ସନ୍ତାନଟିଏ ତା’ର ନାହିଁ ବୋଲି ସେ ବିଚାରୀ ହାଇଁପାଇଁ ହେଇଚି । ଶେଷରେ ତା’ର ସବୁ ସେନେହ ଅଜାଡ଼ି ଦେଇଛି ନେତ ଉପରେ । ତାକୁ ଠକି ଭଣ୍ଡି, ତା’ର ସଂସାର ଉଜାଡ଼ି ପରିଶେଷରେ ତାକୁ ବାଡ଼େଇ ମାରିବା ଭୟଙ୍କର ଅମାନୁଷିକ ନୃଶଂସତ । ଏଇ କାରଣରୁ ହିଁ ମଙ୍ଗରାଜକୁ କ୍ଷମା କରି ହେଉ ନାହିଁ । ଭଗିଆ ବିଚାରା ବାୟା ହେଉ ପଛେ ଏ ଅନ୍ୟାୟ, ଅତ୍ୟାଚାର ପରେ ଯେ ବଞ୍ଚିରହି ପାରିଲା ସେଇଟା ଘୋର ବିସ୍ମୟ-

 

ଏମିତି ଏ ଚରିତ୍ର ସବୁ ଭାଗ ଭାଗ ହୋଇ ଠିଆ ରହିଛନ୍ତି । ଅଧେ ଅନ୍ୟାୟ, ଅନୀତିର କାନ୍ଥକୁ ଆଉଜିଛନ୍ତି । ଅଧେ ନିରୀହ ଅସହାୟତାର ଦୁର୍ବଳ ଧର୍ମର ଆଶ୍ରୟ ଲୋଡ଼ିଛନ୍ତି । ଜୀବନରେ ଯେ କୌଣସି ମୌଳିକ ସମ୍ପର୍କରେ ଏ ଦୁଇଟି ଶକ୍ତି ବିଦ୍ୟମାନ । ଗୋଟିଏ ଗୋଟିକୁ ପରାସ୍ତ ନ କଲା ପର୍ଯ୍ୟନ୍ତ ସଂଘର୍ଷର ବିରାମ ନାହିଁ । କିନ୍ତୁ ଛ’ ମାଣ ଆଠ ଗୁଣ୍ଠରେ ଅନ୍ୟାୟ ନିଜେ ନିଜର ମରଣ ଲୋଡ଼ି ଆଣିଛି । ସମଗ୍ର ଉପନ୍ୟାସରେ ଦୁଷ୍ଟ ପ୍ରକୃତିର କେବଳ ସାମୟିକ ଦୁର୍ଜୟତା ଦେଖେଇ ଶେଷରେ ତାକୁ ନିଃଶେଷ କରାହୋଇଛି । ସତ୍ୟ ବା ନ୍ୟାୟର ବଳିଷ୍ଠ ଚିତ୍ର ନାହିଁ । କେବଳ ନିରୀହ ସରଳତାକୁ ଯଦି ଏଇ ଆଖ୍ୟାରେ ଚଳେଇ ନିଆଯାଏ ସେ ଭିନ୍ନ କଥା । ତଥାପି ଅତି ପରିଷ୍କାର ଭାବରେ ଉପନ୍ୟାସରେ ନୈତିକ ତାତ୍ପର୍ଯ୍ୟ ଯେ କେହି ବୁଝିଯିବ ଏଥିରେ ସନ୍ଦେହ ନାହିଁ ।

 

ଅସୁର ଦୀର୍ଘକୁ ଘେରି ଆଠ ଅଙ୍କିଆ ଗାଁଟାକୁ ସେନାପତିଏ ଖୁବ୍ ଦେଖିଛନ୍ତି, ଖୁବ୍‍ ଚିହ୍ନିଛନ୍ତି ଓ ପାଠକକୁ ହାତଧରି ନେଇ ଚାରି ତୁଠ, ତିନି ସାଇ ଖୁବ୍ ବୁଲେଇ ମଧ୍ୟ ଆଣିଛନ୍ତି । ବ୍ୟଙ୍ଗ ପରିହାସ ନ କଲେ ତ ତାଙ୍କ ତୁଣ୍ଡରୁ କଥା ବାହାରିବ ନାହିଁ । ଯେତେବଡ଼ ଗୁରୁତର ବିଷୟଟା ହେଉପଛେ ତାକୁ ଟିକଲେଇ କହିବା ହେଲା ତାଙ୍କ ନୀତି । ହାତୀ ଭଳି ଏଡ଼େବଡ଼ ଜନ୍ତୁ; ତା’ର ଥୋଡ଼ ପାହାର, ତା’ ମୁଣ୍ଡ, ତା’ର ଖମ୍ବ ପରି ଗୋଡ଼–ଏ ସବୁ ତ ସମସ୍ତେ ଦେଖିବେ, ତାକୁ ବହଳେଇ ଫେଣେଇ କହିବେ । କିନ୍ତୁ ସେନାପତିଏ ଚାଲିଯିବେ ତା’ ପଛପଟକୁ ଯେଉଁଠି ସରୁ ହୋଇ ଗୋଟିଏ ଦୁଇହାତିଆ ଲାଙ୍ଗୁଡ଼ ନୁଡ଼ୁ ନୁଡ଼ୁ ହେଉଛି । ଗମ୍ଭୀର ହେବା କିମ୍ବା ସ୍ତମ୍ଭୀଭୂତ କରେଇବା ତାଙ୍କ ନୀତି ନୁହେଁ । ତାଙ୍କ ଦୃଷ୍ଟିଭଙ୍ଗୀଟା ଏଇଭଳି ସବୁବେଳେ ହାତୀ ଲାଙ୍ଗୁଡ଼ିଆ । ଏଣୁ ଗାଁ ବୁଢ଼ୀ ମଙ୍ଗଳାଙ୍କର ଟାପରା କଲାବେଳେ, ସଂସ୍କୃତ ଶ୍ଳୋକଟିଏ ବୋଲି ତା’ର ଆମୋଦକର କଦର୍ଥ କଲାବେଳେ କିମ୍ବା ନୂଆ ପାଠୁଆଙ୍କୁ ବଙ୍କେଇ ବଙ୍କେଇ କଥା ଲାଛିଲା ବେଳେ ସେନାପତିଙ୍କୁ ଏ ଲଘୁ ପରିହାସ ଭଙ୍ଗୀଟା ବେଶ୍ ମାନେ । କଥାକାର ଏମିତି ସହଣିକ ଓ ସହୃଦୟ ନ ହୋଇ ଯଦି କଥା କଥାକେ ଗମ୍ଭୀର ଓଁକାର ନାଦ କରି ଖାଲି ଦର୍ଶନ ଗିଳେଇବେ କେବଳ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରି କରି ହାଲିଆ କରିଦେବେ ତେବେ ପାଠକକୁ ମଧ୍ୟ ଆତ୍ମରକ୍ଷାର ଖୁବ୍ ସହଜ ଉପାୟ ଜଣାଅଛି ।

 

କିନ୍ତୁ ସେ ଭୟ ଛ’ ମାଣ ଆଠ ଗୁଣ୍ଠରେ ନାହିଁ । ସେନାପତିଏ କେତେବେଳେ ହେଲେ ପାଠକକୁ ତାଙ୍କ ନଜରରୁ ଆଡ଼ କରିଦେଇ ନାହାନ୍ତି । ତା’ ସହିତ ଏମିତି ସିଧାସଳଖ ସମ୍ପର୍କ ରଖି ଏମିତି ବାର୍ତ୍ତାଳାପ ମାଧ୍ୟମରେ ଉପନ୍ୟାସ ଲେଖିଯିବା, ଯୁଗ ଶୈଳୀ ହୋଇପାରେ କିନ୍ତୁ ଫକୀରମୋହନ ତାକୁ ଗୋଟିଏ ଅଦ୍ଭୁତ କଳାରେ ପରିଣତ କରିଛନ୍ତି । ପାଠକ ଯେପରି ତାଙ୍କର ଅତି ଜଣାଶୁଣା ଅତିଥିଟିଏ । ଯାହାକୁ ସେ ଭଲ ପାଆନ୍ତି, ଯାହାକୁ ସେ ଖାତିର୍ କରନ୍ତି, ଆଉ ପ୍ରୟୋଜନ ହେଲେ ଛଳେଇ ଦୁଇପଦ ଉପଦେଶ ଦେବାରେ ଅଧିକାର ମଧ୍ୟ ରଖିଛନ୍ତି ।

 

ସବୁ ହୁଏ ଯେ ପାଠକ, ଲେଖକ ଓ ଉପନ୍ୟାସର ଏକାତ୍ମବୋଧ ଆସେ ନାହିଁ । ଲେଖକ ସବୁବେଳେ ଜାଣନ୍ତି ଯେ ସେ କାହାଣୀ ଲେଖୁଛନ୍ତି ଓ ତାଙ୍କ ଆଗରେ ପାଠକ ବସିଛି ! ଠାଏ ଠାଏ କଥାର ସୁଅ ଏମିତି ବଳୁଆ ଧରିଛି ଯେ ପାଠକ ହଜି ଯାଉଛି; ସେଇ ଅନୁପାତରେ ଲେଖକ ମଧ୍ୟ । କିନ୍ତୁ ତା’ପରେ ପରେ ଫକୀରମୋହନ ଫିକ୍ କିନା ହସିଦେଇ ପାଠକର କାନ ପାଖରେ ଫୁଟୁକି ମାରି ଦେଇଛନ୍ତି । କହୁଛନ୍ତି ଯେମିତି, “ ଏଗୁଡ଼ାକ ଏତେ ଗୁରୁତର କଥା କିଛି ନୁହେଁ । କାଥାଣୀର ବାଘ ଭାଲୁକୁ ଏମିତି ଡରିଲେ ଆଉ ଚଳିବ ?” ସେ ଖୁବ୍ ପରିଷ୍କାର ସୂଚେଇ ଦିଅନ୍ତି ଶେଷ ପର୍ଯ୍ୟନ୍ତ ଯେ ଆମେ ସବୁ ପାଠକ, ସେ କଥାକାର ଓ ଛ’ ମାଣ ଆଠ ଗୁଣ୍ଠ ଗୋଟିଏ ଉପନ୍ୟାସ । ଏବକାର, ସେବକାର ଭଲ ମନ୍ଦ କଥା ସବୁ ସେ କହନ୍ତି । ସମାଜ ବିଷୟରେ, ବ୍ୟକ୍ତି ବିଷୟରେ, ପାପ ପୁଣ୍ୟ, ଦୋଷ ଦଣ୍ଡ ଏମିତି କେତେ କଥା ! କିନ୍ତୁ ତାଙ୍କର ନିର୍ଲିପ୍ତତା ଯେମିତି ପାଠକକୁ ଖୁବ୍ ଲାଗେ । ଆଉ ଟିକିଏ ଉଲା ଲେଖକ ତାଙ୍କ ଲେଖା ଭିତରେ ମଜ୍ଜି ଯାଇଥିଲେ ସେ ନିଜେ ଗହୀରରେ ବୁଡ଼ ମାରି ପାରିଥାନ୍ତା । କିନ୍ତୁ ଏ କଥା ହୁଏ ନାହିଁ । ସେନାପତିଙ୍କୁ ଛ’ ମାଣ ଆଠ ଗୁଣ୍ଠଟା ଆଣ୍ଠୁ ଆଣି ହୁଏ । ସେ ତା’ଠାରୁ ଢେର ବଡ଼ ବୋଲି ପ୍ରମାଣିତ ହୋଇଯାଏ । ଯେତିକ ସେ ତା’ ଭିତରେ ବୁଡ଼ିଛନ୍ତି ସେଇଟା ଉପନ୍ୟାସର ଜୀବନ୍ୟାସ କରେ; ତାକୁ ଦିଏ ଗୋଟାଏ ଅଦ୍ଭୁତ ସୃଷ୍ଟିର ପ୍ରାଣ ? କିନ୍ତୁ ତାଙ୍କର ବାକି ବିରାଟ ଅଂଶଟା ପରିହାସ କରେ, ବ୍ୟଙ୍ଗ କରେ, ଫୁଟୁକି ମାରି କଥା ଗୁଡ଼ାକୁ ଉଡ଼ାଏ ।

 

ଓଡ଼ିଆ ଭଳି ଗୋଟାଏ ନାଲାଏକ ଇଲମ୍‍କୁ ନେଇ ଏମିତି ମାଫିକ୍ କିତାବ୍ ଲେଖିବାର ବାହାଦୁରି ପାଇଁ ସେନାପତିଙ୍କୁ ଯୁଗ ଯୁଗ ଧରି ଆମେ ସଲାମ୍ ବଜେଇବୁ । ଆମେ ନାଲାଏକ; ଏପରି ଗୁରୁଠାରୁ ବକ୍ତବେଳେ ଇଲମ୍ ହାସଲ୍ କଲୁ ନାହିଁ ବୋଲି ଅବଶୋଷ ମଧ୍ୟ କରୁଥିବୁ ।

Image

 

ସାରଳାଙ୍କ ଭୀମ

 

ଗଛତଳୁ ଗୁଡ଼ାଏ ଅପହଁଚ ଶିଖକୁ ନିଘା କରୁଥିଲା ବେଳେ ଗୋଟାଏ ବୃଷାଳିଆ ଡାଳ ହାତ ପାଆନ୍ତି ମିଳିଗଲେ ତାକୁ କୁଣ୍ଢେଇ ତା’ ଦେହରେ ବୁକୁ ଘଷି ତା’ ଉପରେ କୁଦାମାରି ବସିବାରେ ଯେମିତି ତା’ପ୍ରତି ଗୋଟାଏ ସୋଦର-ଭାବ ଆସେ, ଅତି ଆପଣାର, ଅତି ନିଘଞ୍ଚ ବୋଧହୁଏ ତା’ର ସେଇ ବଳବନ୍ତ ଚିକ୍‍କଣ ଘେର, ସାରଳା ଦାସ ମହାଭାରତରେ ସେ ଭଳି ଖୁବ୍ ପାଖେଇ ଆସନ୍ତି ଭୀମସେନ ଠାକୁରେ; ସସ୍ରେ ସିଂହ ପରାକ୍ରମୀ କକ୍ଷା ଜଗଜ୍ୟେଷ୍ଠି ବୃକୋଦର, କୋଇନ୍ତାଙ୍କ ଭୀମ, ସାରଳାଙ୍କ ଭୀମା !! ଅପାର କାଳ ଅନ୍ତେ ଏବେ ମଧ୍ୟ ତାଙ୍କ ଶାଳ ଗଣ୍ଡି ପରି ଘସା ମଜା ବାହୁ ଦଣ୍ଡରୁ ସାରଳା ଦାସଙ୍କ ଦେହର ଉଷୁମ ବାରିହୁଏ । ତାଙ୍କ ଠାଣି, ତାଙ୍କ ବିକ୍ରମ, ତାଙ୍କ ସଚ୍ଚୋଟପଣିଆ ଭିତରେ ଦାସଙ୍କ ନିଜ ରୂପ ଝଲସି ଉଠେ । ତାଙ୍କ ଚନ୍ଦ୍ରଉଦିଆ ପରି କାନ୍ତି ଉପରେ ଦାସେ ଯେମିତି ଅଜାଡ଼ି ଦେଇଛନ୍ତି ସ୍ରଷ୍ଟାର ଅକୃପଣ ଆଦର, ଯତନରେ ସଞ୍ଚି ରଖିଥିବା ଅନେକ ଅଶ୍ରୁ । ମୂଳ ମହାଭାରତକୁ ବ୍ୟାସେ ଯେ ଭଳି ଆକାଶ ମାର୍ଗେ ତୋଳି ନେଇଥିଲେ ତାକୁ ସାରଳା ଦାସ ନିଜ ବାହୁବଳେ ଭୂଇଁକୁ ଓଟାରି ଆଣିବାରେ ସମଗ୍ର ମହାଭାରତ ଆମ ସାଧାରଣ ଜୀବନକୁ ପ୍ରତି କେନ୍ଦ୍ରରେ ଛୁଇଁଲା ଭଳି ନଇଁ ଆସିଛି । ତା’ ଦେହରେ ସେ ବୁଣି ନେଇଛନ୍ତି ଅନେକ ନୂଆ ନୂଆ ଉପାଖ୍ୟାନର ଲଇ । ଅନେକ ବାଙ୍କ ସଳଖି ଦେଇଛନ୍ତି ଆମକୁ ସୁହାଇଲା ଭଳି; ଖଞ୍ଜି ନେଇ ଯାଇଛନ୍ତି ବଡ଼ ଡାଳକୁ ଛୋଟ ଡାଳ, ଛୋଟ ଡାଳକୁ ଲଇ, ପତ୍ର, କଢ଼ କେବଳ ଠିକେ-ଠିକେ-ବ୍ୟାସଙ୍କୁ-ଯୁଜେଷ୍ଠି-ମାନୁଥିବା-ଦୁର୍ନିବାର-ଭୀମସେନ ଭଙ୍ଗୀରେ । ପ୍ରାଣ ଦେଇ ପ୍ରାଣ ସଂଚାର କରିଛନ୍ତି ସେ କୌରବ ଓ ପାଣ୍ଡବଙ୍କ ଚରିତ୍ରରେ । ସମସ୍ତେ ତାଙ୍କ ପାଇଁ ଗୋଟିଏ ପରିବାର; ସମସ୍ତେ ସୋମବଂଶୀ । କିନ୍ତୁ ଜଣକ ଆଖ୍ୟାନ ପଡ଼ିଗଲେ ଦାସେ ଖୁବ୍ ଚାଖି ଚାଖି ସୁଆଦ ମିଞ୍ଜେଇ ନେଲା ପରି ଜଣା ପଡ଼ନ୍ତି । ତାଙ୍କ ସମୁଦ୍ରରେ ଉଜାଣି ଉଠେ, ଆଖି ଜକେଇ ଯାଏ, ଗାଲ ମୂଳେ ଶୀତକଣ୍ଟା ମାରେ । ଜଣାପଡ଼େ ସତେ ଅବା ଏଇ ଭୀମ ହିଁ ତାଙ୍କ ପରାଣଦୋସର ।

 

ବୃକୋଦର ଅନ୍ୟମାନଙ୍କଠୁଁ ଟିକିଏ ବେଶି ଖାଏ, କିନ୍ତୁ ଖାଏ ବୋଲି କେତେ ଲୋକହସା ଭଲା ନ ହୁଏ । ସବୁଠେଇ ବିଚାର ଚିହ୍ନାପଡ଼େ ଏଇ ଭୋକ-ବିକଳିଆ ସ୍ଵଭାବ ନେଇ । ପାଣ୍ଡବଙ୍କ ପାଇଁ ତ ଦୁର୍ଦ୍ଦିନ କେବେ ଛାଡ଼ ନାହିଁ । ଏଡ଼େ ବଡ଼ ପୃଥ୍ଵୀ ଉପରେ ପାଦ ଥୋଇବାକୁ ନିଜର ହୋଇ ଥାନ ଟିକିଏ ନାହିଁ, କାରଣ ଏକା ଏକାକେ ଯେଉଁ ଯୋଦ୍ଧା ତିନି ଭୁବନ ଜୟ କରି ଆସନ୍ତେ ତାଙ୍କୁ ଦୁର୍ବିପାକରେ ଅନ୍ନ ବସ୍ତ୍ର କଷ୍ଟ ଆସିଗଲା । ଆଦ୍ୟ ଯୌବନରୁ ସେମାନେ ବନବାସୀ । ସାମାନ୍ୟ ଝିମିଟି ଖେଳରୁ ଦୁର୍ଦ୍ଦଶା ଘୋଟି ଆସିଲା । ବାଛି ବାଛି ପାଞ୍ଚଟା ଶର ଫଳାକୁ ନିଆଁରେ ପୋଡ଼ାହେଲା । ଟାଣ ପାଣି ଦେଇ ଶାଣ ପଥର ଉପରେ ଅହରହ ଘୋରା ଚାଲିଲା । ଯେମିତି ସେ ବିଜୁଳି ପରି ଝଟକିବେ; ମହାଭାରତର ଗୋଳ-ଯୁଦ୍ଧରେ ନିମିତ୍ତ ହୋଇ ଅସାଧ୍ୟ ସାଧନ କରିବେ । ସେପରି ଘୋର ଦୁର୍ଦ୍ଦିନରେ ମଧ୍ୟ ଭିକ୍ଷା ବୃତ୍ତିରୁ ଯାହା ମିଳେ କୋଇନ୍ତା ଭୀମ ପାଇଁ ଅଧେ ରଖିଦେଇ ବାକି ଅଧକ ବାଣ୍ଟି ଦିଅନ୍ତି । ଭୀମ ଜାଣେ, ମନେ ମନେ ଲାଜେଇ ଯାଏ । କିନ୍ତୁ ପେଟରେ ବୃକ ଅଗ୍ନି ହାଉ ହାଉ ଜଳି ଉଠିଲେ ଆଉ କିଛି ନ ବିଚାରି ସମଗ୍ର ରୋଷେଇର ଅର୍ଦ୍ଧେକ ଅନ୍ନ ପାବନି ଏକାକେ ଭୁଞ୍ଜିଦିଏ । ବିଶ୍ଵାସ ଥାଏ ଯେ ଗଣ୍ଡେ ଅନ୍ନ ଅଧିକ ଖାଇବାର ଅଧିକାର ତା’ର ଅଛି । ଆଉ ତ କିଛି ରାଜକୁମାରର ପ୍ରାପ୍ୟ ବିଳାସ ସମ୍ଭୋଗ ନାହିଁ ! ଏଣୁ ଅନ୍ତତଃ କୁନ୍ତୀ ଓ ଯୁଜେଷ୍ଠି ଠାକୁରେ ଏ ଅଧିକାରକୁ ମାନି ନେବେ । କିନ୍ତୁ ଯେତେବେଳେ ନଈ ମଝିରେ ଡଙ୍ଗା ଟଳୁଛି; ନାଉରୀ ମଙ୍ଗ ସମ୍ଭାଳି ନ ପାରି କହୁଛି ଯେ ବାକି ସମସ୍ତେ ବଞ୍ଚିବାକୁ ହେଲେ ଜଣେ ପାଣିକୁ ଡେଇଁ ପଡ଼ିବାକୁ ହେବ, ହେଠ ମୁଖ ହୋଇ ବସିଛନ୍ତି ଯୁଧିଷ୍ଟିର ଓ କୁନ୍ତୀ । “ନା ! ନା ! ତା’ କେବେ ସମ୍ଭବ ନୁହେଁ !” ଭାବିଛନ୍ତି ଭୀମ, “ମୋ ମା’ ମୋ ଭାଇ କ’ଣ ମୋତେ ମୂର୍ଛିଦେଇ ନଈରେ ବିସର୍ଜି ଦେବେ-? ମୁଁ ଗଣ୍ଡେ କ’ଣ ଅଧିକ ଖାଇଦିଏ ବୋଲି ମୋ ମୁହଁକୁ ଚାହିଁବେ ନାହିଁ । ମୋର ହୋଇ ତା’ ହେଲେ କେହି ନାହିଁ !” ଆହା ଆହା କରିଥିବେ ସାରଳା ଦାସ ଯେତେବେଳେ ଭୀମସେନ ନିଜ ଭିତରର ତାତିଲା କୋହ ଗୁଡ଼ାକୁ ବୁଡ଼େଇ ଦେବାକୁ ନଈକୁ ଡେଇଁ ପଡ଼ିଥିବେ ! କେଡ଼େ ଛୋଟ, କେଡ଼େ ଅନୁଦାର, କେଡ଼େ ଆମ ତୁମ ଭଳି ସାଧାରଣ ଦେଖା ଯାଉଛନ୍ତି କୁନ୍ତୀଦେବୀ ! ଉଶ୍ଵାସ ହେଲା ଡଙ୍ଗା ଓ ସେତିକି ଗୁରୁତ୍ୱହୀନ, ଅସହାୟ ହୋଇ ଝାଉଁଳି ପଡ଼ିଲେ ବଳକା ପାଣ୍ଡବେ ! କିମ୍ଭୀରୁଣୀକୁ ଉଦ୍ଧାର କରି ଓଦା ସରସର ହୋଇ ଆସି ଠିଆ ହୋଇଥିବେ ଭୀମ । ମନରେ କିନ୍ତୁ ହରଷ ନ ଥିବ । ଆଖିରୁ ଲୁହ ଧାର ଗଡ଼େଇ ସଭିଏଁ ତାଙ୍କୁ ଆଉଁସି ଦେଲାବେଳେ ତାଙ୍କ ଆଖି କେବଳ ଶୂନ୍ୟକୁ ଅନେଇ ରହିଥିବ ! ଦି’ କାନ୍ଧରେ ଚାରି ଭାଇ ପିଠିରେ ମା’କୁ ବୋହି ଦୁର୍ଗମ ବଣ ପାରିହେବା ପୂର୍ବରୁ ସମସ୍ତଙ୍କୁ ଲୁଚେଇ ଗୋଟିଏ ଦୀର୍ଘ ନିଶ୍ଵାସ ହୁଏତ ବାହାରି ଯାଇଥିବ । ଆଖିପତା ଓଦା ହୋଇ ଯାଇଥିବ । ମନେ ପଡ଼ିଥିବ ଯେ ସେ ଅଧିକ କିଛି ଅନ୍ନ ଖାଆନ୍ତି । ଅଳ୍ପ ହସି ଦେଇ ସେ ଆନମନା ହୋଇ ପଶିଥିବେ ବଣ ଭିତରେ । ସାରଳା ଖୁବ୍ ଅଥଳ ଗହୀରରୁ ଏ ଲୁହ, ଏ ହସ, ଏ ନୀରବତାକୁ ଅନୁଭବି ଥିବେ; ଆଉ ଏ ଶାଣଦିଆ ମୁହୂର୍ତ୍ତରେ କତୁରୀ ହୋଇଯାଇଥିବେ ନିଜେ । ଦାସଙ୍କ ବାମ୍ଫୁଆ କୋହ ଆମ ଆଖି କୋଣରୁ ଧୂଆଁ ହୋଇ ଫୁଟି ପଡ଼େ । ବୁକୁ ଭିତରୁ ଉଛୁଳି ଆସି ତୋଟି ପାଖରେ ଗୁଳା ବାନ୍ଧିଯାଏ । ଆମେ କହୁଁ, “ଆହା, ଭୀମସେନ ଗଣ୍ଡେ ଅଧିକ ଖାଆନ୍ତି ବୋଲି...ଆମେ କ’ଣ ଯୋଗେଇ ପାରନ୍ତେ ନାହିଁ ଯେ...” ।

 

କିନ୍ତୁ ଯୋଗେଇ ଦିଅନ୍ତି ଦାସେ, ଅକାତର, ଅକୃପଣ, ଆଦରରେ । ବକାସୁର ପାରଣାରୁ ସହସ୍ରେକ ମଣ୍ଡା ଭୀମ ଗର୍ଭକୁ କ୍ଷେପନ୍ତି । ବିରାଟର ରୋଷେଇ ଶାଳରେ ଷାଠିଏ ପଉଟି ଅନ୍ନ ଏକାକେ ଭୁଞ୍ଜନ୍ତି । କିନ୍ତୁ ଖାଆନ୍ତି ବୋଲି ତାଙ୍କୁ ବାଘ ମୁହଁରେ ମେଲିଦିଆ ହୁଏ । ଏ ସବୁ ଭୀମର ଦେହ ଘସା । ଆଉ ଏଥିରେ କ୍ଷୋଭ ନାହିଁ କି ମନ ଉଦାସ ନାହିଁ । ବିରାଟ ପୋଷୁଛି, ସେ ବାଘ ମୁହଁରେ ଦେଇପାରେ, ମାଲ ମୁହଁରେ ଦେଇପାରେ । ସେ ତ ଆଉ ତାଙ୍କ ମା’ ଭାଇ ନୁହେଁ ! ସହସ୍ରେ ସିଂହର ବଳ ବୋଲି ସିନା ଭୀମାକୁ ଏ ସବୁ କେତେ ମାତ୍ର କିନ୍ତୁ ତାକୁ ଏମିତି ବିପତ୍ତି ମୁହଁରେ ପଶା ସାର ଭଳି ଖେଳି ଦେବାର ନିର୍ଦ୍ଦୟ ଭାବ ସେ ଯେତେ ନ ବୁଝିଲା ପରି ଦିଶିଲେ ମଧ୍ୟ କ’ଣ ବୁଝେ ନାହିଁ ? ବୁଝେ, କିନ୍ତୁ ବେଶି ଆଉ ଫେଣାଏ ନାହିଁ କାଳେ କ୍ରେଧାଗ୍ନି ଭ୍ରୂକୁଟିକୁ ଚହଟି ଯିବ; ସେଥିରେ ତୁଚ୍ଛାକୁ ବ୍ୟୁତ୍ପାତ ହେବ ସିନା । ତଥାପି ଅପମାନ କ୍ଷୋଭ ରୋଷେଇ ଶାଳର କଞ୍ଚା କାଠ ନିଆଁ ପରି କୁହୁଳେ । ବେଳ ପାଇଲେ ଗୋଟାଏ ହୁଳାରେ କୀଚକ ଶହେ ଭାଇଙ୍କୁ ରଟମଟ କରି ଚୋବେଇ ଖାଇଯାଏ । କୀଚକକୁ ଗନ୍ଧର୍ବ ମାରେଣିରେ ଏମିତି ମାଉଁସ ଗୁଳା କରିବା କ’ଣ କମ୍ ଭୟଙ୍କର କ୍ରୋଧ ଆଉ ପରାକ୍ରମର କଥା ? ଏପରି ଆଉ କାହାକୁ ମାରିଥିବା ତ’ ସାରା ମହାଭାରତରେ କୁତ୍ରାପି ଦେଖିବାକୁ ମିଳେ ନାହିଁ । ଭୀମକୁ ବାଧେ, ବାଧିଲେ ସେ ସମ୍ଭାଳି ପାରେ ନାହିଁ, ଅଘଟନ ଘଟେଇ ଦିଏ । କିନ୍ତୁ ଯଦି ସେ ଘାଆକୁ ଭିତରେ ମିଞ୍ଜେଇ ରଖେ, ସେ ଦିନେ ଏମିତି ଭୂଇଁ ଚିରି ନିଆଁ ଉତୁରି ଆସିଲା ପରି ଶତେ ସିଂହ ପରାକ୍ରମୀ କୀଚକଟାକୁ ଦଳି ଚକଟି ଓରାରେ ଉଚୁକେଇ ଦିଏ । ତାକୁ ସମ୍ଭାଳିବା ଯାହା, ମହାବଳ ବାଘଟାକୁ ସମ୍ଭାଳିବା ତାହା । ଅଜ୍ଞାତବାସରେ ଯୁଜେଷ୍ଠି ଭୀମ ଉପରେ ଭରସା ବାନ୍ଧିଥାନ୍ତି, କିନ୍ତୁ ସବୁବେଳେ ବିପତ୍ତି ଗଣୁଥାନ୍ତି ସେଇ ଭୀମକୁ ନେଇ । ବିରାଟର ପଶାକାଠି ମାଡ଼ରେ ଧର୍ମଙ୍କ ରକ୍ତ ଭୂଇଁରେ ପଡ଼ିଲେ ପୃଥ୍ଵୀ ବାର ବର୍ଷ ନିଷ୍ଫଳା ହେବାକୁ କୋନ୍ତଭଟ୍ଟଙ୍କ ଯେତିକି ଭୟ ନାହିଁ ସେତିକି ଭୟ କାଳେ ଭୀମସେନ ଆଖିରେ ପଡ଼ିଯିବ । ଆଖି ପିଛୁଡ଼ାକେ ବିରାଟ ଆଉ ତା’ର ବିଶା ଶହେ ପୃଥ୍ଵୀ ପଦା ହୋଇଯିବ । ଅଜ୍ଞାତବାସ ନିଷ୍ଫଳ ହୋଇଯିବ । କୋନ୍ତେ ଅବଶ୍ୟ ଜାଣନ୍ତି ଯେ ଭୀମସେନ ତାଙ୍କ ବୋଲ ଅମାନ୍ୟ କରିବ ନାହିଁ । ଯଦି ନ ମାନେ ତାକୁ ମଣ କରିବାକୁ କାହାର ସାଧ୍ୟ ।

 

ଧର୍ମରାଜ ଯୁଜେଷ୍ଠିଙ୍କୁ ଭୀମ କିନ୍ତୁ ମାନି ନେଇଛନ୍ତି ଯେମିତି ସମୁଦ୍ର ତା’ର ବେଳାକୁ ମାନିନିଏ । ତାଙ୍କୁ ଲଙ୍ଘିଯିବା ଅଧର୍ମ । ସେ ନ୍ୟାୟ କରୁଛନ୍ତି କି ଅନ୍ୟାୟ କରୁଛନ୍ତି ସେ କଥା ବିଚାରିବା ଭୀମ ଆବଶ୍ୟକ ମଣନ୍ତି ନାହିଁ । ଅଗ୍ରଜଙ୍କ ଅନଜ୍ଞା ନ ହେଲେ କୌଣସି କାର୍ଯ୍ୟ କରିବା ସମ୍ଭାବିବ ନାହିଁ । ବିରାଟ ସଭାତଳେ ରାଜା ଆଡ଼କୁ ଅଙ୍ଗ ଢାଳି ଯୁଜେଷ୍ଠିଙ୍କୁ ପ୍ରଣିପାତ ହୋଇ ଠିଆହେବା ଭଙ୍ଗୀ ଭୀମଙ୍କୁ ଭାରି ମାନୁଥିବ । ବିରାଟର ଆଦେଶକୁ ସହି ଭାଇଙ୍କ ଇଙ୍ଗିତରେ କାର୍ଯ୍ୟ କରିବା ହେଲା ବଲ୍ଲଭ ପଣ୍ଡାଙ୍କ ଧର୍ମ । ରାଜାକୁ ସମ୍ମାନ ହେଉ ଅସମ୍ମାନ ହେଉ ତା’ କଥାକୁ ସମ୍ଭାଳି ତା’ ବେକଟିକୁ ବଗ ବେକ ପରି ମୋଡ଼ି ଦି’ ଖଣ୍ଡ ନ କରିବା ହେଲା ଭୀମଙ୍କ ସହଣିକ ପଣିଆ । ଯୁଜେଷ୍ଠି ଦେବ ଯଦି ପଶାଖେଳି ସର୍ବସ୍ଵ ହାରି ଯାଆନ୍ତି ତେବେ ତାହା ଶିରୋଧାର୍ଯ୍ୟ । ଯଦି କପଟ କରି ଡାହାଣ ଅଙ୍ଗ ଆଗଭର କରି ହିମାଳୟ ଆରୋହଣ କରିବାକୁ କହନ୍ତି ତାହା ମଧ୍ୟ ଶିରୋଧାର୍ଯ୍ୟ-। ପୁଞ୍ଜାଏ ଅର୍ଜୁନ ବିକା ହୋଇଗଲେ କେତେ, ଗଣ୍ଡାଏ ଭୀମ ଟଳି ପଡ଼ିଲେ କେତେ, ଧର୍ମରାଜଙ୍କ ଶାସନ ସର୍ବାଗ୍ରେ ରହିବାକୁ ହେବ । ଏଇୟା ହେଲା ନୀତି । କିନ୍ତୁ ମଝିରେ ମଝିରେ ସାରଳା ସାହି ପାରନ୍ତି ନାହିଁ ଯୁଜେଷ୍ଠିଙ୍କୁ, ଏଣୁ ତାଙ୍କ ଭୀମସେନ ମଧ୍ୟ କୁରୁ ସଭାକୁ ‘ଗୋଲକ ପୁତ୍ର’ ନେଇ ଗଲାବେଳେ ତାଙ୍କୁ ବାରମ୍ବାର ଝୁଣ୍ଟି ପଡ଼ନ୍ତି, ଦ୍ରୌପଦୀ ବିବସନ ହେଲାବେଳେ ରୁଦ୍ର ରୂପରେ ଗର୍ଜନ କରି ଉଠନ୍ତି ।

 

ଭୀମ ଯେତିକି ଭୟ କରନ୍ତି ଯୁଜେଷ୍ଠିଙ୍କୁ, ସେତିକି ଭକ୍ତି କରନ୍ତି ଗୋବିନ୍ଦଙ୍କୁ, ଆଉ ସେତିକି ଭଲ ପାଆନ୍ତି ପାଞ୍ଚାଳୀଙ୍କୁ । ପାଞ୍ଚାଳୀ, ଯେ ହସ୍ତୀନାର ପାଟରାଣୀ ହୁଆନ୍ତା, ଯେ ସୋମ ବଂଶର କୁଳବଧୂ ସେ ଆସି କୁରୁସଭା ତଳେ ବିବସ୍ତ୍ରା ହେବ ଆଉ ତାକୁ ଭୀମ ଆଖି ଆଗରେ ଦେଖି ସହିଯିବେ ? ବନ୍ଧା ପଡ଼ିଥିବା ଦନ୍ତାହାତୀ ଝୁଣ୍ଟିହୋଇ ଉଠିଲା ପରି ଗର୍ଜି ଉଠିଲେ ଭୀମସେନ ! ସତ୍ୟର ଶାଙ୍କୁଳି ସୁଦ୍ଧା ଉଞ୍ଚି ହୋଇ ଛିଣ୍ଡି ପଡ଼ିବା ପରି ଜଣାଗଲା ! ଆଖି ବୁଲିଲା କୁରାଳ ଚକ୍ର ପରି ଆକାଶ ଛିଡ଼ି ପଡ଼ିଲା ତାଙ୍କ ରଡ଼ି ଘାତରେ । ବାହୁ ଦଣ୍ଡରେ ବିଦ୍ୟୁତ୍‍ର ସ୍ଫୁରଣ ହେଲା, ଘନ ଘନ କମ୍ପି ଉଠିଲା ଭ୍ରୂକୁଟି ! ଦାନ୍ତ କଡ଼ମଡ଼ କରି କାଳ କୃତାନ୍ତ ପରି ଭୀମ କୌରବ ପଲ ଭିତରେ ଝସେଇ ପଶିଲେ କି ଆଉ ! ପାଞ୍ଚାଳୀର ଅପମାନ ଆଗରେ ଦୁଃଶାସନର ବୁକୁର ରକ୍ତ ଯେମିତି ନିଅଣ୍ଟ, ଦୁର୍ଯ୍ୟୋଧନର ଉରୁକୁ ଗଦା ଘାତରେ ଗୁଣ୍ଡ କରିଦେଲେ ମଧ୍ୟ ସେମିତି ନିଅଣ୍ଟିଆ ! ସତ୍ୟ, ଧର୍ମ ଯୁଜେଷ୍ଠି ଦେବଙ୍କୁ ମିଶେଇ ସେଇ କ୍ରୋଧ ଅଗ୍ନି ଭିତରେ ଭାଜି ହେଉଛନ୍ତି; ପୋଡ଼ିଯିବେ ପାଉଁଶ ହୋଇଯିବେ !! ଧର୍ମ ପାଳି ଯେଉଁ ଭାଇ ଭୂଇଁକୁ ଚାହିଁ ଚଳି ଆସୁଥିଲା ତା’ ଭିତରୁ ହୁଗୁଳି ଆସିବ କୃତାନ୍ତକ ଯମ । ସମସ୍ତେ ସ୍ତବ୍‍ଧ ହୋଇଗଲେ । ସମସ୍ତଙ୍କ ମେରୁଦଣ୍ଡ ଶିକୁଳି ଛାଡ଼ିଗଲା । ଶରୀର କମ୍ପିଲା ଦୁରୁ ଦୁରୁ ହୋଇ, କିନ୍ତୁ ସମସ୍ତେ ଜାଣନ୍ତି ଯେ ଭୀମସେନ ସତ୍ୟ ଲଙ୍ଘି ପାରିବ ନାହିଁ-! ଯେତେ ବାତ୍ୟା ବତାସୀରେ ଅଥଳ ସମୁଦ୍ର ମନ୍ଥି ହେଲେ ମଧ୍ୟ କୁଳ ଲଙ୍ଘି ପାରିବ ନାହିଁ ! ଲଙ୍ଘି ପାରିଲେ ନାହିଁ ଭୀମସେନ । ସବୁ ବଜ୍ରାଗ୍ନି ନିଜ ଗର୍ଭକୁ କ୍ଷେପି ହେଠମୁଖ ହୋଇ ବସି ପଡ଼ିଲେ । ପାଞ୍ଚାଳୀର କଲବଲ ସହିବାକୁ ହେଲା । ତା’ର ଆର୍ତ୍ତ ବୋବାଳି ଶୁଣି ପାଷାଣ ପରି ଧର୍ମକୁ ଜାବୁଡ଼ି ବସିବାକୁ ହେଲା ।

 

ଏହି ଅଗ୍ନିକୁ ଉଖାରି ଦେଲା କୀଚକ । ଗୋଟାଏ ହୁଳା କେବଳ ଉଠି ଆସିଲା ଅଜ୍ଞାତବାସର ନିବୁଜ କାନ୍ଥ ଭିତରୁ । ଆଖଡ଼ା ଘର ଅନ୍ଧାରରେ ପାଞ୍ଚାଳୀ ଅପମାନର ପ୍ରତିଶୋଧ ନେଇ ଭୀମ ଦୁଃଶାସନର ବୁକୁ ବିଦାରି ଦେଇଥିବେ, ଦୁର୍ଯ୍ୟୋଧନର ଉରୁକୁ ବିଧା ଘାତରେ ଚୂନା କରି ଦେଇଥିବେ । କୀଚକ ତ କେବଠୁଁ ମଲାଣି । ତା’ ମେଦ ଶରୀର ଦଳି ହୋଇ ଗୋଟିଏ ପିଣ୍ଡୁଳା ହୋଇ ଯାଇଥିବ । ତାଙ୍କ ଗର୍ଭରେ ଲହଡ଼ି ମାରୁଥିବା ଘୋର କ୍ରୋଧାଗ୍ନିର ସେଇ ଟିକକ ପାଇଁ ମଧ୍ୟ ଗୋଟିଏ କୀଚକ କ’ଣ ଅଣ୍ଟନ୍ତା ? ରାତିଯାକ ଭୋକିଲା ଶାର୍ଦ୍ଦୂଳ ପରି ଗର୍ଜିଥିବ କ୍ରୋଧ ! ତା’ ଆର ଦିନ କୀଚକ ଚିତାରେ ତା’ ଅନେଶତ ଭାଇଙ୍କୁ ଜୀଅନ୍ତା ପୋଡ଼ି ଖାଇଯାଇ ସେ ଗର୍ଭକୁ ଲେଉଟି ଥିବ ।

 

ଏ ଅଗ୍ନି କିନ୍ତୁ ପୁଣି ଫାଟି ପଡ଼ିଲା କୁରୁକ୍ଷେତ୍ର ପଡ଼ିଆରେ ଯେଉଁଠି ଭୀମ ସତକୁ ସତ ମହାରଥୀ ଭୀମ । ରଣଶିଙ୍ଗା ବାଜିଲେ ତାଙ୍କ ବାହୁଦଣ୍ଡରୁ ହଜାରେଟା ସିଂହ କୁହାଟ ମାରି କୁଦି ପଡ଼ନ୍ତି । ରଣ ରଙ୍ଗରେ ମାତିଗଲେ ଭୀମ ଆଗରେ ଠିଆ ହେବ ଏମିତି ଯୋଦ୍ଧା ପୁଣି କିଏ ଅଛି ? ଗୋଟି ଗୋଟି କରି କୌରବ ଶହେ ଭାଇଙ୍କୁ ଗଦାଦଣ୍ଡରେ ଚୂରିବା ହେଲା ସେ ମହାଯୁଦ୍ଧରେ ଭୀମସେନଙ୍କ ଗୋଟାଏ ବିଳାସ । ଯେଉଁଦିନ ଦୁଃଶାସନକୁ ପାଇ ମହାବଳୀ ଭୀମ ତା’ ବୁକୁ ଚିରି ରକ୍ତ ପିଇଗଲେ ସେତେବେଳେ ସେ ମହାଭୈରବ ରୂପ; ବେଣୀବନ୍ଧନରୁ ରକ୍ତ ଥୋପି ପଡ଼ୁଥିବା ବେଳେ ଯାଜ୍ଞସେନୀ ମହାଭୈରବୀ ରୂପା !! ଭୀମଙ୍କ ବାହୁରେ ନୃସିଂହ, ଆଖିରେ ବଡ଼ବା, ନିଶ୍ଵାସରେ ଅଣଞ୍ଚାଶ ମୂର୍ତ୍ତି ପବନ !ଏଥିରେ ସେ ଦିଶୁଥିବେ ମହାକାଳ ସଦୃଶ ଭୟଙ୍କର ! ଏ ରୂପ ଅନ୍ୟ କୁତ୍ରାପି ନାହିଁ–ଜରାସନ୍ଧକୁ ଦି’ ଫଡ଼ା କଲାବେଳେ ନାହିଁ କି ଦୁର୍ଯ୍ୟୋଧନକୁ ଗଦା ମାଡ଼ରେ ଭଗ୍ନଜାନୁ କଲାବେଳେ ମଧ୍ୟ ନାହିଁ । ଭୀମଙ୍କର ଏ ଭୈରବ ରୂପକୁ ସାରଳା ସ୍ତବ କରିଛନ୍ତି ପାଣ୍ଡବଙ୍କ ମୁହଁରେ, ଗୋବିନ୍ଦଙ୍କ ମୁହଁରେ ।

 

ଗୋବିନ୍ଦେ କିନ୍ତୁ ଜାଣନ୍ତି ଯେ ଭୀମଟା ହୁଣ୍ଡା । ପେଟେ ଖାଏ, ଚୋଟେ ହାଣେ–ବେଳ ପାଇଲେ ଜହ୍ନରାତି ଦେଖି ବିରାଟର ରୋଷଶାଳ ପଥର ଅଗଣାରେ ନିର୍ଘାତ ଶୁଏ । ଚିନ୍ତା ବୋଲି ଏତେ ଟିକେ ନାହିଁ । ଯାହା ବୁଝିଥିବ ସେଇଆ । କପଟ କଥା ତା’ ବାଳୁତ ସ୍ୱଭାବରେ ପଶିପାରେ ନାହିଁ । ଭାଇ ଅଛନ୍ତି ବୁଝିବାକୁ, ଗୋବିନ୍ଦେ ଅଛନ୍ତି ସମ୍ଭାଳିବାକୁ, ଅର୍ଜୁନା ଅଛି ଯୁଝିବାକୁ । ଏତିକିରେ ଏମିତି ଚାଲୁ । ବେଳ ପଡ଼ିଲେ, କ’ଣ ଯୁଦ୍ଧ ହବ ବୋଲି କହୁଛନ୍ତି, ଦେଖିବା ନାଇଁ ! ଏଇୟା ପ୍ରାୟ ଭୀମଙ୍କ ଭାବନା । ‘ଜଦ୍ୟରଥ’ ଭିଣେଇ, ଏଣୁ ଅବଧ୍ୟ । ତା’ ବାଳକୁ ସାତ ବେଣ୍ଟି କରି ତାକୁ ସାତ ଥର ପୁଡ଼ା ତଳେ ଗଳେଇବା ତାଙ୍କ ବୁଦ୍ଧି । ମୁଥ ଦେଖେଇ ବିରାଟର ଅକ୍ଷୌହିଣୀ ସେନାଙ୍କଠୁ ଅନ୍ନ ବଳକାଇ ନିଜେ ଭୁଞ୍ଜିବା ହେଲା କାମ ! ନାଗ ଲୋକରେ ଉଲୁପୀ ଡାକିଲେ ‘ହଁ’, ବନସ୍ତରେ ହିଡ଼ିମ୍ବୀ ଡାକିଲେ ‘ହଁ’ । ଆଗ ପଛକୁ ବିଚାର ନାହିଁ । ସିଧା ସଳଖ ନିଷ୍କପଟ ସତ୍ୟବନ୍ତ ପୁରୁଷ ଏଇ ଭୀମସେନ । ତାଳଗଛ ହେଉ, ଶାଳଗଛ ହେଉ ହାତରେ ଯାହା ପଡ଼ିଗଲା ତାକୁ ବୁଲେଇ ପିଟିବା ହେଲା ତାଙ୍କ ଢଙ୍ଗ । ଯୁଦ୍ଧ ହେଲେ ସେ ରଥ ଉପରେ ରଥ, ହାତୀ ଉପରେ ହାତୀ ଛେଚି ଦିଅନ୍ତି, ଚାପୁଡ଼ାକେ ମୁଣ୍ଡ ଛିଣ୍ଡିଯାଏ, ମୁଥାକେ ମୁର୍ଦ୍ଧା ଫାଟିଯାଏ ! ଯୁଦ୍ଧଟା ସତେ ଯେମିତି ଗୋଟାଏ ଖେଳ-! ମନ୍ଦରଗିରି ସାଗର ମନ୍ଥିଲା ପରି ଅବଲୀଳାକ୍ରମେ ଖେଳିଯାନ୍ତି ଭୀମସେନ । ସେତିକିରେ ଯୁଦ୍ଧ ସରିଯାଏ । ମଲାବେଳେ ଘଟୋତ୍କଚ ଡାକି ଦେଲା । ଭୀମେ କହିଲେ, ‘କୁରୁଥାଟ ଆଡ଼େ ମାଡ଼ି ପଡ଼ି ଯା’ । ଗୋଳଯୁଦ୍ଧ ଭିତରେ, ରାଗ ରୋଷ ବେଳେ ହିଡ଼ିମ୍ବୀ ଆଉ ମନେ ପଡ଼ି ନାହିଁ । ଅଳପ କରି ଦରାଣ୍ଡିଲେ ପାଞ୍ଚ ସାତ ଜଣ ଘୋଷାଡ଼ି ହୋଇଯାନ୍ତି, ଭୀମେ ଆସ ବୋଲି ଆଦରେ ଡାକିଲେ ଝିଙ୍କିଲା ପରି ଦିଶେ । ଗୋଟିଏ କଥା ବୁଝି ଆଉ ଅଝଟରେ ପଶିବାକୁ ମନ ନ କରୁଥିବାରୁ ତାଙ୍କ ହୁଣ୍ଡାପଣ ଦିଶେ ।

 

ଏଇ ହୁଣ୍ଡା ପଣରେ ସେ ଧର୍ମକୁ ଛାଡ଼ି ସମସ୍ତଙ୍କୁ ହୁଡ଼ନ୍ତି । ସ୍ଵୟଂ ଯାଦବପତି ମଧ୍ୟ ଦି’ ଚାରି ହାବୁକା ଖାଇଛନ୍ତି । ଭୀମେ ବୁଝନ୍ତି ପୁରୁଷୋତ୍ତମଙ୍କୁ ! ସକଳ କର୍ମ ସେ କରେ ବୋଲି ମଧ୍ୟ ବୁଝନ୍ତି । କିନ୍ତୁ ବୁଝିପାରନ୍ତି ନାହିଁ ତାଙ୍କର ମାନବୀ ଧର୍ମ, ତାଙ୍କ କପଟ ଲୀଳା, ତାଙ୍କ ଆଡ଼ୁଆ ମୋଡ଼ଣି । ଭୀଷ୍ମେ ପ୍ରତିଜ୍ଞା କଲେ ମେଦିନୀ ଅପାଣ୍ଡବା କରିବାକୁ । ସେ ପ୍ରତିଜ୍ଞାଟା ସର୍ବନିୟନ୍ତା ପାଖରେ ବା କି ଛାର । ସେ କାହିଁକି ଏମିତି ଛାନିଆ ତାଟକା ହୋଇ ହସ୍ତିନା ଛାଡ଼ି ଯିବାକୁ ବାହାରି ପଡ଼ନ୍ତି ? ସମସ୍ତେ କରଯୋଡ଼ି ଗୁହାରି କଲାବେଳକୁ ଭୀମ ତାଙ୍କୁ ଉଶ୍ଵାସରେ ତୋଳି ଆଣି ଯୁଧିଷ୍ଠିରଙ୍କ ପାରୁଶରେ ବସେଇ ଦିଅନ୍ତି । କୃଷ୍ଣଙ୍କୁ ମଧ୍ୟ ଏ ଓଟରାଟା ଭଲ ଲାଗେ । ସଖାଙ୍କ ବଡ଼ ଭାଇ ଭୀମସେନ ଠାକୁରେ ବେଳ ପଡ଼ିଲେ ଚୁଟି ଧରି ଚାପୁଡ଼ା ଝାଙ୍କିଦେବେ ଏ ପ୍ରତ୍ୟୟ ନାରାୟଣଙ୍କର ଅଛି । ପ୍ରଭୁଙ୍କ ଉପରେ ଭୀମଙ୍କର ତିଳାର୍ଧେ ସନ୍ଦେହ ନାହିଁ, କାଣିଚାଏ ସଂଶୟ ନାହିଁ-। କୁରୁନଦୀ ଯେତେ ଭୟଙ୍କର ହେଉ ପଛକେ ସେ ଭକ୍ତକୁ ଉଦ୍ଧାରି ନେବେ । ଏ ବିଶ୍ଵାସ ତାଙ୍କର ଅଟଳ–ସୁପକ୍ୱ ଅନ୍ନ ବ୍ୟଞ୍ଜନରେ ତାଙ୍କ ରୁଚି ଭଳି ବଡ଼ ଭାଇଙ୍କ ଉପରେ ଆସ୍ଥାଭଳି ଅତି ସହଜ, ଅତି ସ୍ଵାଭାବିକ !

 

ଭୀମସେନଙ୍କ ସରଳପଣିଆ ପାଇଁ ବିପତ୍ତି ବେଳେ ତାଙ୍କୁ ଆଗ କରି ବାକି ସବୁ ପଛେଇ ଯାଆନ୍ତି । ବକା ମାରିବେ ଭୀମ, ହିଡ଼ିମ୍ବା ମାରିବେ ଭୀମ, ଶାମ୍ବ ଲୁହା ମୁଷଳ ପ୍ରସବିଲେ ତାକୁ ଘୋରିବେ ଭୀମ । ପୋଷମନା ହାତୀଟାକୁ ଯେମିତି ଖଟେଇ ନିଆଁ ହୁଏ, ତା’ ବଳ ଉପରେ ନିର୍ଭର କରିହୁଏ ବୋଲି, ସେ କିଛି ବୁଝିପାରେ ନାହିଁ ବୋଲି । ଭୀମସେନ କିନ୍ତୁ ବୁଝନ୍ତି; ହେଲେ ହୁଣ୍ଡା ପଣେ ସବୁଠି ବାମ ଅଙ୍ଗ ପାତିଦେଇ ମାଡ଼ି ଯାଆନ୍ତି । ସମାନ ସମାନ ପରିତାଳ ପଡ଼ିଗଲେ ଭୀମସେନଙ୍କୁ ଅଭିଶାପ ଅଛି ସେ ପ୍ରଥମେ ହାରିବା ଅପମାନ ସହିବେ । ପଛରେ ଜୟ କଲେ ମଧ୍ୟ ଯଶ କାହିଁ ? ଯେଉଁଠି ଶୁଣିବ ଖାଲି ଅର୍ଜୁନର କୀର୍ତ୍ତି । ସେଥକୁ ଭୀମଙ୍କ ଭ୍ରୂକ୍ଷେପ ନାହିଁ । ହେଲେ ହେଲା, ନୋହିଲେ ନୋହିଲା । ଯାହା ହାବୁଡ଼େ ପଡ଼ିଲା ତାହା କରିବାକୁ ସେ ଆଗଭର ହୁଅନ୍ତି ଯଦି ତହିଁରେ ଭାଇଙ୍କ ଅନୁମତି ଥାଏ । ଯୁଜେଷ୍ଠିଙ୍କ ଆଖିଠାର ତାଙ୍କ ଗୁରୁବାକ୍ୟ । ସାରଳା ହୁଣ୍ଡାଟିଏ ସର୍ଜିଛନ୍ତି ସତ, ମାତ୍ର କି ମାର୍ଗେ ତାକୁ ତୋଳିଛନ୍ତି !

 

ଭୀମସେନଙ୍କ ଭିତରେ ଦୁଇଟି କେନ୍ଦ୍ର । ଗୋଟିକରେ ଯୁଜେଷ୍ଠି ଠାକୁରେ, ଆରଟିରେ ପାଞ୍ଜାଳୀ । ଯୁଜେଷ୍ଠିଙ୍କ ଆସନ ସତ୍ୟର ଆସନ, ଧର୍ମର ଆସନ, ଗୁରୁର ଆସନ ! ସେଇଠି କୃଷ୍ଣ ସୁଦ୍ଧା ଆଡ଼ଘସା ଦେଇ ଠିଆ ରହନ୍ତି, ସୃଷ୍ଟି ଟଳିଗଲେ ମଧ୍ୟ ଭୀମଙ୍କ ଆସ୍ଥା ଭାଇ ଉପରୁ ଟଳିବ ନାହିଁ । ଏଇଟା ତାଙ୍କ ନଦୀ ଧାରର ଦିଗ । ଯୁଜେଷ୍ଠି ବଙ୍କେଇଲେ ଧାର ବାଙ୍କିବ, ନଚେତ୍ ସେ ଯାହା କହିବେ ସେଇଆ । ଆରଟି ତାଙ୍କ ମାନ, ଟେକ ଆଉ ପ୍ରେମର ଆସନ–ସେଇଠି ପବନ ବାଜିଗଲେ ତାଙ୍କ ବୁକୁରେ ଘା’ ଦାଗି ହୋଇଯାଏ । ସେଇଠି ଅପମାନ ହେଲେ ତାଙ୍କ ଆଖିରେ କାଳାନଳ ଝଲକି ଉଠେ । ଏଇଟା ତାଙ୍କର ପ୍ରବେଗ; ତାଙ୍କୁ ତତାଏ, ତଡ଼େ, ଉଚ୍ଛୁଳାଏ ଏଇ ଯାଜ୍ଞସେନୀ । ଏଇ ଦୁଇଟି ନିୟମ ଭିତରେ ସାରା ମହାଭାରତର ଅକଳନ୍ତି ବନ୍ଧୁ କୁଟୁମ୍ବୀ ଦୂର ନିକଟରେ ଖଞ୍ଜିହୋଇ ଯାଆନ୍ତି । ଭୀମସେନ ତାଙ୍କୁ କେବେ ଆଡ଼ ଆଖିରେ ଚାହିଁ ଦିଅନ୍ତି ତ କେବେ ନାହିଁ । ଏ ଦୁଇଟି ଭିତରେ ମଧ୍ୟ ମଝିରେ କଷାକଷ ହୋଇଯାଏ, ଯେଉଁଟା ଯେତେବେଳେ ଜିଣିଗଲା । ସୁଅ ତେଜିଗଲେ କୂଳ ଧସି ପଡ଼ିଛି, ବା କୂଳ ଟାଣ ହେଲେ ସୁଅ ମୋଡ଼ି ହୋଇ ଯାଇଛି । କିନ୍ତୁ ଏ ଦୁଇଟାକୁ ନେଇ ଭୀମସେନ ରୂପୀ ମହାନଦ ଆଉମାନଙ୍କ ପାଇଁ ସ୍ଵଧର୍ମରେ ଉତ୍ସର୍ଗ ହୋଇ ବୋହି ଯାଇଛନ୍ତି, ମହାଭାରତ ଆଖ୍ୟାନର ଏ ପାରିରୁ ସେ ପାରିକୁ ।

 

ଶକୁନିର କପଟରେ ଯୁଦ୍ଧ ହୁଏ, କୃଷ୍ଣଙ୍କ କପଟରେ ସମସ୍ତେ ସଂହାର ହେଲାପରେ ଜୟସ୍ତମ୍ଭ ଉପରୁ ଏକା ଚାପୁଡ଼ାକେ ବେଲାଳସେନକୁ ଭୀମ ଝାଡ଼ି ଦିଅନ୍ତି ତା’ପରେ କିନ୍ତୁ କପଟର ଏ ସୂକ୍ଷ୍ମରୂପ ତାଙ୍କର ସୁହାଯାଏ ନାହିଁ । ସେ ବୁଝିଯାନ୍ତି ଯେ ସେ ଠକି ହୋଇ ଯାଇଛନ୍ତି । କୋଇନ୍ତାଙ୍କ ସ୍ନେହ ତାଙ୍କ ପାଇଁ କାଣିଚାଏ ଊଣା, ଦୌପଦୀଙ୍କ ମନ ତାଙ୍କ ପାଇଁ କାଣିଚାଏ ଊଣା, ଗୋବିନ୍ଦଙ୍କ କରୁଣା ମଧ୍ୟ କାଣିଚାଏ ଊଣା । କୌରବ ଥାଟ ସମସ୍ତଙ୍କର ତାଙ୍କ ଉପରେ ରୋଷ । ଅନ୍ଧ ଧୃତରାଷ୍ଟ୍ର ତାଙ୍କୁ ଚୂରିବାକୁ ଯାଇ ଲୁହା ଭୀମକୁ ଗୁଣ୍ଡ କରି ଦେଇଛି ! କାହାରି ଆଡ଼କୁ ସେ ଆଉ ଷୋଳ’ଣା ଆତ୍ମୀୟ ଭାବରେ ଅନେଇ ପାରୁ ନାହାନ୍ତି । ଏଡ଼େ ବଡ଼ ମନ ଭୀମସେନଙ୍କର ମଉଳି ଯାଇଛି । କେବଳ ମୂକ ହୋଇ ଧର୍ମ ଆଶ୍ରା କରି ଶେଷରେ ମହାଯାତ୍ରା କରିଛନ୍ତି । ଆଗରେ ଯୁଧିଷ୍ଠିର ଚାଲିଛନ୍ତି ବୋଲି ଭରଷା । ପଛରେ ମୃତ୍ୟୁ ପାଦକୁ ପାଦ ପକେଇ ଆଗେଇଚି । ଶେଷରେ ଯୁଜେଷ୍ଠି ଦେବ ମଧ୍ୟ କପଟ କଲେ ! ଭୀମ ବୁଝିଥିବେ ପରା ! ଅତଡ଼ାକୁ ଦିଗ ଦେଖେଇ ଦେଇ ଆଡ଼େଇ ହୋଇ ଠିଆ ହୋଇ ଯାଇଛନ୍ତି ଯୁଜେଷ୍ଠି । ଅଜାଡ଼ି ହୋଇ ପଡ଼ିଛନ୍ତି ଭୀମସେନ ମହାକାଳର ପ୍ରସାରିତ ବାହୁ ଭିତରେ । ସ୍ଵଦେହରେ ସ୍ଵର୍ଗ ତାଙ୍କର କ’ଣ ହେବ ? ଯାହାକୁ ସେ ମାନି ଆସିଛନ୍ତି, ସେ କପଟ କଲେ ମଧ୍ୟ ତାକୁ ଶେଷରେ ମାନି ଚାଲିଯିବେ । ଡାହାଣ ଅଙ୍ଗ ପାତିଦେଲେ ଭୀମ, ସେମିତି ପାତିଦେଲେ ତାଙ୍କ ଡାହାଣ ଅଙ୍ଗ ସାରଳା ଦାସ ! ଶାନ୍ତି ପର୍ବରେ ସବୁ ଉଚ୍ଚ ଉଚ୍ଚ ଢେଉ ଓ କୁହାଟ ନିସ୍ତବ୍‍ଧ ଭଜିଲେ । ଦ୍ୱାପର ଯୁଗକୁ ଅନ୍ଧାର ନଇଁ ଆସିଲା ।

Image